ବିଚାରପତି ସଙ୍ଗେ ସଙ୍ଗେ ଲୋକଙ୍କୁ ପଠାଇ ଜଗୁଆଳି ପୁଅ କହୁଥିବା କଥାର ସତ୍ୟା ସତ୍ୟ ବୁଝିବାରୁ ଜଣାଗଲା ଯେ ଏକଥା ସତ୍ୟ । ସେ ସ୍ତ୍ରୀ ଲୋକକୁ ପଚାରିବାରୁ ସେ ମଧ୍ୟ ସବୁ ସତ୍ୟ କଥାକୁ ସେଠାରେ ପ୍ରକାଶ କଲା । ଏହା ପରେ ବିଚାରପତି ବଣିଆ ପୁଅକୁ ନିର୍ଦ୍ଧୋଷରେ ଖଲାସ କରି ଦେଲେ ଏବଂ ସେହି ସ୍ତ୍ରୀ ଲୋକକୁ ଫାଶି ଆଦେଶ ଦେଲେ ।
ଏହା ପରେ ବିଚାରପତି ପଚାରିଲେ ଏବେ ତୁମ କଥା କୁହ । ତୁମେ କାହିଁକି କାଲି ରାତିରେ ରାଜକନ୍ୟାଙ୍କ ଉଆସରେ ପଶିଥିଲ ।
ଏଥୁ ଅନ୍ତେ ଜଗୁଆଳି ପୁଅ କହିଲା – ମାନ୍ୟବର ସେଦିନ ବାବାଜୀର ମୁଣ୍ଡ କାଟି କରି ବସାକୁ ଫେରୁଥିବା ସମୟରେ ଗୋଟିଏ ଠାକୁରାଣୀ ମନ୍ଦିର ପାଖରେ ପହଁଚି ଗଲି । ସେ ସ୍ଥାନ ଖୁବ୍ ଅନ୍ଧାର ହୋଇଥିଲା । ସେହି ଅନ୍ଧାର ମଧ୍ୟରେ ମୁଁ ଶୁଣିବାକୁ ପାଇଲି ଯେ ମନ୍ଦିର ଭିତରେ କେତେ ଜଣ ଚୋର ବସି ନାନା ସ୍ଥାନରେ ଚୋରି କରିବାର ଯୋଜନା କରୁଛନ୍ତି । ସେଥିଲାଗି ଚୋରି କରିବାରେ ଯେପରି ତାଙ୍କୁ ସଫଳତା ମିଳିବ, ସେଥିପାଇଁ ଜଣ ଜଣ କରି ଚାରି ଜଣ ମାନସିକ କଲେ – ପ୍ରଥମ ଚୋର ଜଣକ କହିଲା, ଆଜି ଯଦି ମୁଁ ସହଜରେ ଚୋରି କରି ପଳାଇ ଆସିବି ତାହା ହେଲେ ଠାକୁରାଣୀଙ୍କ ଲାଗି ଶୁଣ୍ଢି ଘର ଦୋକାନଟି ସଫା କରିଦେବି । ଦ୍ୱିତୀୟ ଚୋର ଜଣଙ୍କ କହିଲା ମୁଁ ଯଦି ସହଜରେ ପୁଳାଏ ଧନ ଧରି ଆସିବି ତାହା ହେଲେ ମାଆଙ୍କୁ ଶହେ ଧଣ୍ଡା ଚଢେଇବି । ତୃତୀୟ ଚୋର କହିଲା ମୁଁ ଯଦି ସହଜରେ କିଛି ଧନ ଧରି ଫେରି ଆସିବି ତାହା ହେଲେ ଆଗ ସକାଳେ ଜଣେ ବ୍ରାହ୍ମଣଙ୍କୁ ପେଟ ପୁରା ଭୋଜନ ଓ ଉପଯୁକ୍ତ ଦକ୍ଷିଣା ମଧ୍ୟ ଦେବି । ତା’ପରେ ଚତୁର୍ଥ ଚୋର କହିଲା, ମୁଁ ଯଦି ଆଜି ଭଲରେ ଭଲରେ ବହୁତ ଧନ ଚୋରି କରି ଆଣିବି ତାହା ହେଲେ ଆଜି ରାତିକ ମଧ୍ୟରେ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ଆଗରେ ଛେଦ ପକାଇବି ।
ଏହି ଭଳି ଭାବରେ ଚାରି ସଙ୍ଗାତ ବିଚାର କରି ଚୋରି କରିବାକୁ ବାହାରି ଗଲେ । ମୁଁ ସେଠାରେ ଚୁପ୍ ହୋଇ ସବୁ କଥା ଶୁଣି ଚୋରମାନଙ୍କ କାଣ୍ଡ କାରଖାନା ଦେଖିବା ଲାଗି ସେହି ଠାକୁରାଣୀଙ୍କ ମନ୍ଦିରର ଗୋଟିଏ ଅନ୍ଧାରୁଆ କୋଣ ଦେଖି ଲୁଚି କରି ବସିଲି ।
ସତକୁ ସତ କିଛି ସମୟ ପରେ ସବୁ ଚୋର ଭଲରେ ଭଲରେ ଫେରି ଆସିଲେ । ସେମାନେ ବି ସାଥିରେ ବହୁତ ଧନ ଚୋରି କରି ଆଣିଥିଲେ । ସେହି ଜିନିଷ ସବୁ ଭାଗ ବଂଟା କରିବା ଆଗରୁ ଚତୁର୍ଥ ଚୋର କହିଲା – ରୁହ ସେସବୁ ପଛରେ ହେବ, ଆଗ ଆସ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ପାଖରେ ଚ୍ଛେଦ ପକାଇବା ।