ବଣିଆ ପୁଅ ସେଇଠୁ ନିଜର ପୋଷାକ ପତ୍ର ଧରି ତା’ର ଶ୍ୱଶୁର ଘରକୁ ଚାଲିଗଲା । ସହରରେ ରହିଗଲେ ରାଜା ପୁଅ ଓ ଜଗୁଆଳିର ପୁଅ ।
କିଛି ସମୟ ସହରରେ ବୁଲା ବୁଲି କରି ସାରିବା ପରେ ରାଜା ପୁଅ କହିଲା ଏବେ ତ ରାତି ହୋଇଯିବ । ଆମକୁ ତ ପୁଣି ରାତିରେ ରହିବା ଲାଗି ଘର ଦରକାର, ଚାଲ ଆଗ ଘର ଖଣ୍ଡିଏ ଯୋଗାଡ କରି ନେବା ।
ଏହା ପରେ ଦୁଇ ସାଙ୍ଗ ସହରର ଏକ ଗଳି ମଧ୍ୟରେ ପଶି ଗଲେ । କିଛି ବାଟ ଯିବା ପରେ ସେ ଦେଖିଲେ ଗୋଟିଏ ଡାକ ଘର, ଡାକ ଘରକୁ ଲାଗି ଆଉ ଗୋଟିଏ ଘର ଚାବି ପଡିଥାଏ ସେହି ଘରର ଅନ୍ୟ ଏକ ବଖରାରେ ଆଉ ଜଣେ ସ୍ତ୍ରୀ ଲୋକ ବସି ଥାଏ ।
ଦୁଇ ସାଙ୍ଗ ଭାବିଲେ ଏହି ଘରଟି ଭଡାରେ ଯଦି ଆମେ ପାଇ ଯାଆନ୍ତେ ଭଲ ହୁଅନ୍ତା – ଏହା ଭାବୁ ଭାବୁ ସେହି ଘରର ମାଲିକ ସେମାନଙ୍କ ସହିତ ଭେଟ ହୋଇ ଗଲା । ଘରବାଲା ଏମାନଙ୍କୁ ଦେଖି ପଚାରିଲା ତମେ ଦୁହେଁ ଏଠାରେ କାହାକୁ ଖୋଜୁଛ କି?
ସାଙ୍ଗ ଦୁହେଁ କହିଲେ – ନାଁ ଆମେ ରହିବା ଲାଗି ଗୋଟିଏ ଭଡା ଘର ଖୋଜୁଛୁ । ଏହି ଘରଟିରେ ତାଲା ପଡିଛି ଦେଖି ଘରଟିକୁ ଭଡା ଆକାରରେ ନେବାକୁ ଇଚ୍ଛା କରୁଛୁ । ତେବେ ଏ ଘର କାହାକୁ ଭଡା ଦେବେ କି ନାହିଁ । ସେହି ଅପେକ୍ଷାରେ ଆମେ ଏଠାରେ ଅଛୁ ।
ଘର ବାଲା କହିଲା ଘରଟି ମୋର, ତମେ ଦୁହେଁ ଯଦି ଭଲ ଲୋକ ହୋଇଥିବ ତାହା ହେଲେ ଏହି ଘର ତୁମକୁ ଭଡାରେ ଦେବି ।