କୋମଳମତି ସୁକୁମାରୀ ଅଞ୍ଜନାଙ୍କ ମୁହଁରୁ ଏପରି କଠୋର ବାଣୀ ଶୁଣି ପିତାମାତା ଅତ୍ୟନ୍ତ ଦୁଃଖିତ ହେଲେ । କେଶରୀ କିନ୍ତୁ ଅଞ୍ଜନାଙ୍କର ଏକଥା ଶୁଣି ଦୁଃଖିତ ହେବା ପରିବର୍ତ୍ତେ ଖୁବ୍ ଆନନ୍ଦିତ ହେଲେ । କାରଣ ଏପରି ଏକ ଆଧ୍ୟାତ୍ମିକ ସାଧନା କରୁଥିବା ଝିଅ ସେ ଏହି ପ୍ରଥମ ଥର ପାଇଁ ଦେଖିଲେ । କେଶରୀ ତାଙ୍କୁ ମନେ ମନେ ବହୁତ ପ୍ରଶଂସା କରୁଥିଲେ । ତା’ପରେ ସେ ତାଙ୍କୁ ଦେଖାକରି କହିଲେ, “ଅଞ୍ଜନା, ତୁମର ତପସ୍ୟା ଓ ସତ୍ୟଧର୍ମ ପୂର୍ଣ୍ଣ ଜୀବନ ଦେଖି ମୁଁ ଅତ୍ୟନ୍ତ ବିସ୍ମିତ ଓ ଆନନ୍ଦିତ ମଧ୍ୟ । ମୁଁ ମଧ୍ୟ ବିବାହ ପାଇଁ କେବେହେଲେବି ଚିନ୍ତା କରି ନଥିଲି । ତେବେ ମୋର ଏକ ଉତ୍ତରାଧିକାରୀ ମୁଁ ଚାହୁଁଥିଲି ବୋଲି ତୁମ ପ୍ରତି ଆକର୍ଷିତ ହୋଇଥିଲି । ତୁମେ ଯୋଗସାଧନା କର । ଜଣେ ଶୁଭାକାଂକ୍ଷୀ ଭାବରେ ତୁମେ ମୋତେ ଯେତେବେଳେବି ସ୍ମରଣ କରିବ ମୁଁ ଯଥାସାଧ୍ୟ ନିଶ୍ଚୟ ତୁମକୁ ସାହାଯ୍ୟ କରିବି ।”
ଏଭଳି କଥା ଶୁଣି ଅଞ୍ଜନା ଅଳ୍ପ ହସି କହିଲେ, “ଆପଣଙ୍କ ସ୍ନେହ, ସୌହାର୍ଦ୍ଦ୍ୟ ଓ ଶୁଭେଚ୍ଛା ପାଇଁ ମୁଁ ଆପଣଙ୍କ ପାଖରେ ଚିର କୃତଜ୍ଞ ।” ତା’ପରେ କେଶରୀ ସେଠାରୁ ଚାଲିଗଲେ । କିନ୍ତୁ ସେ ସଦା ସର୍ବଦା ଅଞ୍ଜନାଙ୍କର ଭଲମନ୍ଦ ଖବର ରଖୁଥା’ନ୍ତି ।
ଅଞ୍ଜନାଙ୍କର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ତପସ୍ୟାରେ ଅଧିକରୁ ଅଧିକ ମଗ୍ନ ରହୁଥା’ନ୍ତି । କ୍ରମେ ସେ ଖାଇବା ପିଇବା ଛାଡି ଦେଇଥା’ନ୍ତି, କିନ୍ତୁ ଭଗବାନ୍ ବିଷ୍ଣୁ ପବନଦେବଙ୍କୁ ପ୍ରତିଦିନ ତାଙ୍କ ଅଞ୍ଜୁଳିରେ କିଛି ଫଳ ଦେଇ ଆସିବାକୁ କହିଥା’ନ୍ତି । କେବଳ ସେତିକିହିଁ ପ୍ରସାଦ ଭାବରେ ସେ ଗ୍ରହଣ କରନ୍ତି । ଗୋଟିଏ ଆସନରେ ଦିନ ପରେ ଦିନ ସେ ସେମିତି ବସି ରହନ୍ତି । ଆଧ୍ୟାତ୍ମିକ ସିଦ୍ଧିର ଚୁଡାନ୍ତ ଅବସ୍ଥାରେହିଁ ଏକ ଅଦ୍ଭୁତ ଘଟଣା ଘଟିଲା । ଥରେ ଶିବଙ୍କ ମଧ୍ୟରେ ସୃଷ୍ଟିର ପ୍ରବଳ ଇଚ୍ଛା ହେବାରୁ ତାଙ୍କ ଦେହରୁ ଏକ ଜ୍ୟୋତିର୍ମୟ ଶକ୍ତି ନିର୍ଗତ ହେଲା । କିନ୍ତୁ ସେହି ଶକ୍ତିକୁ କିଏ ବା ନିଜ ଗର୍ଭରେ ଧାରଣ କରିବ? ଏଥିପାଇଁ ଆବଶ୍ୟକ ଚରମ ଆଧ୍ୟାତ୍ମିକ ସିଦ୍ଧି । ଶିବଙ୍କ ଆଦେଶ ଅନୁସାରେ ପବନଦେବ ଫଳ ମଧ୍ୟରେ ସେହି ତେଜଷ୍ମାନ ଶକ୍ତିକୁ ଉଡାଇ ନେଇ ତାହା ଅଞ୍ଜନାଙ୍କ ହାତରେ ଦେଲେ । ସବୁଦିନ ପରି ସେ ଏଥର ମଧ୍ୟ ସେହି ଦିବ୍ୟଫଳକୁ ଭକ୍ଷଣ କଲେ । ପରେ ହଠାତ୍ ସେ ଅନୁଭବ କଲେ ତାଙ୍କ ଗର୍ଭରେ କିଛି ଗୋଟେ ବଢିବାରେ ଲାଗିଛି । ଏ କି ଅଦ୍ଭୁତ କଥା? ଏଣୁ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ପବନ ଦେବଙ୍କୁ ଏହାର କାରଣ ପଚାରିଲେ । ପବନ ଦେବ ସବୁ କଥା ଆମୂଳଚୁଳ ବର୍ଣ୍ଣନା କରି କହିଲେ, “ଏହା ଭଗବାନ୍ ଶିବଙ୍କର ଆଜ୍ଞା; କାରଣ ସେ ଶକ୍ତିକୁ ଧାରଣ କରିବାକୁ ତିନି ଲୋକରେ ତୁମ ବ୍ୟତତ ଆଉ କେହିବି ଯୋଗ୍ୟ ନାହାଁନ୍ତି । କିନ୍ତୁ ମୁଁ ଏଥିରେ ସହାୟତା କରିଥିବାରୁ ତୁମ ପୁତ୍ର ମୋର ପୁତ୍ର ଭାବରେ ତ୍ରିଭୁବନ ବିଖ୍ୟାତ ହେବ । କିନ୍ତୁ ପ୍ରକୃତରେ ସେ ଶିବଙ୍କ ପୁତ୍ର ।” ଅଞ୍ଜନା ଏସବୁ କଥା ଶୁଣି ନୀରବ ରହିଲେ । ସମଗ୍ର ସୃଷ୍ଟିରେ ଏପରି ଏକ ସୃଷ୍ଟି ଅତ୍ୟନ୍ତ ଅଦ୍ଭୁତ । ଅଞ୍ଜନାଙ୍କ ପରି ଆଧ୍ୟାତ୍ମିକ ସିଦ୍ଧ କୁମାରୀ କନ୍ୟାର ଗର୍ଭରୁ ଏକ ତେଜସ୍ୱୀ ପୁତ୍ର ଜନ୍ମ ନେବା କେବଳ ଭଗବାନଙ୍କ ଇଛା ରୁ ହିଁ ହୋଇଛି । ଏହା ଭାବି ଅଞ୍ଜନା ଅଳ୍ପ ହସି ନୀରବ ରହିଲେ । ତାଙ୍କର ଆଧ୍ୟାତ୍ମିକ ଶକ୍ତି ବଳରେ ସେ ଜାଣିପାରିଲେ ଯେ ତାଙ୍କର ତ୍ରିଲୋକବିଜୟୀ ଏକ ପୁତ୍ର ଜନ୍ମ ନେବ ଯିଏକି ତିନିଲୋକରେ ତେଜସ୍ୱୀ, ଧାର୍ମିକ ଓ ଜ୍ଞାନୀ ଭାବରେ ବିଖ୍ୟାତ ହେବ । ସେ ଭଗବାନଙ୍କର ଅନନ୍ୟ ଭକ୍ତ ମଧ୍ୟ ହେବ ।
ସମୟ କ୍ରମେ ପୁତ୍ରଟିଏ ଭୂମିଷ୍ଠ ହେଲା । ଏଣେ ରାଜା କୁଞ୍ଜର ଓ ରାଣୀ ବିନ୍ଧ୍ୟାବତୀଙ୍କର ଆନନ୍ଦ କହିଲେ ନ ସରେ । ଅଞ୍ଜନା କୁମାରୀ ଥିଲେ ତେଣୁ ପୁତ୍ରବତୀ ହେବା ଏକ ଅସାମାଜିକ କଥା । କାହିଁକିନା ଭଗବାନ ଶିବ ବା ବାୟୁଦେବତା ତ ଆଉ ଆସି ସମସ୍ତିଙ୍କୁ ସବୁକଥା ଗୋଟିଗୋଟି କରି କହିବେ ନାହିଁ, ତେଣୁ ସେ ପୁତ୍ରର ଭବିଷ୍ୟତ କଥା ଭାବି ଖୁବ୍ ବ୍ୟସ୍ତ ହୋଇପଡିଲେ । ସେତେବେଳେ ତାଙ୍କର କେଶରୀଙ୍କ କଥା ମନେ ପଡିଲା । ସୁତରାଂ ସେ ମନେ ମନେ ତାଙ୍କୁ ସ୍ମରଣ କଲେ । କେଶରୀ ତତ୍କ୍ଷଣାତ୍ ଆସି ସେଠାରେ ହାଜର ହେଲେ । ଅଞ୍ଜନା ତାଙ୍କୁ ଅଗ୍ନିଙ୍କ ଅଭିଶାପ, ମାତା ଅହଲ୍ୟାଙ୍କ ଅଭିଶାପ, କୁଞ୍ଜରଙ୍କୁ ଶିବଙ୍କ ବର ଓ ପୁତ୍ରଜନ୍ମ ବିଷୟରେ ବାୟୁଦେବତା ଓ ଭଗବାନ ଶିବଙ୍କ କଥା ସବୁ ଆମୂଳଚୁଳ ବର୍ଣ୍ଣନା କଲେ । କେଶରୀ ମଧ୍ୟ ଜଣେ ଉତ୍ତରାଧିକାରୀ ଚାହୁଁଥିଲେ । ଯିଏ ପବିତ୍ରତମ ପରିବେଶରେ ଜନ୍ମ ନେଇଛି ତା’ଠାରୁ ବଡ ଉତ୍ତରାଧିକାରୀ ଆଉ କିଏ ବା ହୋଇପାରେ? ତେଣୁ ସେ ତାକୁ ନିଜ ପୁତ୍ର ରୂପେ ଗ୍ରହଣ କରି ତା’ର ଲାଳନ ପାଳନର ସମସ୍ତ ଦାଇତ୍ତ୍ଵ ନିଜ ହାତକୁ ନେଲେ । ପୁତ୍ରଟି ଜନ୍ମ ହେବା ମାତ୍ରେ ମାତାକୁ ସେ ଖାଇବାକୁ ମାଗିଲା । ଅଞ୍ଜନା କିଛି ଫଳ ଆଣିବାକୁ ଯିବାରୁ ସେ ମା’ର ପଛେ ପଛେ ବାହାରକୁ ଆସିଲା । ସେତେବେଳେ ତ ସୂର୍ଯ୍ୟ ଉଦୟ ହେଉଥା’ନ୍ତି । ଲାଲ୍ ରଙ୍ଗର ଉଦୟ ସୂର୍ଯ୍ୟଙ୍କୁ ଦେଖି ସେ ତାକୁ ଏକ ଫଳ ବୋଲି ଭାବି ତାଙ୍କୁ ଖାଇବାକୁ ଆକାଶ ମାର୍ଗରେ ଉଡିଗଲା । ନବଜାତ ଶିଶୁର ଏପରି ତେଜ ଦେଖି ନାଗ, ଗନ୍ଧର୍ବ, ଦେବତା ସମସ୍ତେ ଭୀଷଣ ଭୟ କଲେ; ସୂର୍ଯ୍ୟଙ୍କୁ ଧରି ଶିଶୁଟି ଗିଳିଦେଲା ସେଦିନ ଅମାବାସ୍ୟା ଥିଲା । ରାହୁ ସୂର୍ଯ୍ୟଙ୍କୁ ଗିଳିବାର ପ୍ରଥା ଥାଏ । ରାହୁ ଦେଖିଲା ଆଉ ଜଣେ କିଏ ଆସି ସୂର୍ଯ୍ୟଙ୍କୁ ଗିଳି ପକାଇଲା ।
ଭୟରେ ସେ ଯାଇ ଇନ୍ଦ୍ରଙ୍କ ପାଖରେ ଆପତ୍ତି କଲା କି “ଏକଥା କିପରି ସମ୍ଭବ ହେଲା ଯେ ଆଜି ମୁଁ ସୂର୍ଯ୍ୟଙ୍କୁ ଗିଳିବା ପୂର୍ବରୁ ଆଉ ଏକ ରାକ୍ଷସ ତାଙ୍କୁ ଗିଳିଦେଲା ।” ଇନ୍ଦ୍ର ଏପରି ଏକ ଅଦ୍ଭୁତ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଚାଲ ଯିବା, ଘଟଣା କ’ଣ ଦେଖିବା ।” ତା’ପରେ ଐରାବତ ପିଠିରେ ସେ ବସି ଘଟଣା ସ୍ଥଳୀକୁ ଆସିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।