ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

“କିନ୍ତୁ ପରେ ଆମେ ତିନିଭାଇ ଯେତେବେଳେ ତପସ୍ୟା କଲୁ, ତପସ୍ୟା ଫଳ ପାଇବା ବେଳେ ମୁଁ ସର୍ବଦା ପ୍ରଭୁଙ୍କର ନାମ ଜପ କରିବାର ଓ ପ୍ରଭୁଙ୍କର କାମ କରିବାର ବର ମାଗିଲି । ରାବଣ ତ ଅମର ବର ମାଗିଲା । ମାତ୍ର ତାହା ଆଦୌ ସମ୍ଭବ ନୁହେଁ ବୋଲି ବ୍ରହ୍ମା କହିଲେ । ତେଣୁ ସେ କହିଲା ନର ବାନରଙ୍କ ବ୍ୟତୀତ ଏ ତିନି ଲୋକରେ ଆଉ କେହିବି ଯେପରି ତାକୁ ମାରିପାରିବେ ନାହିଁ । ତା’ପରେ କୁମ୍ଭକର୍ଣ୍ଣର ତପସ୍ୟା ବହୁତ ଥିଲା । ସେ କିଛି ବର ମାଗିବା ପୂର୍ବରୁ ଦେବତାମାନଙ୍କ କପଟରୁ ମା’ ସରସ୍ୱତୀ ତା କଣ୍ଠରେ ବସି କହିଲେ ଯେ ସେ ଛମାସ ଶୋଇବ ଓ ଥରେ ଉଠି ପୁଣି ଖାଇ ପୁଣି ଶୋଇବ । ସେଇଆହିଁ ହେଲା । ତାର ଉଠିବାର ସମୟ ହୋଇ ନଥିଲା । ବୋଧହୁଏ ରାବଣ ଆଜି କିଛି ବିଶେଷ କାରଣ ପାଇଁ ତାକୁ ଉଠାଇଛି । ମନେହୁଏ ଏବେ ସେ ନିଶ୍ଚୟ ଯୁଦ୍ଧ ଭୂମିକୁ ତାକୁ ପଠାଇବ । ତେଣୁ ଆପଣ ଏ ବିଷୟରେ ସୈନ୍ୟମାନଙ୍କୁ ପୂର୍ବରୁ ହିଁ ସାବଧାନ କରିଦିଅନ୍ତୁ । କାହିଁକିନା ଯୁଦ୍ଧ ଭୂମିକୁ ଆସିବା ମାତ୍ରେ ସେ ବାନରମାନଙ୍କୁ ଖାଇବାକୁ ଆରମ୍ଭ କରିବ ।”

ଏଣେ କୁମ୍ଭକର୍ଣ୍ଣ ଆସି ରାବଣକୁ ଦେଖାକଲା । ସେ ଦେଖିଲା ରାବଣର ଚେହେରା ମଳିନ ଦିଶୁଛି, ସେ ବହୁତ ଦୁଃଖୀ ଓ ଉଦାସ ବି ଦେଖାଯାଉଛି । କିନ୍ତୁ କୁମ୍ଭକର୍ଣ୍ଣକୁ ଦେଖି ତା’ର ମୁଖ ହଠାତ୍ ଉତ୍ସାହରେ ଉଜ୍ଜ୍ୱଳ ହୋଇଗଲା । ସେ ତା’ ସିଂହାସନରୁ ଉଠି ଭାଇକୁ ଆଦରରେ ଆଲିଙ୍ଗନ କଲା ଓ ତାକୁ ନେଇ ନିଜପାଖରେ ବସାଇଲା ।

କୁମ୍ଭକର୍ଣ୍ଣର ନିଦର ସମୟ ଶେଷ ହୋଇ ନଥିଲା ସେ ଉଠିଛି । ତେଣୁ ନିଦର ପ୍ରଭାବ ମଧ୍ୟ ତାଠିଁ ରହିଛି । ସେ ପରିସ୍ଥିତିର ଜରୁରୀ ଭାବ ହୃଦୟଙ୍ଗମ କଲା ବୋଲି ନିଜକୁ ନିଜ କର୍ତ୍ତୃତ୍ୱ ଭିତରେ ରଖିଲା । ନହେଲେ ତାକୁ ଉଠାଇଥିବା ରାକ୍ଷସମାନଙ୍କୁ ମଧ୍ୟ ସେ ଖାଇ ସାରନ୍ତାଣି । ସେ ରାବଣର ଚେହେରା ଓ ଅନ୍ୟାନ୍ୟ ଲକ୍ଷଣ ଦେଖି ଜାଣିଲା ଏବେ କିଛି ବିପଦ ପଡିଛି ଓ ରାବଣର ମୃତ୍ୟୁଭୟ ହୋଇଛି । କୁମ୍ଭକର୍ଣ୍ଣ ପ୍ରଶ୍ନ କଲା “କଅଣ ଏପରି ବିପଦ ପଡିଲା ଯେ ମୋର ନିଦ୍ରାଭଙ୍ଗ କରାଗଲା? ତୁମେ ପୁଣି କାହାକୁ ବା ଡରୁଛ? ଯାହାହେଉ ଏବେ ଭାବ ଯେ ତୁମର ସେ ଶତ୍ରୁର ମୃତ୍ୟୁ ହୋଇଗଲା । ମୁଁ ଯଥାଶୀଘ୍ର ଯୁଦ୍ଧକ୍ଷେତ୍ରକୁ ଯାଉଛି ।” ରାବଣ କହିଲା, “ଏବେ ରାମଯୋଗୁଁ ଲଙ୍କାଗଡରେ ବିପଦ ପଡିଛି । ସେ ସୁଗ୍ରୀବ ଓ ଅନ୍ୟାନ୍ୟ ବାନରଙ୍କ ସହିତ ଲଙ୍କାରେ ଆସି ପହଁଚିଛି । ଯୁଦ୍ଧରେ ଯଦିଓ ଅନେକ ବାନରସେନା ମରିଲେଣି ତଥାପି ବି ଆମମାନଙ୍କ ତରଫରୁ ଅନେକ ବୀରଙ୍କର ମଧ୍ୟ ପରଲୋକ ହୋଇସାରିଲାଣି । ଏବେ କେବଳ ତୁମେହିଁ ସେହି ବାନରସେନାଙ୍କୁ ମାରି ଲଙ୍କାକୁ ରକ୍ଷା କରିପାରିବ । ସେଥିପାଇଁ ମୁଁ ତୁମର ନିଦ୍ରାରେ ବାଧା ଦେଇ ଉଠାଇଲି ।”

ଏତିକି କହି ରାବଣ ଚୁପ୍ ରହିଲା ଓ କୁମ୍ଭକର୍ଣ୍ଣର ପ୍ରତିକ୍ରିୟା ଦେଖିବାକୁ ତା’ରି ଆଡକୁ ସେ ଚାହିଁ ରହିଲା । ସେ କିଛି ସମୟ ଚୁପ୍ ହୋଇ ବସିଲା, ତାପରେ ପୂର୍ବକଥାସବୁ ମନେପକାଇ ସେ ଅଳ୍ପ ହସିଲା ଓ କହିଲା, “ଭାଇ ଆମର ଯେଉଁ କଥାକୁ ଭୟ ଥିଲା, ତାହା ଏବେ ଆସି ଯାଇଛି । ସୀତାହରଣ କରି ତୁମେ ଯେଉଁ ପାପ କରିଥିଲ ତାହାର ପରିଣାମ ଏବେ ଭୋଗ କରିବାକୁ ପଡୁଛି । ଏହି ସମ୍ବନ୍ଧରେ ଆମ ସାନଭାଇ ବିଭୀଷଣ ଯାହା ଯାହା କହିଥିଲା ତାହାହିଁ ସତ୍ୟ । କିନ୍ତୁ କଅଣ ହେଲା……”

କୁମ୍ଭକର୍ଣ୍ଣର କଥାକୁ ସମ୍ପୂର୍ଣ୍ଣ କରିବାକୁ ନ ଦେଇ ରାବଣ କହିଲା, “ଏ ପରିସ୍ଥିତିରେ ଭଲମନ୍ଦ ବିଚାର କରିବାକୁ ଆଉ ବେଳ ନାହିଁ । ତୁମେ ମୋର କନିଷ୍ଠ ଭ୍ରାତା । ତୁମର ହିତୋପଦେଶ ମୋତେ ଭଲ ଲାଗୁନାହିଁ । ଏବେ ଏହା ପାପପୁଣ୍ୟ ବିଚାର କରିବାର ସମୟ ନୁହେଁ । ଏବେ କେବଳ ଯୁଦ୍ଧକ୍ଷେତ୍ରରେ ନିଜର ପରାକ୍ରମ ଦେଖାଇବାର ସମୟ ।”

କୁମ୍ଭକର୍ଣ୍ଣ ମଧ୍ୟ ନିଜ କଥାରୁ ଟଳି ନ ଯାଇ କହିଲା, “ଭାତୃଦେବ, ମୁଁ ଅବଶ୍ୟ ତୁମର ସାନଭାଇ, କିନ୍ତୁ ମୁଁ ତ ପୁଣି ତୁମର ଶୁଭାକାଂକ୍ଷୀ? ସେଥିପାଇଁ ମୁଁ ଏପରି କହିଲି । କିନ୍ତୁ ତମେ ଯଦି ଚିନ୍ତାଗ୍ରସ୍ଥ ହୋଇଛ ତେବେ ସେ ଚିନ୍ତା ମନ ମଧ୍ୟରୁ ଦୂର କରିଦିଅ । ଖୁବ୍ ଅଳ୍ପ ସମୟ ମଧ୍ୟରେ ମୁଁ ସବୁକିଛି ସମ୍ଭାଳି ନେବି । ସମସ୍ତ ବାନର ସେନାଙ୍କୁ ଓ ଅନ୍ୟମାନଙ୍କୁ ଅତିଶୀଘ୍ର ମାରିଦେବି ଓ ଖାଇଯିବି । ମୁଁ ଜାଣିଛି ଅନେକ ରାକ୍ଷସଙ୍କ ମୃତ୍ୟୁ ଯୋଗୁଁ ଲଙ୍କାର ପ୍ରଜାମାନେ ଦୁଃଖିତ । ମୁଁ ସେମାନଙ୍କ ପାଇଁ ସନ୍ତୋଷ ଆଣିଦେବି । ଅନ୍ତତଃ ମୁଁ ବଂଚିଥିବା ପର୍ଯ୍ୟନ୍ତ ତୁମର ଆଉ କୌଣସି ଚିନ୍ତା ରହିବା ମୋଟେ ଉଚିତ୍ ନୁହେଁ ।”

ତା’ପରେ ମହୋଦର କୁମ୍ଭକର୍ଣ୍ଣକୁ ଗାଳିଦେଇ କହିଲା, “ଯେତେବେଳେ ରାବଣ ସୀତାଙ୍କୁ ହରଣ କରି ଆଣିବାକୁ କହିଲେ, ଆମେସବୁତ ସମ୍ମତ ହୋଇଥିଲୁ? ସେ ତ କେବଳ ନିଜ ଇଚ୍ଛାରେ ଏହା କରି ନାହଁନ୍ତି! ତୁମେ ଏବେ ନିଜର ବଳର ଗର୍ବରେ ଗର୍ବିତ ହୋଇ ଏକାକୀ ଯୁଦ୍ଧକ୍ଷେତ୍ରକୁ ଯିବାକୁ ବାହାରିଛ, ଏହା ମୋର କାହିଁ ଉଚିତ୍ ମନେ ହେଉନାହିଁ । ଏକଥା ଭୁଲ୍ ନାହିଁ ଯେ ଏକା ରାମ ଅନେକ ରାକ୍ଷସଙ୍କୁ ମାରିଛନ୍ତି, ଏପରି ଏକ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ତୁମେ କିପରି ଏକେଲା ମାରି ପାରିବ? ଯେଉଁ ରାକ୍ଷସମାନେ ରାମଙ୍କଯୁଦ୍ଧ ଦେଖି ଜୀବନ୍ତ ଫେରିଛନ୍ତି ରାମଙ୍କ ନାମ ଶୁଣିବାମାତ୍ରେ ତାଙ୍କର ନାଡୀର ଗତି ବନ୍ଦ ହୋଇଯାଉଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ