ସେତେବେଳେ ଶ୍ରୀରାମ ଯୁଦ୍ଧ କରି କରି ଥକି ପଡିଥିଲେ । ଆଉ ଅଧିକ ଯୁଦ୍ଧ ପାଇଁ ଇଚ୍ଛା ନଥିଲା । ରାମରାବଣ ଯୁଦ୍ଧ ଦେଖିବାକୁ ଦେବତାମାନେ ଓ ମହର୍ଷି ଅଗସ୍ତ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ତ୍ରିକାଳଦର୍ଶୀ ମହର୍ଷି ଅଗସ୍ତ୍ୟ ଅବସ୍ଥାର ଗୁରୁତ୍ୱ ବୁଝିବା ପରେ ଶ୍ରୀରାମଙ୍କୁ କହିଲେ, “ହେ ରାମ, ତୁମର ଏପରି କ୍ଳାନ୍ତି ଇତ୍ୟାଦି ପାଇଁ ମୁଁ ତୁମକୁ ଆଦିତ୍ୟ ହୃଦୟ ସ୍ରୋତ ଦେବି । ତୁମେ ତାହା ଉଚ୍ଚାରଣ କରିବ । ସେହି ମନ୍ତ୍ର ଜପ କଲେ ତୁମେ ଉତ୍ସାହ ଓ ବଳରେ ଭରିଯିବ ଓ ଭଲଭାବରେ ଯୁଦ୍ଧ କରି ପାରିବ । ତା’ପରେ ସେ ସେହି ମନ୍ତ୍ରକୁ ଶ୍ରୀରାମଙ୍କୁ ଦେଇ ସେଠାରୁ ଚାଲିଗଲେ ।”
ଶ୍ରୀରାମ ମନ୍ତ୍ରଟିକୁ ତିନିଥର ଭକ୍ତିଭାବରେ ଜପକଲେ, ସେ ଶରୀରରେ ବଳ ଓ ମନରେ ଉତ୍ସାହ ପାଇଲେ । ସେ ନିଜର ଧନୁର୍ବାଣ ଧରି ଯାଇ ଇନ୍ଦ୍ରଙ୍କ ରଥ ଉପରେ ବସିଲେ । ସେ ସାରଥି ମାତଳୀକୁ କହିଲେ, “ମାତଳୀ, ଅବଶ୍ୟ ମୁଁ ଏବେ ରାବଣକୁ ବିନାଶ କରିବି । ତୁମେ ଭଲ ଭାବରେ ରଥ ଚଳାଅ । ସର୍ବଦା ସତର୍କ ରହିବ । କାରଣ ସେମାନେ ହେଲେ ମାୟାବୀ । କିଛି ନାକିଛି ହଠାତ୍ କରି ପକାଇବେ ।”
ମାତଳୀ ଅଳ୍ପ ହସି କହିଲେ “ଆପଣ ଆଶ୍ୱସ୍ଥ ରହନ୍ତୁ ।” ତା’ପରେ ମାତଳୀ ରଥ ଚଳାଇବାକୁ ଆରମ୍ଭ କଲେ । ଏହା ଏତେ ବେଗରେ ଯାଉଥାଏ ଯେ କୁଆଡେ ଯାଉଛି ତାହା ଜାଣିବା ବଡ କଷ୍ଟ । ଧୂଳି ସବୁ ଉଡି ଚତୁର୍ଦ୍ଦିଗ ଛାଇ ଯାଇଥାଏ । ଏହା ଦେଖି ରାବଣର ବହୁତ କ୍ରୋଧ ହେଲା । ସେ ଅସଂଖ୍ୟ ବାଣ ବର୍ଷଣ କରିବାକୁ ଲାଗିଲା । ଶ୍ରୀରାମ ମଧ୍ୟ ଇନ୍ଦ୍ରଙ୍କ ବାଣ ସବୁ ଛାଡିଲେ । ବିଶେଷତଃ ଯେଉଁ ଗୁଡିକ ରଥରେ ସଜା ହୋଇ ରଖା ହୋଇଥିଲା । କ୍ରମେ ଯୁଦ୍ଧ ଭୟାନକ ରୂପ ଧାରଣ କଲା । ଦୁଇପକ୍ଷର ଯୋଦ୍ଧା ଏସବୁ ବଡ ଆଶ୍ଚର୍ଯ୍ୟର ସହିତ ଦେଖୁଥା’ନ୍ତି । ଏପରି ଭାବରେ ଦୁଇ ମହାନ୍ ଯୋଦ୍ଧାଙ୍କ ମଧ୍ୟରେ ବହୁସମୟ ଧରି ଯୁଦ୍ଧ ଚାଲିଲା । ତା’ପରେ ଶ୍ରୀରାମଙ୍କର ଏକ ବାଣରେ ରାବଣର ମୁଣ୍ଡଟିଏ ଛିଡିଗଲା । ସେଠାରେ ତତ୍କ୍ଷଣାତ୍ ନୂଆ ମୁଣ୍ଡଟିଏ ଗଜୁରି ଉଠିଲା । ଫେର୍ ମୁଣ୍ଡଟିଏ କଟି ଗଲା ପୁଣି ନୂଆ ମୁଣ୍ଡଟିଏ ଆସିଗଲା ଏହି ନୂତନ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥା’ନ୍ତି । ରାବଣ ତ ଅଟ୍ଟହାସ୍ୟ କରୁଥାଏ । ଅଟ୍ଟହାସ୍ୟ କରୁକରୁ ରାବଣ କହିଲା, “ରାମ, ମୋତେ ମାରି ବିଭୀଷଣକୁ ସିଂହାସନ ଦେବାର ଯେଉଁ ଆଶା ପୋଷଣ କରିଛୁ ସେ କଥା ବୃଥା । ଦେଖ, ମୋ ଶକ୍ତିର ଚମତ୍କାରିତା । ତୋର କୌଣସି ଅସ୍ତ୍ର ମୋତେ ମାରିପାରିବ ନାହିଁ । ତୋର ଯାହା ଖାଲି ବଳକ୍ଷୟ ଓ ଅସ୍ତ୍ରକ୍ଷୟହିଁ ସାର ହେବ । ମୁଁ ରାବଣ, ଏକମାତ୍ର ମୁଁ ଅଦ୍ୱିତୀୟ, ମୋର ହତ୍ୟାକାରୀ ଏ ଜଗତରେ କେହିବି ଜନ୍ମ ହୋଇ ନଥିଲେ, ହୋଇ ନାହାଁନ୍ତି, କି ହେବେବିନାହିଁ ମଧ୍ୟ । ତୁ କଣ ମାରି ଚାଲିଥିବୁ । ମୋର ମୁଣ୍ଡସବୁ କଟିଯାଉଥିବ ଓ ପୁଣି ନୂଆମୁଣ୍ଡ ସୃଷ୍ଟି ହେଉଥିବ । ଭବିଷ୍ୟତ ବିଷୟ ନ ଭାବି କାହିଁକି ତୁ ଏ ଯୁଦ୍ଧ ଆରମ୍ଭ କଲୁ? ଏବେ ମୁଁ ମୋର ଭ୍ରାତା, ଓ ପୁତ୍ର ଗଣଙ୍କର ବଧ ପାଇଁ ପ୍ରତିଶୋଧ ନେବି । ମୋ ଯୁଦ୍ଧ ଇତିହାସରେ ସବୁଦିନ ପାଇଁ ଲେଖା ହୋଇରହିବ । ଏପରି ଯୁଦ୍ଧ, ଯକ୍ଷ ରାକ୍ଷସ, ଗନ୍ଧର୍ବ କିନ୍ନର ଦେବତା କେହି କେବେବି କରି ନାହାଁନ୍ତି, ଆଉ ତୁ ତ ଛାର ମଣିଷଟାଏ, ଏତେ ଆସ୍ପର୍ଦ୍ଧା ।”
କିନ୍ତୁ ଏପରି ଆଶ୍ଚର୍ଯ୍ୟ ବ୍ୟାପାର ପଶ୍ଚାତରେ କି ରହସ୍ୟ ଅଛି ସେକଥା ମାତଳୀ ଠିକ୍ ଜାଣିଥିଲେ । ସେ ଶ୍ରୀରାମଙ୍କୁ କହିଲେ, “ହେ ଶ୍ରୀରାମ, ଏବେ ରାବଣର ମୃତ୍ୟୁ ହେବାର ଶୁଭ ସମୟ ଆସିଅଛି । ଏବେ ଆପଣ ବିନା ବିଳମ୍ବରେ ବ୍ରହ୍ମାସ୍ତ୍ରର ପ୍ରୟୋଗ କରନ୍ତୁ । ସେଥିରେ ସେ ମରିଯିବ ।”
ଶ୍ରୀରାମ ମାତଳୀଙ୍କ କଥାମାନି ସର୍ପ ଆକାରର ଏକ ଅସ୍ତ୍ର ଉଠାଇଲେ ସେଥିରେ ହିଁ ବ୍ରହ୍ମାସ୍ତ୍ର ଥିଲା; ବ୍ରହ୍ମା ଏହା ଇନ୍ଦ୍ରଙ୍କ ପାଇଁ ସୃଷ୍ଟି କରିଥିଲେ । ଏହା ବେଶ୍ ଓଜନ ଥିଲା । ଏଥିରେ ରଙ୍ଗୀନ୍ ପରସବୁ ଖଞ୍ଜା ହୋଇ ବେଶ୍ ସୁନ୍ଦର ଦିଶୁଥିଲା । ସେହି ଅସ୍ତ୍ରଟି ଶ୍ରୀରାମ ପ୍ରୟୋଗ କରିବା ପରେ ଅଚିରେ ତାହା ରାବଣର ଜୀବନ ନେଲା । ବାନର ମାନେ ଜୟ ଜୟକାର କଲେ । ରାକ୍ଷସ ସୈନ୍ୟମାନେ ସବୁ ଯୁଦ୍ଧକ୍ଷେତ୍ରରୁ ଦୌଡି ପଳେଇଲେ ।
ରାବଣର ମୃତ୍ୟୁ ହେବା ମାତ୍ରେ ଦେବ ଦୁନ୍ଦୁଭି ବାଜି ଉଠିଲା । ଆକାଶରୁ ପୁଷ୍ପ ବୃଷ୍ଟି ହେଲା । ବାନର ମାନଙ୍କ ସହିତ, ଦେବତା, ଗନ୍ଧର୍ବ ମାନେ ମଧ୍ୟ ଶ୍ରୀରାମଙ୍କର ସ୍ତୁତି କଲେ; ବାନରବୀରମାନେ ଓ ବିଭୀଷଣ ସମସ୍ତେ ଆସ୍ୱସ୍ଥ ହେଲେ ।
କିନ୍ତୁ ପରକ୍ଷଣରେ ନିଜ ଭାଇର ମୃତ୍ୟୁ ଯୋଗୁଁ ବିଭୀଷଣ ବହୁତ ଦୁଃଖି ହେଲେ । ସେ ଭାଇ ପାଇଁ ବିଳାପ କରୁ କରୁ କହିଲେ, “ଏତେ ବଡ ଜ୍ଞାନୀ, ବୀର, ପଣ୍ଡିତ, ନିଷ୍ଠାବାନ ପରାକ୍ରମୀ ପୁରୁଷ ହୋଇ ସୀତାହରଣ କରି ଆଜି ତାଙ୍କର ଏପରି ଦଶା ହୋଇଛି । ଗୋଟିଏ ଭୟଙ୍କର ପାପ ଯୋଗୁଁ ଏପରି ଅବସ୍ଥା ହେଲା ।”
ବିଭୀଷଣଙ୍କୁ ଦୁଃଖୀ ଦେଖି ଶ୍ରୀରାମ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ରାବଣ ସମ୍ମୁଖ ଯୁଦ୍ଧ କରି ବୀରଗତିକୁ ପ୍ରାପ୍ତ କରିଛନ୍ତି । ମୃତ୍ୟୁ ତ ପ୍ରାଣୀ ମାତ୍ରକେ ରହିଛି । ସେଥିପାଇଁ ଏତେ ଦୁଃଖିତ ହେବାର କ’ଣ ଅଛି?” ଏବେ ତୁମେ ଜ୍ୟେଷ୍ଠ ଭ୍ରାତାଙ୍କ ଦାହ ସଂସ୍କାର ରାଜକୀୟ ବିଧିରେ କର ।”
ଶ୍ରୀରାମଙ୍କ ଠାରୁ ସାନ୍ତ୍ୱନା ପାଇ ତାଙ୍କ ମନରେ ଶାନ୍ତି ମିଳିଲା । ତାପରେ ଶ୍ରୀରାମଙ୍କ କହିବା ଅନୁସାରେ ସେ ତାଙ୍କ ବଡଭାଇର ଦାହସଂସ୍କାର ବିଧି ଅନୁସାରେ କରିବା ପାଇଁ ଗଲେ ।
ଖବର ପାଇ ରାଣୀମାନେ ଆସି ଶବ ପାଖରେ ପହଁଚି ବହୁତ ବିଳାପ କଲେ । ମନ୍ଦୋଦରୀ ବିଳାପ କରୁକରୁ କହିଲେ, “ତିନିଲୋକକୁ ନିଜ କର୍ତୃତ୍ୱରେ ରଖିଥିବା ବୀରର ପୁଣି ଏଇ ଗତି? ତା’ପୁଣି ଜଣେ ମାନବର ହାତରେ? ହେ ନାଥ ତୁମକୁ ଏଭଳି ଅବସ୍ଥାରେ ଦେଖିବାକୁ ପୁଣି ମୋ ଭାଗ୍ୟରେ ଥିଲା?” ଆମମାନଙ୍କୁ ତୁମେ ଏତେ ଶୀଘ୍ର ଅନାଥ କରି ଚାଲିଗଲ? ସୀତାଙ୍କୁ ଫେରାଇ ଦେବାକୁ ପ୍ରଥମରୁ ମୁଁ କହୁଥିଲି । ଗୋଟିଏ ପାପ ଯୋଗୁଁ ସାରାରାକ୍ଷସଜାତିପ୍ରାୟ ଲୋପ୍ ପାଇଗଲା । ତୁମ କଥାରେ କେତେ ଆସ୍ପର୍ଦ୍ଧ, କେତେ ଗର୍ବ, ଦମ୍ଭ, ଅଭିମାନ, ସେସବୁ କୁଆଡେ ଗଲା । ତୁମେ କି ଦୟନୀୟ ଅବସ୍ଥାରେ ଧୂଳିରେ ଲୋଟି ପଡିଛ । ଚିରଦିନ ପାଇଁ ଶୋଇଗଲ । ଆମର ଏହି ବିକଳ ବିଳାପ ଧ୍ୱନି ତୁମକୁ କ’ଣ ଶୁଭୁ ନାହିଁ? ହାୟ ବିଧାତା ଏ କ’ଣ ହେଲା ।”
ଶ୍ରୀରାମ ବିଭୀଷଣଙ୍କୁ କହିଲେ, “ଅତି ଶୀଘ୍ର ସ୍ତ୍ରୀମାନଙ୍କୁ ଅନ୍ତଃପୁରକୁ ପଠାଇ ଦେଇ ରାବଣଙ୍କର ଅନ୍ତିମ ସଂସ୍କାରର ବ୍ୟବସ୍ଥା କର । ଏ ବିଷୟରେ ଦ୍ୱିଧା କରିବାର କିଛି ନାହିଁ । ଆସୁରିକ ଗୁଣ ବ୍ୟତୀତ ତାଙ୍କର ଅନେକ ସଦ୍ଗୁଣ ବି ଥିଲା । ସେ ଏ ଦେଶର ରାଜା । ତେଣୁ ଅନ୍ତିମ ସଂସ୍କାର ରାଜକୀୟ ଭାବରେ ହେବା ଉଚିତ୍ ।”
ତା’ପରେ ବ୍ରାହ୍ମଣମାନେ ଚନ୍ଦନକାଠ, ଘିଅ ଓ ନାନା ସୁଗନ୍ଧ ଦ୍ରବ୍ୟ ସଜାଇ ତା’ପରେ ରାବଣର ମୃତ ଶରୀରକୁ ରଖିଲେ । ରାଣୀମାନେ ଅନ୍ତଃପୁରକୁ ଫେରି ଗଲେ । ରାକ୍ଷସ ଯୁଗର ଅବସାନ ଘଟିଲା । ବିଭୀଷଣ ରାବଣର ସମସ୍ତ ପ୍ରେତକୃତ୍ୟ ରାଜକୀୟ ରୀତିରେ ଶେଷକରି ପୁଣି ଶ୍ରୀରାମଙ୍କ ନିକଟକୁ ଲେଉଟି ଆସିଲେ ।