ହନୁମାନଙ୍କ ଗଦାକୁ ଉଠାଇବାକୁ ଯାଇ ଭୀମ ଅସଫଳ ହେଲେ । ହନୁମାନ ଗଦା ଉଠାଇ ଭୀମଙ୍କୁ ସ୍ପର୍ଶମାତ୍ର କଲେ । କିନ୍ତୁ ଭୀମ ନିଜ ଗଦା ଉଠାଇ ମାରିଲେ । ହନୁମାନ ଗଦାଯୁଦ୍ଧର କୌଶଳ ଦ୍ୱାରା ଖୁବ୍ ଅଳ୍ପସମୟରେ ଭୀମଙ୍କ ଗଦାକୁ ସେ ଦୂରକୁ ଫିଙ୍ଗି ଦେଲେ । ତା’ପରେ ହନୁମାନ ମଧ୍ୟ ନିଜଗଦାକୁ ଫିଙ୍ଗିଦେଇ ପ୍ରତିଦ୍ୱନ୍ଦୀକୁ ମଲ୍ଲଯୁଦ୍ଧ ପାଇଁ ଆହ୍ୱାନ କଲେ ।
ଏହାପରେ ସେ ଦୁହେଁ ମଲ୍ଲଯୁଦ୍ଧ କଲେ । କିନ୍ତୁ ଭୀମ ଲକ୍ଷ୍ୟ କରି ଦେଖିଲେ, ସେ ତାଙ୍କୁ ଅନାୟାସରେ ପରାଜିତ କରି ପାରନ୍ତେ, ଅଥଚ ତାହା ନକରି ସୂକ୍ଷ୍ମ କୌଶଳସବୁ ଗୁରୁ ଶିଷ୍ୟକୁ ଶିଖାଇବା ପରି ସୁନ୍ଦର ଭାବରେ ସେ ତାଙ୍କୁ ଶିଖାଉ ଥିଲେ । ଭୀମ ଅଳ୍ପ ସମୟ ଚିନ୍ତା କରିବା ପରେ ବୁଝିଗଲେ ଯେ ଏହି ବୀର ବାନର ତାଙ୍କର ଜ୍ୟେଷ୍ଠଭ୍ରାତା ପବନପୁତ୍ର ବୀର ହନୁମାନହିଁ ହେବେ । ଏଣୁ ସେ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରି କହିଲେ, “ମୁଁ ଏବେ ଠିକ୍ ବୁଝୁଛି ଆପଣ କିଏ । ମୁଁ ମଧ୍ୟ ବାୟୁଙ୍କ ଶକ୍ତିଜାତ କୁନ୍ତିପୁତ୍ର ଓ ଧର୍ମରାଜଙ୍କ କନିଷ୍ଠ ଭ୍ରାତା ଭୀମ । ଦୟାକରି ଆପଣ ମୋ ଉପରେ କୃପା କରନ୍ତୁ ।”
ଏହାପରେ ସେ ହନୁମାନ ବଡ ବାତ୍ସଲ୍ୟ ସହିତ ଭୀମକୁ ଦୁଇହାତରେ ଉଠାଇ ଆଲିଙ୍ଗନ କରି କହିଲେ, “ମୁଁ ତ ସେକଥା ଜାଣେ ବୋଲି ମୂଳରୁ ତୁମକୁ ଅନୁଜ ବୋଲି ଡାକୁଥିଲି ।”
ଭୀମ କହିଲେ, “ଆପଣଙ୍କ ବୀରତ୍ୱ ବିଷୟରେ ମୁଁ ଯେବେଠାରୁ ଶୁଣିଛି ସେବେଠାରୁ ଆପଣଙ୍କର ବିରାଟ ରୂପ ଦେଖିବା ପାଇଁ ମୋ ମନରେ ପ୍ରବଳ ଆଶା ପୋଷଣ କରିଛି । କାରଣ ଆପଣ ମୋର ଜ୍ୟେଷ୍ଠ ଭ୍ରାତା ।”
ହନୁମାନ କହିଲେ, “ଅନୁଜ, ଏବେ ଏହା ହେଉଛି ଦ୍ୱାପର ଯୁଗ । ମୋର ବିରାଟ ରୂପକୁ ତୁମେ ଦେଖିପାରିବ ନାହିଁ । ତଥାପି ବି ତୁମର ଇଚ୍ଛା ପୂରଣ ପାଇଁ ତୁମକୁ ମୁଁ ଦେଖାଉଛି, ଏହି ଦେଖ ।” ଏତିକି କହି ହନୁମାନ ତାଙ୍କ ଶରୀରକୁ ବିସ୍ତାର କଲେ । ତାହା ମେଘମଣ୍ଡଳ ଟପି ବହୁ ଉପରକୁ ଉଠିଲା । ନିଜର ଲାଞ୍ଜ ଗଗନମଣ୍ଡଳ ଭେଦି ବଳୟ ସୃଷ୍ଟି କଲା । ସେ ଏକ ହୁଙ୍କାର ଧ୍ୱନି କଲେ । ତା’ପରେ ପୁଣି ନିଜର ସାଧାରଣ ରୂପକୁ ଫେରିଆସି ସେ ପଚାରିଲେ, “ତୁମେ ତ କାହିଁ କହିଲ ନାହିଁ ଯେ, କେଉଁ ଉଦ୍ଧେଶ୍ୟରେ ତୁମେ ଇଆଡେ ଯାଉଛ?” ଏହାପରେ ଭୀମ ତାଙ୍କୁ ସବୁକଥା ବିସ୍ତାରପୂର୍ବକ କହିଲେ ।
ସବୁକଥା ଶୁଣି ହନୁମାନ କହିଲେ, “ଭୀମ, ସେହି ସରୋବର ରକ୍ଷା କରିବାର ଭାର କେଶିନୀ ନାମକ ଏକ ଯକ୍ଷିଣୀ ଉପରେ ଥାଏ । ସେ ବଡ ପ୍ରଚଣ୍ଡ ସ୍ୱଭାବର । ତା’ ପାଖରେ ସମସ୍ତ ବଳପରାକ୍ରମ ବ୍ୟର୍ଥ । ତା’ର ମାୟାଜାଲରେ ନପଡିବା ବ୍ୟକ୍ତି ଏ ସଂସାରରେ ବହୁତ କମ୍ ଅଛନ୍ତି । ମୁଁ ଯେଉଁ ରାମନାମ ଜପୁଛି, ସମୟ ହେଲେ ତାହା ତୁମକୁ ଜାଗ୍ରତ କରିବ । ସେତେବେଳେ ନିଜକୁ ସମ୍ଭାଳିନେବ । କିନ୍ତୁ ମନେରଖ ସେହି ଯକ୍ଷିଣୀ ଉତ୍ତମକୋଟିର ଶିବଭକ୍ତ । ତୁମେ ହାତରେ ମୋର କେତୋଟି ଲୋମ ନେଇଯାଅ । ଯେତେବେଳେ ସେହି ଯକ୍ଷିଣୀ ତୁମକୁ ଆକ୍ରମଣ କରିବ ଲୋମଟିଏ ତା’ ଆଡକୁ ଫିଙ୍ଗିଦେବ । ମୋର ଏ ଲୋମ ସବୁ ଯେଉଁଠି ଯେଉଁଠି ପଡିବ ସେଠାରେ ଶିବଲିଙ୍ଗର ଉଦ୍ଭବ ହେବ । ଯକ୍ଷିଣୀ ଶିବସହସ୍ରନାମ ନେଇ ସେହି ଶିବ ଲିଙ୍ଗକୁ ପୁଜା କରିବ । ସେହି ସମୟ ମଧ୍ୟରେ ତୁମେ ତୁମ କାମ ଶେଷକରି ଚଟାପଟ୍ ଫେରି ଆସିବ ।” ଏତିକି କହି ହନୁମାନ ନିଜ ଲାଞ୍ଜରୁ କିଛି ଲୋମ ଭୀମଙ୍କୁ ଦେଲେ ଓ ସେହି ସରୋବରକୁ ଯିବା ପାଇଁ ମାର୍ଗ ଦେଖାଇଦେଲେ ।
ଭୀମ ଆସୁଥିବାର କେଶିନୀ ଦୂରରୁ ଦେଖିଲା । ଦେଖିବାମାତ୍ରେ ସେ ଏକ ଅପୂର୍ବ ସୁନ୍ଦରୀର ରୂପ ଧାରଣ କଲା ଓ ନାଚିନାଚି, ଯାଇ ଭୀମଙ୍କ ନିକଟରେ ସେ ପହଁଚିଲା । ତା’ର ମନମୋହିନୀ ରୂପ ଦେଖି ଭୀମ ଅତ୍ୟନ୍ତ ମୁଗ୍ଧ ହେଲେ । ଠିକ୍ ସେତିକିବେଳେ ତାଙ୍କ କାନରେ ରାମନାମ ଗୁଞ୍ଜରି ଉଠିଲା । ଭୀମ ନିଜକୁ ସମ୍ଭାଳି ନେଇ ଆଗକୁ ଚାଲିଲେ । ବିଭିନ୍ନ ଉପାୟରେ ଓ ବିଭିନ୍ନ କୌଶଳ ଅବଲମ୍ବନ କରି ଯକ୍ଷିଣୀ ଭୀମକୁ ଅଟକାଇବାକୁ ଚାହିଁଲା । କିନ୍ତୁ ସେ ମୋଟେ ସଫଳ ହେଲା ନାହିଁ; ଯକ୍ଷିଣୀର ସମସ୍ତ ପ୍ରଚେଷ୍ଟା ବିଫଳ ହେବାରୁ ସେ ଭୟଙ୍କର ରୂପ ଧାରଣ କରି ଭୀମଙ୍କର ପଥରୋଧ କଲା । ଭୀମ ତତ୍କ୍ଷଣାତ୍ ହନୁମାନଙ୍କର ଗୋଟିଏ ଲୋମ ଫିଙ୍ଗିଲେ ଓ ସେଠାରେ ଏକ ଶିବଲିଙ୍ଗ ଦେଖାଦେଲା । ସେ ଶିବଲିଙ୍ଗ ଦେଖି ଯକ୍ଷିଣୀ ଠିଆ ହୋଇଗଲା ଓ ଶିବଙ୍କୁ ସ୍ତୁତି କରିବାକୁ ଆରମ୍ଭ କଲା । ତା’ର ପୂଜା ଶେଷ ହେବାବେଳକୁ ଭୀମ ସରୋବରରେ ପଶି ସାରିଲେଣି । ତା’ପରେ ସେ “ସୁଗନ୍ଧିକା ପଦ୍ମ”କୁ ତୋଳି ନିଜରାସ୍ତାରେ ଚାଲିଲେ । କେଶିନୀ ପୂଜା ଶେଷ କରି ଭୀମଙ୍କ ପଛରେ ଦୌଡିଲା । ତା’ର ଦୀର୍ଘ କେଶରାଶି ବାୟୁରେ ଉଡିଆସି ଭୀମଙ୍କର ପଥରୋଧ କଲା । ତାହା ଅଗ୍ନିଶିଖା ସଦୃଶ ଥିଲା । ଭୀମ ପୁଣି ଆଉ ଗୋଟିଏ ଲୋମ ତା’ଆଡକୁ ଫିଙ୍ଗିଲେ; କେଶିନୀ ପୁଣି ପୂଜାରେ ଲାଗିଲା । ଏହିପରି ଭାବରେ ଭୀମ ତା’ର କରାଳ କବଳରୁ, ହନୁମାନଙ୍କ କୃପାଯୋଗୁଁ ନିଜକୁ ରକ୍ଷା କରି କଦଳୀବନରେ ଆସି ପହଁଚିଲେ ।
ସେ ହନୁମାନଙ୍କୁ ପ୍ରଣାମ କରି କହିଲେ, “ଅଗ୍ରଜ, ଆପଣଙ୍କ କୃପାରୁ ମୁଁ ବିଜୟ ଲାଭ କରି ଫେରିଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ଆମ ପାଣ୍ଡବ କୌରବ ଯୁଦ୍ଧରେ ଆମକୁ ନିଶ୍ଚୟ ସହାୟତା କରିବେ ।”
ଏଭଳି ଅନୁରୋଧକୁ ରକ୍ଷା କରିବାକୁ ଯାଇ ହନୁମାନ ଭୀମକୁ କହିଲେ, “ଭୀମ, ମୁଁ ଯୁଦ୍ଧ କରିବି ନାହିଁ । ତୁମର ଆଗ୍ରହ ଯେ ମୁଁ ତୁମର ସହାୟତା କରେ । ମୁଁ କେବଳ ଗୋଟିଏ କାର୍ଯ୍ୟ କରିବି, ତାହା ହେଲା ଶ୍ରୀକୃଷ୍ଣଙ୍କର ଆଦେଶ । ଆଉ ସେ କାର୍ଯ୍ୟଟି ହେଲା ମୁଁ ତୁମ ଭାଇ ଅର୍ଜ୍ଜୁନଙ୍କ ପତାକାରେ ରହିବି ଓ କେବଳ ସେହି ରଥକୁ ହିଁ ରକ୍ଷା କରିବି । ଅବଶ୍ୟ ଶେଷରେ ତୁମେମାନେହିଁ ବିଜୟୀ ହେବ । ଏବେ ତୁମେ ନିଶ୍ଚିନ୍ତ ହୋଇ ଯାଅ । କଲ୍ୟାଣୀ, ତୁମେ ଯାଇ ଦ୍ରୌପଦୀଙ୍କୁ କୁହ ଯେ ସେ ଏହି ଅପୂର୍ବ ପୁଷ୍ପ ଦ୍ୱାରା ଶିବଲିଙ୍ଗର ପୂଜା କରନ୍ତୁ । ତଦ୍ୱାରା ତୁମର ରାଜ୍ୟ, ସମ୍ପତ୍ତି ଓ ସୌଭାଗ୍ୟ, ତୁମେ ପୁଣିଥରେ ଫେରିପାଇବ ।” ଏତିକି କହି ହନୁମାନ ଅତି ସ୍ନେହରେ ଭୀମଙ୍କୁ ଆଶିର୍ବାଦ ଦେଇ ସେଠାରୁ ବିଦାୟ ଦେଲେ ।