ଏପରି ବିଳାପ କରୁ କରୁ ରାବଣକୁ ସେ କହିଲେ, “ହେ ରାକ୍ଷସରାଜ ରାବଣ, ତୁ ତ ଦିନେହେଲେ କୌଣସି ପୂଣ୍ୟକର୍ମ କରିନାହୁଁ । ମୋତେ ଯଦି କୌଣସି ମୂଲ୍ୟ ଦେଉଛୁ ତେବେ ଏହିକ୍ଷଣି ତୋ’ର ପୁଣ୍ୟ କରିବାର ସୁଯୋଗ ମିଳିଛି । ରାମଙ୍କ ଶରୀର ସହିତ ମୋତେ ଏକା ଚିତାରେ ଜଳିବାକୁ ବ୍ୟବସ୍ଥା କରି ଦେ ।”
ସେତିକିବେଳେ ସେଠାକୁ ଜଣେ ରାକ୍ଷସ ଆସି କହିଲା ସେନାଧିପତି ପ୍ରହସ୍ତ ଓ ମନ୍ତ୍ରୀମାନେ ମହାରାଜଙ୍କ ସହିତ ଦେଖା କରିବାକୁ ଚାହାଁନ୍ତି । ତତ୍କ୍ଷଣାତ୍ ରାବଣ ଅଶୋକବନ ଛାଡି ଚାଲିଗଲା । ସେ ସେଠାରୁ ବାହାରକୁ ଯିବା ମାତ୍ରେ ରାମଙ୍କର ଶିର ଓ ଧନୁ କେଉଁଆଡେ ଅନ୍ତର୍ହିତ ହୋଇଗଲା ।
ଇତିମଧ୍ୟରେ ବିଭୀଷଣ ପତ୍ନୀ ସରମା ସେଠାରେ ଆସି ପହଁଚିଲେ । ସେ ସୀତାଙ୍କୁ ଖୁବ୍ ଭଲ ପାଉଥାନ୍ତି । ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ମୁଁ ଏହିଠାରେ ଥାଇ ତୁମର ଓ ରାବଣର କଥାସବୁ ଶୁଣୁଥିଲି । ମୁଁ ଏଠାକୁ ଲୁଚି ଲୁଚି ଆସିଛି । ମୁଁ ତାକୁ ଡରିନାହିଁ । ଜାଣ ସେ ଏଠାରୁ କାହିଁକି ଶୀଘ୍ର ଶୀଘ୍ର ପଳାଇଲା? ତୁମେ କ’ଣ ତୁରୀ, ଭେରୀର ଶବ୍ଦ ଶୁଣି ପାରୁନାହଁ? ଏପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ସେମାନେ ଆକ୍ରମଣ କରିବାକୁ ପ୍ରସ୍ତୁତ । ରାମ ଲକ୍ଷ୍ମଣ ତ ଏମାନଙ୍କୁ ଖୁବ୍ ଅଳ୍ପ ସମୟରେ ସଫା କରିଦେବେ । ତୁମେ ଆଉ ଦୁଃଖିତ ହୁଅନାହିଁ ।”
ସରମାର ଏତାଦୃଶ ସାନ୍ତ୍ୱନାଭରା କଥା ଶୁଣି ସୀତା ଟିକେ ଆଶ୍ୱସ୍ତ ହେଲେ । ତା’ପରେ ସରମା କହିଲେ, “ତୁମେ ଆଉ ଦୁଃଖ କରନାହିଁ, ମୁଁ ଆକାଶ ମାର୍ଗରେ ଗରୁଡ ପରି ଯାଇ ସବୁ ଖବର ବୁଝି ଆସିବି, କ’ଣ ତୁମର ବିଶ୍ୱାସ ହେଉନାହିଁ?”
ସୀତା କହିଲେ “ବିଶ୍ୱାସ କାହିଁକି ହେବନାହିଁ? ତୁମେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରକୁ ଯାଇପାର । ମୋତେ ଏତିକି ଖବର ଦେବ ରାବଣ କେଉଁଠି ଅଛି ଓ କ’ଣ କରୁଛି । ସେତକ ଜାଣିଲେ ମୁଁ ଟିକେ ନିଶ୍ଚିନ୍ତ ହେବି ।”
ସରମା ସୀତାଙ୍କ ଲୁହ ପୋଛିଦେଇ ସ୍ନେହରେ ତାଙ୍କୁ ଆଲିଙ୍ଗନ କଲେ ଓ ତା’ପରେ ସେଠାରୁ ସେ ଚାଲିଗଲେ । କିଛି ସମୟ ପରେ ସେଠାକୁ ଲେଉଟି ଆସି ସେ କହିଲା, “ରାବଣର ମା’ ଓ ତା’ର ବୃଦ୍ଧ ମନ୍ତ୍ରୀ ତାକୁ ବହୁତ ବୁଝାଇ କହିଲେ ଯେ ସୀତାଙ୍କୁ ଫେରାଇ ଦିଅ, ନହେଲେ ଘୋର ଯୁଦ୍ଧ ହୋଇ ରାକ୍ଷସକୁଳ ସବୁଦିନ ଲାଗି ଲୋପ ହୋଇଯିବେ । କିନ୍ତୁ ରାବଣ ସେମାନଙ୍କ କଥାକୁ ବେଖାତିର୍ କଲା । କିନ୍ତୁ ମନ୍ତ୍ରୀମାନେ ରାବଣକୁ ପୁରା ସମର୍ଥନ କରୁଥା’ନ୍ତି ।”
ସରମା ଏହିପରି କହୁଥିବାବେଳେ ବାନର ସେନାଙ୍କର ସିଂହଧ୍ୱନି ଓ ଶଙ୍ଖଧ୍ୱନି ଶୁଣାଗଲା । ସେଥିରୁ ଜଣାଗଲା ରାମ ଲଙ୍କା ନଗରୀର ନିକଟରେ ଆସି ପହଁଚି ଗଲେଣି ।
ବାନର ସେନାଙ୍କର କୋଳାହଳ ଶୁଣି ରାବଣ ତା’ର ମନ୍ତ୍ରୀଗଣଙ୍କୁ କହିଲା, “ତୁମେ ସବୁ ବହୁତ କଥା ବଢେଇ ଚଢେଇ କହୁଥିଲ । ଏବେ ମୁଁ ଜାଣିପାରୁଛି ଯେ ରାମର ପରାକ୍ରମ ଦ୍ୱାରା ତୁମେମାନେ ପରାଭୂତ ଓ ଭୟଭୀତ । ସେ ଏକ ସାଧାରଣ ମନୁଷ୍ୟ, ଆଉ ସେ ତା’ ସାଙ୍ଗରେ ଦଳେ ମାଙ୍କଡ ଆଣିଛି । ଏମାନେ ତ ଆମର ଭକ୍ଷ୍ୟ । ତେବେ କେଉଁଥି ପାଇଁ ଏ ଭୟ?”
ବୃଦ୍ଧ ମନ୍ତ୍ରୀ ମାଲ୍ୟବନ୍ କହିଲେ, “ରାଜନ୍, ସୀତା ହେଲା ସବୁ ଯୁଦ୍ଧର ମୂଳ । ଏବେ ମଧ୍ୟ ସମୟ ଅଛି ସୀତାଙ୍କୁ ଫେରାଇ ଦିଅ । କାରଣ ଆମ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ତାହାର ଅନ୍ୟ ନାମ ହେଉଛି ‘ସୀତା’ । ତାଙ୍କୁ ଫେରାଇ ଦେଲେ ତ ଶତ୍ରୁତା ଆପେ ଆପେ ମେଂଟିଯିବ । କିନ୍ତୁ ଯୁଦ୍ଧ ହେଲେ ତା’ର ପରିଣାମ ବଡ ଭୟାବହ ହେବ । ମର୍କଟ ଓ ଭଲ୍ଲୁକଙ୍କ ହାତରେ ମରିବାକୁ ହେବ । ନ ମରିବା ଭଳି ତ କୌଣସି ବର ପ୍ରାପ୍ତ କରାଯାଇ ନାହିଁ ।”
ରାବଣ ମାଲ୍ୟବନ୍ଙ୍କୁ ବଡ ଗମ୍ଭୀର ଭାବରେ ଚାହିଁ କହିଲା, “ତୁମେ ତ କହୁଛ ମୋର ଭଲ ପାଇଁ, କିନ୍ତୁ ଏହା ଭୀରୁ ଲୋକର ଭାଷା; ତୁମେ ବୋଧହୁଏ ରାମକୁ ଡରୁଛ । ସେ ଜଣେ ସାଧାରଣ ମନୁଷ୍ୟ ମାତ୍ର । ମନୁଷ୍ୟମାନେ ଆମର ଖାଦ୍ୟ । ସେ ଜଙ୍ଗଲରେ ବୁଲି ବୁଲି ଖାଇବାକୁ ନ ପାଇ ଅଧାମରା ଅବସ୍ଥାରେ ଅଛି । ସାଙ୍ଗରେ ସୈନ୍ୟସାମନ୍ତ ନିଜର ବୋଲି କେହିବି ନାହିଁ, ଗୁଡାଏ ମର୍କଟଙ୍କର ସହାୟତା ନେଇ ଆସିଛି । ଏପରି ଏକ ଦରିଦ୍ର, ନିଃସହାୟ, ଅସମର୍ଥ ବ୍ୟକ୍ତିକୁ ତମେମାନେ ମୋପରି ତ୍ରିଭୁବନ ବିଜୟୀ ପରାକ୍ରମୀ ରାଜାର ଛତ୍ରଛାୟା ତଳେ ରହି ଭୟ କରୁଛ? ଏହା କି ହାସ୍ୟାସ୍ପଦ କଥା? ମୋର ପରାକ୍ରମ ଓ ବୀରତ୍ୱ ଜାଣିବା ସତ୍ତ୍ୱେ ଯଦି ମୋ ଉପରେ ତୁମର ଆସ୍ଥା ଓ ବିଶ୍ୱାସ ନାହିଁ ବରଂ ବିଭୀଷଣ ପରି ଯାଇ ଶତ୍ରୁପକ୍ଷରେ ମିଳିତ ହୋଇପାର, କିନ୍ତୁ ମୋତେ ଉପଦେଶ ଦେବାକୁ ଆଉ ଦ୍ୱିତୀୟବାର ସାହସ କରନାହିଁ । ମୁଁ ଯେତେବେଳେ ସୀତାଙ୍କୁ ବଣରୁ ଚୋରାଇ ଆଣିଲି ତାଙ୍କୁ କ’ଣ ଏମିତି ଫେରାଇ ଦେବାପାଇଁ? ଯୁଦ୍ଧ ହେଉ । ମୁଁ ମରେ ନହେଲେ ରାମ ମରୁ । କିନ୍ତୁ ସୀତାଙ୍କୁ ଏବେ ଫେରାଇବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”
ମାଲ୍ୟବନ୍ ଏଥିରୁ ବୁଝିଗଲେ ଯେ କ୍ରୋଧବଶରେ ରାବଣ ଖାଲି ପାଗଳ ପରି ପ୍ରଳାପ କରୁଛି । ତେଣୁ ସେ ନୀରବ ରହିଲେ; ତା’ପରେ ରାବଣକୁ ବିଜୟପ୍ରାପ୍ତ କରିବାର ଆଶିର୍ବାଦ ଦେଇ ସେଠାରୁ ସେ ଚାଲିଗଲେ । ସେ ଯିବା ପରେ ରାବଣ ଲଙ୍କାଗଡର ସୁରକ୍ଷା ପାଇଁ ମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କଲା । ଆଲୋଚନା ଶେଷରେ ସେମାନେ ସ୍ଥିର କଲେ ଯେ ଇନ୍ଦ୍ରଜିତ ସୈନ୍ୟସାମନ୍ତ ନେଇ ପଶ୍ଚିମ ଦ୍ୱାରରେ ଯିବେ । ଶୁକ ସାରଣ ମଧ୍ୟ ସସୈନ୍ୟ ଉତ୍ତର ଦ୍ୱାର ଜଗିବ । ବିରୁପାକ୍ଷ ସୈନ୍ୟବାହିନୀ ଧରି ଗଡ ଭିତରେ ରହିବ । ତା’ପରେ ମନ୍ତ୍ରୀମାନେ ରାବଣର ଜୟଧ୍ୱନି କଲେ । ସଭା ଶେଷ ହେଲା ।
ଶ୍ରୀରାମ ତେଣେ ତାଙ୍କ ମନ ମଧ୍ୟରେ କେତେ କ’ଣ ଭାବୁଥା’ନ୍ତି । ତା’ପରେ ସେ କହିଲେ, “ଜଗତବିଖ୍ୟାତ ସ୍ୱର୍ଣ୍ଣଲଙ୍କାକୁ ଦେବତାମାନେ ମଧ୍ୟ କିଛି କରିପାରି ନାହାଁନ୍ତି, ମୁଁ କିପରି ଆକ୍ରମଣ କରିବି ଓ କେମିତି ବା ଯୁଦ୍ଧ କରିବି?”