ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

ବାଳୀ ଚକ୍ଷୁ ବନ୍ଦ କରି ପଡି ରହିଥିବାରୁ ସମସ୍ତେ ଭାବିଲେ ତାଙ୍କର ମୃତ୍ୟୁ ଘଟିଛି । ଟିକିଏ ପରେ ସେ ଚକ୍ଷୁ ଅର୍ଦ୍ଧ ନିମଳିତ କରି ଚାରିଦିଗକୁ ମଥାତୋଳି ଚାହିଁଲେ । ସେତେବେଳେ ତ ତାଙ୍କ ପାଖରେ ସୁଗ୍ରୀବ ଥିଲେ । ସେ ସୁଗ୍ରୀବଙ୍କୁ ଚାହିଁ କହିଲେ, “ମୁଁ ତୋତେ ରାଜ୍ୟରୁ ତଡି ଦେଇଥିଲି ଓ ତୋ ପତ୍ନୀକୁ ଛଡାଇ ନେଇଥିଲି; ହେଲେ ଏସବୁ ମୋର ଦୋଷ ନୁହେଁ ବରଂ ମୋ ଭାଗ୍ୟର ଦୋଷ । ସେହି ସମୟରେ ମୁଁ କ୍ରୋଧବଶରେ ମୁଁ ମୋର ବୁଦ୍ଧି ଓ ବିବେକକୁ ପାଶୋରି ପକାଇଥିଲି । ମୋ ପରେ ତୁ ତ ଏ ରାଜ୍ୟର ରାଜା ହେବୁ । କିନ୍ତୁ ମୋର ପ୍ରିୟ ଅଙ୍ଗଦକୁ ତୋର ନିଜର ପୁତ୍ର ପରି ପାଳନ କରିବୁ ଏହାହିଁ ମୋର ଅନ୍ତିମ ଇଚ୍ଛା । କାହିଁକିନା ତୋ ଛଡା ତା’ର ବା ଆଉ ଅଛି କିଏ? ଅଙ୍ଗଦର ମା’ ତାରାର ବୁଦ୍ଧି ଅତି ତୀକ୍ଷ୍ଣ । ତେଣୁ କୌଣସି ବିପଦ ଆପଦରେ ତା’ ବୁଦ୍ଧିରେ ତୁ ଚଳିବୁ; ତେବେ ଯାଇ ତୋର କୌଣସି ଅସୁବିଧା ହେବ ନାହିଁ । ମୋ ଗଳାରେ ଥିବା ଇନ୍ଦ୍ରଙ୍କ ଦ୍ୱାରା ଦତ କାଂଚନମାଳା ଏବେ ତୁ ପିନ୍ଧିବୁ । କାରଣ ଏହା ମୋ ଗଳାରେ ଥିବା ପର୍ଯ୍ୟନ୍ତ ପ୍ରାଣ ମୋତେ ଛାଡୁନାହିଁ ଓ ଯଦି ଏହା ଗଳାରେ ଥିବା ସମୟରେ ମୋର ପ୍ରାଣ ଛାଡେ ତେବେ ଏହା ନିଷ୍ପ୍ରଭ ହୋଇଯିବ । ତେଣୁ ତୁ ଏହା ଶିଘ୍ର ବାହାରକରି ନେଇ ଯା ।” ସୁଗ୍ରୀବ, ବାଳୀଙ୍କ ଆଜ୍ଞା ତତକ୍ଷଣାତ୍ ପାଳନ କଲେ । ତା’ପରେ ବାଳୀ ଅଙ୍ଗଦକୁ ପାଖକୁ ଡାକି କହିଲେ, “ତୁ ଯେପରି ମୋ ପ୍ରତି ସମର୍ପିତ ରହିଥିଲୁ ଠିକ୍ ସେହିଭଳି ଭାବରେ ସୁଗ୍ରୀବ ପ୍ରତି ମଧ୍ୟ ରହିବୁ । ସୁଗ୍ରୀବର ଶତ୍ରୁମାନଙ୍କ ସହିତ ତୁ କେବେ ମଧ୍ୟ ମିଳାମିଶା ବା ବନ୍ଧୁତ୍ୱ କରିବୁ ନାହିଁ । ସୁଗ୍ରୀବର ଆଦେଶ ସର୍ବଦା ଭକ୍ତି ଭାବରେ ପାଳନ କରିବୁ । କାହା ସହିତ ଅତି ବେଶି ବନ୍ଧୁତା ବା ଅତି ବେଶି ଶତ୍ରୁତା କରିବୁ ନାହିଁ ଅଯଥା କଥାରେ ଅନ୍ୟମାନଙ୍କୁ ସମର୍ଥନ ବା ବିରୋଧ କରିବୁ ନାହିଁ । ଏବେ ସୁଗ୍ରୀବ ହିଁ ତୋର ପିତା ।” ଏପରି କଥା ସବୁ କହୁ କହୁ ଧୀରେ ଧୀରେ ବାଳୀଙ୍କ ଶରୀରରୁ ପ୍ରାଣ ଛାଡିଗଲା ।

                ବାଳୀଙ୍କର ମୃତ୍ୟୁ ହେବା ମାତ୍ରେ ବାନରମାନେ ବାଳୀଙ୍କର ବୀରତ୍ୱ ଇତ୍ୟାଦି ମନେ ପକାଇ ବାହୁନି ବାହୁନି କାନ୍ଦିଲେ । କାରଣ ବାଳୀଙ୍କ ରାଜ୍ୟରେ ପ୍ରଜାମାନେ ଅତ୍ୟନ୍ତ ସୁରକ୍ଷିତ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ