ତା’ପରେ ସେ ହନୁମାନ ରାବଣର ପତ୍ନୀମାନଙ୍କ ପୁରକୁ ଗଲେ । ସେଠାରେ ସେମାନଙ୍କର ଘରର ସାଜସଜ୍ଜା ଦେଖି ସେ ଅତ୍ୟନ୍ତ ମୁଗ୍ଧ ହେଲେ । ସେ ଦେଖିଲେ ସେମାନଙ୍କ ମଧ୍ୟରୁ କେତେକ ରାକ୍ଷସ କନ୍ୟା ଥିଲେ ଓ ଆଉ କେତେକ ଅନ୍ୟ ଦେଶର ରାଜକୁମାରୀ ଯେଉଁମାନଙ୍କୁ କି ରାବଣ ତା’ବଳପରାକ୍ରମରେ ଜିତି ଆଣିଥିଲା । ସେମାନେ ସବୁ ନାନା ପ୍ରକାର ପଟ୍ଟବସ୍ତ୍ର ଓ ଅଳଙ୍କାରରେ ସୁସଜ୍ଜିତା ଥିଲେ ଓ ସମସ୍ତେ ନିଜ ନିଜ କକ୍ଷରେ ନିଦ୍ରା ଯାଇଥିଲେ । ସେମାନଙ୍କର ଗଭାକୁ ସୁଶୋଭିତ କରୁଥିବା ପୁଷ୍ପର ସୁଗନ୍ଧ ଚତୁର୍ଦ୍ଦିଗରେ ବ୍ୟାପି ରହିଥିଲା କିଏ ବା ବୀଣାବାଦନ କରୁ କରୁ ବୀଣା ହାତରେ ଧରି ଶୋଇ ଯାଇଥିଲା । ତା’ପରେ ସେ ବିରାଟ ଶଯ୍ୟାରେ ଶୋଇଥିବା ରାଜା ରାବଣକୁ ମଧ୍ୟ ହନୁମାନ ଦେଖିଲେ । ତା’ର ହାତ ମହା ସର୍ପପରି ପ୍ରତିଭାତ ହେଉଥିଲା । ତା’ର ଶରୀରରେ ଏତେ ବେଶି ସ୍ୱର୍ଣ୍ଣ ଅଳଙ୍କାର ଥିଲା ଯେ ଦୂରରୁ ତାହା ସତେ ଯେପରି ଏକ ସୁନାର ପାହାଡ ପରି ଦିଶୁଥିଲା । ତା’ର ସାରା ଦେହରେ ସେ ରକ୍ତଚନ୍ଦନ ଲେପିଥାଏ । ନିକଟସ୍ଥ ଏକ ବଡ ଶଯ୍ୟାରେ ରାଣୀ ମନ୍ଦୋଦରୀ ଶୋଇଥିଲେ – ସେ ମଧ୍ୟ ନାନା ପ୍ରକାର ବେଶଭୁଷା ଓ ଅଳଙ୍କାର ଦ୍ୱାରା ସଜ୍ଜିତ ହୋଇଥିଲେ । ସେ ଦୂରରୁ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ହନୁମାନଙ୍କ ମନରେ କ୍ଷଣିକ ପାଇଁ ଏହି ଚିନ୍ତା ଆସିଲା ଯେ ହୁଏତ ସେ ହିଁ ଦେବୀ ସୀତା ହୋଇଥିବେ । କିନ୍ତୁ ତା’ପରକ୍ଷଣରେ ହନୁମାନ ପୁଣି ଭାବିଲେ, “ଏହା ତ କଦାପି ମଧ୍ୟ ସମ୍ଭବ ହୋଇ ନପାରେ । କାରଣ ଶ୍ରୀରାମଙ୍କ ବିଚ୍ଛେଦରେ ଦେବୀ ସୀତା ଏପରି ବିଳାସପୂର୍ଣ୍ଣ ଜୀବନ କିପରି ବିତାଇ ପାରିବେ? ଏହା ତ ସମ୍ପୂର୍ଣ୍ଣ ରୂପେ ଅସମ୍ଭବ କଥା । ପୁଣି ଅନ୍ୟ ଜଣେ ବ୍ୟକ୍ତିର ସ୍ତ୍ରୀ ହୋଇ ରହିବାକୁ ସେ କିପରି ବା ପସନ୍ଦ କରିପାରିବେ? ନା ନା ଏହି ଅଳଂକୃତା ସୁନ୍ଦରୀ ନାରୀ ନିଶ୍ଚୟ ଆଉ କିଏ ହୋଇଥିବେ, କିନ୍ତୁ କୌଣସି ରୂପେ ସେ କେବେବି ସୀତା ହୋଇ ନପାରନ୍ତି ।” ଏତିକି ଭାବି ସେ ପୁଣି ଆହୁରି ଆଗକୁ ଚାଲିଲେ ।
ମାତା ସୀତାଙ୍କୁ ଖୋଜିବାବେଳେ ହନୁମାନ ଲଙ୍କା ଗଡର ସମସ୍ତ ଦ୍ୱାର, ମହଲ, ବିଳାସଭବନ, ରାଣୀହଂସପୁର ଅନ୍ୟାନ୍ୟ ମଣ୍ଡପମାନ ଓ ବୃକ୍ଷଲତା ସମୁହ ଦେଖି ନେଉଥା’ନ୍ତି କାରଣ ତାଙ୍କ ମନେ ମନେ ସେ ଭାବୁଥା’ନ୍ତି ଯେ ଯୁଦ୍ଧ ସମୟରେ ଏସବୁ ଜ୍ଞାନ ବହୁତ କାମ ଦେବ । ଏହି ଉଦ୍ଧେଶ୍ୟରେ ସେ ଟିକିନିଖି ସବୁ ଦେଖି ଚାଲିଥା’ନ୍ତି । କୌଣସି ସ୍ଥାନରେ ସୀତାଙ୍କର ଚିହ୍ନବର୍ଣ୍ଣ ନ ଦେଖି ତାଙ୍କ ମନରେ ଏପରି ସନ୍ଦେହ ହେଲା କି ଦୁଃଖ, ଅତ୍ୟାଚାରରେ ପଡି ହୁଏତ ଦେବୀ ସୀତାଙ୍କର ମୃତ୍ୟୁ ହୋଇଯାଇଛି । ଏଠାକାର ବିକଟାଳ ବିଭତ୍ସ ରୂପ ଧାରଣ କରିଥିବା ରାକ୍ଷସ ରାକ୍ଷସୀଦଳଙ୍କୁ ଦେଖି ସେ କ’ଣ ଆଉ ତାଙ୍କ ଜୀବନ ଧରି ରହିଥିବେ?
ସୁଗ୍ରୀବ ଦେଇଥିବା ସମୟ ତ ବିତିଗଲାଣି । ତେବେ କ’ଣ ସେ ଅସଫଳ ହୋଇ ଫେରିବେ । ତାଙ୍କ ଫେରିବା ରାସ୍ତାକୁ ଅନାଇ ବସିଥିବା ବାନରଦଳଙ୍କ ଆଗରେ ସେ କିପରି ମୁହଁ ଦେଖାଇବେ? ସେମାନଙ୍କର ନାନା ପ୍ରକାର ପ୍ରଶ୍ନର ଉତ୍ତର ସେ କ’ଣ ବା ଦେବେ? ତାଙ୍କର ସେଠାରେ ଅଭିଜ୍ଞତା କ’ଣ ହେଲା? ତା’ପରେ ତାଙ୍କର ଶକ୍ତି ଉପରେ ଆଉ କାହାର ବି ହେଲେ ଆସ୍ଥା ରହିବ ନାହିଁ । ତା’ପରେ ସେମାନେ ତାଙ୍କ କଥାକୁ ହସି ଉଡାଇବେ । ଏହିସିବୁ କଥା ଭାବି ଭାବି ହନୁମାନଙ୍କ ପ୍ରାଣ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲା । ତାଙ୍କପରି ଶକ୍ତିଶାଳୀ ବୀର ଏତେବାଟ ଆସି, ଏତେ କଷ୍ଟ କରି, ଏତେ ଚେଷ୍ଟା କରି ଯଦି ଅସଫଳ ହେବେ ତେବେ ତାହା କେଡେ ଦୁଃଖର କଥା ନହେବ । ପୁଣି ସେ ଭାବିଲେ ହୁଏତ ରାବଣ ମାତା ସୀତାଙ୍କୁ ଉଠାଇ ଆଣିବାବେଳେ ସେ ଦୁଃଖରେ ବିଳାପ କରୁ କରୁ ପୁଷ୍ପକ ବିମାନ ଉପରୁ ପଡିଯାଇ ମରି ଯାଇଥିବେ । କିମ୍ବା ଲଙ୍କାରେ ରାକ୍ଷସୀମାନଙ୍କ ଦ୍ୱାରା ପରିବେଷ୍ଟିତା ହୋଇ ଶ୍ରୀରାମଙ୍କୁ ଝୁରି ଝୁରି ସେ ଆହାର ନିଦ୍ରା ତ୍ୟାଗ କରି ମୃତ୍ୟୁ ମୁଖରେ ପଡିଛନ୍ତି । ଏହିଭଳି ଭାବେ ଅନେକ କଥା ଭାବି ଚାଲିଲେ ମଧ୍ୟ ହନୁମାନ ତାଙ୍କ ସମସ୍ୟାର କୌଣସି ସମାଧାନ ଖୋଜି ପାଉନାହାଁନ୍ତି । ଅବଶେଷରେ ସେ ମନେ ମନେ ଠିକ୍ କଲେ ମାତା ସୀତାଙ୍କୁ ନ ପାଇଲେ ସମୁଦ୍ର ତୀରରେ ଚିତା ଜାଳି ପ୍ରାଣ ତ୍ୟାଗ କରିବେ ସିନା ହେଲେ ସେ ଆଉ ଅସଫଳ ହୋଇ ଫେରିଯିବେ ନାହିଁ । ନଚେତ୍ ହଠାତ୍ ରାବଣକୁ ଆକ୍ରମଣ କରି ତାକୁ ସେ ମାରିଦେବେ ବା ତା’ ଚୁଟିଧରି ଘୋଷାରି ନେଇ ଶ୍ରୀରାମଙ୍କ ପାଖରେ ସେ ପହଁଚିବେ । ଏବେ ତାଙ୍କ ମନରେ ଖାଲି ଚିନ୍ତା ଆଉ ଚିନ୍ତା । ଏହାର ସେ କୌଣସି କୁଳକିନାରା ବି ପାଉ ନଥା’ନ୍ତି । ଶେଷରେ ପୁଣି ସେ ଭାବିଲେ ଯିଏ କର୍ମବୀର ସେ କେବେବି ଏ ସବୁକୁ ଖାତିର କରେନାହିଁ । କେବଳ ସେ ତା’ କର୍ମ କରିଯାଏ । ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୋତେ ତ ଚେଷ୍ଟା କରିବାକୁ ହିଁ ହେବ । ଏହାପରେ ହନୁମାନ ଦୀର୍ଘଶ୍ୱାସ ପକାଇଲେ । ମନେ ମନେ ଶ୍ରୀରାମଙ୍କୁ ସେ ସ୍ମରଣ କଲେ । ସେ ଭାବିଲେ ଯିଏ ସାରା ସୃଷ୍ଟିକୁ ଚଳାଉଛି ତା’ କାମ ସିଏ କରିବ । ମୋତେ ଯଦି ଏକ ଯନ୍ତ୍ର ଭାବରେ ସେ ବାଛିଛନ୍ତି ମୁଁ ଏଥିରେ ନିଶ୍ଚୟ ସାଫଲ୍ୟ ଅର୍ଜ୍ଜନ କରିବି । ଏହିପରି ଭାବେ ସେ ମନେ ମନେ ଶ୍ରୀରାମଙ୍କୁ ପ୍ରାର୍ଥନା କଲେ । ଫଳରେ ନିମଷକରେ ତାଙ୍କର ସମସ୍ତ ଦୁଃଖ, ହତାଶା ଓ ଚିନ୍ତା ସବୁ କୁଆଡେ ଦୂର ହୋଇଗଲା ।
ତା’ପରେ ସେ ତାଙ୍କ ମନ ମଧ୍ୟରେ ନୂତନ ବଳ ଓ ପ୍ରେରଣା ପାଇଲେ । ପୁଣି ଖୋଜିବାରେ ଲାଗିଲେ । ମହଲ ପରେ ମହଲ, ବଣ ପରେ ବଣ, ପାହାଡ ପର୍ବତ ସବୁ ଯାଇ ସେ ଦେଖିଲେ, କିନ୍ତୁ ମାତା ସୀତାଙ୍କର ସେ କୋଉଠି ବି କୌଣସି ଖବର ପାଇଲେ ନାହିଁ । ଶେଷକୁ ସେ କ୍ଳାନ୍ତ ହୋଇ ପଡିଲେ ଓ ବିଶ୍ରାମ କରିବାକୁ ଚାହିଁଲେ । ଦେଖିଲେ ଅଦୂରରେ ଘନ ପତ୍ର ଆଚ୍ଛାଦିତ ଏକ ବାଟିକା । ବିଶ୍ରାମ ପାଇଁ ସୁଲଭ ହେବ ଭାବି ସେ ପତ୍ର ଗହଳରେ ଲୁଚି ଲୁଚି ଯାଇ ସେଠାରେ ପହଁଚିଲେ । ପତ୍ରଗହଳରୁ ସେ ଦେଖିବାକୁ ପାଇଲେ ଏହା ମଧ୍ୟ ଏକ ରାଜୋଦ୍ୟାନ । ଭିତରେ ପଦ୍ମ କୁମୁଦ ଶୋଭିତ ସୁନ୍ଦର ସରୋବର । ନାନା ପ୍ରକାର ସୁନ୍ଦର ସୁନ୍ଦର ଜାତିଜାତିକା ଫୁଲ ଫଳରେ ପୂର୍ଣ୍ଣ ଏହି ବାଟିକା ମଧ୍ୟରେ ଏକ ସୁନ୍ଦର ମଣ୍ଡପ । ସମସ୍ତ ସୌନ୍ଦର୍ଯ୍ୟକୁ ମିଳନ କରି ସେହି ମଣ୍ଡପ ଉପରେ ଜଣେ ତେଜସ୍ୱୀ ଓ ପରମା ସୁନ୍ଦରୀ ସ୍ତ୍ରୀ ବସିଛନ୍ତି । ତାଙ୍କ ଚକ୍ଷୁରୁ ଅନବରତ ଅଶ୍ରୁଧାରା ବହୁଛି, ମଧ୍ୟେ ମଧ୍ୟେ ସେ ଦୀର୍ଘନିଶ୍ୱାସ ବି ପକାଉଛନ୍ତି । ନିମ୍ନ ଦିଗକୁ ତାଙ୍କ ଦୃଷ୍ଟି । ତାଙ୍କ ଅନ୍ତର ଯେପରି ବାହାରର କୌଣସି ଘଟଣା ଦ୍ୱାରା ପ୍ରଭାବିତ ନୁହେଁ । ଅର୍ଥାତ୍ ତାଙ୍କ ଦୃଷ୍ଟି ସ୍ଥିର । ତାଙ୍କର ଚାରିଦିଗରେ ଅସୁରୀଗଣ ବେଢି ରହିଛନ୍ତି । ହନୁମାନ ଗଛପତ୍ରର ଆଢୁଆଳରେ ଥାଇ ତାଙ୍କୁ ଅପଲକ ନେତ୍ରରେ ଦେଖୁଛନ୍ତି । ଶ୍ରୀରାମଙ୍କ ବର୍ଣ୍ଣନା ଅନୁସାରେ ସେ ଦେଖିଲେ ଏହି ଦୁଃଖିନୀ ନାରୀହିଁ ନିଶ୍ଚୟ ଦେବୀ ସୀତା । ସୀତାଙ୍କର ଦୁଃଖ ଦେଖି ସେ ଯେତିକି ବିଚଳିତ ହେଲେ ତାଙ୍କୁ ଦେଖିପାରିଛନ୍ତି ବୋଲି ସେ ସେତିକି ଆନନ୍ଦିତ ମଧ୍ୟ ହେଲେ, ତା’ପରେ ସେ ନିଜକୁ ପରମ ଭାଗ୍ୟବାନ୍ ବୋଲି ଭାବିଲେ । ତାଙ୍କୁ ତ ସର୍ବଦା ଅସୁରୀମାନେ ବେଢି ରହିଛନ୍ତି, ଏଭଳି ପରିସ୍ଥିତିରେ ହନୁମାନ ତାଙ୍କୁ କେମିତି ଦେଖା କରିବେ ଏଇକଥା ସେ ଚିନ୍ତା କରୁଥା’ନ୍ତି, ଠିକ୍ ଏହି ସମୟରେ ଦୂରରୁ ତୁରୀ ଓ ଶଙ୍ଖ ବାଜିବାର ଶବ୍ଦ ଶୁଣାଗଲା ।