ମହେନ୍ଦ୍ର ପର୍ବତର ବଡ ବଡ ଗୁମ୍ଫାରେ ଅନେକ ଋଷି ରହୁଥା’ନ୍ତି । ହନୁମାନ ପଥର ସବୁ ଗଡାଇବାରୁ ସେ ଭୟଙ୍କର ଶବ୍ଦରେ ସେମାନେ ବାହାରକୁ ଆସି ତାଙ୍କର ବିରାଟ ରୂପ ଦେଖିଲେ ଓ ପ୍ରଭୁଙ୍କ କାମରେ ଯାଉଛନ୍ତି ଜାଣି ଆନନ୍ଦିତ ହୋଇ ତାଙ୍କୁ ଅନେକ ଆଶିର୍ବାଦ ବି କଲେ ।
ହନୁମାନ ଉଡିବା ପୂର୍ବରୁ ବାନରମାନଙ୍କୁ କହିଲେ, “ମୁଁ ଶୀଘ୍ର ଲଙ୍କାରେ ପହଁଚି ମାତା ସୀତାଙ୍କର ଠାବ କରିବି । ସେଠାରେ ନ ପାଇଲେ ସ୍ୱର୍ଗ ସମେତ ତିନି ଲୋକରେ ମୁଁ ଖୋଜିବି । କେଉଁଠି ନ ପାଇଲେ ଶୀଘ୍ର ଲଙ୍କା ଫେରି ଆସି ରାବଣକୁ ଧରି ଆଣି ଶ୍ରୀରାମଙ୍କ ପାଦତଳେ ତାକୁ ସମର୍ପଣ କରିବି ଓ ସାରା ଲଙ୍କାପୁରୀକୁ ଧ୍ୱଂସ କରିବି ।” ତା’ପରେ ସେ ଆକାଶ ମାର୍ଗକୁ ଲମ୍ପ ଦେଇ ଲଙ୍କା ଉଦ୍ଧେଶ୍ୟରେ ଉଡିବାକୁ ଆରମ୍ଭ କଲେ । ଯେତେବେଳେ ଉଜ୍ଜ୍ୱଳ ନୀଳ ଆକାଶରେ ପୁଚ୍ଛ ସଂଚାଳନ କରି ମହାବୀର ହନୁମାନ ଉଡି ଉଡି ଯାଉଥିଲେ ସେତେବେଳେ ସେ ଦୃଶ୍ୟ ଅତି ମନୋରମ ଓ ଆନନ୍ଦ ଦାୟକ ହୋଇଥିଲା; ଦେବତାମାନେ ମଧ୍ୟ ଉତ୍ସୁକତା ସହକାରେ ହନୁମାନଙ୍କର ଏ ରୂପ ଅବଲୋକନ କରି ଆଶ୍ଚର୍ଯ୍ୟ ଓ ଆନନ୍ଦ ହୋଇଥିଲେ ।
ଉଡିବା ସମୟରେ ତାଙ୍କର ତୀବ୍ର ବେଗ ଯୋଗୁଁ ବାୟୁତରଙ୍ଗ ସବୁ ଘନ ଘନ ଆନ୍ଦୋଳିତ ହୋଇ ନାନା ପ୍ରକାର ନାଦ ସୃଷ୍ଟି କରୁଥିଲେ । ଲଙ୍କାଗଡର ଭବିଷ୍ୟତ ପାଇଁ ସେ ଥିଲେ ଧୂମକେତୁ ଓ ତାଙ୍କର ପୁଚ୍ଛ ଧୂମକେତୁର ପୁଚ୍ଛ ସଦୃଶ ଶୋଭା ପାଉଥିଲା । ତାଙ୍କର ତୀବ୍ର ଗତି ଯୋଗୁଁ ପବନର ବେଗ ଆନ୍ଦୋଳିତ ହୋଇ ସମୁଦ୍ରରେ ଘନ ଘନ ତରଙ୍ଗମାଳା ସୃଷ୍ଟି କରୁଥିଲେ । ଫଳରେ ସାଗରବକ୍ଷ କ୍ଷଣକ ପାଇଁ ବିଷୁଦ୍ଧ ହୋଇ ଉଠୁଥିଲା । ହନୁମାନଙ୍କୁ ଏପରି ଯାଉଥିବାର ଲକ୍ଷ୍ୟ କରି ସାଗର ଦେବତା ଭାବିଲେ ଏବେ ଠିକ୍ ସମୟ ଆସିଛି ଶ୍ରୀରାମଚନ୍ଦ୍ରଙ୍କ କାର୍ଯ୍ୟରେ ସେ ମଧ୍ୟ କିଛିଟା ସହାୟତା କରିବେ । କାରଣ ଇକ୍ଷ୍ୱାକୁ ବଂଶର ସଗର ପୁତ୍ରମାନଙ୍କ ଯୋଗୁଁହିଁ ସାଗରର ସୃଷ୍ଟି । ଶ୍ରୀରାମ ଇକ୍ଷ୍ୱାକୁ ବଂଶରେ ଜନ୍ମ ନେଇଛନ୍ତି ଓ ସେ ସାକ୍ଷାତ୍ ଭଗବାନଙ୍କର ଅବତାର । ତେଣୁ ହନୁମାନ ଶ୍ରୀରାମଙ୍କ କାମରେ ଯାଉଥିବାରୁ ଏବେ ତାଙ୍କୁ ସାହାଯ୍ୟ କରିବା ଉଚିତ୍ । ତା’ପରେ ତାଙ୍କ ମଧ୍ୟରେ ବୁଡି ରହିଥିବା ମୈନାକ ଶିଖରୀକୁ ଡାକି ସେ କହିଲେ, “ହେ ପର୍ବତଶ୍ରେଷ୍ଠ ତୁମେ ଏବେ ତୁମର ପକ୍ଷ ସାହାଯ୍ୟରେ ଉଡି ଉଡି ଉପରକୁ ଉଠ । ଆକାଶ ମାର୍ଗରେ ବୀର ହନୁମାନ ମାତା ସୀତାଙ୍କୁ ଠାବ କରିବାକୁ ତଥା ଇକ୍ଷ୍ୱାକୁକୁଳ ଶିରୋମଣି ଭଗବାନ୍ ଶ୍ରୀରାମଙ୍କ କାର୍ଯ୍ୟରେ ଯାଉଛନ୍ତି । ଯାହାଦ୍ୱାରା ସେ ତୁମ ଉପରେ କିଛି ସମୟ ବିଶ୍ରାମ କରିପାରିବେ । ତଦ୍ୱାରା ତୁମର ଓ ମୋର ମଙ୍ଗଳ ହେବ ।”
ସାଗରଙ୍କ କଥା ଶୁଣି ତତ୍କ୍ଷଣାତ୍ ମୈନାକ ଶିଖରୀ ଧୀରେ ଧୀରେ ଉଦୟ ହେଉଥିବା ସୂର୍ଯ୍ୟ ଭଳି ଜଳ ମଧ୍ୟରୁ ଉପରକୁ ଉଠୁଥା’ନ୍ତି ଏହି ଦୃଶ୍ୟ ଅତ୍ୟନ୍ତ ମନୋହର ଦେଖା ଯାଉଥାଏ । କିନ୍ତୁ ହନୁମାନ ଭାବିଲେ କୌଣସି ଅପଶକ୍ତି ବୋଧହୁଏ ତାଙ୍କ ମାର୍ଗରେ ବାଧାସୃଷ୍ଟି କରୁଛି । ତେଣୁ ସେ ଏକ ବିରାଟ ହୁଂକାର ଦେଲେ ଯାହା ଦ୍ୱାରା କି ସେ ପର୍ବତ କମ୍ପି ଉଠିଲା । ମୈନାକ୍ ଏହା ଜାଣି ଆନନ୍ଦିତ ହେଲେ ଯେ ବୀର ହନୁମାନଙ୍କର ବଳ କ୍ଷୟ ହୋଇନାହିଁ ବା ସେ କ୍ଳାନ୍ତ ବି ହୋଇ ନାହାଁନ୍ତି, ତେଣୁ ସେ ମନୁଷ୍ୟ ରୂପ ଧରି ତାଙ୍କୁ ବିନୟ ସହକାରେ କହିଲେ, “ହେ ହନୁମାନ, ତୁମେ ଯେପରି ବୀରତ୍ୱ ସହକାରେ ସାଗର ଲଂଘନ କରୁଛ ତାହା ଅପୂର୍ବ । ତୁମେ ଏତେଦୂର ଆସି ମଧ୍ୟ ତୁମର କୌଣସି ଶକ୍ତିକ୍ଷୟ ହୋଇନାହିଁ । କିନ୍ତୁ ସାଗର ଦେବତା ମୋତେ କହିଛନ୍ତି ତୁମକୁ ଅନୁରୋଧ କରିବାକୁ କି ତୁମେ ମୋର ଶିଖରରେ କିଛି ସମୟ ବିଶ୍ରାମ କର । ଏହା ସେ ଇକ୍ଷ୍ୱାକୁ ବଂଶୀୟ ଶ୍ରୀରାମଙ୍କ ପ୍ରତି କୃତଜ୍ଞତା ଯୋଗୁଁ କରିଛନ୍ତି । କାରଣ ଇକ୍ଷ୍ୱାକୁ ବଂଶର ସଗର ପୁତ୍ରମାନଙ୍କ ଦ୍ୱାରା ସାଗରର ସୃଷ୍ଟି ।” ସବୁକଥା ଶୁଣି ହନୁମାନ କିଛି ଉତ୍ତର ନ ଦେବାରୁ ମୈନାକ ପୁଣି କହିଲେ, “ତୁମେ ବାୟୁଦେବଙ୍କ ପୁତ୍ର ବୋଲି ତୁମର ସତ୍କାର କରିବା ମଧ୍ୟ ଆମର କର୍ତ୍ତବ୍ୟ । ସତ୍ୟ ଯୁଗରେ ପର୍ବତମାନଙ୍କର ପକ୍ଷ ଥିଲା ଓ ସେମାନେ ମଧ୍ୟ ଉଡି ପାରୁଥିଲେ । ଋଷି ମୁନି ଦେବତା ଓ ଜନପଦ ବାସୀମାନେ ପର୍ବତ ତଳେ ଚାପି ହୋଇଯିବେ ବୋଲି ଭୟ କଲେ । ତେଣୁ ଇନ୍ଦ୍ର ବଜ୍ରାୟୁଧ ଧରି ସମସ୍ତିଙ୍କ ପକ୍ଷ ଛେଦନ କଲେ । ମୋର ପକ୍ଷ ଛେଦନ କରିବା ପୂର୍ବରୁ ବାୟୁଦେବଙ୍କ ସହାୟତାରେ ମୁଁ ସାଗର ମଧ୍ୟରେ ଆଶ୍ରୟ ନେଇଛି । ଏବେ ମଧ୍ୟ ମୋର ପକ୍ଷ ରହିଛି । ତୁମ ପିତାଙ୍କ ପାଖରେ ମୁଁ ସର୍ବଦା ଋଣୀ ତେଣୁ ତୁମର ସତ୍କାର ହେଲେ ମୋ ମନରେ ବଡ ଆନନ୍ଦ ହେବ । ସେ ସୁଯୋଗ ତୁମେ ମୋତେ ଏହି ଅବସରରେ ପ୍ରଦାନ କର ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।