ସୂର୍ଯ୍ୟୋଦୟ ପରେ ପରେ ବାନର ସେନା ଓ ରାକ୍ଷସସେନାଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଖୁବ୍ ମରାମରି ପିଟାପିଟି ହୋଇ ରକ୍ତନଦୀ ବହିଲା । ରାକ୍ଷସଙ୍କର ନିଷ୍ଠୁର ଓ ଭୟଙ୍କର ଆକ୍ରମଣରେ ବାନରସେନା ଛିନ୍ଛତ୍ର ହୋଇଗଲେ । ବାନରମାନେ ସିନା ବୀରତ୍ୱ ସହକାରେ ଯୁଦ୍ଧ କରୁଥିଲେ, କିନ୍ତୁ ସେମାନଙ୍କ ପ୍ରକୃତି ତ ସରଳ । ସେମାନଙ୍କୁ କୂଟକପଟ ଜଣା ନଥିଲା । ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବହିଁଥିଲା ସେମାନଙ୍କ ପ୍ରେରଣା । ସେହି ପ୍ରେରଣା ଦ୍ୱାରା ଚାଳିତ ହୋଇ ସେମାନେ ପ୍ରାଣପାତ କରି ଲଢୁଥିଲେ । ରାକ୍ଷସମାନେ କିନ୍ତୁ ସେମାନଙ୍କୁ ନାନା ପ୍ରକାର ଛଳନା ଦେଖାଉଥିଲେ । ବାନରମାନେ ଯେତେ କଷ୍ଟ ପାଇଲେ ବି ଶ୍ରୀରାମଙ୍କ ଜୟଧ୍ୱନି ନେଇ ସେମାନେ ପୁନର୍ବାର ସାହସ ଫେରି ପାଉଥିଲେ । ଥରେ ଯୁଦ୍ଧକ୍ଷେତ୍ରରେ ଶ୍ରୀରାମଙ୍କୁ ଦର୍ଶନକରି ଦେଲେ ସେମାନଙ୍କର ସବୁ ଯନ୍ତ୍ରଣା କୁଆଡେ ଦୂର ହୋଇ ଯାଉଥିଲା ।
ବାନରମାନଙ୍କ କଷ୍ଟ ଦେଖି ଶ୍ରୀରାମ ଖୁବ୍ ବିଚଳିତ ହୋଇ ପଡିଲେ ଓ ତତ୍କ୍ଷଣାତ୍ ସେ ତାଙ୍କ ଶତ୍ରୁମାନଙ୍କ ଉପରେ ଶର ବର୍ଷଣ କଲେ । ଶ୍ରୀରାମଙ୍କର ଶର ସାମନାରେ କେହି ବି ତିଷ୍ଠି ପାରିଲେ ନାହିଁ । ଫଳରେ ବହୁ ରାକ୍ଷସ ସୈନ୍ୟଙ୍କର ମୃତ୍ୟୁ ହେଲା । ଶ୍ରୀରାମଙ୍କ ଯୁଦ୍ଧ କୌଶଳ ଦେଖି ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ ଇତ୍ୟାଦି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେତେବେଳେ ଶ୍ରୀରାମ କହିଲେ “ଏହିପରି ତୀର ଚଳାଇ ପାରନ୍ତି କେବଳ ଭଗବାନ୍ ଶିବ ଓ ତା’ପରେ ମୁଁ ।”
ଅନେକ ରାକ୍ଷସ ଯୁଦ୍ଧରେ ହତ ହେବାରୁ, ନଗରୀରେ ରାକ୍ଷସୀମାନେ କାନ୍ଦୁଥାନ୍ତି । କାହାର ସ୍ୱାମୀ, କାହାର ପୁତ୍ର, କାହାର ପିତା, କାହାର ବା ଭ୍ରାତା ଯୁଦ୍ଧରେ ହତ ହୋଇଥାନ୍ତି । ସେମାନେ ବିଳାପ କରି କରି କହୁଥା’ନ୍ତି, “ଏହି ପାପିନୀ ସୂପର୍ଣଖା ଯୋଗୁଁ ଆଜି ଏତେ କଥା ହେଲା । ସେ କ’ଣ ଯେ ତା’ ଭାଇ ରାବଣ କାନରେ ଫୋଡିଲା, ସେଥିରେ ସେ ଯାଇ ସୀତାଙ୍କୁ ଅପହରଣ କରି ଆଣିଲେ । ସେହି ପାପରୁ ଯୁଦ୍ଧ, ଆଉ ଲକ୍ଷ ଲକ୍ଷ ରାକ୍ଷସଙ୍କର ମୃତ୍ୟୁ ହେଉଛି । ହେଲେ ଆମର ଅପରାଧ କ’ଣ? କେବଳ ରାଜାଙ୍କ ଯୋଗୁଁ ଆମେ ଏପରି କଷ୍ଟ ସହୁଛୁ ।”
ରାବଣ ଶୀଘ୍ର ନିଜର ସେନାପତିମାନଙ୍କୁ ଧରି ଯୁଦ୍ଧ କ୍ଷେତ୍ରକୁ ଗଲା । ଯିବା ପୂର୍ବରୁ ଆସ୍ଫାଳନ କରି ସେ କହୁଥାଏ, “ଏବେ ସମସ୍ତ ରାକ୍ଷସ ସୈନ୍ୟ ମନଦେଇ ଶୁଣ । ଆଜି ଲଙ୍କାକୁ ଛାର ଖାର କରିଥିବା ଏହି ମାନବମାନଙ୍କୁ ଛଳେ, ବଳେ ଓ କୌଶଳରେ ନିପାତ କରିବାକୁ ହେବ । ଆମର ହଜାର ହଜାର ଅସୁର ନାରୀ ଆଜି ବିଧବା ଓ ପୁତ୍ରହୀନା ହୋଇଛନ୍ତି । ତେଣୁ ଯେକୌଣସି ପରିସ୍ଥିତିରେ ହେଉପଛେ ଆମକୁ ଏହାର ପ୍ରତିଶୋଧ ନେବାକୁ ହେବ । ବୀରତ୍ୱର ସହିତ ଯୁଦ୍ଧ କରିବାକୁ ହେବ । ଆଜି ମୁଁ ନିଜେ ଯୁଦ୍ଧ କ୍ଷେତ୍ରକୁ ଆସିଛି । ଜାଣ ଏଥର ଆମର ବିଜୟ ସୁନିଶ୍ଚିତ । ସେହି ବାନର ସୈନ୍ୟ ଓ ଦୁଇଟା ମଣିଷ ଆମର କ’ଣ କରିବେ? ସେମାନେ ତ ଆମର ଖାଦ୍ୟ । ହେ ଅସୁର ସୈନ୍ୟମାନେ, ଯେତେ ବାନର ପାରୁଛ ଖାଇଯାଅ । ପେଟଭରି ଖାଇଯାଅ, ଆଉ ମୁଁ ଏଇ ଅଳ୍ପସମୟ ମଧ୍ୟରେ, ମୋର ପୁତ୍ର ଓ ଭ୍ରାତାର ହତ୍ୟାକାରୀମାନଙ୍କୁ ଯମାଳୟକୁ ପଠାଇବି ।” ସେତେବେଳେ ରାବଣ ଖୁବ୍ ରାଗିଯାଇଥିଲା ଓ ବାନର ସେନାଙ୍କ ଚକ୍ରବ୍ୟୁହ ଭେଦ କରି ଅନବରତ ବାଣ ବର୍ଷଣ କରି ବହୁ ବାନର ସେନା ନଷ୍ଟ କଲା । ସେସବୁ ତୀରରେ ତନ୍ତ୍ରଶକ୍ତି ରହିଥାଏ । କୌଣସି କୌଣସି ତୀର ମୁହୂର୍ତ୍ତକ ସକାଶେ ଅଗ୍ନିବର୍ଷା କରୁଥାନ୍ତି ତ କୌଣସି ତୀର ଠିକ୍ ବଜ୍ରଭଳି ଶବ୍ଦ କରି ବାନରମାନଙ୍କୁ ହତବମ୍ବ କରି ନେଉଥାନ୍ତି । ଥରେ ରାବଣ ଏପରି ଏକ ଅସ୍ତ୍ର ପ୍ରୟୋଗ କଲା, ଯାହା ଫଳରେ ବାନରମାନେ ଭୀଷଣ ଯନ୍ତ୍ରଣା ପାଇ ଛଟପଟ ହେଲେ ।
ସେହି ଭୟଙ୍କର ଦୃଶ୍ୟ ଦେଖି ସୁଗ୍ରୀବ ଖୁବ୍ ରାଗିଗଲେ ଓ ଜାମ୍ବବାନଙ୍କ ଉପରେ ବାନରସେନାଙ୍କୁ ରକ୍ଷା କରିବାର ଦାୟିତ୍ୱ ଦେଇ ନିଜେ ଯାଇ ଅନ୍ୟ ରାକ୍ଷସଙ୍କ ସହିତ ଘୋର୍ ଯୁଦ୍ଧ କଲେ । ଫଳରେ ରାକ୍ଷସସେନା ମରିବାକୁ ଲାଗିଲେ । ତା’ପରେ ବିରୁପାକ୍ଷ ରାକ୍ଷସସେନାଙ୍କର ସହାୟତା କରିବାକୁ ଆସିଲା । ଏହାପରେ ସୁଗ୍ରୀବ ଓ ବିରୁପାକ୍ଷ ମଧ୍ୟରେ ଘୋର୍ ଯୁଦ୍ଧ ଲାଗିଲା । ବିରୁପାକ୍ଷ ଗୋଟିଏ ହାତୀ ଉପରେ ଚଢି ଆସିଥିଲା । ସୁଗ୍ରୀବ ଭୟଙ୍କର ଭାବରେ ରାଗିଯାଇ ଏକ ବିରାଟ ଗଛ ଉପାଡି ତାହାକୁ ସେ ବିରୁପାକ୍ଷର ହାତୀ ଉପରେ ପିଟି ତାକୁ ତଳେ ଗଡାଇ ଦେଲେ । ବିରୁପାକ୍ଷ ବାଧ୍ୟ ହୋଇ ଭୂମି ଉପରେ ଠିଆ ହୋଇ ଯୁଦ୍ଧ କଲା । ଦୁଇଜଣଙ୍କ ମଧ୍ୟରେ ଘୋର୍ ଯୁଦ୍ଧ ହେଲା । ଶେଷରେ ସୁଗ୍ରୀବଙ୍କ ହାତରେ ସେ ପ୍ରାଣଦେଲା ।