ଚତୁର୍ଥ ଚୋର କଥାରେ ସବୁ ଚୋର ରାଜି ହୋଇ ଗଲେ ଜଣକୁ ଛାଡି ସମସ୍ତେ ରାଜ ଉଆସକୁ ଗଲେ । ଉଆସରେ ପହଁଚିବା ପରେ ଆଗ ଅନୁମାନ କଲେ ରାଜା ଝିଅ କେଉଁ ଉଆସରେ ଶୋଇଛି । ସମସ୍ତେ ଅନୁମାନ କରିଲେ ଯେ – ସେ ରାଜା ଝିଅ ପରା, ପ୍ରକୃତରେ ସୌନ୍ଦର୍ଯ୍ୟ, ଆକାଶର ଚାନ୍ଦ, ଘୋଡା ଦୌଡ ପଡିଆ ଦେଖିବା ଯେଉଁ ଠାରେ ସୁବିଧା ହେବ ସେହି ଠାରେ ରାଜା ଝିଅର ଉଆସ ଥିବ । ତେଣୁ ରାଜା ଝିଅ ଯେ ସବା ଉପର ମହଲାରେ ନଥିବ କାହିଁକି?
ଏହା ପରେ ସେମାନେ ନିଶୁଣି ପରେ ନିଶୁଣି ଲଗାଇ ଜଣକ ପରେ ଜଣେ ରାଜା ଝିଅର ଉଆସକୁ ପଶିଲେ । ସେଠାରୁ ରାଜା ଝିଅର ପଲଙ୍କ ସହିତ ଉଠାଇ ଘେନି ଆସିଲେ ଠାକୁରାଣୀ ମନ୍ଦିରକୁ ।
ରାଜା ଝିଅକୁ ଆଣି ସାରିବା ପରେ ବଳି ଦେବାକୁ ମାନସିକ କରି ଥିଲା ଚତୁର୍ଥ ଚୋର । ସେ ଏଥର ସମସ୍ତଙ୍କୁ ତାଗିଦ୍ କରି ଦେଇ ବସାଇ ଦେଲା । ତା’ପରେ ରାଜା ଝିଅକୁ ଉଠାଇ ନେଇ ଠାକୁରାଣୀଙ୍କ ଆଗରେ ପହଁଚିଲା ।
ସେତେ ବେଳକୁ ରାଜା ଝିଅ ଭୟ ଆତଙ୍କରେ କାନ୍ଦୁ ଥାଏ । ତାକୁ ଚୋରମାନେ ବଳି ଦେବା ଲାଗି ଏଠାକୁ ନେଇ ଆସିଛନ୍ତି । ଏଠାରେ ରାଜା ଝିଅର ତ ସାହା ଭରସା କେହି ନାହାଁନ୍ତି । ମନେ ମନେ ଠାକୁରାଣୀଙ୍କୁ ଡାକୁଥାଏ । ହେ ମା’ ରକ୍ଷାକର ।
ଏଣେ ଜଗୁଆଳି ପୁଅ ତ ଏକଥା ଜାଣି ମନ୍ଦିରର ଏକ ଅନ୍ଧାରୁଆ କୋଣରେ ବସିଥିଲା । ସେ ସଙ୍ଗେ ସଙ୍ଗେ ନିଜର ତରବାରୀକୁ ସଜ କଲା । ଚୋର ଯେତେ ବେଳେ ରାଜା ଝିଅକୁ ଜବରଦସ୍ତ ବଳି ପକାଇବା ଲାଗି ଚେଷ୍ଟା କଲା ସେହି ସମୟରେ ସୁଯୋଗ ଉଣ୍ଡି ଜଗୁଆଳି ପୁଅ ତା’ର ତରବାରୀରେ ଚୋଟଟାଏ ମାରିଲା ଯେ ଚୋରର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଗଲା ।
ଚୋର ତ ମରି ଗଲା, ସେଠାରେ ପୁଣି ଆଉ ତିନି ଜଣ ଚୋର ଅଛନ୍ତି । ସେମାନଙ୍କୁ ଖତମ୍ ନକରିବା ଯାଏଁ, ଜଗୁଆଳି ପୁଅକୁ ବିପଦ । ଆଗ ସେ ତିନି ଜଣଙ୍କୁ ହାଣି ସାରିବ ତା’ପରେ ଯାଇ ରାଜା ଝିଅକୁ ରାଜ ଉଆସରେ ଛାଡିବା କଥା ।