ହନୁମାନ ଲତାପତ୍ର ଗହଳରୁ ଥାଇ ଦେଖିଲେ ରାବଣ ତା’ର ପରିଜନବେଷ୍ଟିତ ହୋଇ ସେଠାକୁ ଆସୁଛି । ତା’ ସହିତ ତା’ର ସ୍ତ୍ରୀ ମନ୍ଦୋଦରୀ ମଧ୍ୟ ଥାଏ । ଅସଂଖ୍ୟ ସୁନ୍ଦରୀ ନାରୀ ତା’ ସହିତ ଚାଲିଥା’ନ୍ତି । କିଏ ପୁଷ୍ପବୃଷ୍ଟି କରୁଛି ତ କିଏ ଚାମର ଢାଳୁଛି । କିଏ ମଦ୍ୟପାନ କରାଉଛି ତ ଆଉ କିଏ ଶାସ୍ତ୍ରପାଠ କରୁଛି । କିଏ ବା ବାଦ୍ୟ ବଜାଉଛି । ରାବଣ ଦୂରରୁ ଆସୁଥିବାର ଶୁଣି ସୀତାଙ୍କ ମୁଖାରବିନ୍ଦ ଅଧିକ ଦୁଃଖ ଓ ଭୟରେ ଝାଉଁଳି ପଡିଲା ।
ନିକଟକୁ ଆସି ରାବଣ ସୀତାଙ୍କର ଏପରି ଭୟବିହ୍ୱଳ ଅବସ୍ଥାକୁ ଲକ୍ଷ୍ୟ କରି ଅଟ୍ଟହାସ୍ୟ କରି କହିଲା, “ହେ ନାରୀଶ୍ରେଷ୍ଠା ସୀତେ, ତୁମେ ମୋତେ ଦେଖି କାହିଁକି ଏତେ ଭୟ କରୁଛ? ଏ ସଂସାରର ଏପରି କିଛି ବସ୍ତୁ ନାହିଁ ଯାହା କି ତୁମକୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଦେଇ ନପାରିବି । ତିନିଲୋକ ମୁଁ ଜିଣିଛି । ଐଶ୍ୱର୍ଯ୍ୟପୂର୍ଣ୍ଣ ଲଙ୍କା ତୁମରି ହୋଇ ରହିବ । ଶହ ଶହ ସୁନ୍ଦରୀ ସ୍ତ୍ରୀ ତୁମର ପାଦସେବା କରିବେ । ସମସ୍ତ ରାଣୀମାନଙ୍କ ମଧ୍ୟରେ କେବଳ ତୁମେ ହିଁ ହେବ ମୋର ପାଟରାଣୀ । ସେଥିଲାଗି ଖାଲି ଥରେ ମାତ୍ର ଏଥିପାଇଁ ତୁମେ ସ୍ୱୀକୃତି ଦିଅ । ମୁଁ ତୁମର ପ୍ରେମପାର୍ଥୀ । ସାରା ସଂସାରରେ ମୋ ପରି ପରାକ୍ରମୀ ଆଉ କେହି ବି ନାହିଁ । ବଣ ଜଙ୍ଗଲରେ ଫଳମୂଳ ଖାଇ ବୁଲୁଥିବା ସେ ଭିକାରୀ ରାମ ତୁମ ପାଇଁ ଆଦୌ ଯୋଗ୍ୟ ନୁହେଁ । ତୁମେ ଅଯଥାରେ କାହିଁକି କଷ୍ଟରେ ଦିନ କଟାଉଛ । କ’ଣ ତୁମେ ଏବେବି ମଧ୍ୟ ଭାବୁଛ ଯେ ସାତ ସମୁଦ୍ର ପାରିହୋଇ ରାମ ଆସି ମୋ ସହିତ ଯୁଦ୍ଧ କରି ତୁମକୁ ଏଠାରୁ ନେଇଯାଇ ପାରିବ? ଅସମ୍ଭବ, ତାହା ସମ୍ପୂର୍ଣ୍ଣ ଅସମ୍ଭବ । ତୁମର ଏ ସୌନ୍ଦର୍ଯ୍ୟ ତୁମେ ଅଯଥାରେ ନଷ୍ଟ କରନାହିଁ । ତୁମେ ଆଜି ମୋ କଥାରେ ସ୍ୱୀକୃତି ଦିଅ ଦେଖ ତା’ପରେ କ’ଣ ହେଉଛି । ତୁମେ ନିଜେ ଇଚ୍ଛା ନକଲେ ମୁଁ ତୁମକୁ କୌଣସି ପ୍ରକାରେ ବଳାତ୍କାର କରିବି ନାହିଁ । ତୁମେ ଭାବିଦେଖ, ଥରେ ଭାବ, ଶତବାର ଭାବ, ସହସ୍ରବାର ବି ଭାବ ଦେଖିବ ମୋ ଛଡା ତୁମର ଆଉ କୁଆଡେ ବି ଗତି ନାହିଁ । ଦେବୀ ସୀତା ସ୍ଥିର ହୋଇ ବସି ସମ୍ମୁଖରେ କୁଟାଖଣ୍ଡେ ରଖି କହିଲେ, “ପାପିଷ୍ଠ ଅସୁର, ତୁ ଜଣେ ଅବଳା ସ୍ତ୍ରୀକୁ ଛଳ କରି ହରଣ କରି ଆଣିଛୁ । ସେଇଥିରୁ ହିଁ ଜଣାଯାଉଛି ଯେ ତୋର ବୀରତ୍ୱ କେତେଦୂର । ତୁ ଯଦି ପ୍ରକୃତରେ ପରାକ୍ରମୀ ଓ ବୀର ତେବେ ତୁ ମୋ ସ୍ୱାମୀଙ୍କ ସହିତ ସାମ୍ନା ସାମ୍ନି ଯୁଦ୍ଧ କରି ତାଙ୍କୁ ହରାଇ ମୋତେ କାହିଁକି ଆଣିଲୁ ନାହିଁ? ଶ୍ରୀରାମଙ୍କର ପରାକ୍ରମ ବିଷୟରେ ତୁ ଯଦି ତିଳେ ମାତ୍ର ଜାଣିଥା’ନ୍ତୁ ତେବେ ଏପରି କଦାପି ବି କହନ୍ତୁ ନାହିଁ ସାରା ସୃଷ୍ଟିର ଇଶ୍ୱର ରାମ ଗୋଟିଏ ମୁହୂର୍ତ୍ତରେ ଏହି ଲଙ୍କା ସମେତ ତୋତେ ବି ଦଗ୍ଧ କରି ପାରନ୍ତେ । ଶ୍ରୀରାମ ଆସିବେ ଓ ନିଶ୍ଚୟ ଆସିବେ ।”
ଏହାଶୁଣି ରାବଣ କହିଲା ସେ ଭିକାରୀ ରାମ କଥା ଭୁଲିଯାଅ ତୁମେ ଏବେ ଖାଲି ଆଦେଶକର ତୁମେ କ’ଣ ଚାହଁ । ଦେଖିବ ଅଳ୍ପ ସମୟ ମଧ୍ୟରେ ତାହା ପୂର୍ଣ୍ଣ ହେବ । କିନ୍ତୁ କାନ୍ଦି କାନ୍ଦି ଏପରି ସମୟ ବିତାଇବା ନା ତୁମ ପାଇଁ ଭଲ ନା ମୋ ପାଇଁ । ତୁମେ ରାମ ବିଷୟରେ ଅତ୍ୟନ୍ତ ଅଯଥା କଥା ସବୁ ଭାବୁଛ । ଏଠାକୁ କେହି ବି ଆସିପାରିବେ ନାହିଁ, ଯଦି ବି ସେ କୌଣସି ମତେ ଏଠାରେ ପହଁଚେ ତେବେ ସେ ଜୀବନ ନେଇ ଆଉ ଫେରିବ ନାହିଁ । ଏବେ ବୁଦ୍ଧିମତୀ ନାରୀପରି ତୁମେ ସବୁ ଭାବି ଦେଖ ଓ ଶିଘ୍ର ଏହାର ସମାଧାନ କର । ମୁଁ ଏସବୁ ତୁମରି ଭଲ ପାଇଁ ହିଁ କହୁଛି ।