ଦୁହିଁଙ୍କ ଭିତରେ ଘମାଘୋଟ ଯୁଦ୍ଧ ହେଲା । ସୁଗ୍ରୀବ ତ ପ୍ରଥମେ ବିକ୍ରମର ସହିତ ଯୁଦ୍ଧ କଲେ । ତା’ପରେ ବାଳୀଙ୍କ ଆଘାତରେ ସେ ମ୍ରିୟମାଣ ହୋଇ ଚାରିଆଡକୁ ବଡ ଅସହାୟ ଆଖିରେ ଚାହିଁ ରହିଲେ । ସୁଗ୍ରୀବଙ୍କର ସେହି ଦୟନୀୟ ଅବସ୍ଥା ଦେଖି ଶ୍ରୀରାମ ତୁରନ୍ତ ବାଳୀ ଉପରକୁ ବାଣ ଚଳାଇଲେ । ଆଉ ଅଳ୍ପ ଡେରି ହୋଇଥିଲେ ସୁଗ୍ରୀବଙ୍କର ହୁଏତ ପ୍ରାଣନାଶ ହୋଇଥା’ନ୍ତା । ସେହି ଗୋଟିଏ ବାଣରେ ବାଳୀ ଧରାଶାୟୀ ହେଲେ । ତଥାପି ମଧ୍ୟ ସେ ଜୀବିତ ଥିଲେ କାହିଁକିନା ସେତେବେଳେ ତାଙ୍କର ଗଳାରେ ଇନ୍ଦ୍ରଙ୍କ ଦ୍ୱାରା ଦତ କାଂଚନମାଳା ଥିଲା । ରାମ, ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ଅନୁଚରଗଣ ଗଛମାନଙ୍କ ଭିତରୁ ବାହାରକୁ ଆସିଲେ । ବାଳୀ ଶ୍ରୀରାମଙ୍କୁ ଦେଖିବା ମାତ୍ରେ ଜାଣିଗଲେ ଯେ ସେ ହିଁ ସୁଗ୍ରୀବଙ୍କ ପଶ୍ଚାତରେ ଥାଇ ଏପରି କରିଛନ୍ତି । ତେଣୁ ସେ ଖୁବ୍ ଦୁଃଖିତ ହୋଇ କହିଲେ;
“ଆପଣ ପରା ଜଣେ ରାଜପୁତ୍ର । ଶୁଣିଛି ଆପଣଙ୍କ ଜନ୍ମ ଇକ୍ଷ୍ୱାକୁବଂଶରେ । ମୁଁ ଅନ୍ୟ ଜଣକ ସହିତ ଯୁଦ୍ଧ କରିବା ବେଳେ ଆପଣ ଯୁଦ୍ଧର ନିୟମ ଉଲ୍ଲଘଂନ କରି ମୋତେ କିପରି ମାରି ପାରିଲେ? ମୋର ଏହି ବିଶ୍ୱାସ ଥିଲା ଯେ ଆପଣଙ୍କର ସମସ୍ତ ରାଜୋଚିତ ଗୁଣ ଅଛି । ଯଦି ସଂଯମ, ଆତ୍ମସୁଦ୍ଧି, ସତ୍ୟ, ଧର୍ମ, ପରାକ୍ରମ, ସହନଶୀଳତା ଇତ୍ୟାଦି ଗୁଣ ଆପଣଙ୍କଠାରେ ରହିଛି, ତେବେ ଜଣେ କ୍ଷତ୍ରିୟ ରାଜପୁତ୍ର ହୋଇ ଆପଣ ମୋତେ କିପରି ମାରିଲେ? ଇତିହାସରେ ଆପଣଙ୍କ ନାମରେ ଏହା ନିଶ୍ଚୟ ଚିରଦିନ ପାଇଁ କଳଙ୍କ ଲଗାଇବ । ମୁଁ ତ ଆପଣଙ୍କ ନିକଟରେ କୌଣସି ଅପରାଧ କରି ନଥିଲି? ତା’ଛଡା ଆପଣଙ୍କ ସ୍ତ୍ରୀକୁ ଖୋଜାଇବାରେ ସୁଗ୍ରୀବ ସହାୟତା କରିବ ବୋଲି ବୋଧହୁଏ ଆପଣ କିଛି ସ୍ୱାର୍ଥ ରଖି ଏପରି କରିଛନ୍ତି । କିନ୍ତୁ ମୋତେ କହିଥିଲେ ତ ମୁଁ ସେ କାର୍ଯ୍ୟଟି ଅତି ସହଜରେ କରିପାରିଥା’ନ୍ତି । ଏପରି ବିନା ଅପରାଧରେ ମୋତେ ମାରିବା ଭଳି ଜଘନ୍ୟ ଅନ୍ୟାୟ କାର୍ଯ୍ୟ ଆପଣ କାହିଁକି କଲେ?”
ଶ୍ରୀରାମ ଅଳ୍ପ ହସି କହିଲେ, “ମହାରାଜ ବାଳୀ, ତୁମେ ଯାହା ସବୁ କହିଲ ତାହା ତ ଏକଦିଗରୁ ସତ୍ୟ, ହୁଏତ ହୋଇପାରେ । କିନ୍ତୁ ତାହା ଅପେକ୍ଷା ଆହୁରି ଅଧିକ ଉଚ୍ଚତର ସତ୍ୟ ରହିଛି ଯେଉଁଥିପାଇଁ କି ମୋତେ ଏପରି ଏକ କାର୍ଯ୍ୟ କରିବାକୁ ପଡିଲା । ମିତ୍ର ସୁଗ୍ରୀବଙ୍କ ପରି ଧୀର, ଶାନ୍ତ, ଜ୍ଞାନୀ ଓ ଭାତୃଭକ୍ତ ବ୍ୟକ୍ତିକୁ ତୁମେ ଅଯଥା ଦୋଷାରୋପ କରି, ତାଙ୍କୁ ଅମାନୁଷିକ ଭାବରେ କଷ୍ଟ ଦେଇଛ । ପୁଣି ସାନଭାଇର ସ୍ତ୍ରୀ ତୁମର କନ୍ୟା ସମାନ ତାକୁ ହରଣ କରିବା ପରେ ଆଉ ପାପର ସୀମା କେଉଁଠି ରହିଲା? ଏସବୁ କ’ଣ ତୁମ ଦଣ୍ଡ ପାଇଁ ଯଥେଷ୍ଟ ନୁହେଁ? ଏବେ ଇକ୍ଷ୍ୱାକୁ ବଂଶର ମହାରାଜା ଭରତ ପୃଥିବୀ ପାଳନ କରୁଛନ୍ତି । ମୁଁ ତାଙ୍କର ପ୍ରତିନିଧି ଭାବରେ ଧର୍ମ ରକ୍ଷା କରି ଦୁର୍ବଳ ଓ ଅତ୍ୟାଚାରିତକୁ ଯଦି ସହାୟତା କଲି ତେବେ ଅନ୍ୟାୟ ହେଲା କେଉଁଠି? ବାଘ ଓ ମୃଗକୁ ମାରିବା ବେଳେ ମଧ୍ୟ ବୃକ୍ଷ ପଛରେ ଲୁଚି ଓ ବଂଚନା କରି ମାରିବାକୁ ହୁଏ । ତୁମପରି ଆତତାୟୀକୁ ଯଦି ସେପରି ବାଣ ଚଳାଇଲି ତେବେ ଏଥିରେ ଅନ୍ୟାୟ ରହିଲା କେଉଁଠି? ତଥାପି ଏବେ ମଧ୍ୟ ସମୟ ଅଛି ତୁମେ ଯଦି ଚାହଁ ମୁଁ ମୋ ବାଣ ଫେରେଇ ନେବି ଓ ତୁମକୁ ଜୀବନଦାନ ଦେବି । କିନ୍ତୁ ତୁମେ ପୂର୍ବପରି ଆଉ ରାଜ୍ୟଶାସନ ଓ ଅତ୍ୟାଚାର କରିବ ନାହିଁ ।” ଏତିକି କହି ଶ୍ରୀରାମ ତାଙ୍କୁ ସ୍ପର୍ଶ କଲେ ।
ସେତେବେଳକୁ ବାଳୀ ତ ସେ ବାଣର କଷ୍ଟରେ ଅଧୀର ହେଉଥିଲେ; ଶ୍ରୀରାମଙ୍କ ଅମୃତ ସ୍ପର୍ଶରେ ତାଙ୍କର ସମସ୍ତ ଯନ୍ତ୍ରଣାର ଅବସାନ ହେଲା, ତାଙ୍କ ମଧ୍ୟରେ ଦିବ୍ୟ ଓ ଅନ୍ତିମ ଉପଲବ୍ଧି ହେଲା । ସେ ସବୁ ଭୁଲିଯାଇ କହିଲେ, “ପ୍ରଭୁ ମୁଁ ଏବେ ବୁଝିପାରିଛି, ଆପଣଙ୍କର ଅସୀମ କୃପା ଯୋଗୁଁ ଏ ପାପପୂର୍ଣ୍ଣ ଜୀବନରୁ ଉଦ୍ଧାର କରି ଆପଣ ମୋତେ ମୋକ୍ଷ ଦେଉଛନ୍ତି । ଏ କ୍ଷେତ୍ରରେ ମୋର ଆଉ ବଞ୍ଚିବାର କୌଣସି ଇଚ୍ଛା ନାହିଁ । ଆପଣଙ୍କ ଦିବ୍ୟ ସ୍ପର୍ଶ ହିଁ ମୋର ଅନ୍ତିମ ସ୍ପର୍ଶ ହେଉ । ଅଙ୍ଗଦ ବିଷୟରେ ମୁଁ ଭାରି ଚିନ୍ତିତ । ତେବେ ଆପଣଙ୍କ ଉପସ୍ଥିତିରେ ତା’ର ଓ ତାରାର ନିଶ୍ଚୟ ସବୁ ମଙ୍ଗଳ ହେବ । ଆପଣଙ୍କୁ ଚାହିଁ ଚାହିଁ ମୁଁ ସ୍ୱର୍ଗଧାମକୁ ଚାଲିଯାଏ ।”
ବାଳୀ ଶ୍ରୀରାମଙ୍କୁ ଅନ୍ତର ମଧ୍ୟରେ ଜାଣିପାରି ତାଙ୍କୁହିଁ ଚାହିଁ ଚାହିଁ ଧ୍ୟାନ ମଗ୍ନ ହେଲେ । ତାଙ୍କର ମରଶରୀରକୁ ଆତ୍ମା ଧୀରେ ଧୀରେ ଛାଡୁଥିଲା ଓ ତାହା ପରମାତ୍ମା ଶ୍ରୀରାମଙ୍କ ଦେହରେ ଲୀନ ହେଉଥିଲା । ଶ୍ରୀରାମ ତାଙ୍କୁ ଏହି ବଚନ ଦେଲେ କି ତାରା ଓ ଅଙ୍ଗଦ ସେମାନଙ୍କର ଯଥାର୍ଥ ସମ୍ମାନ ପାଇବେ, ସେଥିପାଇଁ ଚିନ୍ତିତ ହେବାର କିଛି ବି ଦରକାର ନାହିଁ । କ୍ରମେ ବାଳୀଙ୍କର ସଂଜ୍ଞା କ୍ଷୀଣରୁ ଅତ୍ୟନ୍ତ କ୍ଷୀଣତର ହେଉଥିଲା ।
ଇତିମଧ୍ୟରେ ବାଳୀଙ୍କ ପତ୍ନୀ ତାରା ଏହି ଖବର ପାଇ ସେଠାକୁ ଆସି ଯାଇଥିଲେ । ଆସିବା ବେଳେ ବାନରମାନେ ତାଙ୍କୁ ନାନା ପ୍ରକାରର ଉପଦେଶ ଦେଇ କହିଲେ, “ମହାରାଣୀ, ଆପଣ ପୁତ୍ରକୁ ନେଇ ତୁରନ୍ତ ଦୁର୍ଗ ମଧ୍ୟକୁ ପଳାଇଯା’ନ୍ତୁ । ମହାରାଜଙ୍କର ପ୍ରାଣନାଶ କରିବା ପରେ ସୁଗ୍ରୀବଙ୍କୁ ଧରି ସେହି ରାଜକୁମାର ଦୁଇଜଣ କ’ଣ ଆପଣମାନଙ୍କୁ ନ ମାରି ଛାଡିବେ? ବିଚରା ରାଜକୁମାରଙ୍କୁ ସେମାନେ ଅସହାୟ ଭାବରେ ମାରି ପକାଇବେ । ଏସବୁ କଥା ବିଚାର ନକରି ଆପଣ କେଉଁ ସାହସରେ ଯୁଦ୍ଧ କ୍ଷେତ୍ରକୁ ମାଡି ଚାଲିଯାଉଛନ୍ତି?”
ମହାରାଣୀ ତାରା କାନ୍ଦି କାନ୍ଦି କହିଲେ, “ହେ ମୋର ପ୍ରିୟ ପ୍ରଜାଗଣ, ତୁମମାନଙ୍କର ଉପଦେଶ ହୁଏତ ଯଥାର୍ଥ ହୋଇପାରେ; କିନ୍ତୁ ମହାରାଜ ମୋର ସ୍ୱାମୀ, ଦେବତା, ତାଙ୍କ ବ୍ୟତୀତ ମୁଁ କିପରି ବଞ୍ଚିପାରିବି? ସେ ଯେତେବେଳେ ଶରବିଦ୍ଧ ହୋଇ ଯନ୍ତ୍ରଣାରେ ଧୂଳିରେ ଲୋଟୁଛନ୍ତି ମୁଁ ସେତେବେଳେ ନିଜ ଜୀବନକୁ ଅଧିକ ମୂଲ୍ୟବାନ୍ କରି ଯାଇ ରାଜପ୍ରାସାଦରେ ଲୁଚିବି? ତାହେଲେ ମୋ ଜୀବନ ତ ପାପପୂର୍ଣ୍ଣ ଜୀବନ ହୋଇ ଉଠିବ । ସେସବୁ ମୋ ପାଇଁ ଅସମ୍ଭବ । ଏବେ ଜଣେ ପତିବ୍ରତା ସ୍ତ୍ରୀ ଭାବରେ ମୁଁ ମୋ ସ୍ୱାମୀଙ୍କ ପାଖକୁ ଯିବି । ରାଜକୁମାର ଅଙ୍ଗଦ ମଧ୍ୟ ସେଠାକୁ ଯିବ । କାରଣ ସେ ତା’ର ପିତାଙ୍କର ଅନ୍ତିମ ଦର୍ଶନ କରିବ ।” ଏସବୁ କହୁ କହୁ ତାରା ପାଗଳିନୀ ପରି କାନ୍ଦି କାନ୍ଦି ଦୌଡି ଦୌଡି ଯାଇ ନିଜ ସ୍ୱାମୀ ପାଖରେ ପହଁଚିଲେ । ତାରା ନିଜର ପରାକ୍ରମୀ ସ୍ୱାମୀଙ୍କର ରକ୍ତାକ୍ତ ଦେହ ଭୁଇଁରେ ଲୋଟୁଥିବାର ଦେଖି ସେ ଅଧିକ ଦୁଃଖରେ ବିଳାପ କଲେ । ତାଙ୍କର ଏଭଳି ଦୁଃଖ ଦେଖି ସୁଗ୍ରୀବ ମଧ୍ୟ କାନ୍ଦି ପକାଇଲେ । କେହି କାହାକୁ ବୁଝାଇ ପାରୁ ନାହାଁନ୍ତି । ଯେହେତୁ ସେହି ଭୟଙ୍କର ଦୁର୍ଘଟଣାଟି ନିଜ ନିଜ ମଧ୍ୟରେ ହୋଇଥିଲା । ଅଙ୍ଗଦ କେବଳ କାନ୍ଦୁଥା’ନ୍ତି । ଶେଷରେ ସେମାନଙ୍କ ମନ୍ତ୍ରୀ ଓ ଭଣଜା ମହାନ୍ ଜ୍ଞାନୀ ହନୁମାନ ତାଙ୍କୁ କହିଲେ, “ମାମୀ ମା’, ଆପଣ ତ ସତୀ ଶିରୋମଣି, ନାରୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟା । ଜୀବନ ଓ ମୃତ୍ୟୁ ବିଷୟରେ ଯଥେଷ୍ଟ ସଚେତନ । ସାଧାରଣ ନାରୀଙ୍କ ପରି ଆପଣ ଏମିତି କାହିଁକି ବିଳାପ କରୁଛନ୍ତି? ଜୀବ ଜନ୍ମହେଲେ ତା’ର ମୃତ୍ୟୁ ତ ଦିନେ ନା ଦିନେ ନିଶ୍ଚୟ ହୋଇଥା’ନ୍ତା; ମାମୁଁ ସେତିକି ଭାଗ୍ୟବାନ୍ ବୋଲି ଭଗବାନ୍ଙ୍କ ହାତରେ ତାଙ୍କର ମୃତ୍ୟୁ ହେଲା ଓ ତାଙ୍କର ସଦ୍ଗତି ହେଲା । ତାଙ୍କର ମୋକ୍ଷ ହୋଇଗଲା । ଭଗବାନ୍ ରାମ ତାଙ୍କୁ ବାଣ ଫେରେଇ ନେଇ ବଂଚାଇ ଦେବାକୁ ଚାହୁଁଥିଲେ, କିନ୍ତୁ ମାମୁଁ ବୈକୁଣ୍ଠପତି ଶ୍ରୀରାମଙ୍କୁ ଠିକ୍ ଚିହ୍ନି ପାରିଲେ ଓ ଆନନ୍ଦରେ ମୃତ୍ୟୁ ବରଣ କରି ଆନନ୍ଦଧାମ ପ୍ରାପ୍ତ କଲେ । ଯାହା ହେବାର କଥା ତାହା ତ ବିଧାତାର ଲେଖନ । କେହି କ’ଣ ସେସବୁ କେବେବି ବଦଳାଇପାରେ? ଯିଏ ଚାଲିଗଲେ ସିଏ ତ ଭଗବାନଙ୍କ ଯୋଗୁଁ ଉତ୍ତମ ଧାମ ପ୍ରାପ୍ତ କଲେ । ଏବେ ପରିସ୍ଥିତି ଦେଖି କାର୍ଯ୍ୟକ୍ରମ କରାଯିବ । ଅଙ୍ଗଦର ଯୁବରାଜ ଭାବରେ ରାଜତିଳକ କରିବାର ଆୟୋଜନ କରାଯିବ । ମାମୁଁ ସୁଗ୍ରୀବଙ୍କର ମଧ୍ୟ ରାଜତିଳକ କରାଯିବ । ମାମୁଁ ବାଳୀଙ୍କର ପୁଣି ଶେଷକୃତ୍ୟ ପାଇଁ ସବୁ ଆୟୋଜନ କରାଯିବ । ଆପଣ ଅଧୈର୍ଯ୍ୟ ହେଲେ ଏସବୁ କିଏ କରିବ? ଆପଣ ତ ଏବେ ବଂଶର ବୟୋଜ୍ୟେଷ୍ଠ ଓ ଗୁରୁସ୍ଥାନୀୟା । ଆପଣଙ୍କ ଆଦେଶରେ ଓ ଇଚ୍ଛାନୁସାରେହିଁ ସବୁ କରାଯିବ । ଧୈର୍ଯ୍ୟ ଧରନ୍ତୁ ଓ ଆଦେଶ କରନ୍ତୁ ।”
ତାରା କାନ୍ଦୁ କାନ୍ଦୁ କହିଲେ “ସେସବୁ ତ ଏଣିକି ସୁଗ୍ରୀବ ହିଁ ବୁଝିବେ । ମୋର ଯାତ୍ରା ତ ମୋ ସ୍ୱାମୀଙ୍କ ସହ ହେବ ।”