ସେତେବେଳେ ଦଶରଥ ସ୍ୱର୍ଗରୁ ଦିବ୍ୟବିମାନ ଦ୍ୱାରା ଓହ୍ଲାଇଲେ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ତାଙ୍କୁ ଖୁବ୍ ଭକ୍ତିରେ ପ୍ରଣାମ କଲେ । ଦଶରଥ ତାଙ୍କର ପ୍ରିୟ ପୁତ୍ର ଶ୍ରୀରାମଙ୍କୁ ଆଲିଙ୍ଗନ କରି କହିଲେ, “ପୁତ୍ର ରାମ, ତୋତେ ଛାଡି ଏହି ସ୍ୱର୍ଗ ସୁଖ, ଦେବତାଙ୍କର ସମ୍ମାନ କୌଣସିଟା ମୋତେ ମୋଟେ ଭଲ ଲାଗୁନାହିଁ । ଶତ୍ରୁମାନଙ୍କୁ ବଧ କରି ତୁ ଏ ବନବାସ ବ୍ରତ ପୂର୍ଣ୍ଣ କରିଛୁ । ତୋ ପରି କର୍ତ୍ତବ୍ୟପରାୟଣ ପୁତ୍ରକୁ ପାଇ କେଉଁ ପିତା ଗର୍ବିତ ହେବ ନାହିଁ? ମୁଁ ଆଜି ବହୁତ ଆନନ୍ଦିତ । ତୋତେ ବନକୁ ପଠାଇବାକୁ କୈକେୟୀ ଯେତେବେଳେ କହିଲା, ତୁ ଜାଣିପାରିବୁ ନାହିଁ, ମୋ ହୃଦୟ କି ଭାବରେ ପୋଡି ଜଳି ଯାଉଥିଲା । ସେକଥା ସ୍ମରଣ କରି ଏବେ ମଧ୍ୟ ମୋ ମନ କମ୍ପି ଉଠୁଛି । ଏବେ ମୁଁ ବୁଝୁଛି, ରାବଣକୁ ତୋ ହାତରେ ବଧ କରାଇବା ପାଇଁ ଦେବତାମାନେ ତୋର ରାଜ୍ୟାଭିଷେକରେ ବିଘ୍ନ ସୃଷ୍ଟି କଲେ । ବନବାସ ସମାପ୍ତ କରି ତୁ ଫେରିଗଲେ କୌଶଲ୍ୟା କେତେଯେ ଖୁସି ନ ହେବେ । ଏଠାରୁ ଫେରି ତୁରନ୍ତ ତୋର ଯେପରି ରାଜ୍ୟାଭିଷେକ ହୁଏ; ତା’ପରେ ତୋର ଭାଇମାନଙ୍କୁ ନେଇ ତୁ ସୁଖରେ ରହ ।”
ଶ୍ରୀରାମ ହାତ ଯୋଡି ଦଶରଥଙ୍କୁ କହିଲେ, “ବାବା ଆପଣ ତ ମୋର ଏତେ ପ୍ରଶଂସା କରିଗଲେ । ପିତାମାନେ ପୁତ୍ର ମାନଙ୍କର ଗୁଣଗୁଡିକ କେବଳ ଦେଖନ୍ତି । ମୋର ଅନୁପସ୍ଥିତିରେ ଆପଣଙ୍କ ଦେହତ୍ୟାଗ ଶୁଣି ମୋ ମନ ବଡ କଷ୍ଟରେ ଥିଲା । ଆଜି ସେ କଷ୍ଟ ଜାଣ ଘୁଂଚିଲା । ମୋ ଉପରେ ଯଦି ଏତେ ସନ୍ତୁଷ୍ଟ ହୋଇଛନ୍ତି ତେବେ ମୋର ଗୋଟିଏ ସାମାନ୍ୟ ଅନୁରୋଧ ରକ୍ଷା କରନ୍ତୁ ।” ଦଶରଥ ସହାସ୍ୟ ବଦନରେ ଶ୍ରୀରାମଙ୍କ କଥାରେ ସ୍ୱୀକୃତି ଦେଇ କହିଲେ, “ରାମ ତୋହର ଯାହା ଇଚ୍ଛା ତାହା ମାଗିନେ, ମୁଁ ତୋତେ ଦେଇ ନପାରିବି ସେଭଳି କିଛି ନାହିଁ । ତୋର ସନ୍ତୋଷ ବିଧାନ କରି ମୁଁ କୃତ୍ୟ କୃତ୍ୟ ହେବି ।” ଶ୍ରୀରାମ କହିଲେ “ମୋତେ ବନବାସ ପଠାଇ ଥିବା ଯୋଗୁଁ କୈକେୟୀଙ୍କୁ ତ୍ୟାଗ କରିବା କଥା ଯାହା କହିଥିଲେ ଏବେ ତାଙ୍କୁ କ୍ଷମା କରନ୍ତୁ ।”
ଦଶରଥ ଶ୍ରୀରାମଙ୍କ କଥା ସ୍ୱୀକାର କଲେ ଓ ଶ୍ରୀରାମଙ୍କର ସେବା କଥା ଭାବି ତାଙ୍କୁ ସେ ଖୁବ୍ ପ୍ରଶଂସା କଲେ । ସୀତାଙ୍କୁ ସେ କହିଲେ, “ତୁମକୁ ତ୍ୟାଗ କରିବା ବିଷୟରେ ରାମ ଉପରେ ରାଗିବ ନାହିଁ ।” ତା’ପରେ ତିନିଜଣଙ୍କୁ ଆଶୀର୍ବାଦ ଦେଇ ଦଶରଥ ପୁଣି ସ୍ୱର୍ଗକୁ ଫେରିଗଲେ । ତା’ପରେ ଇନ୍ଦ୍ର ଆସି ସମ୍ମୁଖରେ ଆବିର୍ଭୂତ ହୋଇ କହିଲେ, “ଏହି ଅବସରରେ ମୋତେ କିଛି ବର ମାଗନ୍ତୁ ।”
ଶ୍ରୀରାମ କହିଲେ, “ମୋ ପାଇଁ ଯେଉଁମାନେ ଯୁଦ୍ଧରେ ପ୍ରାଣ ଦେଇଛନ୍ତି ସେମାନଙ୍କୁ ବଞ୍ଚାଇ ଦିଅନ୍ତୁ ।” ଇନ୍ଦ୍ର ତାଙ୍କର ଅନୁରୋଧ ସ୍ୱୀକାର କଲେ । ତା’ପରେ ଯୁଦ୍ଧ ଭୂମିରେ ମରିଥିବା ସମସ୍ତ ସୈନ୍ୟ ଜୀବିତ ହୋଇ ଉଠିଲେ । ଯେପରି ସେମାନେ ନିଦରୁ ଉଠିଛନ୍ତି । ସେମାନଙ୍କୁ ଜୀବିତ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଅତ୍ୟନ୍ତ ଖୁସି ହୋଇଗଲେ ।
ପରଦିନ ପ୍ରଭାତରେ ବିଭୀଷଣ ଶ୍ରୀରାମଙ୍କୁ ଭଲ ଭାବରେ ସ୍ନାନ କରାଇ ଭଲ ବସ୍ତ୍ର ଦେଲେ । ଶ୍ରୀରାମ କହିଲେ, “ବନ୍ଧୁ ବିଭୀଷଣ, ତୁମେ ସୁଗ୍ରୀବ ଇତ୍ୟାଦି ବାନର ବୀରକୁ ସ୍ନାନ କରାଅ । ଆମେ ଯଥାଶୀଘ୍ର ଅଯୋଧ୍ୟା ଫେରିବୁ । କାରଣ ଭରତ କହିଛି ଚଉଦବର୍ଷ ପରେ ଦିନଟିଏ ଡେରି ହେଲେ ସେ ପ୍ରାଣ ତ୍ୟାଗ କରିବ । ତେଣୁ ଯିବା ପାଇଁ ଶୀଘ୍ର ବନ୍ଦୋବସ୍ତ କର ।”
ବିଭୀଷଣ କହିଲେ, “ପ୍ରଭୋ, ଆପଣ ଯେପରି ଗୋଟିଏ ଦିନରେ ଅଯୋଧ୍ୟାରେ ପହଁଚିବେ ତାହାର ବନ୍ଦୋବସ୍ତ କରିବି । ରାବଣ କୁବେରଠାରୁ ଜବରଦସ୍ତି ଯେଉଁ ପୁଷ୍ପକ ଯାନ ଆଣିଛି, ସେଥିରେ ଗଲେ ବହୁତ ଶୀଘ୍ର ପହଁଚିଯିବେ । କିନ୍ତୁ ମୋର ପ୍ରାର୍ଥନା ଆପଣ ତିନିଜଣଙ୍କୁ ମୁଁ ଯେପରି ସେବା କରିବାକୁ ଚାହୁଁଛି ତାହା ସ୍ୱୀକାର କରନ୍ତୁ ।”
ଶ୍ରୀରାମ କହିଲେ “ବନ୍ଧୁ ବିଭୀଷଣ, ତୁମେ ଯୁଦ୍ଧରେ ଆମକୁ ଯେଉଁ ସାହାଯ୍ୟ କରିଛ ତାହାର ତ କୌଣସି ତୁଳନା ନାହିଁ । ତାହାହିଁ ସବୁଠାରୁ ବଡ ସତ୍କାର । ମୋ ସହିତ ଦେଖା କରିବାକୁ ଭରତ ଚିତ୍ରକୁଟ ଆସିଥିଲା ଓ ସେଠାରୁ ଭଗ୍ନ ହୃଦୟ ନେଇ ସେ ଫେରିବି ଯାଇଥିଲା । ମୁଁ ଏବେ ତାକୁ ଦେଖିବାକୁ ବଡ ଆତୁର । ମୋ ମା’ମାନେ, ଗୁରୁଦେବ ଓ ନଗର ବାସୀଙ୍କୁ ଦେଖିବାକୁ ମୁଁ ବଡ ଉଦ୍ଗ୍ରୀବ । ସେମାନଙ୍କ ସହିତ ମିଳିତ ହେବାକୁ ଏବେ ମୋର ତୀବ୍ର ଇଚ୍ଛା ହେଉଛି । ତୁମେ ତୁରନ୍ତ ପୁଷ୍ପକବିମାନ ଆଣ । ମୁଁ ଆଉ ଏଠାରେ କ୍ଷଣେ ମାତ୍ରବି ରହିବାକୁ ଚାହୁଁନାହିଁ । ଏଠାରୁ ଯିବା ପାଇଁ ଆମକୁ ଶୀଘ୍ର ଅନୁମତି ଦିଅ ।”
ବିଭୀଷଣ ତୁରନ୍ତ ପୁଷ୍ପକ ବିମାନ ନେଇ ଆସିଲେ । ପୁଷ୍ପରେ ଅଳଂକୃତ ଏହି ବିମାନକୁ ଦେଖାଇ ବିଭୀଷଣ ବଡ ବିନୟ ଭାବରେ ପଚାରିଲେ, “ଆଉ କ’ଣ ଆଜ୍ଞା ଦେଉଛନ୍ତି?”
ଶ୍ରୀରାମ କହିଲେ “ବାନରମାନେ ମୋର ଯେଉଁ ସହାୟତା କରିଛନ୍ତି ତାହା ବର୍ଣ୍ଣନାତୀତ । ବସ୍ତ୍ର ଆଭୂଷଣ ଦେଇ ସେମାନଙ୍କୁ ସମ୍ମାନ କର । ଯଥେଷ୍ଟ ଉପଢୌକନ ଆଦି ଦେଇ ସେମାନଙ୍କ ମନୋରଞ୍ଜନ କର ।”
ବିଭୀଷଣ ବାନରମାନଙ୍କର ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କଲେ । ତା’ପରେ ରାମ, ଲକ୍ଷ୍ମଣ ଓ ସୀତା ପୁଷ୍ପକ ବିମାନ ଉପରକୁ ଗଲେ । ଶ୍ରୀରାମ କହିଲେ, “ଆପଣମାନଙ୍କ ଯୋଗୁଁ ମୋର କାର୍ଯ୍ୟ ସିଦ୍ଧ ହୋଇଛି । ଆପଣ ଏବେ ସ୍ୱସ୍ଥାନକୁ ଫେରି ଯାଇ ପାରନ୍ତି । ହେ ସୁଗ୍ରୀବ, ବନ୍ଧୁ ବା ସଖା ଭାବରେ ତୁମେ ମୋତେ ଯଥେଷ୍ଟ ସାହାଯ୍ୟ କରିଛ । ସେଥିପାଇଁ ମୁଁ କୃତଜ୍ଞ, ନିଜର ସୈନ୍ୟବାହିନୀଙ୍କୁ ନେଇ କିସ୍କିନ୍ଧ୍ୟା ଫେରି ଯାଇ ସେଠାରେ ସୁଖରେ କାଳାତିପାତ କର । ହେ ବନ୍ଧୁ ବିଭୀଷଣ, ଏହି ଲଙ୍କାରେ ତୁମର ଶାସନ ଚାଲିବା ଯୋଗୁଁ ପ୍ରଜାମାନେ ଟିକେ ଶାନ୍ତିରେ ରହିବେ । ଲଙ୍କାବାସୀଙ୍କର ବହୁଦିନର ସ୍ୱପ୍ନ ସଫଳ ହେବ । ମୋର ବନ୍ଧୁଭାବରେ ତୁମେ ଯାହା କରିଛ ତାହା ଇତିହାସ ଯମାରୁ ଭୂଲିବ ନାହିଁ । ତୁମ ଯୋଗୁହିଁ ମୋର ସାଫଲ୍ୟ ହୋଇଛି । ଅନେକ ବିପଦରେ ତୁମେହିଁ ଧୈର୍ଯ୍ୟର ସହିତ ସମସ୍ତିଙ୍କୁ ଆଶ୍ୱାସନା ଦେଇ କାର୍ଯ୍ୟ କରାଇଛ । ଏବେ ସମସ୍ତେ ଅନୁମତି ଦେଲେ ଆମେ ଯିବୁ ।”
ସୁଗ୍ରୀବ, ହନୁମାନ ଆଦି ବାନର ଓ ବିଭୀଷଣ କହିଲେ, “ପ୍ରଭୂ, ଆମର ଇଚ୍ଛା ଅଯୋଧ୍ୟା ଯାଇ ଆପଣଙ୍କ ଅଭିଷେକ ଦେଖି, ମାତା କୌଶଲ୍ୟାଙ୍କୁ ଦର୍ଶନ କରି ଫେରି ଆସିବୁ ।”
ଶ୍ରୀରାମ ଅଳ୍ପ ହସି କହିଲେ, “ଏହାଠାରୁ ବଳି ଅଧିକ ଆନନ୍ଦର କଥା ଆଉ କ’ଣ ବା ହୋଇପାରେ? ଆପଣମାନେ ପୁଷ୍ପକ ଭିତରକୁ ଆସନ୍ତୁ ।”
ତା’ପରେ ବିଭୀଷଣ ଓ ତାଙ୍କ ମନ୍ତ୍ରୀଗଣ, ସୁଗ୍ରୀବ ଓ ତାଙ୍କର ସେନାପତି ଓ ମନ୍ତ୍ରୀମାନେ ସମସ୍ତେ ପୁଷ୍ପକରେ ବସିଲେ । ପୁଷ୍ପକ ଆକାଶମାର୍ଗରେ ବାୟୁବେଗରେ ଉଡିଲା । ଶ୍ରୀରାମ, ସୀତାଙ୍କୁ ତ୍ରିକୁଟ ପର୍ବତ, ରକ୍ତସିକ୍ତ ଯୁଦ୍ଧଭୂମି ଦେଖାଇଦେଲେ । ତା’ପରେ ସେତୁବନ୍ଧ, କିସ୍କିନ୍ଧ୍ୟା ନଗର ଆଦି ମଧ୍ୟ ଦେଖାଇଲେ । ଯେଉଁଠି ଅନେକ ଘଟଣାସବୁ ଘଟିଥିଲା; ତାହା ସବୁ ସୀତାଙ୍କୁ ରାବଣ ନେଇଯିବା ପରେ । ତା’ପରେ ପୁଷ୍ପକ ବିମାନ ମହର୍ଷି ଅତ୍ରିଙ୍କ ଆଶ୍ରମ, ଗୃହକ ଶବରଙ୍କ ଶୃଙ୍ଗବେର ପୁର, ଚିତ୍ରକୁଟ ଓ ଭରଦ୍ୱାଜଙ୍କ ଆଶ୍ରମ ଉପର ଦେଇ ଉଡି ଉଡି ଅଯୋଧ୍ୟା ଅଭିମୁଖେ ଚାଲିଥାଏ । ସମସ୍ତ ସ୍ଥାନ ଶ୍ରୀରାମ ସୀତାଙ୍କୁ ଓ ଅନ୍ୟମାନଙ୍କୁ ଦେଖାଇ ଦେଉଥାନ୍ତି ଓ ସ୍ଥାନର ମାହାତ୍ମ୍ୟ ବର୍ଣ୍ଣନା କରୁଥା’ନ୍ତି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।