ଯାହା ହେଉ ବହୁତ ଦିନ ପରେ ଜୋଇଁ ଆସିଛନ୍ତି । ଶାଶୁ ଶ୍ୱଶୁରଙ୍କ ମନରେ ଯେ କି ଆନନ୍ଦ ସେକଥା ସେହି ମାଆ ଗଙ୍ଗେ ଜାଣନ୍ତି । ସେଥି ଲାଗି ଜୋଇଁ ଲାଗି ନଅ ତିଅଣ, ଛଅ ଭଜା କରାଗଲା । ଜୋଇଁଙ୍କୁ ଆଗ ଖାଇବା ପିଇବାକୁ ଦେଇ ସାରିବା ପରେ ପରିବାରର ଅନ୍ୟ ସମସ୍ତେ ଖାଇଲେ । ଖିଆ, ପିଆ ସରିଲା । ଶାଶୁ ଶ୍ୱଶୁର ଖିଆ, ପିଆ ସାରି ଶୋଇଲେ । ବଣିଆ ଝିଅ ବି ଖାଇ ସାରି ସ୍ୱାମୀଙ୍କ ଶୋଇବା ଘରକୁ ଗଲା । ଏମିତି ଏମିତି ରାତି ପାହିଲା । ବେଳକୁ ବେଳ ଖରା ବଢିଲା । ଝିଅ ଜୋଇଁ ସେ ଘରେ ଏତେ ବେଳ ଯାଏଁ ଗୋଟାଏ ଘରେ କବାଟ ଦେଇ ଶୋଇ ଛନ୍ତି । ଉଠୁ ନାହାଁନ୍ତି କାହିଁକି?
ଏହାର କାରଣ ହେଉଛି ବଣିଆ ଝିଅ ଲାଜ ସରମରେ ବିଛଣା ଛାଡି ଆସି ପାରୁ ନାହିଁ । ତହିଁକି ଜୋଇଁ, ସେ ଗଧ ପରି ଶୋଇଛନ୍ତି ସେ ବି ଉଠି ପାରୁ ନାହାଁନ୍ତି । ରାତି ସାରା ବଣିଆ ଝିଅର ଆଖିକୁ ନିଦ ନାହିଁ । କେବଳ ଯନ୍ତ୍ରଣାରେ ସେ ଛଟପଟ ହେଉଛି । ନାକଟା ବିନ୍ଧା ଛିଟିକା କରୁଛି । ଦରଜା ଖୋଲିବା ମାତ୍ରେ ତ ବାପ ମାଆଙ୍କ ଆଖିରେ ଆଗ ଏହି କଥା ପଡିବ । ସେମାନେ ମୋତେ ପଚାରିବେ ଏବେ କ’ଣ କରିବି । କ’ଣ କହିବି, ନାଁ ମୋତେ ଏଥି ଲାଗି କିଛି ଗୋଟାଏ କରିବାକୁ ହେବ ।
ଆଜି ସ୍ୱାମୀ ଆସିଥିଲେ ବୋଲି ବାବାଜୀଙ୍କ ପାଖକୁ ଯିବାରେ ବିଳମ୍ବ ହେଲା । ସବୁ କାମ ସାରୁ ସାରୁ ଉଚ୍ଛୁର ହେଲା । ପୁଣି କାଲି ସକାଳୁ ୟେ ମୋତେ ତାଙ୍କ ଘରକୁ ସାଙ୍ଗରେ ନେଇ ଯିବେ । ଏକଥା ଯଦି ବାବାଜୀଙ୍କ ପାଖରେ ନ କହିବି ସେ କେତେ ଯେ ମନ ଦୁଃଖ କରିବେ ।
ଏତେ କଥା ଭାବିଲା ପରେ ବାବାଜୀଙ୍କ ପାଖକୁ ଗଲି ଯେ ମୋ ବିଳମ୍ବ ହେବା ଦେଖି ସେ ମୋ ନାକରୁ ପୁଳାଏ କାମୁଡି ଛିଣ୍ଡାଇ ଦେଲେ । ଏ ଅଲକ୍ଷଣା ଆସିଲା ବୋଲି ଏତେ କଥା ହେଲା । ଏହି ସ୍ୱାମୀଙ୍କ ଲାଗି ମୋର ନାକ ଗଲା । ୟେ ଯଦି ଆସି ନଥାଆନ୍ତା ତାହା ହେଲେ ମୋ ନାକ ବା କାହିଁକି ଯାଇ ଥାଆନ୍ତା । ୟେ ହେଉଛି ସବୁ କଥାର ମୂଳ । ଏ ଯୋଗିନୀଖିଆକୁ ମୁଁ ସହଜରେ ଛାଡିବି ନାହିଁ । ବାବାଜୀ ପାଖକୁ ଯିବା କଥା ଶୁଣି ମୋ ନାମରେ ଲୋକ ଅପବାଦ ଦେବେ । ତା’ଠାରୁ ଭଲ ହେବ ଏ ଅଲକ୍ଷଣାକୁ ସେହି କଥାରେ ଫସେଇ ଦେବା ସବୁ କଥା ୟାରି ମୁଣ୍ଡରେ ଯିବ ।