ଏକଥା ଶୁଣି ବିଭୀଷଣ କହିଲେ, “ମୋର ସହଯୋଗୀମାନେ ପକ୍ଷୀରୂପ ଧାରଣ କରି ଲଙ୍କାରେ ପ୍ରବେଶ କରି ସେଠାକାର ସମସ୍ତ ଖବର ସଂଗ୍ରହ କରି ନେଇ ଆସିବେ । ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ।”
ବିଭୀଷଣ ତାଙ୍କର ଅନୁଚରବର୍ଗଙ୍କୁ ଖବର ସଂଗ୍ରହ କରିବାକୁ ପଠାଇଲେ । ସେମାନେ ପକ୍ଷୀରୂପରେ ଯାଇ ସମସ୍ତ ଖବର ସଂଗ୍ରହ କରି ଫେରି ଆସି ଶ୍ରୀରାମଙ୍କୁ ସବିସ୍ତାରେ ସବୁବିଷୟ କହିଲେ । ବିଭୀଷଣ କହିଲେ, ରାବଣ ସହିତ ବହୁ ବୀର ଯୋଦ୍ଧା ଓ ଭୀଷଣ ରାକ୍ଷସଗଣ ଅଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ଷାଠିଏ ଲକ୍ଷ ହେବ ।
ତା’ପରେ ଶ୍ରୀରାମ କହିଲେ, “ଏବେ ଆଲୋଚନା କରାଯାଉ କିଏ କାହା ସହିତ ଲଢିବେ । ନଳ ନୀଳ ପ୍ରହସ୍ତଙ୍କ ସହ ପୂର୍ବ ଦ୍ୱାରରେ ଲଢିବେ, ଅଙ୍ଗଦ ଦକ୍ଷିଣ ଦ୍ୱାରରେ ମହାପାଶ୍ୱର୍ ସହ ଯୁଦ୍ଧ କରିବେ । ପଶ୍ଚିମ ଦ୍ୱାରରେ ଇନ୍ଦ୍ରଜିତ ସହ ହନୁମାନ ଯୁଦ୍ଧ କରିବ । ଆଉ ମୁଁ ଉତ୍ତର ଦ୍ୱାରରେ ରାବଣ ସହିତ ଯୁଦ୍ଧ କରିବା ଅପେକ୍ଷାରେ ରହିବି । ସେଠାରେ ମୋ ସହିତ ଲକ୍ଷ୍ମଣ ମଧ୍ୟ ରହିବେ । ବାନର ସୈନ୍ୟମାନେ ମାନବରୂପ ଧାରଣ କରିବେ ନାହିଁ । କେବଳ ସୈନ୍ୟର ଅଧିନାୟକମାନେ ମାନବରୂପ ଧରିବେ ।”
ଏସବୁ ସ୍ଥିର କରାଯିବା ପରେ ସେନାନାୟକମାନେ ନିଜ ନିଜର ସୈନ୍ୟ ଧରି ଚାଲିଗଲେ । ଶ୍ରୀରାମ, ଲକ୍ଷ୍ମଣ, ବିଭୀଷଣ, ସୁଗ୍ରୀବ ଆଦି ସୁବଳ ପର୍ବତକୁ ଚଢିଲେ ଓ ସେହିଠାରେ ରାତ୍ରିଯାପନ କରିବାର ସମସ୍ତ ବନ୍ଦୋବସ୍ତ କଲେ । ଏହା ପ୍ରାକୃତିକ ଦୃଶ୍ୟରେ ଭରା । ସେଠାରୁ ତ୍ରିକୁଟ ଉପରେ ଥିବା ଲଙ୍କା ନଗରୀ ବଡ ସୁନ୍ଦର ଦେଖାଯାଉଥାଏ ।
ସୂର୍ଯ୍ୟାସ୍ତ ହୋଇସାରିଥାଏ । ସେମାନେ ସୁବଳ ପର୍ବତ ଉପରେ ରାତ୍ରି ଯାପନ କଲେ । ସକାଳେ ସେମାନେ ଲଙ୍କାର ବନ ଉପବନ ବୁଲି ଦେଖିଲେ । ତ୍ରିକୁଟ ପର୍ବତ ଉପରେ ଥିବା ଲଙ୍କା ନଗରୀରେ, ରାବଣର ଅଟ୍ଟାଳିକା ଦୂରକୁ ଅତି ସୁନ୍ଦର ଦେଖାଯାଉଥାଏ । ବୁଲୁ ବୁଲୁ ସୁଗ୍ରୀବ ହଠାତ୍ ଦେଖିବାକୁ ପାଇଲେ ଯେ ରାବଣ ମଧ୍ୟ ତା’ ଛାତ ଉପରେ ବୁଲୁଛି । ସୁଗ୍ରୀବ ନିଜକୁ ଆଉ ସମ୍ଭାଳି ନପାରି ଚିତ୍କାର କରି କହିଲେ, “ରେ ମୂର୍ଖ ରାବଣ, ଭଲକରି ଚିହ୍ନି ଦେଖ; ମୁଁ ହେଉଛି ବାନରରାଜ ସୁଗ୍ରୀବ । ମୁଁ ଶ୍ରୀରାମଙ୍କର ମିତ୍ର ତଥା ସେବକ । ମୁଁ ଆଜି ତୋତେ ଜୀବିତ ଛାଡିବି ନାହିଁ ।”
ସେତେବେଳେ ରାବଣ ତ ସେଠାରୁ ଖୁବ୍ ଅଳ୍ପ ଦୂରରେ ଥିଲା । ତେଣୁ ସେ ମଧ୍ୟ ଦ୍ୱନ୍ଦଯୁଦ୍ଧ ସ୍ୱୀକାର କରିନେଲା । ସେ କହିଲା, “ସୁଗ୍ରୀବ ମାନେ କ’ଣ ଜାଣୁ ମୂର୍ଖ? ସୁଗ୍ରୀବ ମାନେ ଭଲ ଗ୍ରୀବା ବା ବେକ । ଆଜି ତୋର ସେଇ ଗ୍ରୀବାକୁ ମୁଁ ଅତି ସୁନ୍ଦର ଭାବେ ଭାଙ୍ଗି ତୋରି ହାତରେ ରଖିଦେବି ।” ଏହା ପରେ ସେ ଦୁହେଁ ଦୁହିଁଙ୍କ ଉପରେ ଲମ୍ପ ଦେଲେ ଓ ଭୟଙ୍କର ଦ୍ୱନ୍ଦଯୁଦ୍ଧ ଆରମ୍ଭ ହେଲା । ବହୁ ସମୟ ଧରି ଯୁଦ୍ଧ ଚାଲିଲା । ରାବଣ ଥକି ପଡିବାରୁ ସେ ତା’ର ମାୟା ଯୁଦ୍ଧ ଆରମ୍ଭ କଲା । ତା’ର ସେହି ରାକ୍ଷସୀ ଚାଲ୍ ଦେଖି ସୁଗ୍ରୀବ ଯୁଦ୍ଧ ଛାଡି ଆକାଶ ମାର୍ଗରେ ଉଡିଯାଇ ଶ୍ରୀରାମଙ୍କ ପାଖରେ ପହଁଚିଗଲେ ।
ଶ୍ରୀରାମ ବ୍ୟସ୍ତ ହୋଇ କହିଲେ, “ମୋତେ କିଛି ନକହି ତୁମେ ଏପରି କାହିଁକି କଲ? ତୁମେ ରାଜା; ତୁମପକ୍ଷେ ଏପରି ଦୁଃସାହସ କରିବା ଆଦୌ ଉଚିତ୍ ନୁହେଁ । ଆମେ ତୁମ ପାଇଁ ବ୍ୟସ୍ତ ଥିଲୁ । ଏଭଳି ପରିସ୍ଥିତିରେ ଧୀରସ୍ଥିର ବୁଦ୍ଧି ନେଇ ଭାବିଚିନ୍ତି ସବୁ କରିବା ଉଚିତ୍ । ତୁମ ଉପରେ କିଛି ବିପତ୍ତି ପଡିଥିଲେ ଆମର କ’ଣ ହୁଅନ୍ତା? ଆମେ ବିଭୀଷଣଙ୍କୁ ଲଙ୍କାର ସିଂହାସନରେ ବସାଇବାକୁ କଥା ଦେଇଛେ । ସେ କାର୍ଯ୍ୟ ସମ୍ପାଦନ ହେବା ପରେ ଯାଇ ମୁଁ ଅଯୋଧ୍ୟା ଫେରିବି ।
ସୁଗ୍ରୀବ କହିଲେ “ହେ ରାମ, ସୀତାଙ୍କୁ ଛଳରେ ଉଠାଇ ଆଣିଥିବା ପାଷାଣ୍ଡ ରାକ୍ଷସ ରାଜା ରାବଣକୁ ପିଟିବା ପାଇଁ ମୋର ଲୋଭକୁ ମୁଁ ଆଉ ସମ୍ବରଣ କରିପାରିଲି ନାହିଁ । ଯେତିକି ପିଟିଛି ସେତିକିରେ ମୋର ମନ କିଛିଟା ଶାନ୍ତ ହୋଇଛି । ମୁଁ ରାବଣ ପାଖକୁ ଯିବାବେଳେ ଭୁଲ୍ ଠିକ୍ କିଛି ଭାବିକରି ଯାଇନାହିଁ ।”
ତା’ପରେ ଶ୍ରୀରାମ ଲକ୍ଷ୍ମଣଙ୍କ ସହ ସମସ୍ତ ସେନାଧିପତି ଓ ବାନର ସୈନ୍ୟମାନେ ପାହାଡ ଉପରୁ ତଳକୁ ଓହ୍ଲାଇ ଆସିଲେ । ସମସ୍ତିଙ୍କ ମନରେ ଯୁଦ୍ଧ ପାଇଁ ଉତ୍ସାହ । ରାବଣ ନିଜେ ଉତ୍ତର ଦ୍ୱାର ସୁରକ୍ଷା କରୁଥିଲା । ଘମାଘୋଟ ଯୁଦ୍ଧ ହେବାର ସମସ୍ତ ସୂଚନା ଦୁଇ ପକ୍ଷରୁ ଦିଆଗଲା । ଦୁଇ ପକ୍ଷ ପାରୁପର୍ଯ୍ୟନ୍ତ ପ୍ରସ୍ତୁତ । କେବଳ ଶ୍ରୀରାମଙ୍କ ସୈନ୍ୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥାଏ । ମାତ୍ର ରାବଣର ସୈନ୍ୟମାନଙ୍କ ମଧ୍ୟରେ ଆଦୌ କୌଣସି ଉତ୍ସାହ ନଥାଏ ।