ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଢୀଟି କାନ୍ଦୁଥିଲା କାହିଁକି?

         ଶାରୀ କହିଲା, କହୁନ । ଏବେ ତ ତମେ ତମର ପୁରୁଷ ଜାତିକୁ ବାଉଁଶ ଲଗାଇ ଟେକିବାରେ ଲାଗିଛ । କୁହ ଏଥର ରାଜା ପୁଅ ସେହି ରାତିରେ ବେଶ୍ୟା ପାଖରେ ଥାଇ କ’ଣ କଲା । ଶୁଆ କହିଲା, ରାଜା ପୁଅ ବେଶ୍ୟା ପାଖରେ ରାତ୍ରିଟି ମଜାରେ ବିତାଇ ଦେବ ବୋଲି ଶୋଇଥିଲା । ବେଶ୍ୟା ସହିତ ରଙ୍ଗ କରୁ କରୁ ରାଜା ପୁଅକୁ ନିଦ ହୋଇ ଯାଇଥିଲା । ସକାଳୁ ରାଜା ପୁଅର ନିଦ ଭାଙ୍ଗି ଗଲା । ଆଖି ମଳି ମଳି କରି ସେ ଭାବିଲା, ଦେଖିଲା ରାତ୍ରିଟା ସାରା ମୁଁ ଏଠାରେ ରହି ଗଲି । ତେଣେ ସାଙ୍ଗ ଜଗୁଆଳି ପୁଅ ମୋତେ ଚାହିଁ ଚାହିଁ କ’ଣ କରୁଥିବ?

         ଏହି କଥା ଭାବି ରାଜା ପୁଅ ଚାହିଁଲା । ବେଶ୍ୟାକୁ କିଛି ପୁରସ୍କାର ଦେଇ ତା’ଠାରୁ ବିଦାୟ ନେବ । ତେଣୁ ବେଶ୍ୟାକୁ ଡାକିବା ବେଳକୁ ରାଜା ପୁଅ ଦେଖିଲା ବେଶ୍ୟା ବି ରାତ୍ରି ଅନିଦ୍ରା ହେବା ଯୋଗରୁ ଘୋର ନିଦରେ ଶୋଇ ଯାଇଛି । ଯାହା ହେଲେ ଭଦ୍ରତା ଦୃଷ୍ଟିରୁ ତ ତା’ଠାରୁ ବିଦାୟ ନେବାକୁ ହେବ ।

         ସେଥିଲାଗି ରାଜା ପୁଅ ବେଶ୍ୟାର ଦେହରେ ହାତ ମାରି ଉଠାଇ ଦେବାକୁ ଚେଷ୍ଟା କରିବା ବେଳକୁ ସେ ଜାଣି ପାରିଲା ଯେ ବେଶ୍ୟା ମରି କାଠ ହୋଇ ଯାଇଛି ।

         ସେତେବେଳେ ରାଜା ପୁଅ କରିବ କ’ଣ? ମୁଣ୍ଡକୁ ତା’ର ବୁଦ୍ଧି ଆସୁ ନାହିଁ । ବୋକା ପରି ଠିଆ ହୋଇଛି ।

         ସେହି ବେଶ୍ୟାର ଆଉ ଜଣେ ଧରା ବନ୍ଧା ପୁରୁଷ ଥିଲା । ସକାଳ ହେଲାରୁ ସେ ପୁରୁଷ ବେଶ୍ୟା ପାଖକୁ ଆସିଲା । ସିଏ ଆସି ଦେଖେ ତ ରାଜା ପୁଅ ଠିଆ ହୋଇଛି । ଖଟ ଉପରେ ବେଶ୍ୟା ମରି ପଡିଛି । ବେଶ୍ୟାର ଗୋଡ ହାତ ଫୁଲି ଗଲାଣି । ତା’ ଦେଖି ତା’ ପୁରୁଷ ଖୁବ୍ ଜୋର୍ରେ କାନ୍ଦିବାକୁ ଆରମ୍ଭ କରି ଦେଲା । ସେ ପୁରୁଷ କାନ୍ଦିବାରୁ ବେଶ୍ୟାର ମରିଥିବା କଥା ପ୍ରଘଟ ହୋଇଗଲା । ସଙ୍ଗେ ସଙ୍ଗେ ବେଶ୍ୟା ଘରେ ଲାଗି ଗଲା ମେଳା । ସହର ସାରା ଲୋକ ସେଠାକୁ ଧାଇଁ ଆସିଲେ । ସତେ ଯେପରି ଗୋଟାଏ ମେଳାର ଲୋକ ସେଠାରେ ଜମି ଗଲେ । କାହିଁକିନା ସହରଟା ସାରା ଲୋକଙ୍କ ସହିତ ସେ ବେଶ୍ୟାର ଜଣା ଶୁଣା ଥିଲା । ସେମାନେ ଆରକ୍ଷୀକୁ ଖବର ଦେଲେ । ଆରକ୍ଷୀ ସଦଳବଳେ ଆସି ସେଠାରେ ପହଁଚି ଯାଇ ବେଶ୍ୟା ମରିବାର ତଦନ୍ତ ଆରମ୍ଭ କରି ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ