ଜଗୁଆଳି ପୁଅର କଥା ସରିଲା । ବିଚାରପତିଙ୍କ ବିଚାରରେ ବେଶ୍ୟାର ପୁରୁଷକୁ ଏକଥା ପଚାରିବାରୁ ସେ ସବୁ ସତ କଥା ବିଚାରପତିଙ୍କ ସମ୍ମୁଖରେ କହିଗଲା । ଏଥିରେ ରାଜା ପୁଅର କୌଣସି ଦୋଷ ନାହିଁ ଜାଣି ବିଚାରପତି ରାଜା ପୁଅକୁ ନିର୍ଦ୍ଧୋଷରେ ଖଲାସ କରିଦେଲେ ।
ଏହା ପରେ ଜଗୁଆଳି ପୁଅ କହିଲା, ଏବେ ମୋ ଠାରୁ ଆଉ ଗୋଟିଏ କଥା ଶୁଣ । ସେଦିନ ମୁଁ ସାପ ମୁହଁରୁ ରାଜା ପୁଅକୁ ଉଦ୍ଧାର କରି ମନ ଖୁସିରେ ସହର ବୁଲିବାକୁ ବାହାରି ଗଲି । ରାତିତ ଅନେକ ହୋଇ ଯାଇ ଥାଏ । ବୁଲିବା ମଧ୍ୟରେ ମୁଁ ଖଣ୍ଡେ ଦୂରରେ ଦେଖିଲି ଯେ ଜଣେ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଲୋକ ଏକା ଏକା ସହର ଛାଡି ମଶାଣି ଆଡକୁ ଚାଲିଲା । ମୋର ସନ୍ଦେହ ହେଲା । ଏତେ ରାତିରେ ଏକା ଏକା ଏହି ସ୍ତ୍ରୀ ଲୋକ ମଶାଣୀ ଆଡେ କାହିଁକି ଯାଉଛି । ମୋର ମନର ସନ୍ଦେହ ଦୂର କରିବା ଆଶାରେ ମୁଁ ସେହି ସ୍ତ୍ରୀ ଲୋକର ପଛେ ପଛେ ଚାଲିଲି ।
ମୁଁ ଦେଖିଲି ସେହି ସ୍ତ୍ରୀ ଲୋକଟି ମଶାଣୀର ଶେଷ ସୀମା ଯାଏଁ ଗଲା । ଶେଷରେ ଜଣେ ବାବାଜୀ ବସି ଥିଲେ । ଏ ସ୍ତ୍ରୀ ଲୋକକୁ ଆଗରେ ଯିବାର ଦେଖି ସେ ଖୁବ୍ ରାଗ ଆଉ କ୍ରୋଧରେ ଆସିଲେ । ସ୍ତ୍ରୀଲୋକର ଏତେ ବିଳମ୍ବ ହେବାର କାରଣ ମାଗିଲେ । ସ୍ତ୍ରୀଲୋକଟି କହିଲା ଆଜି ମୋର ସ୍ୱାମୀ ଆସିଛନ୍ତି । ସମସ୍ତଙ୍କ କଥା ବୁଝି ସୁଝି କାମ ସାରିବା ବେଳକୁ ଏମିତି ଡେରି ହୋଇଗଲା । ମୋର ସ୍ୱାମୀ ଶୋଇଯିବା ପରେ ସୁବିଧା ଦେଖି ମୋତେ ଲୁଚି ଲୁଚି ଆସିବାକୁ ହେଲା ।
ସ୍ତ୍ରୀ ଜଣଙ୍କ ପ୍ରକୃତ ସତ୍ୟ କଥା ବାବାଜୀ ଆଗରେ ବଖାଣି ସାରିଲା । ସେ ଯେତେବେଳେ ତା’ ସ୍ୱାମୀଙ୍କ ଆସିବା କଥା ଜାଣିଲା ବାବାଜୀ ଆଗଠାରୁ ଆହୁରି ଅଧିକ ରାଗି ଗଲା । ସଙ୍ଗେ ସଙ୍ଗେ ଏ ସ୍ତ୍ରୀ ଲୋକର ବାହୁ ଦୁଇଟାକୁ ଧରି ପକାଇ ସେ ସ୍ତ୍ରୀଲୋକର ନାକରୁ ପୁଳାଏ କାମୁଡି ଧରି ଚାଲି ଗଲା । ଏହା ପରେ ସେହି ସ୍ତ୍ରୀ ଲୋକଟି କାନ୍ଦି କାନ୍ଦି ପଳାଇ ଆସିଲା ।
ସେତେ ବେଳେ ଯଦିଓ ମୁଁ ଏକଥା ଜାଣି ପାରି ନଥିଲି ଏବେ ଜାଣିଲି ଯେ ସେ ସ୍ତ୍ରୀଲୋକ ହେଉଛି ଏହି ବଣିଆର ଝିଅ । ଆଉ ମୋ ସାଙ୍ଗର ସ୍ତ୍ରୀ । ହେଲେ ଏସବୁ କଥା ମୋତେ ଜଣା ନଥିଲେ ମଧ୍ୟ ଏସବୁ ଦୃଶ୍ୟ ଦେଖି ବାବାଜୀ ଉପରେ ମୋର ଖୁବ୍ ରାଗ ହେବାରୁ ମୁଁ ସେ ବାବାଜୀଙ୍କୁ ହାଣି ଦେଇ ସାରିବା ପରେ ଏକ ଜଙ୍ଗଲିଆ ବୁଦା ମୂଳରେ ଲୁଚାଇ ଦେଇ ଆସିଲି । ମାନ୍ୟବରଙ୍କର ଯେବେ ଆଜ୍ଞା ହେବ ତାହା ନିଶ୍ଚୟ ଆପଣଙ୍କୁ ଦେଖାଇ ଦେଇ ପାରିବି ।