ମନେ ମନେ ରାଜା ଝିଅ ଭାବିଲା, ଏଥର ଏ ଜଗୁଆଳି ପୁଅ ମୋର ବୋଲ ମାନିଲା, ଏହା ଭାବି ସେ ଜଗୁଆଳି ପୁଅର କାନ୍ଧରେ ବସିଲା । ଜଗୁଆଳି ପୁଅ ଖୁବ୍ ସାହାସର ସହିତ ରାଜା ଝିଅକୁ ନେଇ ଉଆସରେ ପହଁଚାଇ ଦେଲା ।
ରାଜା ଝିଅର ଶୋଇବା ଲାଗି ରତ୍ନ ପଲଙ୍କ ପଡିଛି । ଶଂଖ ମଲ ମଲ କପଡାର ଗଦି । ରାଜା ଝିଅ କହିଲା ଏତେ ଶୀଘ୍ର ତମେ ଚାଲି ଯିବ, ତମେ ପରା ଏତେ କଷ୍ଟ କରି ମୋର ଜୀବନ ବଂଚାଇଲ । ତମର ଏଠାରେ ଡରିବାର କିଛି ନାହିଁ । ମୋ ଉଆସ ଭିତରକୁ ଆସିବାକୁ ହେଲେ ଚାରି ଚାରିଟା ଦ୍ୱାର ରହିଛି । ପ୍ରତି ଦ୍ୱାରରେ ଜଗୁଆଳି ମାନେ ଜଗିଛନ୍ତି । ରାଜା ଆସିଲେ ବି ମୋର ଆଦେଶ ଆଗ ମାଗିବେ । ତା’ପରେ ଯାଇ ମୋ ଉଆସକୁ ଆସିବେ । ତମେ ନିର୍ଭୟର ସହିତ ମୋର ଏହି ପଲଙ୍କରେ ବସ । ମୁଁ ତୁମ ଲାଗି କ୍ଷୀର ଗ୍ଲାସ୍ଟିଏ ଆଣି ଦେଉଛି ତମେ ତାହା ପିଇ ସାରିଲେ ଆରାମରେ ଏଠାରୁ ଚାଲିଯିବ ।
ରାଜା ଝିଅର ଏ କଥା ଶୁଣି ଜଗୁଆଳି ପୁଅ କହିଲା, ରାତିଟାରେ । ମୁଁ ଭଲ ହେଲା ମୁଁ ତୁମକୁ ପହଁଚାଇ ଦେଲି । ସେ ସବୁ ଚର୍ଚ୍ଚା ପଛକୁ ଥାଉ, ତମେ ମୋତେ ଏଥରକ ବିଦାୟ ଦିଅ ।
ଜଗୁଆଳି ପୁଅଠାରୁ ଏକଥା ଶୁଣି ରାଜା ଝିଅ ମୁରୁକି ମୁରୁକି ହସିଲା । ମନେ ମନେ ଭାବିଲା ୟେ ରାଜା ଘର କଥା ତ କାଳେ ବିପଦଟା ଆସି ଯିବ ।
ନାଇଁ ସେମିତି କିଛି ହେବ ନାହିଁ । ୟାଙ୍କ ପରି ଗୋଟିଏ ଭେଣ୍ଡିଆ ଟୋକାକୁ ମୁଁ ଯେତେ ବେଳେ ଏକଲା ପାଇଛି ଏତେ ସହଜରେ ଛାଡି ଦେବି । ଏହା ଭାବି ଭାବି ସେ ଆସି ଜଗୁଆଳି ପୁଅର ଦୁଇ ହାତକୁ ଛନ୍ଦି ଦେଇ ଝୁଙ୍କି ପଡିଲା ।
ଜଗୁଆଳି ପୁଅ କହିଲା – ଦେଖ ରାଜ କୁମାରୀ ଏସବୁ ଅନ୍ୟାୟ କଥା । ମୋ ଦ୍ୱାରା ଏହା ଅସମ୍ଭବ ।