ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

                ଶ୍ରୀରାମ ଦୀର୍ଘଶ୍ୱାସ ଛାଡି କହିଲେ, “ହନୁମାନ, ତୁମକୁ ଦେଖି ଓ ତୁମର କଥା ଶୁଣି ମୋ ମନ ଟିକିଏ ଶାନ୍ତ ହେଲା । ସୀତାଙ୍କୁ ଛାଡି ମୋର ମନ ଏବେ ଭାଙ୍ଗି ପଡିଛି । ତା’ପରେ ଯଦି ଅଶ୍ୱମେଧ ଯଜ୍ଞ ବିଫଳ ହୁଏ ତ ତେବେ ମୁଁ ବହୁତ କଷ୍ଟ ପାଇବି; ଏବେ ଅଶ୍ୱ ମଣିପୁର ଅଂଚଳରେ ଚାଲୁଛି । ଅଶ୍ୱ ସହିତ ମୋ ଭାଇମାନେ ଅଛନ୍ତି । ତୁମେ ମଧ୍ୟ ସେଠାକୁ ଯାଅ ।”

                ଶ୍ରୀରାମଙ୍କ ଆଜ୍ଞା ପାଇବା ମାତ୍ରେ ହନୁମାନ ସେଠାରୁ ଆକାଶ ମାର୍ଗରେ ଉଡିଗଲେ । ଯିବା ବାଟରେ ସେ ଦେଖିଲେ ଏକ ଘନ ଜଙ୍ଗଲ ମଧ୍ୟରେ ଜଣେ ରାକ୍ଷସ ଓ ଜଣେ ରାକ୍ଷସୀ ଖୁସିରେ ନାଚୁଛନ୍ତି । ସେତେବେଳେ ସେମାନେ ବହୁତ ମଦ ପିଇଥା’ନ୍ତି । ଏସବୁ ଘଟଣା ଦେଖି ସେମାନଙ୍କର ଏତେ ଖୁସିର କାରଣ କ’ଣ ବୋଲି ହନୁମାନଙ୍କର ତାହା ଜାଣିବାକୁ ଭାରି ଇଚ୍ଛା ହେଲା । ସୁତରାଂ ହନୁମାନ ସୂକ୍ଷ୍ମରୂପରେ ସେଠାରେ ଓହ୍ଲାଇ ପାଖରେ ଥିବା ଏକ ଗଛ ଡାଳରେ ଲୁଚିରହି ସେମାନଙ୍କ କଥା ସବୁ ଶୁଣିଲେ ।

ରାକ୍ଷସୀ କହିଲା, “ଶତ୍ରୁ ତ ଏପର୍ଯ୍ୟନ୍ତ ଶେଷ ହେଲା ନାହିଁ । ଭଲ ହେଲା ଯେ ଆମେ ଦୁହେଁ ବଂଚିରହି ଭାଇମାନଙ୍କ ପାଇଁ ପ୍ରତିଶୋଧ ନେଲେ । କରାଳକଣ୍ଠ, ସେଦିନ ରାତିରେ ଧୋବା ହୋଇ ତୁ କେତେ ବଢିଆ ଅଭିନୟ କଲୁ । ତୋ ଚିତ୍କାରରେ ଗାଁସାରା ଜାଗି ଉଠିଲେ ।” ତା’କଥାରେ ସେ ରାକ୍ଷସ କହିଲା, “ସୁର୍ପଣଖା, ତୋର ବେଶଭୂଷା କେତେ ସୁନ୍ଦର ଲାଗୁଥିଲା । ତୁ ତ ନିଜର ବେଶ ବଦଳାଇ ସେଦିନ ସେମାନଙ୍କୁ ଭଲ ଭାବରେ ଠକିଲୁ ।”

କରାଳକଣ୍ଠ  ଓ ଶତକଣ୍ଠ, ରାବଣର ଭାଇ ଥିଲେ; ଯୁଦ୍ଧବେଳେ ସେମାନେ ନିଜର ପ୍ରାଣ ରକ୍ଷା କରିବାକୁ ସେଠାରୁ ପଳାଇ ଯାଇଥିଲେ । ଶ୍ରୀରାମ ରାଜା ହେବା ପରେ କରାଳକଣ୍ଠ ଦିନେ ମଣିଷ ରୂପରେ ଅଯୋଧ୍ୟାରେ ବୁଲୁଥିଲା, ଏକେଲା କାହାକୁ ପାଇଲେ ସେ ଖାଇବ । ସୂର୍ପଣଖା ମଧ୍ୟ ସେହିପରି ସୁନ୍ଦରୀ ସ୍ତ୍ରୀ ହୋଇ ଅଯୋଧ୍ୟାରେ ବୁଲୁଥାଏ । ଦୁହେଁ ଦୁହିଁଙ୍କୁ ଦେଖି ଚିହ୍ନିଲେ ଓ ବଣ ମଧ୍ୟକୁ ଯାଇ ଧୋବା ଧୋବଣୀର ଅଭିନୟ କରି ଶ୍ରୀରାମଙ୍କ ନିନ୍ଦା କରି ନିଜ ଭାତୃ ହତ୍ୟାର ପ୍ରତିଶୋଧ ନେବାକୁ ଚାହିଁଲେ । ତା’ପରେ ସେମାନେ ତାଙ୍କ ଯୋଜନା ଅନୁସାରେ କାମ କଲେ ଓ ସେଥିରେ ସଫଳତମବି ହେଲେ । ସେହିଦିନଠାରୁ ସେ ଭାଇଭଉଣୀ ଦୁହେଁ ଅଯୋଧ୍ୟାର ନିକଟରେ ଥିବା ବଣରେ ବାସ କରନ୍ତି, ଏକେଲା କାହାକୁ ଦେଖିଲେ ସେମାନେ ଖାଇଯା’ନ୍ତି । ଏହିପରି ଭାବେ ସେମାନେ ନାନା ଉତ୍ପାତ କରନ୍ତି । ତାଙ୍କୁ ଜାଣିବା ଅସମ୍ଭବ । କାହିଁକିନା ସେମାନେ ସର୍ବଦା ମଣିଷଙ୍କ ଉପରେ ସବାର ହୁଅନ୍ତି ଓ ନାନା ଉପଦ୍ରବ କରନ୍ତି ।

ହନୁମାନ ଗଛ ଉପରେ ଥାଇ ଏସବୁ କଥା ଶୁଣିଲେ । କରାଳକଣ୍ଠ କହିଲା, “ଜାଣିଲୁ ଭଉଣୀ, ଆମ ଭାଗ୍ୟ ସବୁଠାରୁ ଭଲ । କେହି ହେଲେବି ଆମକୁ ଟିକେ ସନ୍ଦେହ କରୁ ନାହାଁନ୍ତି । କିନ୍ତୁ ଯଦି ହନୁମାନ ଏବେ ଏଠି ଥା’ନ୍ତା ତେବେ ସେ ଆମକୁ ଚଟଣି ବନାଇ ଆମ ଭାଇମାନଙ୍କ ପାଖକୁ ପଠାଇ ସାରନ୍ତାଣି । ସେ ହିମାଳୟକୁ ତପସ୍ୟା କରିବାକୁ ଯାଇଛି, ଭଲ ହୋଇଛି । ଏବେ ଆମେ ନିର୍ଭୟରେ ଚରି ବୁଲିବା ଓ ଖୁବ୍ ମଜାରେ ରହିବା ।” ସୂର୍ପଣଖା କହିଲା, “ସେ ହନୁମାନ କଥା ମୋଟେ କୁହନା, ତା’ର ନାମ ଉଚାରଣ କରିବା ମାତ୍ରେ ମୋ ଦେହ ସତେ ଯେମିତି କ୍ରୋଧରେ ଜଳି ଉଠୁଛି ।”

କରାଳକଣ୍ଠ ଦାନ୍ତ ନିକୁଟି ଥଟ୍ଟା କରି କହିଲା, “କ’ଣ କ୍ରୋଧରେ ଜଳୁଛି? ନା ଭୟରେ ଥରୁଛି?”

ସୂର୍ପଣଖା କହିଲା “ସେ ବଦମାସ ତା’ ଲାଙ୍ଗୁଡରେ ମୋ ଭାଇର ସୁନାର ଲଙ୍କାକୁ ଜଳାଇ ଦେଲା । ମୁଁ କାହିଁକି ତାକୁ ଭୟ କରିବି । ରାଗରେ ମୋ ଦେହ ଜଳୁଛି ।” ଏହା କହି ସେ ତା’ ନିଜ ପିଠି ଉପରେ ହାତ ବୁଲାଇ କିଛି ଖୋଜିଲା ପରି ଲାଗିଲା । ଲଙ୍କାପୋଡି ବେଳେ ଖଣ୍ଡେ ନିଆଁ ତା’ ପିଠିରେ ପଡି ଘା’ ହୋଇଥିଲା । ସୂର୍ପଣଖା ତାକୁ ସ୍ପର୍ଶ କଲା ।

କରାଳକଣ୍ଠ ହସି ହସି ବ୍ୟଙ୍ଗ କରି କହିଲା, “ଏଇଥିପାଇଁ ତୁ କ୍ରୋଧରେ ଜଳୁଛୁ? ଲଙ୍କା ପଛକେ ଜଳୁ, ତୁ ତ ବଂଚିଗଲୁ ନା?” ଏହା ଶୁଣି ସୂର୍ପଣଖା ରାଗିଯାଇ କହିଲା, “ଚୁପ୍କର । ବେଶି କହିଲେ, ପୁଣି ଦେଖିବୁ ।”

କରାଳକଣ୍ଠ କହିଲା “ଆରେ ତୁ ମୋ ଉପରେ କାହିଁ ରାଗୁଛୁ । ସେ ହନୁମାନଟା ସାକ୍ଷାତ୍ ଶଇତାନ୍ । ମୁଁ ତ ତା’ ନାମ ଶୁଣିଲେହିଁ ରାଗେ ।”

ସୂର୍ପଣଖା କହିଲା “ଏବେ ତୁ ଆଉ ବେଶି ଢଙ୍ଗ ଦେଖାନା । ମୁଁ ଜାଣି ନାହିଁକି ଯୁଦ୍ଧରେ କ’ଣ କରିଥିଲୁ କାପୁରୁଷ କେଉଁଠିକାର? ଯୁଦ୍ଧରେ ବୀରପରି ନ ମରି ଲୁଚିଥିଲୁ ନା?”

କରାଳ କହିଲା “ପଳେଇ ଆସିଥିଲି ବୋଲି ତ ମୁଁ ତା’ର ପ୍ରତିଶୋଧ ନେଲି, ତୁ ମଧ୍ୟ ମୋ ସହିତ ଆସି କାମ କଲୁ । ଆମେ ଆମ ଭାତୃହତ୍ୟାର ପ୍ରତିଶୋଧ ନେଲେ ନା?”

ସୂର୍ପଣଖା କହିଲା “ବରଂ ଏବେ ଆମେ ଟିକେ ଶାନ୍ତିରେ ଭାବିବା ଯେ କେଉଁଠି ବସବାସ କରିବା ଯେଉଁଠିକି ବେଶି ମଣିଷ ଖାଇବାକୁ ମିଳିବେ ।”

କରାଳକଣ୍ଠ କହିଲା “ମୁଁ ବି ତ ସେଇକଥାହିଁ କହୁଛି । କିନ୍ତୁ ତା’ ପୂର୍ବରୁ ଆମେ ରାମର ସେ ଯଜ୍ଞଘୋଡାକୁ ଧରିବା । ତା’ର ଯଜ୍ଞ ଭଙ୍ଗ ନକଲେ ଆମର ଆଉ କ’ଣ ବା ଲାଭ ହେଲା?”

ସୂର୍ପଣଖା କହିଲା “ହଁ ଭଲ ହେବ, ଆମେ ସେ ଘୋଡା ଉପରେ ବସି ବୁଲିବା ।”

କରାଳକଣ୍ଠ କହିଲା “ଧେତ୍ ବୋକି । ଘୋଡାକୁ ଧରି ଆମେ ତାକୁ ମାରି ଦେବା ।”

ସୂର୍ପଣଖା କହିଲା “ସେ ବିଚରା ଘୋଡା ସହିତ ଆମର ତ କିଛିବି ଶତୃତା ନାହିଁ । ହଁ ଯଦି ଆମର କାହା ସାଙ୍ଗେ ଶତ୍ରୁତା ଅଛିତ ତାହା କେବଳ ରାମ ସହିତ ।”

କରାଳକଣ୍ଠ କହିଲା “ହେଲା ଯେ, ଘୋଡାକୁ ମାରିଦେଲେ ତା’ର ଯଜ୍ଞ ମଧ୍ୟ ବିଫଳ ହେବ । ଏହାଦ୍ୱାରା ଆମର ପ୍ରତିଶୋଧ ବି ସଂମ୍ପୂର୍ଣ୍ଣ ହେବ । ଯଜ୍ଞ କରି ସେ ପୁଣ୍ୟ ଅର୍ଜନ କରିବ ବୋଲି ଭାବିଛି ।”

ସୂର୍ପଣଖା କହିଲା “ହଁ ହଁ, ସେ ଘୋଡାକୁ ମାରି ଆମେ ତା’ର ମାଂସ ଖାଇ ଦେବା । ତା’ମାଂସ ତ ବଡ ସ୍ୱାଦିଷ୍ଟ ।”

କରାଳକଣ୍ଠ କହିଲା “ପେଟି କେଉଁଠିକାର । ତୁ ଖାଲି ଖାଇବୁ ।” ତା’ପରେ ସେ ଦୁହେଁ ଆନନ୍ଦ ମନରେ ଘୋଡାକୁ ଧରିବାକୁ ଚାଲିଲେ । ହଠାତ୍ ଦେଖିଲେ ଏକ ଲମ୍ବା ଦଉଡିପରି କିଛି ଗୋଟେ ଜିନିଷ ତାଙ୍କ ରାସ୍ତା ବନ୍ଦ କରିଛି । କରାଳକଣ୍ଠ କହିଲା “ଆରେ ବିରାଟ ସାପ, ଦୌଡି ଚାଲ ।” ସୂର୍ପଣଖା ଚିତ୍କାର କରି କହିଲା, “ଏହା ସାପ ନୁହେଁରେ ବୋକା ଯମର ଫାଶ । ମୁଁ ଠିକ୍ ଚିହ୍ନିଛି ଇଏ ତ ସେହି ହନୁମାନର ଲାଙ୍ଗୁଡ ।”

କରାଳକଣ୍ଠ କହିଲା “ଧେତ୍, ଏବେ ଏଠାକୁ ସେ ହନୁମାନ କେଉଁଠୁ ଆସିବ? ଯାହା ଦେଖୁଛୁ ତୋତେ ସବୁ ହନୁମାନ ପରି ଲାଗୁଛି ।”

ସୂର୍ପଣଖା କହିଲା “ମୁଁ ଠିକ୍ ଚିହ୍ନିଛି । ଦୌଡି ଚାଲ, ଏବେ ଆଉ ଆମ ବଂଚିବାର କୌଣସି ଉପାୟ ନାହିଁ ।” କରାଳକଣ୍ଠ ହନୁମାନଙ୍କ ଲାଙ୍ଗୁଡ ଚିହ୍ନିବା ମାତ୍ରେ ସେ ଅଣନିଶ୍ୱାସୀ ହୋଇ ଧାଇଁଲା । “ହେ ମତେ ଛାଡିଦେଇ କୁଆଡେ ଗଲୁ?” ଏହା କହି ସୂର୍ପଣଖା ମଧ୍ୟ ଧାଇଁଲା । ବୀର ହନୁମାନ ପାହାଡରୁ ଖଣ୍ଡେ ବଡ ପଥର ଉପାଡି ଆଣି ତା’ ସାହାଯ୍ୟରେ ସେ ଦୁହିଁଙ୍କର ଜୀବନ ସେ ଶେଷ କଲେ । ତାଙ୍କ ମନରେ ତୃପ୍ତି ଆସିଲା ଯେ ପାପୀଙ୍କର ଉଚିତ୍ ଶାସ୍ତି ହୋଇଛି । ତା’ପରେ ସେ ଆକାଶ ମାର୍ଗରେ ମଣିପୁର ଆଡକୁ ଉଡି ଗଲେ । ନିରୀକ୍ଷଣ କରି ସେ ଦେଖିଲେ ହଠାତ୍ ଏକ ବଡ ବିଜୁଳି ପରି କିଛି ଗୋଟେ ଯେପରି ଆକାଶରେ ଦେଖାଦେଲା । ତା’ପରେ ସେ ସେହି ସ୍ଥାନକୁ ଦ୍ରୁତ ଗତିରେ ଉଡିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ