ଏପରି ଅବସ୍ଥା ଦେଖି ରାବଣ ମହୋଦରକୁ ପଠାଇଲା । ସୁଗ୍ରୀବ ତା’ସହିତ ବହୁତ ସମୟ ଧରି ଯୁଦ୍ଧ କଲେ । ବିରାଟ ବୃକ୍ଷସବୁ ଉପାଡି ତା’ ରଥ ଉପରେ କଚାଡି ରଥ ଭାଙ୍ଗି ପକାଇଲେ । ସୁଗ୍ରୀବଙ୍କ ପରିଘ ଓ ମହୋଦରର ଗଦା; ବହୁସମୟ ଯୁଦ୍ଧ ପରେ ସେ ଦୁହିଁଙ୍କର ଅସ୍ତ୍ର ଶସ୍ତ୍ର ଭାଙ୍ଗି ଗଲା । ତା’ପରେ ହାତାହାତି ଯୁଦ୍ଧ ହେଲା । ଏହାପରେ ପୁଣି ଖଣ୍ଡାରେ ଯୁଦ୍ଧ ହେଲା । ମହୋଦରର ଖଣ୍ଡା ହଠାତ୍ ସୁଗ୍ରୀବଙ୍କ ଢାଲରେ ପଶିଗଲା । ଏହି ଅବସରରେ ସୁଗ୍ରୀବ ବିଜୁଳି ବେଗରେ ନିଜଖଣ୍ଡାରେ ମହୋଦରର ମୁଣ୍ଡଗଣ୍ଡି ଦୁଇଖଣ୍ଡ କରିଦେଲେ । ରାବଣର ସୈନ୍ୟମାନେ ଲଙ୍କାପୁରୀ ଅତିକ୍ରମ କରି ଆଖପାଖର ରାକ୍ଷସ ଗ୍ରାମମାନଙ୍କରୁ ନୂତନ ସୈନ୍ୟ ସଂଗ୍ରହ କରୁଥାନ୍ତି । ଯେଉଁ ରାକ୍ଷସ ଯୁଦ୍ଧକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥାଏ, ତାକୁ ସେମାନେ କଲବଲ କରୁଥାନ୍ତି । ରାକ୍ଷସ ରମଣୀମାନେ ସେମାନଙ୍କ ଘରଦ୍ୱାର ଛାର ଖାର ହେବାର ଦେଖି ବଡ ଦୁଃଖରେ କ୍ରନ୍ଦନ କରୁଥାନ୍ତି, କିନ୍ତୁ ସେମାନଙ୍କ ଦୁଃଖ ପ୍ରତି ରାବଣର ସୈନ୍ୟ ସେନାପତିମାନେ ମୋଟେ ଖାତିର୍ କରୁ ନଥାନ୍ତି ।
ଏଣେ ମହାପାର୍ଶ୍ୱ ଅଙ୍ଗଦଙ୍କ ସେନାଙ୍କ ଉପରେ ଆକ୍ରମଣ କଲା । ଏସବୁ ଦେଖି ଅଙ୍ଗଦ ରାଗିଯାଇ ଏକ ବଡ ଗୋଲ୍ ଲୁହା ତା’ରଥ ଉପରକୁ ଫିଙ୍ଗିଲେ । ଠିକ୍ ସେତିକି ବେଳେ ଗବାକ୍ଷ ଓ ଜାମ୍ବବାନ ସେଠାରେ ଆସି ପହଁଚିଲେ । ସମସ୍ତେ ମିଶି ତା’ର ରଥ ଚୁର୍ମାର କରି ଭାଙ୍ଗିଲେ । ଇତିମଧ୍ୟରେ ମହାପାର୍ଶ୍ୱ ମୁର୍ଚ୍ଛା ହୋଇଯାଇଥିଲା । ଏବେ ମୁର୍ଚ୍ଛା ଭାଙ୍ଗିଲା । ସେ ପୁଣି ବାଣବର୍ଷା କରିବାରେ ଲାଗିଲା । ଅଙ୍ଗଦ ମଧ୍ୟ ରାଗିଯାଇ ତା’ ଉପରକୁ ପରିଘ ଫିଙ୍ଗିଲେ । ସେଥିରୁ ସେ ନିସ୍ତାର ପାଇଗଲା । ତା’ପରେ ଅଙ୍ଗଦ ତା’ସହିତ ମଲ୍ଲଯୁଦ୍ଧ କରି ମୁଷ୍ଟିକାଘାତରେ ତାକୁ ଶେଷ କରିଦେଲେ ।
ଏଥର ରାବଣ ବାଧ୍ୟ ହୋଇ ନିଜେ ଯୁଦ୍ଧ କରିବାକୁ ଗଲା । ସେ ସାଧାରଣ ବାନରଙ୍କ ସହ ଯୁଦ୍ଧ କରିବାକ ଚାହୁଁ ନ ଥିଲା । ଶ୍ରୀରାମଙ୍କୁ ହିଁ ସେ ଚାହୁଁଥିଲା । ଶ୍ରୀରାମଙ୍କ ନିକଟରେ ପହଁଚିବା ପୂର୍ବରୁ ସେ ଅନେକ ବାନର ସେନାଙ୍କୁ ହତ କଲା । ମହାତାମସ ଅସ୍ତ୍ର ସେ ପ୍ରୟୋଗ କରି ଅନେକ ବାନରଙ୍କୁ ବଧକଲା । ଏହି ପରି ତା’ର ରଥ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ନିକଟରେ ଯାଇ ପହଁଚିଲା । ତା’ପରେ ରାବଣର ସମୁଖ ଯୁଦ୍ଧ ଆରମ୍ଭ ହେଲା । ତାହା ଥିଲା ଅତି ଭୟଙ୍କର । ରାବଣର ସମସ୍ତ ଅସ୍ତ୍ରକୁ ଶ୍ରୀରାମ ନିଜ ବାଣରେ ନଷ୍ଟ କରୁଥାନ୍ତି । ଦୁଇପଟରୁ ଆଗ୍ନେୟାସ୍ତ୍ର, ବାୟୁବାସ୍ତ୍ର ଇତ୍ୟାଦି ଭୟଙ୍କର ଅସ୍ତ୍ରସବୁ ପ୍ରୟୋଗ ଚାଲିଥାଏ । ବାନରବୀରମାନେ ଓ ଅସୁରବୀରମାନେ ଏଭଳି ଅଦ୍ଭୂତପୂର୍ବ ଯୁଦ୍ଧ ରୀତି ଦେଖି ଚମତ୍କୃତ ହେଉଥିଲେ । ଅବଶ୍ୟ ଶ୍ରୀରାମଙ୍କ ବାଣ ବେଶି ଶକ୍ତିଶାଳୀ ଥିବାରୁ ରାବଣର ସମସ୍ତ ବାଣ ନଷ୍ଟ ହେଉଥିଲା ଓ ବାନରବୀରମାନେ ବହୁତ ଖୁସି ହେଉଥିଲେ । ରାବଣ କିଛି ସମୟ ସକାଶେ ଯୁଦ୍ଧକ୍ଷେତ୍ରରୁ ଅପସରି ଗଲା । ଶ୍ରୀରାମଙ୍କ ଅପୂର୍ବ ଅସ୍ତ୍ର ପ୍ରୟୋଗ ତାକୁ ବିସ୍ମିତ କଲେ ମଧ୍ୟ ସେ ତାହା ପ୍ରକାଶ କରୁନଥାଏ । ଦିନେ ଏଭଳି ଶତ୍ରୁ ସହ ତାକୁ ମୁହାଁମୁହିଁ ହେବାକୁ ପଡିବ, ଏକଥା ସେ କେବେବି କଳ୍ପନା ସୁଧା କରିନଥିଲା କିନ୍ତୁ ଯାହା ବାସ୍ତବ, ତାହାକୁ ଅସ୍ୱୀକାର କରି ନିଜ ଶକ୍ତିକୁ ନେଇ ଆସ୍ଫାଳନ କରିବା ଛଡା ସେ ବା ଆଉ କ’ଣ କରନ୍ତା?
ରାବଣର ସମସ୍ତ ଅସୁରାସ୍ତ୍ର ବ୍ୟର୍ଥ ହେବାରୁ ସେ ଇନ୍ଦ୍ରାସ୍ତ୍ର ପ୍ରୟୋଗ କଲା । ଶ୍ରୀରାମ ମଧ୍ୟ ଗନ୍ଧର୍ବାସ୍ତ୍ର ପ୍ରୟୋଗ କରି ତାକୁ ବିନଷ୍ଟ କଲେ । ତା’ପରେ ରାବଣ ସୌର ଅସ୍ତ୍ର ପ୍ରୟୋଗ କଲା । ଶ୍ରୀରାମଙ୍କ ଶକ୍ତିଶାଳୀ ଅସ୍ତ୍ର ତାକୁ ମଧ୍ୟ ନଷ୍ଟ କଲା । ରାବଣର ଯୁଦ୍ଧ ଟିକିଏ ଥମିଗଲା । ସେତିକିବେଳେ ଶ୍ରୀରାମ ଘୁଂଚିଗଲେ ଓ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଠିଆ ହୋଇ ଯୁଦ୍ଧ କଲେ । ଲକ୍ଷ୍ମଣଙ୍କ ବାଣରେ ରାବଣର ରଥ ପତାକା ଓ ସାରଥୀ ସବୁ ନଷ୍ଟ ହେଲା । ତା’ଛଡା ରାବଣର ଧନୁକୁ ମଧ୍ୟ ସେ ଭାଙ୍ଗି ପକାଇଲେ । ଲକ୍ଷ୍ମଣ ଟିକିଏ ଯୁଦ୍ଧ ବନ୍ଦ କରିବା ଅବସରରେ ବିଭୀଷଣଙ୍କ ଆଗକୁ ଆସିଲେ ଓ ଯୁଦ୍ଧ କଲେ । ବିଭୀଷଣଙ୍କୁ ଦେଖି ରାବଣର କ୍ରୋଧାଗ୍ନି ଜଳି ଉଠିଲା । ସେ ରାଗିଯାଇ ଏକ ଭୟଙ୍କର ଅସ୍ତ୍ର ବିଭୀଷଣଙ୍କ ଉପରେ ପ୍ରୟୋଗ କଲା । କିନ୍ତୁ ତାହା ଲକ୍ଷ୍ମଣ କାଟି ପକାଇଲେ । ତା’ପରେ ରାବଣ ଅନ୍ୟ ଏକ ଭୟଙ୍କର ଅସ୍ତ୍ର ବିଭୀଷଣ ଉପରକୁ ପ୍ରୟୋଗ କଲା । ବିଭୀଷଣଙ୍କୁ ରକ୍ଷା କରିବାକୁ ଯାଇ ଲକ୍ଷ୍ମଣ ତାକୁ ନିଜ ଉପରେ ନେଇ ନେଲେ । ସେହି ବାଣର ଶକ୍ତି ସହି ନ ପାରି ଲକ୍ଷ୍ମଣ ହଠାତ୍ ମୂର୍ଚ୍ଛା ଗଲେ ।
କିନ୍ତୁ ଶ୍ରୀରାମ ଏସବୁ ସହି ପାରିଲେ ନାହିଁ । ସେ ମୂର୍ଚ୍ଛିତ ଲକ୍ଷ୍ମଣଙ୍କୁ ବାନରବୀରମାନଙ୍କ ହାତରେ ସମର୍ପି ଦେଇ କହିଲେ, “ତମେମାନେ ଲକ୍ଷ୍ମଣର ଉପଚାର କର । ଏବେ ମୋତେ ରାବଣକୁ ମାରିବାକୁହିଁ ହେବ ।”
ତଥାପି ଶ୍ରୀରାମ ଲକ୍ଷ୍ମଣଙ୍କୁ ଏପରି ଅବସ୍ଥାରେ ଛାଡି ଯିବାକୁ ଡରିଲେ । ସୁଷେଣ ଓ ଅନ୍ୟ ମାନେ କହିଲେ, “ଆପଣ ଯୁଦ୍ଧକୁ ଯାଇ ରାବଣକୁ ସମ୍ଭାଳନ୍ତୁ । ଆମେମାନେ ଲକ୍ଷ୍ମଣଙ୍କ ଶରୀର ସୁସ୍ଥ କରିଦେବୁ ।” ସୁଷେଣ ହନୁମାନଙ୍କୁ କହିଲେ, “ହନୁମାନ, ତମେ ଦକ୍ଷିଣ ପର୍ବତକୁ ଯାଇ ସେଠାରୁ ଔଷଧ ନେଇ ଆସ । ଥରେ ତମେ ସେପରି କରି ଲକ୍ଷ୍ମଣଙ୍କୁ ବଂଚାଇଛ । ଏବେ ମଧ୍ୟ ଯାଇ ନେଇ ଆସ ।” ଏକଥା ଶୁଣି ହନୁମାନ ତୁରନ୍ତ ଉଡିଗଲେ ଓ ଔଷଧ ଗଛ ଥିବା ପାହାଡର ଶିଖରଟି ଭାଙ୍ଗି ନେଇଆସିଲେ; ସୁଷେଣ ଗଛ ଚିହ୍ନି ଔଷଧ ଦେଲେ । ସୁଷେଣଙ୍କ ଚିକିତ୍ସାରେ ଲକ୍ଷ୍ମଣ ଉଠିବସିଲେ ।
ଲକ୍ଷ୍ମଣ ସୁସ୍ଥ ହେବାର ଦେଖି ଶ୍ରୀରାମ ଖୁସିରେ ତାଙ୍କୁ ଆଲିଙ୍ଗନ କରି କହିଲେ, “ଲକ୍ଷ୍ମଣ, ତୁ ବଂଚି ନ ଥିଲେ ମୁଁ ଏଇଠି ଯୁଦ୍ଧ ଶେଷ କରିଥା’ନ୍ତି । ଆଉ ମୋର ବଂଚିବାର କିଛି ବି ଅର୍ଥ ନ ଥିଲା । ତୋର ସୁସ୍ଥ ହେବା ଦେଖି ମୁଁ ଯେପରି ଜୀବନ ପାଇଗଲି । ତୋର ଦେହ ସୁସ୍ଥଦେଖି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି; କାରଣ ମୁଁ ମାତା କୌଶଲ୍ୟାଙ୍କୁ କଥା ଦେଇ ଆସିଛି ତୋତେ ଚଉଦବର୍ଷ ପରେ ସୁସ୍ଥ ଶରୀରରେ ଫେରାଇ ଦେବାକୁ । ତୋର କିଛି ହୋଇଥିଲେ ମୁଁ ମୁହଁ ଦେଖାଇ ପାରନ୍ତି ନାହିଁ । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ମୋ ପକ୍ଷେ ଏକରକମ ଅସମ୍ଭବ ହୋଇ ଉଠନ୍ତା । ତା’ପରେ ତୋ ବିନା ମୋର ଏ ପୃଥିବୀ ଉପରେ ବଂଚିରହିବା ମଧ୍ୟ ଅସମ୍ଭବ । ତୋ ବିନା ମୁଁ ଦେହ ତ୍ୟାଗ କରିଥା’ନ୍ତି ମୋ ବିନା ସୀତା ଦେହ ତ୍ୟାଗ କରିଥାନ୍ତେ ଆଉ ମୁଁ ମହାରାଜ ବିଭୀଷଣଙ୍କୁ ଯେଉଁ କଥା ଦେଇଥିଲି ତାହା ରକ୍ଷାକରି ପାରି ନଥାନ୍ତି । ଭଗବାନ୍ ଶିବଙ୍କର ଅଶେଷ କୃପା ତୁ ସୁସ୍ଥ ହେଲୁ । ଆମର ସମସ୍ତ ବିପଦରେ ଆମକୁ ରକ୍ଷା କରିଛନ୍ତି ପବନ ପୁତ୍ର ବୀର ହନୁମାନ । ହନୁମାନ ମୋର ସର୍ବଦା ପ୍ରିୟ କାର୍ଯ୍ୟ କରିଥା’ନ୍ତି; ମୁଁ ଭାବୁଛି ଆମେ ଯେତେ ଯାହା କଲେ ମଧ୍ୟ ବୀର ଶ୍ରେଷ୍ଠ ହେଲେ ହନୁମାନ । ସଂକଟମୋଚନ ନାମ ତାଙ୍କର ଯଥାର୍ଥ ।”
ଶ୍ରୀରାମଙ୍କୁ ଏପରି ଭାବବିହ୍ୱଳ ଦେଖି ଲକ୍ଷ୍ମଣ କହିଲେ, “ଭାଇ, ଆପଣ ନିଜର ମନୋବଳକୁ ଏପରି ହରାଇବା ଉଚିତ୍ ନୁହେଁ । ଆପଣ ବିଭୀଷଣଙ୍କୁ ଲଙ୍କାପତି କରିବା ପାଇଁ ବଚନବଦ୍ଧ; ମୋ କଥା ଭୁଲିଯା’ନ୍ତୁ । ହନୁମାନଙ୍କ ବୀରତ୍ୱ ଓ ଦୃଢ ନିଷ୍ଠା ବ୍ୟତୀତ ଆମର ଜୀବନ ତିଷ୍ଠିବା ଅସମ୍ଭବ ହୋଇ ଉଠନ୍ତା ତାଙ୍କରି ଯୋଗୁଁ ସବୁ ସମ୍ଭବ ହୋଇଛି ।” ମୋର ଇଚ୍ଛା ଆଜି ସୂର୍ଯ୍ୟାସ୍ତ ହେବାପୂର୍ବରୁ ରାବଣ ବଧ ହେବା ଦରକାର; ବେଶି ଡେରି ହେବାରୁ ଅସୁରବଳ ବଢିଯାଉଛି; ଏବଂ ସେମାନଙ୍କୁ ନିଜ କର୍ତୃତ୍ୱ ମଧ୍ୟକୁ ଆଣିବା କଷ୍ଟକର ହୋଇ ପଡୁଛି ।”
ଲକ୍ଷ୍ମଣଙ୍କ କଥା ଶ୍ରୀରାମଙ୍କ ମନରେ ବହୁତ ଉତ୍ସାହ ଭରିଦେଲା । ଏହାପରେ ସେ ତାଙ୍କ ଧନୁର୍ବାଣ ଉଠାଇ ପୁଣି ଯୁଦ୍ଧ କରିବାରେ ଲାଗିଗଲେ । ରାବଣର ରଥ ଭାଙ୍ଗିଲା । ପରେ ଅନ୍ୟ ଏକ ରଥ ତୁରନ୍ତ ଆସିଗଲା । କିନ୍ତୁ ଶ୍ରୀରାମ ପୃଥିବୀପୃଷ୍ଠରେ ଦଣ୍ଡାୟମାନ ହୋଇ ଯୁଦ୍ଧ କରୁଥା’ନ୍ତି । ଏପରି ଅସମତା ଦେଖି ଇନ୍ଦ୍ର ତୁରନ୍ତ ତାଙ୍କ ରଥ ଓ ତାଙ୍କ ସାରଥୀ ମାତଳୀକୁ ସ୍ମରଣ କଲେ । ତାହା ଆସିବା ମାତ୍ରେ ଶ୍ରୀରାମଙ୍କ ନିକଟକୁ ତାହା ସେ ପଠାଇଲେ । ସେ ରଥରେ ନାନା ପ୍ରକାର ଅସ୍ତ୍ର ସୁସଜ୍ଜିତ ଥିଲା । ସୁବର୍ଣ୍ଣରେ ନିର୍ମିତ ସେହି ରଥ ଉଦୀୟମାନ ସୂର୍ଯ୍ୟଙ୍କ ପରି ଝଟକୁ ଥିଲା । ମାତଳୀ ପୃଥିବୀ ପୃଷ୍ଠକୁ ଓହ୍ଲାଇବା ପରେ ଶ୍ରୀରାମଙ୍କ ପାଖକୁ ଯାଇ ସେ କହିଲେ, “ପ୍ରଭୂ, ଆପଣଙ୍କ ବିଜୟ କାମନା କରି ଇନ୍ଦ୍ରଦେବ ଏହି ରଥ ଆପଣଙ୍କ ସେବାରେ ଲାଗିବା ପାଇଁ ପଠାଇଛନ୍ତି । ଏହାକୁ ସ୍ୱୀକାର କରି ମୋତେ କୃତାର୍ଥ କରନ୍ତୁ । ଏହି ରଥରେ ବସି ସେ ଅସୁରକୁଳ ବିନାଶ କରି ଥିଲେ । ମୁଁ ମଧ୍ୟ ସେତେବେଳେ ତାଙ୍କର ସାରଥି ଥିଲି ଏବେ ମଧ୍ୟ ଦାନବରାଜ ରାବଣର ବଧ ପାଇଁ ମୁ ହିଁ ଆପଣଙ୍କର ସାରଥି କାର୍ଯ୍ୟ କରିବି । ଆସନ୍ତୁ ଏ ରଥ ଉପରେ ବସନ୍ତୁ ।”
ଶ୍ରୀରାମ, ଅନ୍ୟ ବାନରବୀରଙ୍କର ସ୍ୱୀକୃତି ନେଇ ରଥର ଚତୁପାଶ୍ୱର୍ରେ ତାକୁ ପ୍ରଦକ୍ଷିଣ କରି ସେଥିରେ ବସିଲେ । ଏଥର ଶ୍ରୀରାମ ଓ ରାବଣ ମଧ୍ୟରେ ଅଦ୍ଭୂତ ପୂର୍ବ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା । ଦେଖିବାବାଲା ମାନେ କେବଳ ବିସ୍ମିତ ହେଉଥିଲେ ।