ସଂପାତିଙ୍କଠାରୁ ମାତା ସୀତାଙ୍କର କିଛିଟା ଖବର ସଂଗ୍ରହ କରିବା ପରେ ବାନରମାନେ ଅତ୍ୟନ୍ତ ଆନନ୍ଦରେ ନାଚିଲେ, କୁଦିଲେ; ଡିଆଁ ମାରି ମାରି ଯାଇ ସମୁଦ୍ର କୂଳରେ ପହଁଚିଲେ । ହେଲେ ସମୁଦ୍ରର ଭୟଙ୍କର ରୂପ ଦେଖି ସେମାନଙ୍କ ଆନନ୍ଦ ଆଉ ରହିଲା ନାହିଁ । ସେମାନଙ୍କର ମୁହଁ ହଠାତ୍ ଶୁଖିଗଲା । ଅସୀମ ନୀଳ ସମୁଦ୍ରର ଉତାଳ ତରଙ୍ଗମାଳା । ଦିଗ୍ବଳୟ ବ୍ୟାପୀ ରହିଛି, ତା’ର ଶେଷ ନାହିଁ, କୂଳ କିନାରା ବି ନାହିଁ । ପୁଣି ତାହା ଭୟଙ୍କର ଜଳଜନ୍ତୁରେ ପୂର୍ଣ୍ଣ । କିପରି ବା ଏ ସାଗରକୁ କିଏ ଲଂଘି ଯାଇ ଲଙ୍କାରେ ପହଁଚିବ? ଏହି ଚିନ୍ତାରେ ପୁଣି ସମସ୍ତେ ଭାବନାରେ ପଡିଲେ ।
ସମସ୍ତିଙ୍କ ମନରେ ସେହି ଏକହିଁ ପ୍ରଶ୍ନ, ଏକହିଁ ସମସ୍ୟା । ଅଙ୍ଗଦ ସେମାନଙ୍କ ମନର ଅବସ୍ଥା ବୁଝିଗଲେ ଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଉତ୍ସାହ ଦେବାପାଇଁ କହିଲେ, “ତୁମେମାନେ ସମୁଦ୍ରକୁ ଦେଖି ଏତେ ଭୟ କାହିଁକି କରୁଛ । ଏବେ ତ ଆମର ବୀରତ୍ୱ ଧୈର୍ଯ୍ୟ ଓ ବୁଦ୍ଧି ପରୀକ୍ଷାର ସମୟ ଆସିଛି । ଯେମିତି ହେଉ ପଛେ ଆମକୁ ଏ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ହିଁ ହେବ । ମନରେ ଭୟ ଓ ନିରୁତ୍ସାହ ଥିଲେ ହେବାକୁ ଯାଉଥିବା କାମ ମଧ୍ୟ ନଷ୍ଟ ହୋଇଯିବ ।”
ସେଦିନ ରାତିରେ ତ ସେମାନେ ସେହି ସମୁଦ୍ର କୂଳରେ ହିଁ ରହିଲେ । ପରଦିନ ପ୍ରଭାତରେ ଅଙ୍ଗଦ ପୁଣି ବାନରମାନଙ୍କୁ ଏକତ୍ରିତ କରି ତାଙ୍କୁ ବୁଝାଇଲେ । ସେ କହିଲେ, “ବାନର ବୀରଗଣ, ଏବେ ନିଜର ବୀରତ୍ୱ ଦେଖାଇବା ସକାଶେ ଉଚିତ୍ ସମୟ ଆସିଛି । ଲଙ୍କା ତ ଏଠାରୁ ମାତ୍ର ଶହେ ଯୋଜନ । ଆମମାନଙ୍କ ମଧ୍ୟରୁ ଯିଏ ଲଙ୍କା ଯାଇ ମାତା ସୀତାଙ୍କ ଖବର ନେଇ ଫେରି ଆସିବ ସେ କାଳ କାଳ ପାଇଁ ଯଶସ୍ୱୀ ହୋଇ ରହିବ । ଖବର ନେଇ ଫେରି ଆସିଲେ ଯାଇ ଆମେ ମହାରାଜା ସୁଗ୍ରୀବ, ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମୁହଁ ଦେଖାଇ ପାରିବା । ନହେଲେ ଏହିଠାରୁ ଫେରିଯିବାର ତ ଆଉ କୌଣସି ଉପାୟ ହିଁ ନାହିଁ । ଖବର ସଂଗ୍ରହ ନକରି ଫେରିଲେ ଆମର ଆଉ ନିସ୍ତାର ନାହିଁ । ତେଣୁ ତୁମେମାନେ ନିଜର ଶକ୍ତି ଓ ପରାକ୍ରମ ବିଷୟରେ କୁହ । କିଏ କେତେ ଯୋଜନ ଯାଇ ପାରିବ ।”
ସବୁ ଶୁଣିସାରି ସମସ୍ତେ ଚୁପ୍ । ସମୁଦ୍ର ଦେଖି ପ୍ରସ୍ତର ମୂର୍ତ୍ତିଭଳି ସବୁ ବାନରମାନେ ବସିଛନ୍ତି । ସେମାନଙ୍କର ସେପରି ଅବସ୍ଥା ଦେଖି ଅଙ୍ଗଦ ପୁଣି କହିଲେ, “ତମେମାନେ ଶକ୍ତିଶାଳୀ, ତୁମମାନଙ୍କ ଶକ୍ତିର ବହୁ ସୁଖ୍ୟାତି ଅଛି । ଅନେକ ଯୁଦ୍ଧରେ ମଧ୍ୟ ତୁମେମାନେ ଜିତିଛ । ତେବେ ଏବେ ଏତେ ଭୟ କାହିଁକି? ଏବେ କେବଳ କୁହ ଯେ କିଏ କେତେଦୂର ଡେଇଁଯାଇ ପାରିବ?”