ସେମାନଙ୍କ ମଧ୍ୟରୁ ପ୍ରଥମ ଚୋରଟି କହିଲା, ଆଜି ଯଦି ଥୋଡାଏ ଟଙ୍କା, ସୁନା, ରୂପା ମୁଁ ପାଇଯିବି ତାହା ହେଲେ ଠାକୁରାଣୀଙ୍କ ପୂଜା ଲାଗି ଶୁଣ୍ଢି ଦୋକାନକୁ ପୂରା ପୂରି ଖାଲି କରି ଦେବି । ପ୍ରଥମ ଚୋରଠାରୁ ଏକଥା ଶୁଣି ଦ୍ୱିତୀୟ ଚୋରଟି କହିଲା – ଭଗବାନ କରନ୍ତୁ, ମୋ ହାତରେ ଆଜି ଥୋଡାଏ ଧନରତ୍ନ ପଡି ଗଲେନା କାଲି ସକାଳୁ ବ୍ରାହ୍ମଣ ଗୋଟାଏ ଡାକି ତାକୁ ପୂର୍ଣ୍ଣଗ୍ରାସ ଭୋଜନ ସହିତ ଦକ୍ଷିଣା ଦେଇ ଖୁବ୍ ଖୁସିରେ ବିଦା କରିଦେବି ।
ଏ ଦୁଇ ଚୋରଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ତୃତୀୟ ଚୋର କହିଲା – ମୁଁ ଯଦି ଚାରି ଦିନ ତଳେ ଯେପରି ଅମାପ ଧନ ପାଇ ଗଲି ଆଜି ଯଦି ସେହି ପରି ପୁଳାଏ ପାଇ ଯିବିନା ତାହା ହେଲେ ଆସନ୍ତା କାଲି ସକାଳ ହେବା ମାତ୍ରେ ମାଳି ଘରର ସବୁ ଫୁଲ ଧଣ୍ଡା ବୋହିଆଣି ଠାକୁରାଣୀଙ୍କ ଗଳାରେ ଲମ୍ବାଇ ଦେବି ।
ଏହି ପରି ଭାବରେ ତିନି ଚୋରଙ୍କର କଳ୍ପନା ଜଳ୍ପନା ସରିବା ମାତ୍ରେ ଚତୁର୍ଥ ଚୋର ଶେଷକୁ ଥିଲାଯେ ସେ କହିଲା – ଆରେ ତୁମ କଥା ତ ସରିଲା । ଏବେ ମୋକଥା ଶୁଣ, ମୋର ମାନସିକ ଆଜି ଯଦି ସତ୍ୟରେ ପରିଣତ ହୋଇ ଯିବନା ମୁଁ ଆଜି ରାତିକ ମଧ୍ୟରେ ୟେ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ପାଖରେ ଛେଦ ପକାଇ ଦେବି ।
ଜଗୁଆଳି ପୁଅ ସେଠାରେ ଲୁଚି ଲୁଚି ଚାରି ଚୋରଙ୍କ କଥା ଶୁଣି ସାରି ମନେ ମନେ ଭାବିଲା, ଆଜି ମୁଁ ନିଶ୍ଚୟ ଏମାନଙ୍କୁ ଉପଯୁକ୍ତ ଶାସ୍ତି ଦେବି । ସେଥି ଲାଗି ସେ ଧୀରେ ଧୀରେ ଯାଇ ଠାକୁରାଣୀ ମନ୍ଦିରର ଗୋଟିଏ ଅନ୍ଧାରୁଆ କୋଣରେ ଲୁଚି ବସିଲା ।
ଏହା ପରେ ଚାରି ଚୋର ମାନେ ଚୋରି କରି ଫେରି ଆସିଲେ । ସେମାନେ ଥୋଡାଏ ଲେଖା ଧନ ଆଣି ଥାଆନ୍ତି । ସବୁ ଧନକୁ ଠାକୁରାଣୀ ମନ୍ଦିରରେ ଗଦେଇ ଦେଇ ଆନନ୍ଦରେ ମତୁଆଲା ହେଲେ । ମଝିରେ ଚତୁର୍ଥ ଚୋରର ମନେ ପଡି ଯିବାରୁ ସେ କହିଲା – ରୁହ ରୁହ ଭାଇ ବଂଟା କୁଂଟା ଆମର ପଛକୁ ଥାଉ । ଆଗ ଆଗ କାମ ଆମକୁ କରିବାକୁ ହେବ । ମାନସିକ କରିଛି ପରା, ଆଗ ରାଜା ଝିଅକୁ ଆଣିବାକୁ ହେବ । ତାଙ୍କୁ ଠାକୁରାଣୀଙ୍କ ପାଖରେ ବଳି ପକାଇ ସାରିଲେ ଯାଇ ଆଉ ସବୁ କଥା ।