ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

ବାନର ସେନାମାନେ ଲଙ୍କାନଗରକୁ ଘେରି ରହିଥା’ନ୍ତି । ସମଗ୍ର ତ୍ରିକୁଟ ପର୍ବତରେ ବାନର ସେନା ଭର୍ତ୍ତି ହୋଇଥା’ନ୍ତି । ସେମାନଙ୍କ କୋଳାହଳରେ ଚତୁର୍ଦ୍ଦିଗ ମୁଖରିତ । ପୂର୍ବନିର୍ଦ୍ଧାରିତ ରଣସଜ୍ଜା ଅନୁସାରେ, ବିଭିନ୍ନ ଦ୍ୱାରକୁ, ବିଭିନ୍ନ ଯୋଦ୍ଧା ଓ ସୈନ୍ୟବଳ ଘେରି ରହିଥା’ନ୍ତି । କେବଳ ଯୁଦ୍ଧ ପାଇଁ ଅପେକ୍ଷା କରି ରହିଛନ୍ତି, ବାନରମାନେ ବଡ ଉତ୍ସାହର ସହିତ ପଥର ଓ ବଡ ବଡ ଦ୍ରୁମ ଉତ୍ପାଟନ କରି ହାତରେ ଧରିଥା’ନ୍ତି । ଆଦେଶ ପାଇବା ମାତ୍ରେ ରଣାଙ୍ଗନକୁ ସେମାନେ ଲମ୍ପ ଦେବେ ।

                ବିଭୀଷଣଙ୍କ ପରାମର୍ଶରେ ଶ୍ରୀରାମ ଯୁଦ୍ଧ ପୂର୍ବରୁ ଅଙ୍ଗଦଙ୍କୁ ଦୂତ ରୂପରେ ରାବଣ ପାଖକୁ ପଠାଇବାକୁ ଚାହିଁଲେ । ଶ୍ରୀରାମ ଅଙ୍ଗଦଙ୍କୁ ଡାକି କହିଲେ, “ହେ ଅଙ୍ଗଦ, ତୁମେ ଆମ ପକ୍ଷରୁ ରାବଣକୁ ଯେଉଁ  ସନ୍ଦେଶ କହିବ ତାହା ମୁଁ ତୁମକୁ ଭଲ ରୂପେ ବୁଝାଉଛି ମନଦେଇ ମୋକଥା ଶୁଣ । ତୁମର ବୀରତ୍ୱ ଓ ବୁଦ୍ଧି ଉପରେ ମୋର ପୁରାପୁରି ଆସ୍ଥା ଅଛି । ସେଥିପାଇଁ ଏ ଦୁରୁହ କାର୍ଯ୍ୟ ପାଇଁ ମୁଁ କେବଳ ତୁମକୁହିଁ ବାଛିଲି ।”

                ଅଙ୍ଗଦ କହିଲେ “ଯାହା ଆଜ୍ଞା ପ୍ରଭୁଙ୍କର । ମୁଁ କୃତାର୍ଥ ହେଲି ।”

                “ଏବେ ଶୁଣ; ତୁମେ ରାବଣଙ୍କୁ କହିବ – ହେ ରାବଣ, ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ କରି ତୁମେ ଅତ୍ୟନ୍ତ ଗର୍ବିତା ଓ ଅହଂକାରୀ ହୋଇ ଉଠିଛ ଏବଂ ସେହି ବଳ ଯୋଗୁଁ ତୁମେ ଅନେକ ପାପ ମଧ୍ୟ କରିଛ । ପାପ ଓ ମିଥ୍ୟାଚାର ବେଶିଦିନ ଚାଲେ ନାହିଁ । ତୁମେ ବିନା ଦୋଷରେ ମୋର ପତ୍ନୀକୁ ଅପହରଣ କରିଛ । ଏପରି ଅକ୍ଷମଣୀୟ ଅପରାଧ ପାଇଁ ମୋର ଯାହା କର୍ତ୍ତବ୍ୟ ମୁଁ ତାହା କରିବାକୁ ଯାଉଛି, ସେ ବିଷୟ ତୁମେ ଭଲଭାବରେ ଜାଣ, ସେଥିପାଇଁ ଏକମାତ୍ର ପନ୍ଥା ହେଉଛି ଯୁଦ୍ଧ ।”

                ତଥାପି ବି ମୁଁ ଜଣେ କ୍ଷତ୍ରିୟ ଓ ରଘୁବଂଶରେ ମୋର ଜାତ । କ୍ଷମା ଆମର ପରମ ଧର୍ମ । ଏବେ ମଧ୍ୟ ସମୟ ଅଛି ତୁମେ ଯଦି ସୀତାଙ୍କୁ ସମମ୍ମାନେ ଫେରାଇ ଦେଇ ଯାଅ, ତେବେ ଏ ଯୁଦ୍ଧର ଆଉ କୌଣସି ଆବଶ୍ୟକତାହିଁ ରହିବ ନାହିଁ । ଅକାରଣରେ ଲୋକକ୍ଷୟ ଓ ଅନେକ ପ୍ରାଣୀଙ୍କର ମୃତ୍ୟୁ ଇତ୍ୟାଦି ବିଭୀଷିକାରୁ ପୃଥିବୀ ଟିକେ ତ୍ରାହି ପାଇବ । କିନ୍ତୁ ତୁମେ ଯଦି ଯୁଦ୍ଧ ଚାହଁ ତେବେ ବୀର ପରି ସମ୍ମୁଖ ଯୁଦ୍ଧ ପାଇଁ ଆସିପାର । ଯଦି ଯୁଦ୍ଧର ନିୟମ ଭୁଲି ତୁମେ ନାନା ମାୟା ରଚନା କରିବ ତେବେ ମନେରଖ ତୁମେ ଏ ତ୍ରିଭୁବନରେ ଯେଉଁଠି ରହିଲେ ମଧ୍ୟ ମୋର ବାଣ ତୁମକୁ କଦାପି ମଧ୍ୟ ଛାଡିବ ନାହିଁ ଏବଂ ତୁମର ମୃତ୍ୟୁ ସୁନିଶ୍ଚିତ । ସେଥିରୁ ତୁମକୁ ଆଉ କେହି ବି ରକ୍ଷା କରିପାରିବେ ନାହିଁ । ଏସବୁ ବିପଦରେ ପ୍ରାଣୀକୁ କେବଳ ତା’ ନିଜ ଧର୍ମବଳ ହିଁ ରକ୍ଷା କରେ । ଆଉ ତୁମେ ତ ସେସବୁ ବହୁଦିନରୁ ଭୁଲି ଯାଇଛ । ଏ ଲଙ୍କାନଗରୀକୁ ଭଲକରି ଦେଖିନିଅ । ତୁମର ମୃତ୍ୟୁ ପରେ ଧର୍ମପ୍ରାଣ ବିଭୀଷଣହିଁ ଏହାର ଶାସନକର୍ତ୍ତା ହେବେ । ଯୁଦ୍ଧ ପୂର୍ବରୁ ମୁଁ ତୁମ ପାଖକୁ ଏତକ ବାର୍ତ୍ତା ପଠାଇଲି । ବୁଝି ବିଚାର କରି କାର୍ଯ୍ୟ କର ।”

                ଅଙ୍ଗଦ ସବୁ ବୁଝିଯିବା ପରେ ଶ୍ରୀରାମଙ୍କ ପାଦବନ୍ଦନା କରି, ଆକାଶମାର୍ଗରେ ରାବଣର ଦରବାରରେ ଯାଇ ପହଁଚିଲେ । ସେ ଆଉ ସମୟ ନଷ୍ଟ ନକରି ନିଜର ପରିଚୟ ଦେଲେ ଓ ଶ୍ରୀରାମଙ୍କ ସନ୍ଦେଶ ତାଙ୍କୁ କହି ଶୁଣାଇଲେ ।

                ସେଥିରେ ଯୁଦ୍ଧ ପାଇଁ ଆହ୍ୱାନ ତ ଥିଲା; ତା’ଛଡା ରାବଣ ପାଇଁ ଅନେକ କିଛି ଅପମାନଜନକ କଥା ବି ଥିଲା । ତେଣୁ ସେ କ୍ରୋଧରେ ଜଳି ଉଠି, ଚିତ୍କାର କରି କହିଲା, “ଏ ଦୁଷ୍ଟକୁ ମୁଁ ନ ମାରି କେବେବି ଶାନ୍ତିରେ ରହିପାରିବି ନାହିଁ । ଯେତେଶୀଘ୍ର ପାର ତାକୁ ଅଚିରେ ବିନାଶ କର । ସିଏ ଯେପରି ଏଠାରୁ ଆଉ ଜୀବନ୍ତ ଲେଉଟି ନ ଯାଏ ।”

                ରାବଣର ଆଦେଶ ପାଇବା ମାତ୍ରେ ଚାରିଜଣ ରାକ୍ଷସ ଅଙ୍ଗଦଙ୍କୁ ଧରି ପକାଇଲେ । ଅଙ୍ଗଦ ତ ସେଇଆ ହିଁ ଖୋଜୁଥିଲେ । ଚାରିଆଡେ ରାକ୍ଷସଙ୍କୁ କାଖରେ ଧରି ସେ ଶୂନ୍ୟମାର୍ଗରେ ଉଠି ସେହିଠାରୁ ରାକ୍ଷସମାନଙ୍କୁ ତଳକୁ ପିଙ୍ଗିଦେଲେ । ଅଙ୍ଗଦ ଏତିକିରେ ଶାନ୍ତି ନ ଥିଲେ । ସେ ନିଜର ବହୁତ ପ୍ରକାର ପରାକ୍ରମ ଦେଖାଇଲେ । ସେ ରାବଣକୁ କହିଲେ, “ମୋ ପିଲାଦିନେ ମୋ ବାପା ବାନରଶ୍ରେଷ୍ଠ ବାଳୀ ଗୋଟାଏ ରାବଣକୁ କାଖରେ ଜାକି ସାତସମୁଦ୍ର ବୁଲି ବୁଲି ଆହ୍ନିକ କରିଥିଲେ । କ’ଣ ତୁମେ ସେହି ରାବଣ କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ