ବଣିଆ ଝିଅ ଏୟା ଭାବି ଖୁବ୍ ଚିତ୍କାର କରିବାକୁ ଲାଗିଲା । ଧାଇଁ ଆସ ହୋ ଧାଇଁ ଆସ କହି ସମସ୍ତଙ୍କୁ ଚେତାଇ ଦେଲା ।
ଏଣେ ନିଦରେ ଶୋଇ ଥିଲା ବଣିଆ ପୁଅ । ନିଜ ସ୍ତ୍ରୀଙ୍କର ନାକର ଏପରି ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ କ’ଣ ହେଲା, କ’ଣ ହେଲା କହୁଥିବା ସମୟରେ ସେଠାରେ ବହୁତ ଲୋକ ଜମା ହୋଇଗଲେ । ଦେଖଣାହାରିଏ ତାହା ଦେଖି ଅବାକ୍ ହୋଇଗଲେ । ପଚରା ଯିବାରୁ ଝିଅ ଜ୍ୱାଇଁଙ୍କ ଉପରେ ସବୁ ଦୋଷ ଲଦି ଦେଇ କେବଳ କାନ୍ଦିବାକୁ ଆରମ୍ଭ କଲା ।
ହେଲେ ବଣିଆ ପୁଅ ତ ଏ ବିଷୟରେ ବିନ୍ଦୁ-ବିସର୍ଗ ଜାଣେ ନାହିଁ । ସେ କେବଳ କାଠ ପୁତଳିଟି ପରି ଠିଆହୋଇ ରହିଥାଏ । ଶ୍ୱଶୁର ଘରର ଲୋକ ଝିଅର ଏପରି ଦୁର୍ଦ୍ଧଶା ଲାଗି ଜ୍ୱାଇଁକୁ ଦାୟୀ କରିବା ସହିତ ଆରକ୍ଷୀକୁ ଖବର ଦେଲେ ।
କିଛି ସମୟ ପରେ ଆରକ୍ଷୀ ଆସିଲା । ବଣିଆ ପୁଅର କାକୁତି ମିନତିର କଥାକୁ ସେ ଆଦୌ ଶୁଣିଲା ନାହିଁ । ବଣିଆ ପୁଅକୁ ବାନ୍ଧି ନେଇ ଆରକ୍ଷୀ ବନ୍ଦିଶାଳକୁ ନେଇ ଗଲା ।
ଶୁଆ କହିଲା – ଶୁଣିଲୁ ତ ଶାରୀ । ମୁଁ ତୋତେ ଯେଉଁ ଯେଉଁ କଥା କହିଲି, ଏହା ପରେ ଯାହା ହେଲା ମୁଁ ତୋତେ ସେହି କଥା କହୁଛି ।
ରାଜାଙ୍କ କଟୁଆଳ ମାନେ ଜଗୁଆଳି ପୁଅକୁ ଆଉ ଆରକ୍ଷୀ ରାଜାପୁଅ ଓ ବଣିଆ ପୁଅକୁ ନେଇ ବନ୍ଦିଶାଳରେ ପୁରାଇ ଦେଲା । ଏହା ପରେ ସମସ୍ତେ ବିଚାରଳୟରେ ହାଜର ହେଲେ । ବିନା ଦୋଷରେ ସେମାନଙ୍କୁ ଆରକ୍ଷୀ ହାତରେ ବନ୍ଧା ହେବାକୁ ପଡିଲା । ତିନିଙ୍କୁ ତିନିହେଁ ଦେଖି ତିନି ସାଙ୍ଗ ଖାଲି ଭେଁ ଭେଁ ହୋଇ କାନ୍ଦିଲେ । ହେଲେ ଜଗୁଆଳି ପୁଅ ସେ ସବୁ ପାଇଁ କୌଣସି ମାନସିକ ଚିନ୍ତା ନଥିଲା । ସେ ସବୁ କଥାରେ ଜାଗ୍ରତ ଥିବା ପରି ଜଣାଯାଉ ଥାଏ । ସେଦିନ ହାଜତରେ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପ୍ରଥମେ ବଣିଆ ପୁଅକୁ ବିଚାରପତି ଜେରା କଲେ ।