ତା’ପରେ ରାଜା ଝିଅକୁ ଚୁପି ଚୁପି କରି କହିଲା, ତମେ ଏବେ ନିର୍ଭୟରେ ଠାକୁରାଣୀ ଘରର କୋଣରେ ଲୁଚି କରି ବସ । ମୁଁ ସିନା ଗୋଟିଏ ଚୋରକୁ ହାଣି ଦେଲି । ଏଠାରେ ପରା ଆଉ ତିନି ଜଣ ଚୋର ରହିଛନ୍ତି, ଆମ ଚାଲିଯିବା ସମୟରେ ସେମାନେ ନିଶ୍ଚୟ ଆମ ସହ ଦଙ୍ଗା ହଙ୍ଗାମା କରିବେ । ଆମେ କାହିଁକି ଅଯଥାରେ ସେ ବୋଲକୁ ପଶିବା । ସବୁଠୁ ଯାହା ଆମ ଲାଗି ସୁବିଧା ତାହା ମୁଁ କରୁଛି । ତମେ ଖାଲି ନିରବ ହୋଇ ନିଶଦ୍ଧରେ ଏହି କୋଣରେ ଲୁଚି ବସ ।
ଜଗୁଆଳିର ପୁଅ କଥାରେ ରାଜା ଝିଅ ଅନ୍ଧାରୁଆ ଦେଖି ଠାକୁରାଣୀ ମନ୍ଦିରର ଗୋଟିଏ କୋଣରେ ଲୁଚି ବସିଲା । ଏହା ପରେ ଚୋର ମାନେ କଥା ହେଲେ – ଆରେ ଏ ଯାଏଁ କ’ଣ ସେ ରାଜା ଝିଅକୁ ବଳି ଦେଇ ସାରି ନାହିଁ । ଏତେ ବିଳମ୍ବ କାହିଁକି କରୁଛି ସେଥି ମଧ୍ୟରୁ ଜଣେ ଚୋର କହିଲା ଗୋଟେ କାମ କର ତୁମେ ଦୁଇ ଜଣ ଏ ଧନକୁ ଜଗି ବସ । ମୁଁ ଏକା ଯାଇ ଦେଖି ଆସେ ।ସେ ଏତେ ବେଳ ଯାଏଁ କ’ଣ କରୁଛି ।
ଏତକ କହି ତୃତୀୟ ଚୋରଟି ମନ୍ଦିର ଭିତରକୁ ଗଲା, ଯେମିତି ସେ ଭିତରକୁ ଯାଇଛି, ପଛରୁ ଥାଇ ଜଗୁଆଳି ପୁଅ ତରବାରୀରେ ଗୋଟିଏ ଶକ୍ତ ଚୋଟ ଲଗାଇ ଦେଲା ଯେ ତୃତୀୟ ଚୋରଟି ପ୍ରାଣ ଛାଡି ତଳେ ପଡି ଗଲା ।
ଏହା ପରେ ବାକି ଥିବା ଚୋର ଦୁଇ ଜଣ ଏମାନଙ୍କୁ ଦେଖିବା ଲାଗି ଜଣଙ୍କ ପରେ ଜଣେ ଆସିଲେ । ଜଗୁଆଳି ପୁଅ ବି ଠିକ୍ ଆଗ ପରି ଜଣଙ୍କ ପରେ ଜଣଙ୍କୁ ନିଜର ତରବାରୀ ଦ୍ୱାରା ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ।
ଏହାପରେ ଜଗୁଆଳି ପୁଅ ନିଶ୍ଚିନ୍ତ ହୋଇଯାଇ ରାଜା ଝିଅକୁ କହିଲା ଏବେ ଚାଲ ମୁଁ ତୁମକୁ ତୁମ ଉଆସରେ ଛାଡି ଦେଇ ଆସିବି । ତୁମକୁ ତୁମର ଉଆସ ପାଖରେ ଛାଡି ଦେଇ ଆସିଲେ ତେଣିକି ତୁମେ ତୁମର ଉଆସକୁ ଚାଲି ଯିବ । ବର୍ତ୍ତମାନ ମୁଁ ତୁମ ସାଥିରେ ତୁମ ଉଆସକୁ ଗଲେ କଟୁଆଳ ମାନଙ୍କ ହସ୍ତରେ ଧରା ପଡିବି । ତେଣିକି ମୋର ଯେ କି ଅବସ୍ଥା ହେବ ତାହା ତୁମେ ଜାଣି ପାରୁଥିବ ।