ବିଚାରପତିଙ୍କର କୌଣସି ପ୍ରଶ୍ନର ଉତ୍ତର ବଣିଆ ପୁଅ ଦେଇ ପାରିଲା ନାହିଁ ।
ତା’ପରେ ବିଚାରପତି ଜଗୁଆଳି ପୁଅକୁ ଜେରା କଲେ – ଜଗୁଆଳି ପୁଅ ସଚେତନ ଅବସ୍ଥାରେ ଥିଲା । ସେ ସଙ୍ଗେ ସଙ୍ଗେ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସଜାଗ ହୋଇଗଲା । ସେ କହିଲା – ମାନ୍ୟବର! ଆମେ ତିନି ଜଣ ସାଙ୍ଗ ଗୋଟିଏ ସ୍ଥାନରୁ ଏଠାକୁ ଆସିଥିଲୁ । ଆମେ ବିନା ଅପରାଧରେ ଆଜି ବନ୍ଦିଶାଳକୁ ବନ୍ଧା ହୋଇ ଆସିଛୁ । ରାଜାଙ୍କ ପୁଅକୁ ଇଙ୍ଗିତ କରି କହିଲା – ୟେ ହେଉଛନ୍ତି ପ୍ରୀତିପୁର ରାଜାଙ୍କର ପୁଅ ଯୁବରାଜ, ମୁଁ ହେଉଛି ଜଗୁଆଳିଙ୍କ ପୁଅ, ଏ ହେଉଛନ୍ତି ପ୍ରୀତିପୁରର ଜଣେ ଧନୀକ ବଣିଆଙ୍କର ପୁଅ ।
ଆମେ ଥିଲୁ ତିନିଙ୍କୁ ତିନିହେଁ ସଙ୍ଗାତ । ଏବେ ମାନ୍ୟବରଙ୍କର ଯେବେ ମୋତେ ଆଦେଶ ହେବ ତାହା ହେଲେ ମୁଁ ଯାହା ସବୁ ଜାଣିଛି ତାହା ଆପଣଙ୍କ ପାଖରେ ସତ ସତ ବଖାଣି ଦେବି ।
ଜଗୁଆଳି ପୁଅ ଠାରୁ ଏକଥା ଶୁଣି ବିଚାରପତି କହିଲେ, ଠିକ୍ ଅଛି, ତୁମେ ଯାହା ଜାଣିଛ ସେ କଥା ସତ ସତ କୁହ । ଏଥିରେ ପଦେ ଯଦି ମିଥ୍ୟା କହିବ ସେହି ଅପରାଧରେ ମୁଁ ତୁମକୁ ଫାଶି ଦେବି ।
ବିଚାରପତିଙ୍କ ଠାରୁ ଆଦେଶ ହେବା ପରେ ଜଗୁଆଳି ପୁଅର ସାହାସ ହେଲା । ତହୁଁ ସେ ସବୁ କଥାକୁ ଖୋଲି କହିଲା –
ୟେ ବଣିଆ ପୁଅ ଆମର ସଙ୍ଗାତ । ତାଙ୍କର ଏହି ଗ୍ରାମରେ ଶ୍ୱଶୁର ଘର । ସେ ତାଙ୍କ ସ୍ତ୍ରୀଙ୍କୁ ନିଜ ଘରକୁ ନେବା ପାଇଁ ଯେତେ ବେଳେ ଏଠାକୁ ବାହାରିଲେ । ଆମେ ସମସ୍ତେ କଥା ହେଲୁ ଯେ ସମସ୍ତେ ସାଙ୍ଗ ହୋଇ ଯିବା । ନୂଆ ସହର ବୁଲିବା ତା’ପରେ ସାଥୀ ହୋଇ ପୁଣି ଗ୍ରାମକୁ ଫେରିବା ।
ତା’ପରେ ଆମେ ସାଙ୍ଗ ହୋଇ ଗ୍ରାମରୁ ବାହାରି ଆସିଲୁ । ଭଲରେ ଭଲରେ ଆମେ ଏହି ସହରରେ ପହଁଚିଲୁ । ପ୍ରଥମେ ଆମେ ସ୍ଥିର କଲୁ ଯେ ବଣିଆ ପୁଅ ତା’ ଶ୍ୱଶୁର ଘରକୁ ଯାଉ, ଆଜି ରାତିକ ଆମେ ଏହି ସହରରେ ବୁଲା ବୁଲି କରିବୁ । ତା’ପରେ ଭଡା ଘର ଗୋଟିଏ ଯୋଗାଡ କରି ରାତିରେ ସେଠାରେ ରହିଯିବୁ ।