ସେତେ ବେଳେ ସ୍ତ୍ରୀ ଲୋକଟି ନିଜର କଲା କର୍ମର ଫଳ ଭୋଗିଲା । ସେ ଖାଲି ଭୋ ଭୋ ହୋଇ ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଶ୍ମଶାନ ଛାଡି ସହର ଆଡକୁ ଧାଇଁବାକୁ ଲାଗିଲା । ଜଗୁଆଳି ପୁଅ ଏକଥା ଜାଣି ସଙ୍ଗେ ସଙ୍ଗେ ତା’ର ତରବାରୀରେ ନୃଶଂସ ସନ୍ନ୍ୟାସୀର ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରି ଦେଲା । ଆଉ ତାକୁ ନେଇ ଗୋଟିଏ ବୁଦାମୂଳେ ଲୁଚାଇ ଦେଇ ସେ ସ୍ଥାନ ପରିତ୍ୟାଗ କରି ଚାଲି ଆସିଲା ।
ରାତ୍ରିଟି ଅଧା ହୋଇଛି । ରାତି ପାହିବ କେତେ ବେଳେ ତାହା କିନ୍ତୁ ଜଗୁଆଳି ପୁଅକୁ ଜଣା ନାହିଁ । ତେଣେ ସାରା ରାତି ରାଜା ପୁଅ ତ ବେଶ୍ୟା ଘରେ ଆନନ୍ଦରେ ଥିବ ଆଉ ବଣିଆ ପୁଅ ତ ଶ୍ୱଶୁର ଘରେ ନିଜର ସ୍ତ୍ରୀକୁ ବହୁ ଦିନ ହେଲା ଦେଖି ନଥିଲା ତାକୁ ଦେଖିତ ସେ ଖୁବ୍ ମଜା କରୁଥିବ । ହେଲେ ଏକଲା ସେ ଘରଟାକୁ ଯାଇ କ’ଣ କରିବ । ବରଂ ଇମିତି ବୁଲି ବୁଲି ରାତି ପାହି ଯାଉ । ଏହା ଭାବି ଜଗୁଆଳି ପୁଅ ନିଜର ତରବାରୀ ଧରି ପୁଣି ଆଗକୁ ଚାଲିଲା ।
ଏମିତି ଯାଉ ଯାଉ ଜଗୁଆଳି ପୁଅ ଯାଇ କିଛି ଦୂରରେ ଥିବା ଏକ ପୁରୁଣା ମନ୍ଦିର ପାଖରେ ପଁହଚିଲା । ମନ୍ଦିର ଚତୁଃ ପାଶ୍ୱର୍ରେ ବୃକ୍ଷ ଗୁଡିକ ଏପରି ରହିଛି ଯେ ସେହି ବୃକ୍ଷ ମାନଙ୍କ ଲାଗି ମନ୍ଦିର ଅଧିକ ଅନ୍ଧାର ଦେଖାଯାଉ ଥିଲା ।
ଜଗୁଆଳି ପୁଅ ଯାଇ ମନ୍ଦିର ପାଖରେ ପହଁଚିଛି କି ନାହିଁ, ହଠାତ୍ ତା କାନକୁ କାହାରି କଥା ବାର୍ତା ହେବା ଶୁଭିଲା ।
ଏତେ ରାତ୍ରିରେ ପୁଣି ଏହି ମନ୍ଦିର ମଧ୍ୟରେ କେତେ ଜଣ ଏକାଠି ହୋଇ କ’ଣ କରୁଛନ୍ତି । ସେହି ସନ୍ଦେହରେ ଜଗୁଆଳି ପୁଅ ପାଦ ଚାପି ଚାପି ଯାଇ ମନ୍ଦିର ପାଖରେ ଥିବା ଗୋଟିଏ ଘଂଚ ବୃକ୍ଷଥିବା ସ୍ଥାନରେ ବସିଯାଇ ସେମାନଙ୍କ କଥା ଶୁଣିଲା ।
ସେମାନେ ଚାରି ଜଣ ଚୋର ଥିଲେ । ସେହି ରାତ୍ରିରେ ସେମାନେ ଚୋରି କରିବା ଲାଗି ସିଦ୍ଧାନ୍ତ କରୁଥିଲେ ।