ପ୍ରାଚୀନ କାଳରେ ସୁବର୍ଣ୍ଣଗିରି ନାମକ ପର୍ବତରେ କେତେକ ବାନର ରହୁଥିଲେ । ସେମାନେ ସାଧାରଣ ବାନର ନୁହଁନ୍ତି, ସେମାନେ ଏକପ୍ରକାର ବାନର ରୂପୀ ମନୁଷ୍ୟ । କେଶରୀ ସେହି ବାନର ରାଜ୍ୟର ରାଜପୁତ୍ର ଥିଲେ । ସେହି କେଶରୀଙ୍କର ଅପାର ବଳ ଥିଲା । ବଣର ମିଠା ଫଳମୁଳ ଖାଇ ସାଙ୍ଗସାଥିଙ୍କ ସହ ଘୁରି ବୁଲି ସେ ଅତି ଆନନ୍ଦରେ କାଳାତିପାତ କରୁଥିଲେ ।
ଥରେ ପ୍ରଭାସତୀର୍ଥରେ ଦୁଇଟି ହାତୀଙ୍କର ଉପଦ୍ରବ ଦେଖାଦେଲା । ସେଠାରେ ଅନେକ ମୁନିଋଷି ରହୁଥାନ୍ତି । ଶଙ୍ଖ ଓ ସବଳ ନାମକ ସେହି ହାତୀ ଦୁଇଟି ମୁନିମାନଙ୍କ ଜୀବନକୁ ସର୍ବଦା ବିପନ୍ନ କରି ରଖିଥା’ନ୍ତି । ବାନରରାଜ କେଶରୀ ସେହି ଦୁଷ୍ଟ ହାତୀ ଦୁଇଟିଙ୍କୁ ମାରି ମୁନିମାନଙ୍କୁ ସେମାନଙ୍କ ଉପଦ୍ରବରୁ ରକ୍ଷା କଲେ । ତା’ପରେ ସେ ଅନେକ ଦିନ ଧରି ତପସ୍ୟା କରି ଅଦ୍ଭୁତ ଶକ୍ତି ସବୁ ପ୍ରାପ୍ତ କଲେ ।
ସେହି ସମୟରେ ସମ୍ବସାଧନ ନାମକ ଜଣେ ରାକ୍ଷସ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଏକ ବର ପ୍ରାପ୍ତ କରି ତିନିଲୋକରେ ଅଜେୟ ହୋଇ ଉଠିଲା । ତା’ର ଅପାର ଆନନ୍ଦ ଋଷି ମୁନି, ସିଦ୍ଧ ପୁରୁଷ ଓ ଦେବତାମାନଙ୍କର କୌଣସି ପ୍ରକାରରେ କ୍ଷତି ସାଧନ କରିବାରେହିଁ ଥିଲା ।
ଦିନେ ଦେବତାମାନେ ଏକତ୍ରିତ ହୋଇ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ସେମାନଙ୍କୁ ବୁଝାଶୁଝା କରି ବାନରରାଜ କେଶରୀଙ୍କ ପାଖକୁ ପଠାଇ ଦେଲେ । ଦେବତାମାନେ ସୁବର୍ଣ୍ଣଗିରିରେ ପହଁଚି କେଶରୀଙ୍କୁ ବ୍ରହ୍ମାଙ୍କ ଆଦେଶ କଥା କହିଲେ । “ତୁମ ବ୍ୟତୀତ ସେହି ଦୁଷ୍ଟ ରାକ୍ଷସକୁ ଆଉ କିଏ ବା ମାରିପାରିବ?”
ସେତିକିବେଳେ ଦେବର୍ଷି ନାରଦ ସମ୍ବସାଧନ ପାଖରେ ଯାଇ ପହଁଚିଲେ । ସମ୍ବସାଧନ ତାଙ୍କୁ ପ୍ରଣାମ କରି ପଚାରିଲା, “ମୁନିବର ଆପଣ ଏ ଅସମୟରେ କିପରି? କିଛି ବିଶେଷ ସମାଚାର ଅଛି କି?”
ତହୁଁ ନାରଦ କହିଲେ, “ମୁଁ ଏବେ ହେମକୁଟରୁ ଆସୁଛି । ସେଠାରେ ଇନ୍ଦ୍ରାଦି ଦେବତାମାନେ ଜଣେ ବାନରକୁ ତୁମକୁ ମାରିବା ପାଇଁ ଅନୁରୋଧ କରୁଛନ୍ତି । ଏଣୁ ଯାହା କରିବାର କଥା ଏବେଠାରୁ କର ଓ ସାବଧାନ ଥାଅ । ମୁଁ ତ ତୁମ ଶକ୍ତି କଥା ଭଲ ଭାବେ ଜାଣେ । ତଥାପି ମଧ୍ୟ ସେ ବଳଶାଳୀ ବାନରରାଜ ତୁମକୁ କଷ୍ଟ ଦେଇପାରେ ।”
ଏକଥା ଶୁଣି ସେ ରାକ୍ଷସ ପ୍ରଚଣ୍ଡ ରାଗରେ ହୁଂକାର କରି କହିଲା, “ମୁଁ ଦୟାଳୁ ହୋଇ ସେହି ଭୀରୁ ଦେବତାଗଣଙ୍କୁ ଜୀବନରେ ନ ମାରି ଛାଡି ଦେଇଥିଲି ବୋଲି ଆଜି ତା’ର ଏହି ପ୍ରତିଫଳ ମୋତେ ମିଳୁଛି? ମୁଁ ବି ଦେଖୁଛି ଛାର ବାନରଟାଏ ମୋର ଏମିତି କ’ଣ କ୍ଷତି କରିପାରିବ? ଦେବତାମାନେ ବି ମୋର ବଳ କେତେ ସେ ବିଷୟରେ ଜାଣିବା ଉଚିତ୍ ।”
ପ୍ରଳୟକାଳର ରୁଦ୍ରଙ୍କ ପରି ହୁଂକାର ଛାଡି ଉକ୍ତ ରାକ୍ଷସ କେଶରୀଙ୍କ ପାଖକୁ ଗଲା । ଏଣେ ଦେବତାମାନେ ଗଛମାନଙ୍କ ଭିତରେ ଭୟରେ ଯାଇ ଲୁଚିଲେ ।
“ଏବେ କୁଆଡେ ଯିବ । ମୁଁ ତୁମ ସମସ୍ତିଙ୍କୁ ଏକାଥରେ ମାରିବି ।” ରାକ୍ଷସ ଏପରି କହୁ କହୁ ଦେବତାଙ୍କୁ ଖୋଜିଲା । ଠିକ୍ ସେତିକିବେଳେ ମହାବଳଶାଳୀ କେଶରୀ ତା’ର ପଥରୋଧ କରି କହିଲେ, “ଆରେ ଏ ଦୁଷ୍ଟ ରାକ୍ଷସ, ତୋ ଭାଗ୍ୟରେ ମୋ ହାତରେ ମରିବାକୁ ବିଧାତା ଲେଖିଛି । ଆ, ମୋ ସହିତ ଲଢିବୁ ।”