ସୁଗ୍ରୀବଙ୍କ କଥା ଶ୍ରୀରାମ ମନଦେଇ ଶୁଣିଲେ ଓ ଅଳ୍ପ ହସି କହିଲେ, “ମହାରାଜ ସୁଗ୍ରୀବଙ୍କ କଥା ତ ଶୁଣିଲ । ହନୁମାନ ଏବେ ଏ ସଂପର୍କରେ ତୁମର ମତ କ’ଣ କୁହ ।”
ହନୁମାନ କିଛି କହିବା ପୂର୍ବରୁ ଅଙ୍ଗଦ କହିଲେ, “ମୁଁ କାକା ସୁଗ୍ରୀବଙ୍କ କଥାରେ ସହମତ । ଶତ୍ରୁପକ୍ଷର ବ୍ୟକ୍ତି, ପୁଣି ତାଙ୍କର ଜନ୍ମ ରାକ୍ଷସ କୂଳରେ । ସେମାନଙ୍କୁ ବିଶ୍ୱାସ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । କିନ୍ତୁ ଜାଣିବାକୁ ହେବ ସେ କି ଉଦ୍ଧେଶ୍ୟ ନେଇ ଏଠାକୁ ଆସିଛି ।”
ଜାମ୍ବବାନ୍ କହିଲେ, “ହଠାତ୍ ଏପରି ଭାଇକୁ ଛାଡି ବିଭୀଷଣ ଚାଲି ଆସି ଆମ ସହିତ ମିଳିତ ହେବା କିପରି ସନ୍ଦେହଜନକ ମନେହୁଏ । ସ୍ୱାଭାବିକ ତ ଆଦୌ ଲାଗୁନାହିଁ ।”
ଅନ୍ୟମାନେ ମଧ୍ୟ ନାନା ପ୍ରକାର ମତ ଦେଲେ । ଶେଷରେ ହନୁମାନ କହିଲେ, “ଆପଣମାନେ ଯାହା କହିଲେ ମାତ୍ର ମୁଁ ସେଥିରେ ସହମତ ନୁହେଁ । ବିଭୀଷଣଙ୍କର ସ୍ୱଭାବ ଜାଣିବାକୁ ଚାହୁଁଛ? ତାଙ୍କୁ ଆମ ମଧ୍ୟକୁ ଆସିବାକୁ ଦେଲେ ତ ଯାଇ ଆମେ ଜାଣିପାରିବା । ତାଙ୍କର ବ୍ୟବହାର ସନ୍ଦେହଜନକ ହୋଇଥିଲେ ସେ ଗୁପ୍ତଚର ସବୁ କରିଥା’ନ୍ତେ, ଏପରି ନିର୍ଭୀକ ଭାବରେ ନୁହେଁ । ମୁଁ ଲଙ୍କା ଯାଇଥିବାବେଳେ ଏହି ମହାତ୍ମାଙ୍କର କିଛିଟା ଗୁଣର ପରିଚୟ ମୁଁ ପାଇଥିଲି । ତାଙ୍କପରି ଶ୍ରୀରାମ ଭକ୍ତ ଓ ମହାତ୍ମା ପୃଥିବୀରେ କାହିଁକି ଏ ତିନିଲୋକରେ ବି ଦୁର୍ଲଭ । ସେ ସର୍ବଦା ଅନ୍ତରରେ ରାମରାମ ଜପ କରି ପ୍ରଭୁଙ୍କ ଦର୍ଶନ ପାଇଁ ଜୀବନ ଧରି ସେହି ରାକ୍ଷସ ରାଜ୍ୟରେ ରହିଥିଲେ । ସେ ଧାର୍ମିକ ଓ ଋଷି ପୁଲସ୍ତ୍ୟଙ୍କର ସୁଯୋଗ୍ୟ ଦାୟାଦ । ପୁଣି ତିନିଲୋକରେ ଏପରି କେହି ନାହିଁ ଯିଏ ଭଗବାନଙ୍କର ଶରଣଭିକ୍ଷା କରିବ ଅଥଚ ପାଇବ ନାହିଁ । ପ୍ରଭୁ ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା । ଯଦି ଜଣେ ପାପୀ ଓ ଅପରାଧି ହୋଇଥାଏ, ତଥାପି ମଧ୍ୟ ପ୍ରଭୁଙ୍କ ପାଖରେ ଶରଣଭିକ୍ଷା କରିବାରେ ହିଁ ତା’ର ପାପମୋଚନ ହୋଇଥାଏ । ଆଉ ବିଭୀଷଣଙ୍କ ପରି ପୁଣ୍ୟାତ୍ମାଙ୍କୁ ଶରଣ ନ ଦେବାର ପ୍ରଶ୍ନ ଉଠୁନାହିଁ ପ୍ରଭୁ ଚରାଚର ବ୍ରହ୍ମାଣ୍ଡର କର୍ତ୍ତା । ପ୍ରଭୁଙ୍କର ଶରଣ ନେବାରେ ସବୁ ପ୍ରାଣୀର ଅଧିକାର ଅଛି । ମୁଁ ଯାହା କହିବାର କହିଲି । ଏଣିକି ପ୍ରଭୁ ଯାହା ବିଚାର କରିବେ ତାହାହିଁ ହେବ ।”