ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

ହନୁମାନ ତୀର ବେଗରେ ଯାଇ ଚନ୍ଦ୍ରସେନାଙ୍କ କକ୍ଷରେ ପହଁଚିଲେ ସେହି ମହଲଟି ଅତି ମୂଲ୍ୟବାନ ପଥର ଓ ଧାତୁରେ ନିର୍ମିତ ହୋଇଥାଏ । ଅତି ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ । ସେଠାରେ କେହି ପ୍ରହରୀ ନ ଥିଲେ ବୋଧହୁଏ କାଳୀ ମନ୍ଦିରକୁ ସମସ୍ତେ ଉତ୍ସବ ଦେଖିବାକୁ ଯାଇଥା’ନ୍ତି । କିନ୍ତୁ ସେ ଦେଖିଲେ ଏକ ଭୟାନକ ସର୍ପରାକ୍ଷସ ।

                ଦୁହେଁ ଦୁହିଁକୁ ଭଲଭାବରେ ଦେଖିଲେ । ସର୍ପରାକ୍ଷସର ଗୋଡ ଥାଏ ଓ ସେଥିରେ ବିରାଟ ନଖସବୁ । ପୁଣି ନାସାରୁ ଅଗ୍ନି ନିର୍ଗତ ହେଉଥାଏ । ଚକ୍ଷୁ ଦୁଇଟି ଜଳୁଥାଏ । ସେ ଭୀଷଣ ଶବ୍ଦ କରି ହନୁମାନଙ୍କୁ ଗିଳିବାକୁ ଚାଲିଲା । ହନୁମାନ ମଧ୍ୟ ତା’ ଉପରକୁ ଲମ୍ପ ଦେବାକୁ ବସିଛନ୍ତି ଠିକ୍ ଏହି ସମୟରେ ଛାତ ଉପରୁ କୌଣସି ସ୍ତ୍ରୀର ଆର୍ତ୍ତନାଦ ଶୁଭିଲା । ହନୁମାନ ଚଟାପଟ ସୂକ୍ଷ୍ମରୂପ ନେଇ ତା’ ପାଟି ଭିତର ଦେଇ ତା ପେଟକୁ ଚାଲିଗଲେ । ପେଟରେ ପଶି ନିଜ ରୂପକୁ ସେ ବଢାଇଲେ । ଫଳରେ ସର୍ପରାକ୍ଷସର ପେଟ ଫାଟି ସେ ମରିଗଲା । ସଙ୍ଗେସଙ୍ଗେ ହନୁମାନ ଯାଇ ଚନ୍ଦ୍ରସେନାଙ୍କ ଘରେ ପହଁଚିଲେ । ସେଠାରେ ସବୁକିଛି ଅନ୍ଧକାର । କେବଳ ବିଭିନ୍ନ ମଣି ଓ ପଥରରୁ ଯାହା ଆଲୋକ ଆସୁଥାଏ । କିନ୍ତୁ ବାହାରେ ସେହି ଆର୍ତ୍ତନାଦ ଏବେ ମଧ୍ୟ ଶୁଭୁଛି । ମନେହେଲା କେହି କୌଣସି ସ୍ତ୍ରୀକୁ ପ୍ରହାର କରୁଛି । ହନୁମାନ ସେଇପଟକୁ ଦୌଡିଲେ । କକ୍ଷଟି ଭିତର ପଟରୁ ବନ୍ଦ । ବାହାର ଝରକା ଦେଇ ସେ ଦେଖିଲେ କଂଟକୀ ରାକ୍ଷସୀ ଚନ୍ଦ୍ରସେନାଙ୍କୁ ପିଟୁଛି । ସେ କହୁଥାଏ, “ଜଲ୍ଦି କହ, ତୁ କାହାକୁ କାଳୀ ମନ୍ଦିରକୁ ପଠାଇଥିଲୁ; ନ କହିଲେ, ତୋ ମୁଣ୍ଡ ଏବେ ଦେହରୁ ଅଲଗାକରି ଦେବି ।” ଏତିକି କହି ସେ ଚନ୍ଦ୍ରସେନାଙ୍କ ଗଳା ଚିପିବାକୁ ଚେଷ୍ଟାକରୁଥାଏ ।

ଏପରି ଅବସ୍ଥା ଦେଖି ହନୁମାନ ଝରକା ଭିତର ଦେଇ ନିଜ ଲାଙ୍ଗୁଡକୁ ବଢାଇଲେ ଓ କଂଟକୀର ବେକ ଚିପି ଧରିଲେ ଫଳରେ ସେ କଂଟକୀର ଶ୍ୱାସ ରୁଦ୍ଧ ହୋଇ ତା’ ଶରୀର ଢିଲା ହୋଇ ଗଲା । ତା’ହାତରୁ କୋରଡା ଖସିପଡିଲା, ଏହାପରେ ସେ ଅଚେତା ହୋଇ ପଡିଲା । ହନୁମାନ ତାକୁ ଛାଡି ଦରଜାକୁ ଧକ୍କା ମାରି ଭାଙ୍ଗିଲେ ଓ କକ୍ଷ ଭିତରେ ଆସି ପହଁଚିଲେ । ତା’ପରେ ସେ ଚନ୍ଦ୍ରସେନାଙ୍କ ପାଖରେ ପହଁଚି ତାଙ୍କୁ ନମସ୍କାର କରି ସମସ୍ତ ପରିସ୍ଥିତି ବିଷୟ ଅଳ୍ପକେ କହିଲେ । ତା’ପରେ ମହୀରାବଣର ମୃତ୍ୟୁର ରହସ୍ୟ ବିଷୟ ସେ ପଚାରିଲେ । କାରଣ କେବଳ ଚନ୍ଦ୍ରସେନାହିଁ ସେକଥା ଜାଣିଥିଲେ ।

ହନୁମାନଙ୍କଠାରୁ ସବୁ ଶୁଣି ଚନ୍ଦ୍ରସେନା ନିଜର ସମସ୍ତ ଦୁଃଖକଷ୍ଟ ଭୁଲିଗଲେ । ଶ୍ରୀରାମଙ୍କ ନାମ ଶୁଣି ସେ ଆନନ୍ଦରେ ବିଭୋର ହୋଇଗଲେ ଓ କହିଲେ, “ହେ ହନୁମାନ, ମୁଁ ତୁମକୁ ମହୀରାବଣର ପ୍ରାଣର ରହସ୍ୟ କହିଦେବି କିନ୍ତୁ ତୁମେ ଥରେ ମାତ୍ର ଶ୍ରୀରାମଙ୍କୁ ମୋ କକ୍ଷକୁ ନେଇ ଆସିବ ମୁଁ ତାଙ୍କୁ ଦର୍ଶନ କରିବି । ଏତିକି କଥା ମୋର ନିଶ୍ଚୟ ରଖିବ ।”

ଚନ୍ଦ୍ରସେନାଙ୍କ କଥାକୁ ହନୁମାନ ସ୍ୱୀକାର କରନ୍ତେ ଚନ୍ଦ୍ରସେନା ମହୀରାବଣର ମୃତ୍ୟୁ ରହସ୍ୟ ତାଙ୍କୁ ଟିକିନିଖି କରି ବତାଇ ଦେଲେ । ସମସ୍ତ ରହସ୍ୟ ବୁଝିବା ପରେ ସେ ବୁଝିପାରିଲେ ଯେ ତାଙ୍କୁ ଆହୁରି ଅନେକ ବିପଜ୍ଜନକ ପରିସ୍ଥିତିକୁ ସାମନା କରିବାକୁ ହେବ । ତଥାପି ସେ ଭାବିଲେ ଶ୍ରୀରାମଙ୍କ ପାଇଁ ଯଦି ତାଙ୍କର ଜୀବନ ଚାଲିଯାଏ ତ ତାହା ଅତି ଭାଗ୍ୟର କଥା । କାଳବିଳମ୍ବ ନ କରି ସେ ସବୁକିଛି ମନଶ୍ଚକ୍ଷୁରେ ଦେଖିନେଲେ ଓ ଯାତ୍ରା ଆରମ୍ଭ କଲେ । ସେଠାରୁ ହନୁମାନ ଚଟକରି ଉଡିଯାଇ ସାତସମୁଦ୍ର ପାର ହୋଇ ଜ୍ଜାଲାମୁଖୀ ପଦ୍ମ ପାଖରେ ଯାଇ ପହଁଚିଲେ । ପଦ୍ମର ପାଖୁଡାମାନ ଜଳୁଥାଏ । ହନୁମାନ ଅଗ୍ନିଦେବଙ୍କୁ ସ୍ମରଣ କରିବା ପରେ ଶକ୍ତି ପାଇଲେ ଏବଂ ପଦ୍ମ ନାଡ ଦେଇ ତାହାର ମଧ୍ୟ ସ୍ଥଳରେ ଯାଇ ସେ ପହଁଚିଲେ । ସେଠାରେ ଭୟଙ୍କର ସର୍ପମାନେ ଥିଲେ । ହନୁମାନ ସେମାନଙ୍କୁ ଅଳ୍ପସମୟରେ ନିପାତ୍ କଲେ । ତା’ପରେ ଏକ ଭୟଙ୍କର ରାକ୍ଷସ ଦେଖାଦେଲା । ସେ ବିକଟ ହସ ହସି ତାଙ୍କର ରାସ୍ତା ବନ୍ଦ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ