ସ୍ୱୟଂପ୍ରଭାଙ୍କ ସହାୟତାରେ ବାନରମାନେ ଗୁମ୍ଫା ବାହାରକୁ ଆସି ଆଖି ଖୋଲି ଦେଖନ୍ତି ତ ସମୁଖରେ ମହାସମୁଦ୍ର । ବଡ ବଡ ଢେଉମାନ କୂଳରେ ପିଟି ହେଉଛନ୍ତି, ସମୁଦ୍ର ଗର୍ଜନରେ କାନ ସ୍ତବ୍ଧ ହୋଇଯାଉଛି, ଦିଗ୍ବଳୟ ପର୍ଯ୍ୟନ୍ତ ଅନନ୍ତ ସମୁଦ୍ର ବ୍ୟାପି ରହିଛି । ସେମାନେ ତାହାରି ଭିତରେ କିପରି କୁଆଡକୁ ଯାଇ ସୀତା ଠାବ କରିବେ ଭାବିଲା ବେଳକୁ ମଥା ଭ୍ରମି ଯାଉଛି । ରାବଣ ତାଙ୍କୁ ନେଇ କେଉଁଠି ଓ କିପରି ରଖିଛି ସେକଥା କିଏ କହିବ? ସେ ତାଙ୍କୁ ମାରି ଦେଇଛି ନା ଜୀବନରେ ରଖିଛି ସେକଥା କିଏ ବା ଜାଣେ? ଏତେ ଦୂର ଆସିବା ଓ ଏତେ କଷ୍ଟ ସହିବା କ’ଣ ଆମର ବ୍ୟର୍ଥ ହୋଇଯିବ ।
ବାନରମାନେ ସମସ୍ତେ ନୀରବ ହୋଇ ଏକାଠି ବସି ରହିଛନ୍ତି, ସୀତାଙ୍କୁ ପାଇବାର କୌଣସି ଆଶା ନାହିଁ । ସୁଗ୍ରୀବ ଦେଇଥିବା ସମୟ ବ୍ୟତୀତ ହୋଇ ସାରିଲାଣି । ଏପରି ଏକ ସଂକଟ ସମୟରେ ଦଳପତି ଅଙ୍ଗଦ କହିଲେ, “ମିତ୍ରଗଣ, ଆମ ଉପରେ ସବୁଠାରୁ ବଡ ବିପଦ ପଡିଛି, କାରଣ ଆମେ ସୀତାଙ୍କୁ ଠାବ ନକରି ନିର୍ଦ୍ଦିଷ୍ଟ ସମୟ ଭିତରେ ଫେରି ଯାଇଥିଲେ ଭୟ କରିବାର କୌଣସି କାରଣ ନଥାନ୍ତା । ସବୁଠାରୁ ଯୋଦ୍ଧା ଓ ବୁଦ୍ଧିମାନ ବୀରମାନେ ଆମ ଦଳରେ ଅଛନ୍ତି । ସେ କ୍ଷେତ୍ରରେ ଆମେ ସୀତା ମାତାଙ୍କ ବିଷୟରେ କୌଣସି ଖବର ସଂଗ୍ରହ କରି ନପାରିବା ଏକ ବଡ ଦୁଃଖର ବିଷୟ । ଆମେ ଅସଫଳ ହୋଇ ଫେରିଗଲେ ମହାରାଜ ସୁଗ୍ରୀବ ଆମକୁ ଜୀବନରେ ଆଉ ରଖିବେ ନାହିଁ । ତେଣୁ ମୁଁ ଆଉ ଫେରିଯାଇ ମୁହଁ ଦେଖାଇ ପାରିବି ନାହିଁ । ସେଥିପାଇଁ ମୁଁ ଭାବୁଛି ଭଗବାନଙ୍କୁ ଡାକି ପ୍ରାୟୋପବେଶନ କରି ଉପବାସରେ ରହି ରହି ନିଜ ପ୍ରାଣତ୍ୟାଗ କରିବି ।”
ଅନ୍ୟ ଜଣେ ବାନର ସୈନ୍ୟ କହିଲେ, “ଏ କଥା ସତ୍ୟ ଯେ ମାତା ସୀତାଙ୍କୁ ନ ପାଇବା ପର୍ଯ୍ୟନ୍ତ ଆମେମାନେ କେହି ମଧ୍ୟ ଘରକୁ ଫେରିବା ନାହିଁ । ପୁଣି ଖୋଜିବାରେ ଲାଗିବା । ଦେଖାଯାଉ ହୁଏତ ଆମେ ସଫଳ ହୋଇ ପାରିବା । ସେକଥା କିଏ କହିବ?”
ପୁଣି ଅନ୍ୟ କେତେକ ବାନର କହିଲେ, “ପ୍ରାଣ ତ୍ୟାଗ ନ କରି ଆମେ ଚାଲ ସୁଡଙ୍ଗ ଭିତର ଦେଇ ପୁଣି ସେହି ସୁନ୍ଦର ସ୍ଥାନକୁ ଯିବା । ସେଇଠି ଯଥେଷ୍ଟ ଫଳମୂଳ ଅଛି । ଏଇଠି ଖାଇ, ପିଇ ଜୀବନ ସାରା ଲୁଚି ରହିବା । ଆରାମରେ ରହିବା ।”
ହନୁମାନ, ଅଙ୍ଗଦ ଓ ଅନ୍ୟ ବୀରମାନେ ଏକଥା ସବୁ ଶୁଣିଲେ, ସେମାନଙ୍କୁ ଏକଥା ମୋଟେ ଭଲ ଲାଗିଲା ନାହିଁ । ବାନରମାନଙ୍କର ନାନା ପ୍ରକାର ଯୋଜନା ଅତ୍ୟନ୍ତ ହାସ୍ୟାସ୍ପଦ ଲାଗିଲା । ହନୁମାନ ଗମ୍ଭୀର ହୋଇ କହିଲେ, “ହେ ଅଙ୍ଗଦ, ଏହି ଚପଳମତି, ବୁଦ୍ଧିହୀନ ବାନରଙ୍କ କଥା ତୁମେ ଅନ୍ତତଃ ଶୁଣିବା ଆଦୌ ଉଚିତ୍ ନୁହେଁ । ତୁମେ ତ ବୀରଶ୍ରେଷ୍ଠ ବାଳୀଙ୍କର ପୁତ୍ର । କିସ୍କିନ୍ଧ୍ୟାର ପୁଣି ଯୁବରାଜ । କିପରି ସୀତା ମାତାଙ୍କୁ ପାଇବା ଏବେ ଆମେ ସେ ବିଷୟରେ ଅଧିକା ଚିନ୍ତା କରିବା । ତା’ ନକରି ତୁମେ ଏଇ ବାନର ଦଳଙ୍କ କଥାରେ ପଡି ରାମ, ଲକ୍ଷ୍ମଣ ଓ ସୁଗ୍ରୀବଙ୍କ କ୍ରୋଧରୁ ନିଜକୁ କିପରି ଲୁଚାଇ ରଖିବ ବୋଲି ଭାବୁଛ? ଏହି ବାନରମାନଙ୍କ ସ୍ୱଭାବ ତ ଚଂଚଳ । ତୁମେ ସେମାନଙ୍କୁ ବୁଦ୍ଧି ଦେବା ପରିବର୍ତ୍ତେ ଓଲଟି ତାଙ୍କଠାରୁ ବୁଦ୍ଧି ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ଯାଉଛ?”
“ସୁଗ୍ରୀବ ଜଣେ ନ୍ୟାୟପ୍ରିୟ ଓ ଧର୍ମାତ୍ମା ବ୍ୟକ୍ତି । ସେ କେବେବି ଅନ୍ୟାୟ ଭାବରେ ଆମକୁ କଷ୍ଟ ଦେବେ ନାହିଁ । କାରଣ ମାତା ସୀତାଙ୍କୁ ପାଇବା ଆମର ଇଚ୍ଛାର ଅଧିନ ନୁହେଁ । ତଥାପି ମଧ୍ୟ ଆମେ ଖୋଜିବା । ଏତେ କଷ୍ଟ ସ୍ୱୀକାର କରି ଆମେ ଯେତେବେଳେ ଏଠାକୁ ଆସିଛୁ, ସେତେବେଳେ ନିରାଶ ନ ହୋଇ ଆମେ ଅନ୍ୟ ପନ୍ଥା ଦେଖିବା ।”
ହନୁମାନଙ୍କ କଥା ଶୁଣି ଅଙ୍ଗଦ କହିଲେ, “ହେ ସର୍ବଶ୍ରେଷ୍ଠ ହନୁମାନ, ତୁମ କଥା ସବୁ ଠିକ୍ । ତଥାପି କାକା ସୁଗ୍ରୀବଙ୍କ କ୍ରୋଧର ଭୟରେ ମୁଁ ମୁହ୍ୟମାନ । ତେଣୁ ସୀତା ମାତାଙ୍କୁ ନ ପାଇଲେ ମୁଁ କୌଣସି ପ୍ରକାରେ କିସ୍କିନ୍ଧ୍ୟା ଲେଉଟି ଯିବିନାହିଁ । ଏହିଠାରେ ଉପବାସ ରହି ପ୍ରାଣ ତ୍ୟାଗ କରିବି । ତୁମେ ବରଂ ଫେରି ଯାଇ ମୋ ବିଷୟରେ ରାମ ଲକ୍ଷ୍ମଣଙ୍କୁ କୁହ ।”