କିନ୍ତୁ ଶ୍ରୀରାମ ସେଥିପାଇଁ ଲକ୍ଷ୍ମଣଙ୍କୁ ବାରଣ କରି କହିଲେ, “ଜଣେ ରାକ୍ଷସ ପାଇଁ ଆମେ ସମସ୍ତ ରାକ୍ଷସକୁ ମାରିବା ଆଦୌ ଉଚିତ୍ ନୁହେଁ । ଆମେ ଅନ୍ୟାନ୍ୟ ଦିବ୍ୟାସ୍ତ୍ରକୁ ପ୍ରୟୋଗ କରି ଇନ୍ଦ୍ରଜିତକୁ କୌଣସିମତେ ବଧ କରିବା । ଏ ବିଷୟରେ ମହାରାଜ ବିଭୀଷଣଙ୍କୁ ପଚାରିବା । ସେମାନଙ୍କର ବିଭିନ୍ନ କୌଶଳ ବିଷୟରେ ସେ ଆମ ଠାରୁ ଅଧିକ ଜାଣନ୍ତି । ଅପେକ୍ଷା କର ଓ ଧୈର୍ଯ୍ୟ ଧର ।”
ଇତିମଧ୍ୟରେ ଇନ୍ଦ୍ରଜିତ ଆହୁରି ଏକ କୌଶଳ କଲା । ସେ କିଛି ସମୟ ପାଇଁ ଯୁଦ୍ଧ ଭୂମିରୁ ଚାଲିଗଲା ଓ ଏକ ମାୟାସୀତା ନେଇ ଆସିଲା । ସେ ଏହା ଚାହୁଁଥିଲା କି ସୀତାକୁ ସେମାନଙ୍କ ସମ୍ମୁଖରେ ବଧ କଲେ ସେମାନେ ଦୁଃଖରେ ଭାଙ୍ଗି ପଡିବେ ଓ ସେମାନଙ୍କର ମନୋବଳ ତୁଟିଯିବ । ଇନ୍ଦ୍ରଜିତର ରଥ ପଛେ ପଛେ ହନୁମାନ ଏକ ବିରାଟ ଶିଳାନେଇ ଯାଉଥିଲେ । କିନ୍ତୁ ସମ୍ମୁଖରେ ଦେଖିଲେ ଇନ୍ଦ୍ରଜିତ ରଥରେ ବିଳାପରତା ସୀତା, ଏହି ଦୃଶ୍ୟ ଦେଖିବା କ୍ଷଣି ହନୁମାନଙ୍କ ଆଖିରେ ଅଶ୍ରୁ ଭରିଗଲା । ସେ ତାଙ୍କ ସହିତ ଥିବା ବାନରବୀରଙ୍କୁ କହିଲେ, “ଏପରି ମାତା ସୀତାଙ୍କୁ ଯୁଦ୍ଧ ଭୂମିକୁ ଆଣିବା ପଛରେ ତା’ର କି ଉଦ୍ଧେଶ୍ୟ ଅଛି?” ସେ ରାଗରେ ଇନ୍ଦ୍ରଜିତ ଉପରେ ପ୍ରହାର କଲା, ଇନ୍ଦ୍ରଜିତ କିଛି ନଶୁଣି ବିଳାପରତା ମାୟାସୀତାର ବେକ ଉପରେ ନିଜର ଖଣ୍ଡାକୁ ରଖିଲା ।
ଏସବୁ ଦେଖି ହନୁମାନ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲେ । ତଥାପି ମଧ୍ୟ ସେ ଇନ୍ଦ୍ରଜିତକୁ କହିଲେ, “ଆରେ ଦୁଷ୍ଟ, ପାପୀ, ତୁ ଇଏ କ’ଣ କରୁଛୁ? ତୁ ସୀତାଙ୍କ ଜୀବନରେ କିଛି ଆଂଚ ଆଣିଲେ ତୋତେ ଏଇଠି ମୁଁ ନିଜେ ବଧ କରିବି ।
ଇନ୍ଦ୍ରଜିତର ରାକ୍ଷସ ସୈନ୍ୟ ଓ ବାନର ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ । ଏଣେ ଇନ୍ଦ୍ରଜିତ କହିଲେ, “ତମେ ସବୁ ସୀତା ପାଇଁ ଏତେ ଦୂର ଆସି ଏତେ ଯୁଦ୍ଧ କରି ପକାଉଛ; ନୁହେଁ? ମୁଁ ଏହି ସୀତାକୁ ତୁରନ୍ତ ଏହିଠାରେହିଁ ହାଣି ପକାଇବି । ତା’ପରେ ତୋତେ, ସୁଗ୍ରୀବକୁ ଓ ତୋର ଶ୍ରୀରାମ ଲକ୍ଷ୍ମଣଙ୍କୁ ମାରିବି । ଶେଷରେ ମୁଁ ସେହି ଭାତୃଦ୍ରୋହୀ ଦେଶଦ୍ରୋହୀ ବିଭୀଷଣକୁ ମାରିବି । ତୁ କ’ଣ କହିବାକୁ ଚାହୁଁଛୁ? ସ୍ତ୍ରୀ ବଧ ଅନ୍ୟାୟ, ଏଇଆ ତ? କିନ୍ତୁ ମନେରଖ ଶତୃକୁ ପରାଜିତ କରିବାକୁ ହେଲେ ଯାହା କିଛିବି କରାଯାଇପାରେ ।” ଏତିକି କହିବା ପରେ ଇନ୍ଦ୍ରଜିତ ମାୟାସୀତାର ବେକକୁ ଦୁଇଗଡ କରି କାଟି ଫିଙ୍ଗି ଦେଲା ଓ ସିଂହନାଦ କଲା । ସେହି ଭୟଙ୍କର ଶବ୍ଦ ଶୁଣି ବାନରସେନା ଭୟରେ ଦୂରକୁ ପଳାଇଲେ ।
ହନୁମାନଙ୍କ ପାଇଁ ଏହି ପରିସ୍ଥିତି ବଡ ଭୟଙ୍କର ହୋଇଉଠିଲା । ସେ ନିଜେ ସମ୍ପୂର୍ଣ୍ଣରୂପେ ଭାଙ୍ଗି ପଡିଥିଲେ ମଧ୍ୟ ବାହାରେ ସେସବୁକୁ ଲୁଚାଇ ଓଲଟି ବାନରସୈନ୍ୟଙ୍କୁ ଯୁଦ୍ଧ ପାଇଁ ଉତ୍ସାହ ଦେଲେ । ସେ ପୁଣି ଭାବୁଥିଲେ ଯେ ଯୁଦ୍ଧ କ’ଣ ଆଉ ଚାଲୁ ରହିବ କି? ସବୁକଥା ତ ଇନ୍ଦ୍ରଜିତ ଶେଷ କରିଦେଲା । ହନୁମାନ ରାଗରେ ଏକ ବିରାଟ ଶିଳା ନେଇ ଇନ୍ଦ୍ରଜିତର ରଥ ଉପରେ କଚାଡିଦେଲେ । କିନ୍ତୁ ଇନ୍ଦ୍ରଜିତର ସାରଥୀ ବହୁତ ସତର୍କ ଥିଲା, ତେଣୁ ସେ ଏପରି କୌଶଳରେ ରଥ ଚଳାଇଲା ଯେ ସେହି ରଥର କୌଣସି କ୍ଷତି ହେଲା ନାହିଁ । କିନ୍ତୁ ସେହି ପଥର ତଳେ ପଡି ଅନେକ ରାକ୍ଷସଙ୍କ ଜୀବନ ଶେଷ ହେଲା ।
ଇନ୍ଦ୍ରଜିତ ରଥ ଉପରେ ସେମାନେ ବହୁତ ଶିଳାବର୍ଷଣ କଲେ ମଧ୍ୟ ସେ ନାନା ବାଣର ପ୍ରୟୋଗ କରି ସେସବୁକୁ ଚୂର୍ଣ୍ଣବିଚୁର୍ଣ୍ଣ କରୁଥାଏ । ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଲା ଓ ଅନେକ ସୈନ୍ୟ ଉଭୟ ପକ୍ଷରୁ ମଲେ ।
ହନୁମାନ ବାହାରେ ଯୁଦ୍ଧ କରୁଥାନ୍ତି ସତ, କିନ୍ତୁ ଅନ୍ତର ମଧ୍ୟରେ ତାଙ୍କ ହୃଦୟ ଭୀଷଣ ଦୁଃଖରେ ଜଳି ଯାଉଥାଏ । ପାଷାଣ୍ଡ ରାକ୍ଷସ ଏ କ’ଣ କଲା? ସତରେ ଯଦି ମାତାସୀତାଙ୍କୁ ହଣା ହୋଇଥାଏ ତେବେ ଆଉ କାହାପାଇଁ ଆଉ ଏ ଯୁଦ୍ଧ ହେବ । ଆଉ ଯୁଦ୍ଧରେ ପାପୀ ଦୁରାତ୍ମାମାନେ ବିଜୟୀ ହେବେ । ଧର୍ମର ବଳ ଆଉ କେଉଁଠି ରହିଲା? ବିଶେଷତଃ ସେ ଦୁଃଖିତ ହେଉଥିଲେ । ଏ ଖବର ଶୁଣି ପ୍ରଭୁ ଶ୍ରୀରାମଙ୍କର ପ୍ରତିକ୍ରିୟା କ’ଣ ଯେ ହେବ । ସେ ଜାଣିଥିଲେ ଶ୍ରୀରାମ ବୀରଶ୍ରେଷ୍ଠ ହେଲେ ମଧ୍ୟ ତାଙ୍କର ହୃଦୟ ଅତି କୋମଳ । ସ୍ନେହ ପ୍ରେମରେ ପୂର୍ଣ୍ଣ । ସେ କିପରି ଏଡେ ବଡ ସତ୍ୟର ସମ୍ମୁଖୀନ ହେବେ? ହୃଦୟ ଭାଙ୍ଗି ପଡିଲେ ଆଉ କିଛିବି କରି ହେବ ନାହିଁ, ଅସୁରଙ୍କର ବିଜୟ ନିଶ୍ଚିତ ହୋଇ ଯିବ । ଏହି ପରି ନାନାକଥା ଚିନ୍ତା କରି ବଡ ଦୁଃଖ ଓ ସଂଦିଗ୍ଧ ଚିତ ନେଇ ସେ ଶ୍ରୀରାମଙ୍କ ପାଖକୁ ଗଲେ ।
ହନୁମାନ ଦୁଃଖିତ ହୋଇ ବାନର ସୈନ୍ୟଙ୍କୁ କହିଲେ, “ଏହି ରାକ୍ଷସମାନଙ୍କ ସହିତ ଆମର ଯୁଦ୍ଧ ସୀତାଙ୍କ ପାଇଁ । ଯଦି ସୀତା ମରିଗଲେ, ତେବେ ଆମର ଯୁଦ୍ଧ କରିବାର ଆଉ କୌଣସି ଆବଶ୍ୟକତା ନାହିଁ । ଏବେ ଚାଲ ସମସ୍ତେ ଶ୍ରୀରାମ ଓ ସୁଗ୍ରୀବଙ୍କ ନିକଟକୁ ଯାଇ ସେମାନଙ୍କୁ ଏହି ସମ୍ବାଦ ଦେବା । ତା’ପରେ ସେମାନେ ଯାହା କିଛିବି କହିବେ ଆମେ ତାହାହିଁ କରିବା ।”
ହନୁମାନ ଫେରିଯିବାର ଦେଖି ଇନ୍ଦ୍ରଜିତ ପୁଣି ଯୁଦ୍ଧଭୂମିକୁ ତା’ ରଥ ଫେରାଇଲା ଓ ଭୟଙ୍କର ଯୁଦ୍ଧ ଆରମ୍ଭ କଲା । ହୋମ କୁଣ୍ଡରେ ରକ୍ତମାଂସ ସବୁ ଆହୁତି ଦେଲା । ଏଣେ ହନୁମାନଙ୍କୁ ଏକା ଯୁଦ୍ଧ କରୁଥିବାର ଦେଖି ଶ୍ରୀରାମ ତାଙ୍କର ସହାୟତା କରିବା ସକାଶେ ଜାମ୍ବବାନଙ୍କୁ କେତେକ ସୈନ୍ୟ ଦେଇ ପଠାଇଲେ । ହନୁମାନ କିନ୍ତୁ ସେମାନଙ୍କୁ ଫେରାଇ ଦେଇ କହିଲେ, “ଯୁଦ୍ଧର ଆଉ କୌଣସି ଆବଶ୍ୟକତା ନାହିଁ ।” ସେ ଶ୍ରୀରାମଙ୍କ ପାଖରେ ପହଁଚି କହିଲେ, “ପ୍ରଭୂ, ଇନ୍ଦ୍ରଜିତ ମା’ସୀତାଙ୍କୁ ଆମ ସମ୍ମୁଖରେ ବଧ କରିଦେଲା, ତା’ପରେ ଆଉ ପୁଣି ଯୁଦ୍ଧର ଆବଶ୍ୟକତା ରହିଲା କେଉଁଠି? ମୁଁ ଯୁଦ୍ଧ ସ୍ଥଗିତ ରଖି ଆପଣମାନଙ୍କ ପାଖକୁ ଆସିଲି । ଏବେ ଆପଣଙ୍କ ନିର୍ଦ୍ଧେଶ କ’ଣ?” ଏହି ଦୁଃସମ୍ବାଦ ଶୁଣୁ ଶୁଣୁ ଶ୍ରୀରାମ ପ୍ରାୟ ମୁର୍ଚ୍ଛା ହୋଇଗଲେ । ତାଙ୍କ ମୁହଁରେ ସୁଗନ୍ଧିଜଳ ସିଂଚନ କରିବା ପରେ ତାଙ୍କ ଚେତା ଆସିଲା ।
ଲକ୍ଷ୍ମଣ ତାଙ୍କୁ ଆଲିଙ୍ଗନ କରି କହିଲେ, “ହେ ଭ୍ରାତା, ପିତୃବାକ୍ୟ ପାଳନ କରି ଆପଣ ବନବାସ କଲେ । ସେଥିପାଇଁ ରାଜ୍ୟ, ମାତାପିତା, ଭାଇ, ସବୁ ଛାଡିଲେ, ଏସବୁ କେବଳ ଧର୍ମ ପାଇଁ । ଆଜି ଯଦି ବିଜୟ ପାପୀ ରାବଣ ପାଖରେ ରହେ ତେବେ ଏହା ମାନିନେବାକୁ ହେବ, ଯେ ପୃଥିବୀରେ ଆଉ ଧର୍ମ ନାହିଁ । କଷ୍ଟ ହେଲେ ସହିବାକୁ ହେବ । ତେବେ ଏ ବିଷୟରେ ଯାଇ ବିଭୀଷଣଙ୍କ ସହ ଆଲୋଚନା କରନ୍ତୁ ।”
ଠିକ୍ ସେତିକିବେଳେ ସୁଗ୍ରୀବ ଓ ଅଙ୍ଗଦଙ୍କ ସହିତ ବିଭୀଷଣ ମଧ୍ୟ ସେଠାରେ ଆସି ପହଁଚିଲେ । ସେ କହିଲେ, “ପ୍ରଭୂ, ଏ ଘଟଣାରେ ମୋ ମନରେ କାହିଁକି କେଜାଣି ଟିକିଏ ସନ୍ଦେହ ଆସୁଛି । ଯେଉଁ ସୀତାଙ୍କୁ ଫେରାଇବା ପାଇଁ ସମସ୍ତ ପ୍ରସ୍ତାବ ରାବଣ ଅସ୍ୱୀକାର କଲା ସେ ପୁଣି ତାଙ୍କୁ ବଧ କରିବା ପାଇଁ କିପରି ବା ଅନୁମତି ଦେବ? ଅବଶ୍ୟ ଏଥିରେ କିଛି ରହସ୍ୟ ଅଛି । ମୁଁ ଗୁପ୍ତଚରଙ୍କ ଠାରୁ ଖବର ନେଇ ଜାଣିଛି ରାବଣ ମଧ୍ୟ ଏପରି କୌଶଳ କରିଥିଲା । ଦେବୀସୀତାଙ୍କ ସମ୍ମୁଖରେ ସେ ଆପଣଙ୍କର ମାୟାମୁଣ୍ଡ କାଟି ରଖିଥିଲା । ସୀତାଦେବୀ ବହୁତ କଷ୍ଟ ପାଇ କାନ୍ଦିଥିଲେ । କିନ୍ତୁ ରାବଣ ସେଠାରୁ ଯିବା ପରେ ମାୟା ମୁଣ୍ଡଟି ଅନ୍ତର୍ହିତ ହୋଇଗଲା । ତେଣୁ ଏହା ମଧ୍ୟ ସେହିପରି ଏକ କୌଶଳ କିନ୍ତୁ ଆପଣ ସେଥିଲାଗି ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ସେ ପୁଣି ଯଜ୍ଞ କରିବାକୁ ଗଲାଣି । ସେ ନିଶ୍ଚୟ ମାୟାସୀତା ଆଣି ଏପରି କରିଛି । କାରଣ ସମସ୍ତେ ଦୁଃଖୀ ହୋଇ ପଡିଲେ ସେ ଅତି ସହଜରେ ତା’ ଯଜ୍ଞ ଶେଷ କରିବ । ଥରେ ଯଦି ସେ ତା’ର ସେହି ଯଜ୍ଞ ଶେଷ କରେ ତେବେ ତାକୁ ହରାଇବା ବଡ କଷ୍ଟ । ତେବେ ମୁଁ ବାନର ସୈନ୍ୟ ଓ ଶ୍ରୀମାନ୍ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ସେଠାକୁ ଯାଇ ତା’ର ସେହି ଯଜ୍ଞ ଭଗ୍ନ କରିବି ଓ ଲକ୍ଷ୍ମଣ ତାକୁ ମାରିବେ । ଆପଣଙ୍କର ସେଠାକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଏହିଠାରେହିଁ ଶାନ୍ତିରେ ଥା’ନ୍ତୁ; ଆଶା କରୁଛି ଆମେହିଁ ବିଜୟୀ ହେବୁ ।”