ଆରକ୍ଷୀ ଆଗ ରାଜା ପୁଅକୁ ପଚାରିଲା – ରାଜା ପୁଅ ଠାରୁ ଜମାନ ବନ୍ଦୀ ନେଲା । ରାଜା ପୁଅ ଥରି ଥରି କହିଲା ମୋର ଏଥିରେ କିଛି ହେଲେ ଦୋଷ ନାହିଁ । କେବଳ ଏତିକି କହିବି ରାତିରେ ଦୁହେଁ ମଜ୍ଜା କଲୁ । ତା’ପରେ ସାଥୀ ହୋଇ ଶୋଇ ପଡିଲୁ । ସକାଳ ହେଲାରୁ ମୁଁ ଉଠି ବସିଲି । ମୁଁ ଯେତେ ବେଳେ ବେଶ୍ୟାକୁ ଉଠାଏ, ଦେଖିଲି ବେଶ୍ୟା ମରି ପଡିଛି । ଏହା ବ୍ୟତୀତ ମୋତେ ଆଉ କିଛି ଜଣା ନାହିଁ ।
ଆରକ୍ଷୀ ରାଜା ପୁଅ ଠାରୁ ଜମାନ ବନ୍ଦୀ ନେଇ ସାରିବା ପରେ ଆଉ କିଛି ଚାରା ନଥିଲା । ରାତିରେ ବେଶ୍ୟା ପାଖରେ ରାଜା ପୁଅ ହିଁ ଥିଲା । ରାଜା ପୁଅ ସତ କହିଲା କି ମିଛ କହିଲା ସେକଥା କିପରି ବିଶ୍ୱାସ କରିବ । ତେଣୁ ନ୍ୟାୟ ଦୃଷ୍ଟିରୁ ଆରକ୍ଷୀ ରାଜା ପୁଅ ହସ୍ତରେ କଡି ପକାଇ ହାଜତକୁ ନେଇ ଗଲା ।
ଏହା ପରେ ଶୁଆ କହିଲା ଶାରୀ ଲୋ ରାଜା ପୁଅ କଥା ଏଇଠି ଥାଉ ଏହା ପରେ କହୁଛି ବଣିଆ ପୁଅ କଥା, ବଣିଆ ପୁଅ ତ ତା’ ଶ୍ୱଶୁର ଘରକୁ ଯାଇଥିଲା । ସେଠାରେ ସେ କ’ଣ କଲା ସେ କଥା କ’ଣ ତୁ ଜାଣିବୁ ନାହିଁ । ଶାରୀ କହିଲା – କହୁନୁ । ଏଯାବତ ତୁ ସମସ୍ତଙ୍କ କଥା କହି ଚାଲିଛୁ ହେଲେ ବଣିଆ ପୁଅର କଥା ତ କିଛି କହିଲୁ ନାହିଁ । ଶୁଆ କହିଲା ତାହା ହେଲେ ଶୁଣ – ବହୁତ ଦିନ ପରେ ଶ୍ୱଶୁର ଘରକୁ ଯାଇଛି ବଣିଆ ପୁଅ । ମନରେ ବି ମସୁଧା କରିଛି ରାତି ପାହିଲେ ନିଜ ସ୍ତ୍ରୀକୁ ସାଥିରେ ଧରି ଗ୍ରାମକୁ ଚାଲିଯିବ ।
ଜୋଇଁ ଶ୍ୱଶୁର ଘରେ ଯେତେବେଳେ ପହଁଚି ଗଲା । ଏକଥା ଶାଶୁ ଶ୍ୱଶୁରଙ୍କୁ ଅପୂର୍ବ ଲାଗିଲା । ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇଁ ଦିନ ମାଇଁ ।
ଅକାଳ ବାବାଜୀ ସକାଳେ ଦେଖା ପରି କଥାଟା ଲାଗିଲା ଆଗରୁ କେତେ ଡକେଇ ଡକେଇ ଜୋଇଁ ପୁଣି ଆସିବାକୁ ତର ପାଉ ନଥିଲେ । କେଜାଣି ଅନେକ ଦିନ ପରେ ଜୋଇଁଙ୍କର ଶ୍ୱଶୁର ଘର ଆଉ ନିଜର ତିରିଲା କଥା ମନେ ପଡିଲା ।