ତା’ପରେ ଜାମ୍ବବାନ୍ ହନୁମାନଙ୍କୁ କହିଲେ, “ହେ ପବନପୁତ୍ର ହନୁମାନ, ତୁମପରି ମହା ଶକ୍ତିଶାଳୀ ବୀର ଥାଉ ଥାଉ ଆମର ଏ କି ଦୁର୍ଦ୍ଦଶା, ଆମେ ଭାବି ଭାବି ମରୁଛୁ, ଆଉ ତୁମେ ଚୁପ୍ଚାପ୍ ବସିଛ? ତୁମ ବାହୁରେ ତ ଗରୁଡର ପକ୍ଷପରି ବଳ ଅଛି । ତୁମେ ମହାନ୍ ପରାକ୍ରମୀ ସୁଗ୍ରୀବ ଓ ଲକ୍ଷ୍ମଣଙ୍କ ଅପେକ୍ଷା କୌଣସି ଦିଗରୁ ବି କମ୍ ନୁହେଁ । ତୁମ ସମ୍ମୁଖରେ ଯେ କେହି ଠିଆ ହୋଇ ପାରିବେ, ସେପରି କୌଣସି ପ୍ରାଣୀ ତ ଏ ପୃଥିବୀରେ ହିଁ ନାହିଁ । ଜନ୍ମ ହେଉ ହେଉ ଉଦୟ ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବି ଖାଇ ପକାଇଥିଲ; ସାରା ଅନ୍ତରୀକ୍ଷ ଉଡି ବୁଲିଥିଲ । ଆଉ ଏଇ ସାଗର ପାରିହେବା ତୁମ ପକ୍ଷରେ ତ କିଛି ବି ନୁହେଁ । ତୁମ ଛଡା ଏ କାମ ଆଉ କିଏ ବା କରି ପାରିବ? ଏବେ ଉଠ, ତୁମର ବିରାଟ ରୂପ ପ୍ରକାଶ କର ଓ ଆମର ଦୁଶ୍ଚିନ୍ତା ହରଣ କର ।”
ଏତେ ସବୁ ସ୍ତୁତି ଶୁଣିବା ପରେ ହନୁମାନଙ୍କର ସମଗ୍ର ଶରୀର ଅଧିକ ଉତ୍ସାହ ଓ ପରାକ୍ରମରେ ଭରିଗଲା । ତାଙ୍କର ଆକାର ଧୀରେ ଧୀରେ ବଢିବାକୁ ଲାଗିଲା । ତାଙ୍କର ସେହି ମହାନ୍ ରୂପ ଦେଖି ବାନରମାନେ ଖୁବ୍ ଖୁସି ହେଲେ । ତା’ପରେ ସେମାନେ ମନ ମଧ୍ୟରେ ତାଙ୍କୁ ପୂଜା କଲେ, ଅନ୍ୟ କେତେକ ବାନର ଆନନ୍ଦରେ ଡେଇଁଲେ, କୁଦିଲେ, ଅନ୍ୟ କେତେକ ହନୁମାନଙ୍କ ବଳପରାକ୍ରମର ଭୂୟସୀ ପ୍ରଶଂସା ଗାନ କଲେ । ପ୍ରଶଂସା ଶୁଣି ହନୁମାନଙ୍କ ଶରୀର ଅଧିକ ବଢିବାକୁ ଲାଗିଲା ।
ଶେଷରେ ସମ୍ପୂର୍ଣ୍ଣ ବିଶାଳ ଶରୀର ପ୍ରାପ୍ତ କରିବା ପରେ ସେ ସିଂହନାଦ କଲେ । ସେତେବେଳେ ତାଙ୍କର ଚେହେରା ନିର୍ଧୁମ ଅଗ୍ନି ସଦୃଶ ଜଳୁଥିଲା ।
ତା’ପରେ ସେ ବୃଦ୍ଧ ବାନରଙ୍କୁ ଅଭିବାଦନ କରି ହନୁମାନ କହିଲେ, “ମୁଁ ସାଗରକୁ ବାୟୁଦେବତାଙ୍କ ପରି ଅତି ସହଜ ଭାବରେ ଲଙ୍ଘନ କରିଯିବି । ସୂର୍ଯ୍ୟ ଉଦୟ ହେବା ମାତ୍ରେ ମୁଁ ଏଠାରୁ ଉଡିଯିବି ଓ ସେ ଅସ୍ତ ଯିବା ପୂର୍ବରୁ ହିଁ ମୁଁ ଫେରିଆସି ଅଧା ରାସ୍ତାରେ ତାଙ୍କୁ ଦେଖା କରିବି । ମୁଁ ଯେଉଁ ପଥ ଦେଇ ଉଡିବି ସେଠାରେ କେବଳ ସାଗରହିଁ ମୋ ମୁହଁ ଦେଖିପାରିବ । ମୁଁ ଉଡୁଥିବା ବେଳେ ସମଗ୍ର ବାଦଲ ଛିନ୍ନଭିନ୍ନ ହୋଇଯିବେ । ଯଦି କୌଣସି ପାହାଡ ଥାଏ ତ ତାହା ମଧ୍ୟ କମ୍ପି ଉଠିବ । ମୁଁ ସୀତାମାତାଙ୍କର ଠାବ ନିଶ୍ଚୟ କରିବି । କାରଣ ମୁଁ ସବୁ ଶୁଭ ସଙ୍କେତମାନ ଆରମ୍ଭରୁ ଦେଖିବାକୁ ପାଉଛି । ଦରକାର ହେଲେ ସମଗ୍ର ଲଙ୍କା ରାଜ୍ୟକୁ ମୁଁ ଖୋଳି ତାଡି ଫୋପାଡି ଦେବି ଏବଂ ତା’ପରେ ସୀତାଙ୍କୁ ନିଜ କାନ୍ଧ ଉପରେ ବସାଇ ଲଙ୍କାରୁ ଫେରି ଆସିବି । ” ହନୁମାନଙ୍କ କଥା ଶୁଣି ବାନରମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଓ ଆନନ୍ଦରେ ବିଭୋର ହୋଇ ଉଠିଲେ ।
ଉତ୍ସାହିତ ହୋଇ ଜାମ୍ବବାନ୍ ପୁଣି ହନୁମାନଙ୍କର ସ୍ତୁତି କରି କହିଲେ, “ବତ୍ସ, ତୁମ ଯୋଗୁଁ ଆମର ଦୁଶ୍ଚିନ୍ତା ଦୂର ହେଲା । ଆମେ ସବୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବୁ କି ସେ ତୁମ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରନ୍ତୁ । ଆମମାନଙ୍କର ସ୍ନେହ ଶୁଭେଚ୍ଛା ତୁମ ସହିତ ରହିଛି । ତୁମେ କାମ ସାରି ଏଠାକୁ ଫେରି ଆସିବା ପର୍ଯ୍ୟନ୍ତ ଆମେ ପ୍ରତୀକ୍ଷା କରି ରହିଥିବୁ ।”
ତା’ପରେ ହନୁମାନ ମହେନ୍ଦ୍ର ପର୍ବତକୁ ଚଢିବାକୁ ଗଲେ । ଯିବା ପୂର୍ବରୁ ସେ କହିଲେ, “ପୃଥିବୀମାତା ମୋର ପାଦ ଭାର ସହିପାରିବେ ନାହିଁ ବୋଲି ମୁଁ ପର୍ବତ ଉପରକୁ ଯାଉଛି, ସେହିଠାରୁ ମୁଁ ଆକାଶକୁ ଲମ୍ପ ଦେବି ।” ତା’ପରେ ଦେଖୁ ଦେଖୁ ଖୁବ୍ ଶୀଘ୍ର ସେ ମହେନ୍ଦ୍ର ପର୍ବତର ଶିଖର ଦେଶରେ ଯାଇ ପହଁଚିଲେ । ସେଠାରେ ସେ ଉଡିବା ପୂର୍ବରୁ ନିଜର ହାତ ପାଦ ଓ ଦେହକୁ ଖୁବ୍ ହଲାଇଲେ । ସେତିକିରେ ପର୍ବତ କମ୍ପି ଉଠିଲା ଓ ତା’ ଦେହରେ ଥିବା ଗଛମାନଙ୍କରୁ ଅସଂଖ୍ୟ ଫୁଲଫଳ ଝଡି ପଡିଲା । ଉପରେ ପଡିଥିବା ବଡ ବଡ ପଥରଖଣ୍ଡ ସବୁକୁ ସେ ତାଙ୍କ ପାଦରେ ଗଡାଇଲେ । ସେ ଭୟଙ୍କର ଶବ୍ଦ ଯୋଗୁଁ ତରସ୍ତ ହୋଇ ଗୁମ୍ଫା ମାନଙ୍କରେ ଥିବା ଜନ୍ତୁଜୁନ୍ତା ଭୟରେ ଦୌଡିଲେ ।