ପ୍ରାଚୀନ କାଳର କଥା । ଜଣେ ଅସାଧାରଣ ଯୋଦ୍ଧା ମଳୟ ସମୁଦ୍ର ତଟରେ ରହୁଥିଲେ । ତାଙ୍କର ସାହସ, ପରାକ୍ରମ ଓ ବୀରତ୍ୱର କାହାଣୀ ଦେଶ ବିଦେଶର ଲୋକେ ଜାଣୁଥିଲେ । କିନ୍ତୁ ସେ ନିଜ ବାହାଦୁରୀ କେବେବି ଜାହିର୍ କରୁ ନଥିଲେ ।
ଦିନେ ସେ ସମୁଦ୍ର ତଟରେ ବୁଲୁଥା’ନ୍ତି । ଦେଖିଲେ ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ଚାଲି ଚାଲି ଏକ ବିରାଟକାୟ ବ୍ୟକ୍ତି ଆସିଲା । ତାକୁ ଯୋଦ୍ଧା ପଚାରିଲେ, “ତୁମେ କିଏ? ଏଠାକୁ କାହିଁକି ବା ଆସିଛ?”
ମହାକାୟ କହିଲା “ମୁଁ ମହାକାୟ ଦ୍ୱୀପରୁ ଆସିଛି । ଆମ ରାଜା ଏଠାରେ ଥିବା ଅସାଧାରଣ ଯୋଦ୍ଧାଙ୍କ ପାଖକୁ ଏକ ଖବର ପଠାଇଛନ୍ତି ।”
ମହାକାୟ ଦ୍ୱୀପରୁ ଆସିଥିବା ସେ ଲୋକଟି ବହୁତ ଚିନ୍ତିତ ଦେଖାଯାଉଥିଲା । ବୀର ତା’କୁ ଆପାଦ ମସ୍ତକ ନିରୀକ୍ଷଣ କରି ଦେଖିଲେ । ଜଣେ ଏଡେ ବିରାଟ ମଣିଷ ପୁଣି ତାଙ୍କ ସହାୟତା ଲୋଡିବାକୁ ଆସିଛି, ଏହା ତାଙ୍କୁ ବହୁତ ରହସ୍ୟମୟ ମନେ ହେଲା । ଲୋକଟି ଯେଉଁ ଦ୍ୱୀପରୁ ଆସିଛି, ସେ ଦ୍ୱୀପରେ ଅନ୍ୟମାନେ ମଧ୍ୟ ଏହାରି ପରି ବିଶାଳାକୃତି ହୋଇଥିବେ । ସେମାନଙ୍କର ପୁଣି କ’ଣ ସମସ୍ୟା ହୋଇପାରେ? ବୀର ନିଜ ପରିଚୟ ନଦେଇ ପ୍ରଥମେ ସେ ଲୋକଟିର ଉଦ୍ଧେଶ୍ୟ ଜାଣିବାକୁ ଇଚ୍ଛା କଲେ ।
ଯୋଦ୍ଧା କହିଲେ “ଏବେ ସେ ଯୋଦ୍ଧା ଶୀକାର କରିବାକୁ ଯାଇଛନ୍ତି । ମୋତେ କୁହ ତାଙ୍କୁ କ’ଣ ଖବର ଦେବ । ମୁଁ ତାକୁ କହିଦେବି ।”
ମହାକାୟ ସେ ବୀରଯୋଦ୍ଧାଙ୍କ ଆଡେ କିଛି ସମୟ ଅନାଇ ରହିଲା । କିନ୍ତୁ ବୀରଙ୍କ କଣ୍ଠସ୍ୱରରେ ଆନ୍ତରିକତା ଭରି ହୋଇ ରହିଥିଲା । ଏଣୁ ମହାକାୟ ତାଙ୍କୁ ସନ୍ଦେହ କରିପାରିଲା ନାହିଁ ।
ମହାକାୟ କହିଲା, “ଆମ ଦେଶର ମହାରାଣୀଙ୍କର ପ୍ରସବ ସମୟ ନିକଟ ହୋଇ ଆସିଛି । ଏହା ପୂର୍ବରୁ ସେ ଦୁଇଟି ପୁତ୍ର ଜନ୍ମ ଦେଇଛନ୍ତି । କିନ୍ତୁ ପ୍ରସବ ହେବା ପରେ ସେହି ରାତିରେହିଁ ପିଲା ଚୋରୀ ହୋଇଯାଉଛି । ଏଥରକ ରାଜା ଚାହାଁନ୍ତି ଯୋଦ୍ଧା ମହାଶୟ ନିଜେ ସେଠାକୁ ଯାଇ କିଛି ପ୍ରତିକାର କରିବେ । ପୂର୍ବଥର ରାଜାଙ୍କ ସୈନ୍ୟମାନେ ଭିତର ବାହାର ସବୁଆଡେ ଜଗି ରହିଥିଲେ ମଧ୍ୟ ପିଲା ହରଣଚାଳ ହୋଇଛି ।”
ଯୋଦ୍ଧା କହିଲେ “ଠିକ୍ ଅଛି ଏକଥା ମୁଁ ସେହି ଯୋଦ୍ଧାଙ୍କୁ କହିଦେବି ।” ତାଙ୍କଠାରୁ ବିଦାୟ ନେଇ ସେ ମହାକାୟ ଜଣକ ନିଜ ଦେଶକୁ ତୁରନ୍ତ ବାହୁଡିଗଲା ।
ପରଦିନ ସକାଳେ ସମୁଦ୍ର ତଟରେ ଯୋଦ୍ଧା ବୁଲୁଥିବା ବେଳେ ଦେଖିଲେ ଆଠଜଣ ଖର୍ବକାୟ ବାମନ ନିଜ ଭିତରେ ଦୌଡାଦୌଡି କରି ଖେଳୁଛନ୍ତି । ସେ ପଚାରିଲେ, “ତୁମେମାନେ କିଏ? ଏଠାରେ କ’ଣ କରୁଛ?”
ଜଣେ ବାମନ କହିଲା “ଆମେ ସବୁ ବାମନ । ଆମେ ଏଠି ଖେଳୁଛୁ । ମୋ ନାମ ହେଲା ‘ଶିଳାରାମ’ । ମୁଁ ଯଦି ବସିଯାଏ ତେବେ ପଥର ପରି ପଡି ରହେ; ମୋତେ କେହିବି ହଲାଇ ପାରିବ ନାହିଁ ।”