ଶ୍ୟାମ ଓ ସୁଶୀଳାଙ୍କର ଏକମାତ୍ର କନ୍ୟା ଉର୍ମିଳା । ସେହି କାରଣରୁ ଅତି ଆଦରରେ ସେ ବଢିଥାଏ । ଉର୍ମିଳା ମା’ଙ୍କୁ ଛାଡି ଦଣ୍ଡେ ମଧ୍ୟ ରହିପାରେ ନାହିଁ । ଧୀରେ ଧୀରେ ସେ ଉର୍ମିଳା ବିବାହ – ଉପଯୋଗୀ ବୟସରେ ଆସି ଉପନୀତା ହେଲା । ପିତା-ମାତା ଗୁରୁତ୍ୱର ସହ ଉପଯୁକ୍ତ ବରପାତ୍ର ସନ୍ଧାନରେ ଲାଗିପଡିଲେ । ସୁଶୀଳା ଓ ଶ୍ୟାମ କନ୍ୟାକୁ ଅତ୍ୟଧିକ ସ୍ନେହ କରୁଥିବାରୁ, ସେମାନେ ତା’କୁ ବିବାହ ପରେ ନିଜ ପାଖରୁ ଛାଡିବା ପାଇଁ ଚାହୁଁ ନ ଥିଲେ । ତେଣୁ ଘରଜାମାତା ପ୍ରସ୍ତାବଟିଏ ଖୋଜୁଥାନ୍ତି । କିନ୍ତୁ ଅନେକ ଭଲ ଭଲ ପ୍ରସ୍ତାବ ଆସୁଥିଲେ ମଧ୍ୟ, କୌଣସି ପାତ୍ର ଘର-ଜାମାତା ରୂପେ ଶ୍ୱଶୁର ଘରେ ରହିବା ପାଇଁ ରାଜି ହେଉ ନ ଥିଲେ ।
ଶେଷରେ ସୁଶୀଳା ଓ ଶ୍ୟାମଙ୍କୁ ସେହି ଆଶା ତ୍ୟାଗ କରିବାକୁ ପଡିଲା । କନ୍ୟାକୁ ଶ୍ୱଶୁରାଳୟ ପଠେଇବାର ନିର୍ଣ୍ଣୟରେ ସେମାନେ ବାଧ୍ୟ ବାଧକତାରେ ରାଜି ହେଲେ । ପଡୋଶୀ ଗ୍ରାମର ଲକ୍ଷ୍ମଣ ନାମକ ଯୁବକ ଉର୍ମିଳାକୁ ପସନ୍ଦ କଲେ, ଏବଂ ସେହିଠାରେ ବିବାହ ସ୍ଥିରୀକୃତ ହେଲା । ବହୁ ଆଡମ୍ବର ସହକାରେ ବିବାହ ଉତ୍ସବ ଅନୁଷ୍ଠିତ ହେଲା । ଉର୍ମିଳା ପିତୃ ଗୃହରୁ ବିଦାୟ ନେଇ ଶ୍ୱଶୁରାଳୟ ଚାଲିଗଲା ।
ଉର୍ମିଳା ତ ଅତି ଗେଲବସରରେ ନିଜ ଘରେ ଦିନ କାଟୁଥିଲା । ତେଣୁ ଶ୍ୱଶୁର ଘର ଆଦବକାଇଦା ମଧ୍ୟରେ ଚଳିବାକୁ ତାକୁ ମୋଟେ ଭଲ ଲାଗିଲା ନାହିଁ । ପନ୍ଦର ଦିନ ପରେ, ସେ ଆଉ ସମ୍ଭାଳି ନ ପାରି ଶାଶୁଙ୍କୁ ସ୍ପଷ୍ଟ ଜଣାଇ ଦେଲା ଯେ, ସେ ଏଠାରେ ରହି ପାରିବ ନାହିଁ । ପିତାଙ୍କ ପାଖକୁ ଚାଲିଯିବ । ତା’ ସହିତ ସେ ତା’ ପତି ଲକ୍ଷ୍ମଣଙ୍କୁ ମଧ୍ୟ ଜଣେଇ ଦେଲା ଯେ, ତୁମେ ମୋ ସହିତ ଆସିବାକୁ ଚାହୁଁଥିଲେ, ଆସିପାର । କିନ୍ତୁ ଲକ୍ଷ୍ମଣ ଘର-ଜାମାତା ରୂପେ ରହିବା ପାଇଁ ପ୍ରଥମରୁ ଅସ୍ୱୀକାର କରିଥିବାରୁ ଏଥିରେ ସେ ଅସମ୍ମତ ହେଲା ।
ଉର୍ମିଳା ଏକାକିନୀ ବାପଘରକୁ ଚାଲି ଆସିଲା । ସୁଶୀଳା ଓ ଶ୍ୟାମ ତାଙ୍କ କନ୍ୟାକୁ ଦେଖି ବହୁତ୍ ଖୁସି ହେଲେ । ଏତେଦିନ ଧରି କନ୍ୟାକୁ ନିଜ ପାଖରେ ନ ପାଇ ସେମାନେ ମନ ଦୁଃଖରେ ଥିଲେ । ଉର୍ମିଳା ପିତାଙ୍କ ଗୃହରେ ଆନନ୍ଦ ମନରେ ସପ୍ତାହଟିଏ ବିତାଇଲା । କିନ୍ତୁ ଧୀରେ ଧୀରେ ତା’ର ଶ୍ୱଶୁର, ଶାଶୁ ଏବଂ ସ୍ୱାମୀଙ୍କ କଥା ମନେ ପଡିଲା । ଏକ ବିବାହିତା ପତ୍ନୀ ଭାବରେ ନିଜର ଦାୟିତ୍ୱ, ଶ୍ୱଶୁରାଳୟ ପ୍ରତି କର୍ତ୍ତବ୍ୟବୋଧ ଆଦି ବିଷୟ ଚିନ୍ତା କରି ସେ ଆଉ ସ୍ଥିର ହୋଇ ରହିପାରିଲା ନାହିଁ । ସେ ଶ୍ୱଶୁରଙ୍କ ଗୃହକୁ ଯିବା ପାଇଁ ବାହାରିଲା । ଶ୍ୟାମ ଓ ସୁଶୀଳା କନ୍ୟାକୁ ବହୁତ ବୁଝାଇଲେ । କିନ୍ତୁ ଉର୍ମିଳା ନିଜ ଜିଦ୍ରେ ଅଟଳ ରହିଲା ।
ଦିନେ ସକାଳ ବେଳା ଉର୍ମିଳା ଯିବା ପାଇଁ ବାହାରିଲା । ଏହିପରି ଲକ୍ଷ୍ମଣ, ଉର୍ମିଳାକୁ ଖୁବ୍ ମନେ ପକାଇଲା । ଉର୍ମିଳାକୁ ବୁଝାଇ ସୁଝାଇ, ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ, ହୁଏତ ସେ ଘର ଛାଡି ଯାଇ ନ ଥାନ୍ତା । ଧୀରେ ଧୀରେ ଉର୍ମିଳାର ଆଚରଣରେ ପରିବର୍ତ୍ତନ ଆସିଥାନ୍ତା । ତେଣୁ ସେ ଉର୍ମିଳାକୁ ସାକ୍ଷାତ କରି, ସାଂଗରେ ନେଇ ଆସିବା ପାଇଁ ବାହାରିଲା । କିନ୍ତୁ ତା’ର ବାପା, ମା, ଏଥିରେ କ୍ଷୁବ୍ଧ ହେଲେ । ସେମାନେ ଲକ୍ଷ୍ମଣକୁ ତାଗିଦ୍ କରି କହିଲେ, ଏପରି କଲେ ସେମାନେ ହାସ୍ୟାସ୍ପଦ ହେବେ । ଅନ୍ୟ ମାନଙ୍କ ଦୃଷ୍ଟିରେ ତାଙ୍କ ପରିବାରର ସ୍ଥାନ ତଳକୁ ଖସିଯିବ । ଗ୍ରାମରେ ଏକ ପ୍ରତିଷ୍ଠିତ, ସମ୍ମାନସ୍ପଦ ପରିବାର ଭାବେ ସେମାନଙ୍କୁ କେହି ଆଉ ଗଣନା କରିବେ ନାହିଁ ।
ଲକ୍ଷ୍ମଣ କିନ୍ତୁ ଏଥିରେ କୌଣସି ଭୁଲ୍ ଦେଖି ପାରୁ ନ ଥିଲା । ପ୍ରତ୍ୟେକ ପରିବାରରେ ଏପରି ଅନେକ ସମସ୍ୟା, ମନୋମାଳିନ୍ୟ ଥାଏ ଯାହା ପରସ୍ପର ଆପୋଷ ବୁଝାମଣା ଦ୍ୱାରା ଦୂର କରାଯାଇପାରେ । ତେଣୁ ସେ ନିଜର ଚିନ୍ତାଧାରାରେ ପରିଚାଳିତ ହୋଇ ଉର୍ମିଳାକୁ ଭେଟିବା ପାଇଁ ବାହାରିଲା । ମାତ୍ର ମଝାମଝି ରାସ୍ତାରେ ଉଭୟଙ୍କର ସାକ୍ଷାତ ହେଲା । ଦୁହେଁ ଦୁଇଜଣଙ୍କୁ ଦେଖି ପକାଇ ଆଶ୍ଚର୍ଯ୍ୟରେ ଡୁବିଗଲେ । କିଛିକ୍ଷଣ ପରେ ସେମାନେ ପରସ୍ପରର ମନକଥା ବୁଝିପାରିଲେ ।
ଦୁହେଁ ସେଠାରେ ଏକ ବୃକ୍ଷଛାୟାରେ ବସି ଆପୋଷ ଆଲୋଚନା କଲେ । ଲକ୍ଷ୍ମଣ ଉର୍ମିଳାକୁ ବୁଝାଇ ସୁଝାଇ କହିଲେ “ଆମ ଭିତରେ ବୁଝାମଣା ରହିଲେ ଆମେ ଯେ କୌଣସି ସମସ୍ୟାର ସମାଧାନ କରିପାରିବା । ଆମ ପରିବାର ପାଇଁ ତୁମର ଯେତିକି ଦାୟିତ୍ୱ ରହିଛି, ମୁଁ ମନେ କରୁଛି, ତୁମ ପରିବାର ପାଇଁ ମୋର ମଧ୍ୟ ସେତିକି ଦାୟିତ୍ୱ ରହିଛି । ତୁମ ଘରେ ତୁମର ଅନୁପସ୍ଥିତି ଜନିତ ଦୁଃଖ ପିତାମାତା ବେଶ୍ ଅନୁଭବ କରିବେ । ତାହା ମଧ୍ୟ ତୁମ ପାଇଁ ଚିନ୍ତାର କାରଣ ହେବ । ତେଣୁ ଆମେ ଦୁଇଟି ପରିବାର ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷା କରି, ଉଭୟ ପରିବାରରେ ସୁଖ ଓ ଆନନ୍ଦର ପରିବେଶ ସୃଷ୍ଟି କରିବା ।”
ଉର୍ମିଳା ଏଥିରେ ଖୁସିରେ ହଁ ଭରିଲା ।