ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

“ଧେତ୍ । ଗୋଟାଏ ବାନର ସହିତ ମୁଁ କ’ଣ ଲଢିବି? ମୋ ସହିତ ଲଢିବାକୁ ତ ସ୍ୱୟଂ ଶିବ ବି ଭୟ କରନ୍ତି । ମୁଁ ତତେ ଏହିକ୍ଷଣି ମାରି ପକାଇବି । ଚାଲ, ମୋର ବଳର ପ୍ରମାଣ ମଧ୍ୟ ମୁଁ ତୋତେ ଟିକିଏ ଦେଇଦିଏ ।” ଏତିକି କହି ସେ ତରବାରୀ ଉଠାଇ କେଶରୀଙ୍କ ଆଡକୁ ଧାଇଁଲା । କେଶରୀ ମଧ୍ୟ ଏକ ବିରାଟ ପଥର ଉଠାଇ ସେ ରାକ୍ଷସ ଉପରକୁ ଫିଙ୍ଗିଲେ । ସେ ପଥରଟି ରାକ୍ଷସର ବକ୍ଷରେ ଲାଗି ତାହା ଚୂର୍ଣ୍ଣବିଚୁର୍ଣ୍ଣ ହେଲା । ତା’ପରେ ରାକ୍ଷସ କେଶରୀଙ୍କ ଉପରକୁ ଗଦା ଫିଙ୍ଗିଲା । କେଶରୀ ବକ୍ଷରେ ଗଦା ଲାଗି ତାହା ମଧ୍ୟ ଚୂର୍ଣ୍ଣବିଚୁର୍ଣ୍ଣ ହେଲା । ଏବେ ରାକ୍ଷସ କେଶରୀଙ୍କ ଉପରକୁ ଏକ ଶୂଳ ଫିଙ୍ଗିଲା । କେଶରୀ ତାହାକୁ କୁଶଳତା ସହକାରେ ଧରିନେଇ ନିଜ ଆଣ୍ଠୁରେ ରଖି ଦୁଇଖଣ୍ଡ କରିଦେଲେ । ତା’ପରେ ସେ ରାକ୍ଷସ କେଶରୀଙ୍କୁ ତରବାରୀରେ ମାରିବାକୁ ଅଗ୍ରସର ହେଲା । ହଠାତ୍ କେଶରୀଙ୍କର ଲାଙ୍ଗୁଳ ପ୍ରହାରରେ ରାକ୍ଷସର ତରବାରୀ ତା’ର ହାତରୁ ଛିଟିକି ପଡିଲା । ଏବେ ମୁଷ୍ଟି ଯୁଦ୍ଧ କରିବା ବେଳେ କେଶରୀ ସେ ରାକ୍ଷସକୁ ଏପରି ଭୟଙ୍କର ଭାବରେ ମୁଷ୍ଟି ପ୍ରହାର କଲେ ଯେ ରାକ୍ଷସ ରକ୍ତବାନ୍ତି କରି ସେଇଠିହିଁ ମରିଗଲା । ଦେବତାମାନେ ସ୍ୱର୍ଗକୁ ଫେରିଯିବା ବେଳେ କେଶରୀଙ୍କୁ ଆଶିର୍ବାଦ କରି କହିଲେ, “ଏପରି ତୁମେ ଆଉ କେତେଦିନ ବ୍ରହ୍ମଚାରୀ ହୋଇ ରହିବ? ଏବେ ବିବାହ କର ।”

କେଶରୀ କହିଲେ, “ମୋର ବିବାହ ପାଇଁ କୌଣସି ଆକର୍ଷଣ ନାହିଁ । ବ୍ରହ୍ମଚର୍ଯ୍ୟ ପାଳନ ଯୋଗୁହିଁ ମୁଁ ଆଜି ଏତେବଡ ରାକ୍ଷସକୁ ମାରି ପାରିଲି । ତେବେ ମୋର କେହି ଜଣେ ଉତ୍ତରାଧିକାରୀର ପ୍ରୟୋଜନ ରହିଛି । ବିବାହ ନ କଲେ ଏହା କିପରି ସମ୍ଭବ ହେବ ସେହିକଥାହିଁ ମୁଁ ଭାବୁଛି । ତେଣିକି ଆଗକୁ ଭଗବାନଙ୍କର ଯାହା ଇଚ୍ଛା ଥିବ । କେବଳ ସେ ହିଁ ଚାହିଁଲେ ଏ ଅସମ୍ଭବକୁ ସମ୍ଭବ କରିପାରିବେ ।”

ଅନେକ ବର୍ଷ ପୂର୍ବରୁ ଥରେ ବ୍ରହ୍ମା ଅହଲ୍ୟା ନାମକ ଏକ ସୁନ୍ଦରୀ କନ୍ୟାଙ୍କୁ ସୃଷ୍ଟି କଲେ । ତା’ପରେ ସେ ତାଙ୍କୁ ଋଷି ଗୌତମଙ୍କ ସହିତ ବିବାହ କରାଇଦେଲେ । ଗୌତମଙ୍କର ଅହଲ୍ୟାଙ୍କ ଗର୍ଭରେ ଶତାନନ୍ଦ ନାମକ ପୁତ୍ର ଓ ଅଞ୍ଜନା ନାମକ ଏକ କନ୍ୟା ଜନ୍ମ ନେଇଥିଲେ । ତା’ପରେ ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ଇନ୍ଦ୍ରଦେବ ଓ ସୂର୍ଯ୍ୟଦେବ, ଅତ୍ୟନ୍ତ ମୋହିତ ହୋଇ ଗୌତମଋଷିଙ୍କ ରୂପ ଧାରଣ କରି ଗୌତମଙ୍କ ଅନୁପସ୍ଥିତିରେ ତାଙ୍କ ଆଶ୍ରମକୁ ଭିନ୍ନ ଭିନ୍ନ ସମୟରେ ଆସିଥିଲେ । ସେତେବେଳେ ଅହଲ୍ୟା ତାଙ୍କୁ ନିଜ ସ୍ୱାମୀ ଭାବି ତାଙ୍କର ସେବା କରିଥିଲେ । ପରେ ଏସବୁ କଥା ବାଳିକା ଅଞ୍ଜନା ଆପଣା ପିତାଙ୍କୁ କହିଥିଲେ । ତେଣୁ ଗୌତମ ଅହଲ୍ୟାଙ୍କୁ ଅଭିଶାପ ଦେଇ ପଥର କରିଥିଲେ । ସେହି ସମୟରେ ମାତା ଅହଲ୍ୟା ମଧ୍ୟ ବାଳିକା ଅଞ୍ଜନାଙ୍କୁ ଏହି ଅଭିଶାପ ଦେଇଥିଲେ ଯେ ତାଙ୍କର ପୁତ୍ର ନିଶ୍ଚୟ ଗୋଟିଏ ମାଙ୍କଡ ହୋଇ ଜନ୍ମ ହେବ । କିନ୍ତୁ ଅଞ୍ଜନା ସେତିକିବେଳେହିଁ କହିଥିଲେ ଯେ ସେ କଦାପି ମଧ୍ୟ ବିବାହ କରିବେ ନାହିଁ । ମା’ ପଥର ହୋଇଯିବା ପରେ ଋଷି ଗୌତମ ବାଳିକା ଅଞ୍ଜନାଙ୍କୁ ସଙ୍ଗରେ ନେଇ ବଣକୁ ଗଲେ ।

ଅଞ୍ଜନାଙ୍କର ପୂର୍ବ ଜୀବନର ଏକ ଘଟଣା । ସେ “ସୁକଣ୍ଠୀ” ନାମ୍ନୀ ସୁନ୍ଦରୀ ବିଦ୍ୟାଧରୀ ଥିଲେ । ମଧୁର ଗାନ କରିବାର ଶକ୍ତି ଯୋଗୁଁ ତାଙ୍କର ଏପରି ନାମ ରଖା ହୋଇଥିଲା । ଦିନେ ସେ ତାଙ୍କ ସଖୀମାନଙ୍କ ସହିତ ହିମାଳୟର ମାନସରୋବରରେ ସ୍ନାନ କରିସାରି ବନ ବିହାର କରୁଥା’ନ୍ତି । ସେଇ ବାଟରେ ଅଗ୍ନିଦେବ ଯାଉଥିଲେ । ଅଗ୍ନିଦେବଙ୍କର ଉଦର ବଡ, ତାଙ୍କ ଶରୀର ମଧ୍ୟ ଦେଖିବାକୁ ଏତେଟା ସୁନ୍ଦର ନୁହେଁ । ତେଣୁ ତାଙ୍କୁ ଦେଖି ସୁକଣ୍ଠୀ ଟିକେ ହସି ପକାଇଲେ । ଏଥିରେ କ୍ରୋଧିତ ହୋଇ ଅଗ୍ନିଦେବ ତାଙ୍କୁ ଏହି ଅଭିଶାପ ଦେଲେ ଯେ ପରଜନ୍ମରେ ସେ ଏକ ବାନରକୁ ଜନ୍ମ ଦେବେ ।

କୁଞ୍ଜର ନାମକ ଜଣେ ବାନରରାଜ ନିଃସନ୍ତାନ ଥିଲେ । ସେଥିପାଇଁ ସେ ଶିବଙ୍କୁ ତପସ୍ୟା କଲେ । ଶିବ ତାଙ୍କ ସମ୍ମୁଖରେ ଆବିର୍ଭାବ ହୋଇ କହିଲେ, “ନିକଟ ଭବିଷ୍ୟତରେ ତୁମେ ଏକ କନ୍ୟାରତ୍ନ ପାଇବ । କିନ୍ତୁ ତୁମ ଭାଗ୍ୟରେ ସନ୍ତାନସୁଖ ମୋଟେ ନାହିଁ । ସେହି ଦିବ୍ୟକନ୍ୟାର ସନ୍ତାନ ମୋରି ଶକ୍ତିରୁହିଁ ଜାତ ହେବ । ସେ ତ୍ରିପୁର ବିଜୟୀ ଓ ଭଗବାନ୍ ବିଷ୍ଣୁଙ୍କର ଅନନ୍ୟ ପରମ ଭକ୍ତ ହେବ । ସେ ନିଜର ପୁଣ୍ୟ ବଳରେ ସମସ୍ତ କୁଳକୁ ଉଦ୍ଧାର କରିବ ।”

କୁଞ୍ଜରଙ୍କ ସହ ଗୌତମଙ୍କର ତ ବହୁ ପୂର୍ବରୁ ମିତ୍ରତା ଥିଲା ଗୌତମ ତପସ୍ୟା ବଳରେ ଜାଣିପାରିଲେ ଯେ କୁଞ୍ଜର ଭାଗ୍ୟରେ ସନ୍ତାନ ନାହିଁ । ଏଣେ ତାଙ୍କ ଝିଅଟିକୁ କିଏ ବା ପାଳିବ, ମା’କୁ ତ ପଥର କରି ଦିଆଗଲା । ତେଣୁ ସେ କନ୍ୟା ଅଞ୍ଜନାକୁ ନେଇ କୁଞ୍ଜରଙ୍କ ହାତରେ ସମର୍ପି ଦେଇ ହିମାଳୟକୁ ତପସ୍ୟା କରିବାକୁ ଚାଲିଗଲେ । ଏହାପରେ କୁଞ୍ଜର ଓ ତାଙ୍କ ରାଣୀ ବିନ୍ଧ୍ୟାବଳୀ ଅଞ୍ଜନାଙ୍କୁ ଅତି ଆଦରର ସହିତ ଲାଳନ-ପାଳନ କଲେ । ଅଞ୍ଜନା ପିଲାବେଳରୁ ଯେପରି ସୁନ୍ଦରୀ ଥିଲେ ସେପରି ଜ୍ଞାନବତୀ ମଧ୍ୟ । ବିଶେଷତଃ ପରମଜ୍ଞାନ ଲାଭ ପାଇଁ ସେ ସର୍ବଦା ଚେଷ୍ଟା କରୁଥା’ନ୍ତି । ତାଙ୍କର ପରିବେଶ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ବାତାବରଣ ମଧ୍ୟ ଶାନ୍ତ ଓ ସୁନ୍ଦର । ଏହି ପରିବେଶହିଁ ଅଞ୍ଜନାଙ୍କ ତପସ୍ୟା ପାଇଁ ଅନୁକୂଳ ଥିଲା । ତେଣୁ ସମୟ ପାଇଲେହିଁ ସେ ତପସ୍ୟାରେ ବସିଯା’ନ୍ତି । ଝିଅର ଏସବୁ ହାବଭାବ ଦେଖି ପିତାମାତା ପ୍ରମାଦ ଗଣିଲେ । ତାହେଲେ ସେ କ’ଣ ଆଉ ବିବାହ କରିବ ନାହିଁ? ସେତେବେଳେ ସେମାନଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । କ୍ରମେ ସେ ଅଞ୍ଜନା ବଡ ହେଲେ । ଏବେ ସେ ଧ୍ୟାନରେହିଁ ଅଧିକ ସମୟ ଅତିବାହିତ କରନ୍ତି । ଏପରି ଅବସ୍ଥାରେ ଦିନେ ରାଜପୁତ୍ର କେଶରୀ ତାଙ୍କୁ ଦେଖିଲେ । ସେ ଭାବିଲେ, “ଏପରି ଜଣେ ତପସ୍ୱିନୀ ଯଦି ମୋର ସ୍ତ୍ରୀ ହୁଏ ତେବେ ଯାଇ ମୁଁ ବିବାହ କରିବି ନଚେତ୍ ନୁହେଁ ।” କେଶରୀଙ୍କର ବନ୍ଧୁମାନେ ଯାଇ ଏ କଥା କୁଞ୍ଜରଙ୍କୁ କହିଲେ । କେଶରୀଙ୍କୁ ଜାମାତା ରୂପରେ ପାଇବାକୁ କିଏ ବା ଆଗଭର ନ ହେବ । ବନବିହାରରୁ ଝିଅ ସଖୀମାନଙ୍କ ସହ ଫେରି ଆସିବାରୁ କୁଞ୍ଜର ନିଜର ଇଚ୍ଛା ବିଷୟରେ ଝିଅ ଆଗରେ ପ୍ରକାଶ କଲେ । ତାଙ୍କ କଥାରେ ଅଞ୍ଜନା ଅଳ୍ପ ହସି କହିଲେ, “ବାବା, ମୁଁ ତ ମୋ ପିଲାଟିଦିନରୁ ସନ୍ନ୍ୟାସ ବ୍ରତ ଗ୍ରହଣ କରିଛି । ଚେତାନାରେ ଉଚ୍ଚରୁ ଉଚ୍ଚକୁ ଯାଇ ପରମପଦ ପ୍ରାପ୍ତ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ । ମୋତେ ଏ ସଂସାରର ସାଧାରଣ ଜୀବନ କେବେ ମଧ୍ୟ ଆକୃଷ୍ଟ କରିନାହିଁ, କି କେବେବି ମଧ୍ୟ କରିବ ନାହିଁ । ତେଣୁ ମୋର ବିବାହ ଚିନ୍ତାରୁ ଆପଣ କ୍ଷାନ୍ତ ହୁଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ