ବଳରାମ ମଧ୍ୟ ଅନେକ ରାକ୍ଷସଙ୍କୁ ସଂହାର କରିଥିବାରୁ ନିଜ ପରାକ୍ରମ ବିଷୟରେ ଗର୍ବ କରୁଥା’ନ୍ତି । ବଳରାମ, ଗରୁଡ ଓ ସତ୍ୟଭାମା, ଏହି ତିନିଜଣଙ୍କର ଗର୍ବ ଦିନକୁ ଦିନ ବଢି ଚାଲିଲା । ଶ୍ରୀକୃଷ୍ଣ ଏସବୁ ଜାଣିପାରି ଚାହିଁଲେ ଯେ ଥରେ ଏମାନଙ୍କୁ ଭଲ କରି ଶିକ୍ଷା ଦେବାକୁ ହେବ ।
ଦିନେ ନାଗକନ୍ୟାଟିଏ ତା’ ପିଲାକୁ ଧରି ବସିଛି; ଗରୁଡ ତାକୁ ଖାଇବ ବୋଲି ଟାକିଛି । ଏସବୁ ଦେଖି ନାଗକନ୍ୟା କାଂଚନମାଳା ତା’ ଛୁଆକୁ ଧରି ପଳାଇବାକୁ ବସିବାରୁ, ଗରୁଡ ତାକୁ ଗୋଡାଇଲା । ସେ ବିଚାରୀ ପ୍ରାଣ ବିକଳରେ, “ରକ୍ଷାକର, ରକ୍ଷାକର” କହି ଦୌଡିଲା । ବାଟରେ ନାରଦ ତାକୁ ଦେଖି କହିଲେ, “ରାମରାମ ଜପ କରୁଥିବା ହନୁମାନଙ୍କର ଶରଣ ନିଅ । ହନୁମାନ ଗନ୍ଧମାର୍ଦ୍ଦନ ପର୍ବତରେ ଅଛନ୍ତି । ଗରୁଡ କବଳରୁ ରକ୍ଷା କରିବାର ଶକ୍ତି କେବଳ ତାଙ୍କର ହିଁ ଅଛି ।
କାଂଚନମାଳା ବହୁତ ଶୀଘ୍ର ଯାଇ ସେଠାରେ ପହଁଚିଲା ଓ ସେ ତା’ ଛୁଆକୁ ହନୁମାନଙ୍କ ପାଦରେ ସମର୍ପଣ କରି ମୂର୍ଚ୍ଛା ଗଲା ।
ହନୁମାନ କାଂଚନମାଳାକୁ ତା’ ପୁତ୍ର ସହିତ ନିଜ ଆଶ୍ରମରେ ରଖିଲେ; ସେ କହିଲେ; “ଏଠାରେ ନିର୍ଭୟ ହୋଇ ରୁହ ।”
ହନୁମାନ ଦେଖିଲେ ଗରୁଡ ସେମାନଙ୍କୁ ଖାଇବା ପାଇଁ ଆଗକୁ ଆସୁଛି । ସେ କହିଲେ, “ହେ ପକ୍ଷୀନ୍ଦ୍ର, ତୁମେ ଯଦି କ୍ଷୁଧିତ ତେବେ ମୋତେ ଆଗ ଖାଅ ।”
“ମୋର ଆହାର ହେଲା ନାଗ । ତମେ ତ ମର୍କଟ, ତେଣୁ ତୁମେ ମୋର ଖାଦ୍ୟ ନୁହଁ ।” ଏତିକି କହି ଏକ ବିରାଟ ରଡି କରି ଆଶ୍ରମ ଭିତରକୁ ସେ ଗରୁଡ ପଶିଲା । ହନୁମାନ ରାଗିଯାଇ ଗରୁଡକୁ ନିଜ ଲାଞ୍ଜରେ ବାନ୍ଧି ଦେଇ ଉପରକୁ ଫୋପାଡି ଦେଲେ । ଗରୁଡ ନିଃସହାୟ ଓ ଆଘାତପ୍ରାପ୍ତ ହୋଇ ବଳରାମଙ୍କ ସମ୍ମୁଖରେ ଯାଇ ପଡିଲା । ଏଣେ କାଂଚନମାଳା ହନୁମାନଙ୍କୁ କୃତଜ୍ଞତା ପ୍ରକଟ କରି ନିଜ ଛୁଆକୁ ଧରି ପାତାଳ ଲୋକକୁ ଚାଲିଗଲା ।
ଗରୁଡଙ୍କ ଅପମାନ କଥା ଶୁଣି ବଳରାମ କହିଲେ, “ଗରୁଡ, ଆଦୌ ବ୍ୟସ୍ତ ହୁଅ ନାହିଁ । ମୁଁ ସେ ଗର୍ବୀ ବାନରକୁ ଦେଖୁଛି । ତୁମେ ଯାଇ ତାକୁ କୁହ ସେ ଯେପରି ଶୀଘ୍ର ମୋ ସମ୍ମୁଖରେ ଉପସ୍ଥିତ ହୁଏ ।”
ଗରୁଡ ଯାଇ ହନୁମାନଙ୍କ ପାଖରେ ପହଁଚି ବଳରାମଙ୍କ ଆଞ୍ଜା ଶୁଣାଇଲେ । ହନୁମାନ କିଛି ନଶୁଣିଲା ପରି ରହିଲେ । ହନୁମାନଙ୍କ ଏପରି ବ୍ୟବହାରରେ ଗରୁଡ ଭୟଭୀତ ହୋଇ ପୁଣି ଦ୍ୱାରକା ଫେରିଗଲେ । ସେତେବେଳେ ଶ୍ରୀକୃଷ୍ଣ ଓ ବଳରାମ ଦୁହେଁ ବସି ରାଜନୀତି ଚର୍ଚ୍ଚା କରୁଥିଲେ । ଗରୁଡ ପହଁଚି ସବୁକଥା କହିଲେ । ଶ୍ରୀକୃଷ୍ଣ କହିଲେ, “ଗରୁଡ, ତୁମେ ଯାଇ ହନୁମାନଙ୍କୁ କୁହ ଯେ ଶ୍ରୀରାମ ତୁମକୁ ଡାକୁଛନ୍ତି । ନହେଲେ ସେ ସହଜରେ ଧରା ଦେବ ନାହିଁ ।” ହନୁମାନ ଗରୁଡଙ୍କଠାରୁ ଶ୍ରୀରାମଙ୍କ ନାମ ଶୁଣି ତାଙ୍କ ସହିତ ଦ୍ୱାରକା ଆସିଲେ । ସେ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ ଓ ମୁହଁରେ ରାମନାମ ଜପ କରୁଥିଲେ ।
ଦମ୍ଭ ତଥା ଅଭିମାନରେ ପୂର୍ଣ୍ଣ ବଳରାମ ହନୁମାନଙ୍କୁ କହିଲେ, “ରାମ ନୁହେଁ ମୁଁ ବଳରାମ । ମୋର ନାମ ଜପ କରିବ ତ ମୁଁ ତୁମର ଅପରାଧ କ୍ଷମା କରିଦେବି ।”