ମହୋଦରଠାରୁ ସବୁ ଶୁଣି କୁମ୍ଭକର୍ଣ୍ଣ ତୁରନ୍ତ ଯାଇ ରାବଣକୁ ଦେଖାକଲା । କେତେକ ରାକ୍ଷସ ଆଗରୁ ଯାଇ କୁମ୍ଭକର୍ଣ୍ଣଙ୍କ ଉଠିବା କଥା ରାବଣକୁ ଜଣାଇ ସାରିଥାନ୍ତି । ସେମାନେ ରାବଣକୁ ପଚାରିଲେ ସେ ସିଧା ଯୁଦ୍ଧ ଭୂମିକୁ ଯିବ ନା ରାବଣ ପାଖକୁ ଆସି ତାଙ୍କୁ ଦେଖା କରି ଯିବ ।
ରାବଣ କହିଲା “ମୁଁ ପ୍ରଥମେ ତାକୁ ଦେଖିବାକୁ ଚାହେଁ । ତେଣୁ ସମ୍ମାନର ସହିତ ଏଠାକୁ ତାକୁ ନେଇ ଆସ ।” କୁମ୍ଭକର୍ଣ୍ଣ ରାକ୍ଷସମାନଙ୍କଠାରୁ ରାବଣର ଇଚ୍ଛା କଥା ଶୁଣି ରାବଣ ପାଖକୁ ଚାଲିଲା । ଯିବା ବେଳେ ରାଜନଅରର ପ୍ରାଚୀରଠାରୁ ବହୁତ ଅଧିକ ଉଚ୍ଚ କୁମ୍ଭକର୍ଣ୍ଣର ବିରାଟକାୟ ଶରୀରକୁ ଦେଖି ବାନରମାନେ ଭୟରେ ଯୁଦ୍ଧ ଭୂମି ଛାଡି ପଳାଇଲେ ।
ଶ୍ରୀରାମ ମଧ୍ୟ ବାହାରୁ ତାକୁ ଦେଖି ପାରିଲେ ଏବଂ ବାନରମାନେ ଯେ ଭୟଭୀତ ହୋଇ ପଳାଉଛନ୍ତି ତାହାମଧ୍ୟ ସେ ଜାଣିଲେ । ସେ ବିଭୀଷଣକୁ ପଚାରିଲେ, “ବିଭୀଷଣ, ବିରାଟ କଳା ମେଘ ପରି ଏହି ରାକ୍ଷସ ଜଣକ କିଏ, ଯିଏକି ପ୍ରାସାଦମାନଙ୍କଠାରୁ ମଧ୍ୟ ଉଚ୍ଚ?”
ତହୁଁ ବିଭୀଷଣ କହିଲେ, “ସେ ହେଉଛି ବିଶ୍ରବା ଋଷିଙ୍କ ମଧ୍ୟମପୁତ୍ର କୁମ୍ଭକର୍ଣ୍ଣ । ଯୁଦ୍ଧରେ ତ ସେ ଯମ ଓ ଇନ୍ଦ୍ରଙ୍କୁ ମଧ୍ୟ ଜିତି ସାରିଛି । ତା’ର ଶରୀରର ଗଠନ ସମସ୍ତ ରାକ୍ଷସଙ୍କ ଠାରୁ ବଡ । ଅନ୍ୟ ରାକ୍ଷସମାନେ ବରଦାନ ପ୍ରାପ୍ତ କରି ବଳଶାଳୀ ହୁଅନ୍ତି । କିନ୍ତୁ ସେ ଜନ୍ମରୁହିଁ ନିଜର ବଳ ପ୍ରାପ୍ତ କରିଛି ।”
“ଜନ୍ମ ହେବାମାତ୍ରେ ସେ ହଜାର ପ୍ରାଣୀଙ୍କୁ ଖାଇ ପକାଇଥିଲା । ସେଥିପାଇଁ ପ୍ରାଣୀମାନେ ଯାଇ ଇନ୍ଦ୍ରଙ୍କ ପାଖରେ ଆପତ୍ତି କଲେ । ଇନ୍ଦ୍ର ରାଗିଯାଇ ତା ଉପରେ ନିଜର ବଜ୍ରାୟୁଧ ଚଳାଇଲେ । କୁମ୍ଭକର୍ଣ୍ଣ ଏଥିରେ ରାଗିଯାଇ ସିଂହନାଦ କଲା । ସେଥିରେ ପୃଥିବୀର ଅଧିକାଂଶ ପ୍ରାଣୀ ମୂର୍ଚ୍ଛା ହେଲେ ଓ ଅନ୍ୟମାନେ ଭୟରେ ଥରିଲେ । ସେ ରାଗିଯାଇ ଐରାବତର ଗୋଟାଏ ଦାନ୍ତକୁ ନେଇ ତା ଦେହରେ ପୁରାଇ ଦେଲେ । ତା’ପରେ ସେ ପ୍ରାଣୀମାନଙ୍କୁ ନେଇ ବ୍ରହ୍ମାଙ୍କ ପାଖରେ ଯାଇ ପହଁଚିଲେ ଓ ପ୍ରାଣୀମାନଙ୍କର ଦୁଃଖ ତାଙ୍କୁ କହିଲେ । ତାପରେ ବ୍ରହ୍ମା ସମସ୍ତ ରାକ୍ଷସଙ୍କୁ ଡାକିଲେ । ସେଥିରେ କୁମ୍ଭକର୍ଣ୍ଣ ମଧ୍ୟ ଥିଲା । ତାକୁ ଦେଖି ସ୍ୱୟଂ ବ୍ରହ୍ମା ବି ଭୟଭୀତ ହୋଇ ଉଠିଲେ । ସେ କୁମ୍ଭକର୍ଣ୍ଣକୁ କହିଲେ, “ମନେହେଉଛି ପ୍ରାଣୀମାନଙ୍କୁ ଭୟଭୀତ କରିବାକୁ ଓ ସେମାନଙ୍କର ସମୂଳେ ବିନାଶ କରିବାକୁ ବିଶ୍ରବା ଯେପରି ତୁମକୁ ଜନ୍ମ ଦେଇଛନ୍ତି! ତୁମେ ଏବେ ଏଠୁ ଯାଅ ଓ ବେଶି ସମୟ ଶୋଇ ରୁହ ।” ବ୍ରହ୍ମାଙ୍କକଥା ଶୁଣି ସେ ସେଇଠି ଶୋଇଲା । ଏସବୁ ଦେଖି ରାବଣ ବ୍ରହ୍ମାଙ୍କୁ କହିଲା, “ଇଏ କିପରି କଥା ହେଲା? ସମ୍ପର୍କରେ ତ ସେ ତୁମର ଅଣନାତି ହେବ; ତୁମେହିଁ ତାକୁ ଏପରି ଅବସ୍ଥାରେ ପକାଇଲ?” ବ୍ରହ୍ମା କହିଲେ, “ସିଏ ମଝିରେ ଥରେ ଉଠିବ, ତାକୁ ବହୁତ ଖାଦ୍ୟ ଦେବ ।” ଏତିକି କହି ବ୍ରହ୍ମା ତୁରନ୍ତ ସେଠାରୁ ଅଦୃଶ୍ୟ ହେଲେ ।