ଶ୍ରୀରାମଙ୍କ କଥା ଶୁଣି ବାନରମାନେ କିସ୍କିନ୍ଧ୍ୟାକୁ ପ୍ରସ୍ଥାନ କଲେ । ସେଠାରେ ପହଁଚି ସୁଗ୍ରୀବ ପ୍ରଥମେ ତାରାଙ୍କୁ ସାନ୍ତ୍ୱନା ଦେବାପାଇଁ ଅନ୍ତଃପୁରକୁ ଗଲେ । ଇତିମଧ୍ୟରେ ରାଜ୍ୟାଭିଷେକ ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ସବୁ ପ୍ରସ୍ତୁତ କରାହୋଇ ରଖା ହୋଇଥାଏ । ବାନର ବଂଶର ସମସ୍ତ ଗୁରୁଜନମାନେ ସ୍ୱର୍ଣ୍ଣ କଳସରେ ପୂର୍ଣ୍ଣତୋୟା ନଦୀମାନଙ୍କର ଜଳ ସୁଗ୍ରୀବଙ୍କ ଉପରେ ଢାଳିଲେ । ବ୍ରାହ୍ମଣମାନେ ଯଜ୍ଞ କଲେ । ଏହିପରି ଭାବେ ରାଜ୍ୟାଭିଷେକ ସୁରୁଖୁରୁରେ ହୋଇଗଲା । ତା’ପରେ ଅଙ୍ଗଦଙ୍କୁ ମଧ୍ୟ ଯୁବରାଜ ଭାବରେ ଅଭିଷେକ କରାଗଲା । ସେଥିପାଇଁ ବାନରମାନେ ବହୁତ ଆନନ୍ଦିତ ହେଲେ ।
ଏଥର ରାଜା ସୁଗ୍ରୀବ ମିତ୍ର ଶ୍ରୀରାମଙ୍କୁ ଦେଖା କରିବାକୁ ପାହାଡ ଗୁମ୍ଫା ନିକଟକୁ ଗଲେ । ସମୁଦାୟ ବୃତାନ୍ତ କହିଲେ । କିଛି ସମୟ ଆଳାପ ଆଲୋଚନା କରି ସେ କିସ୍କିନ୍ଧ୍ୟା ଫେରି ଆସିଲେ ଓ ନିଜ ପତ୍ନୀ ରୁମାଙ୍କ ସହିତ ମିଳିତ ହେଲେ ।
ଶ୍ରୀରାମ ଓ ଲକ୍ଷ୍ମଣ ପ୍ରସ୍ରବଣ ଶୈଳର ଗୁମ୍ଫାରେ ଚତୁର୍ମାସ୍ୟା ବିତାଇଥିଲେ । ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଚମତ୍କାର । ସେହି ଗୁମ୍ଫାର ସମ୍ମୁଖରେ ଏକ ମନୋରମ ସରୋବର ଥିଲା । ସେଥିରେ ପ୍ରତିଦିନ ଅୟୁତ ଅୟୁତ ନୀଳେତ୍ପଳ, ଶ୍ୱେତପଦ୍ମ ଓ ରକ୍ତପଦ୍ମ ସବୁ ଫୁଟୁଥିଲେ । ଲକ୍ଷ ଲକ୍ଷ ଭ୍ରମର ଯେତେବେଳେ ସେହି ପ୍ରସ୍ଫୁଟିତ ପଦ୍ମ ଓ କୁମଦମାନଙ୍କରୁ ମଧୁ ଆହରଣ କରୁଥିଲେ, ସେମାନଙ୍କ ଗୁଞ୍ଜନ ଶବ୍ଦ ଚତୁର୍ଦ୍ଦିଗରେ ବ୍ୟାପ୍ତ ହେଉଥିଲା । ସେହି ସରୋବରକୁ ଦେଖୁ ଦେଖୁ ରଘୁନାଥ ଅନୁଜ ଲକ୍ଷ୍ମଣଙ୍କୁ କହିଥିଲେ, “ହେ ଲକ୍ଷ୍ମଣ ପ୍ରସ୍ଫୁଟିତ ପଦ୍ମ ଓ କୁମୁଦରେ ପୂର୍ଣ୍ଣ ଏହି ସୁନ୍ଦର ସରୋବରକୁ ଦେଖି ମୋର ଜାନକୀଙ୍କ କଥା ଭାରି ମନେ ପଡୁଛି । ଏହାକୁ ଦେଖିଥିଲେ ସେ କେତେ ଖୁସି ନ ହୋଇଥା’ନ୍ତେ । କିନ୍ତୁ ସେ କ’ଣ ଆଉ ଜୀବିତ ଅଛନ୍ତି?” ଏତିକି କହିବା ପରେ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହେଲା । ଶ୍ରୀରାମ ନୀରବ ରହିଲେ, ଚକ୍ଷୁ ତାଙ୍କର ଛଳ ଛଳ ହେଲା ।
ଶ୍ରୀରାମଙ୍କର ଏହି ଦଶା ଦେଖି ଲକ୍ଷ୍ମଣ କିଂକର୍ତ୍ତବ୍ୟବିମୁଢ ହେଲେ । ତିନିଲୋକର ଯିଏ ସ୍ୱାମୀ ତାଙ୍କର ଏ ଅବସ୍ଥା ହେଲେ ସେ ବା କ’ଣ କରିପାରିବେ । ଯାହାଙ୍କ ପବିତ୍ର ନାମ ମାତ୍ର ଜପ କଲେ ସମସ୍ତ ଦୁଃଖଶୋକ ହରଣ ହୁଏ ସେ ଆଜି ଶୋକାକୁଳ, ଦୁଃଖରେ ମ୍ରିୟମାଣ । ଲକ୍ଷ୍ମଣ ତଥାପି ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ; ମାତ୍ର ଶେଷରେ ଲକ୍ଷ୍ମଣ ସହ୍ୟ କରି ନପାରି ନିଜେ ବି ନୀରବରେ ଅଶ୍ରୁମୋଚନ କଲେ । ଦୁଇଭାଇଙ୍କର ଏହି ଅସହାୟ ଅବସ୍ଥା ବହୁ ସମୟ ଧରି ରହିଥିଲା । ଇତିମଧ୍ୟରେ ସମଗ୍ର ଆକାଶ ଉପରେ ବର୍ଷାଶୋନ୍ମୁଖ ଘନ ବାଦଲ ଛାଇ ଯାଇଥିଲା, ବର୍ଷା ହେବା ପୂର୍ବରୁ ଘନ ଘନ ବିଜୁଳି ଓ ବଜ୍ରଧ୍ୱନି ବାରବାର ଗୁମ୍ଫା ଭିତରେ ପ୍ରତିଧ୍ୱନିତ ହେଉଥିଲା । ଦୁଇ ଭାଇ ସେହି ଧ୍ୱନିର ଚମକରେ ପ୍ରକୃତିସ୍ଥ ହେଲେ । କିନ୍ତୁ ରାମ ବର୍ଷାକାଳରେ ସୀତାଙ୍କର ବଜ୍ରଧ୍ୱନିଜନିତ ଭୟ ବିଷୟ କଳ୍ପନା କରି ଆହୁରି ଦୁଃଖିତ ହେଲେ ।
ଏକ ସୁନ୍ଦର ନଦୀ ଅଦୂରରେ ବହି ଯାଉଥିଲା । ସେହି ନଦୀ କୂଳରେ ଛୋଟ ଛୋଟ ଫୁଲଗଛର ବୁଦା ଓ ଲତା ସବୁ ମାଡି ରହିଛି । ବର୍ଷାର ଆଗମନରେ ଲତାମାନେ ଅସଂଖ୍ୟ ଫୁଲରେ ଭରା । ଫୁଲମାନଙ୍କ ସୌରଭରେ ସାରା ବାତାବରଣ ଆମୋଦିତ । ଧୀର ସମୀରଣର କୋମଳ ସ୍ପର୍ଶରେ ଅନେକ ଫୁଲ ଝରି ପଡୁଥିଲେ; ମନେ ହେଉଥିଲା ସତେ ଯେମିତି ସେ ଗଛଲତା ଗୁଡିକ ଶ୍ରୀରାମଙ୍କ ଦୁଃଖରେ ଦୁଃଖୀ ହୋଇ ଫୁଲ ଝରାଇବା ଛଳରେ ସମବେଦନା ପ୍ରକାଶ କରୁଥିଲେ ।