ଦୁଇ ସାଙ୍ଗ ଲୋକଟିର କଥା ଶୁଣି କହିଲେ – ଆମେ ସବୁ ବେଳେ ଭଲ । ଗଣ୍ଡଗୋଳ ବଦମାସୀ ଆମ ଦେହରେ ଯାଏନା, କାଦୁଅକୁ ଯିବାର ନାହିଁ କି ଗୋଡ ଧୋଇବାର ନାହିଁ । ଆପଣଙ୍କର ଯେବେ ଆମ ପ୍ରତି ବିଶ୍ୱାସ ହେଉଛି ତାହା ହେଲେ ଆମକୁ ଘର ଦେବେ ।
ଘର ବାଲା ଦୁଇ ସାଙ୍ଗକୁ ଭଦ୍ର ଲୋକର ପୁଅ ବୋଲି ବିଶ୍ୱାସ କଲାରୁ ତାଙ୍କ ସହିତ ଘର ଭଡା ସ୍ଥିର କରି ଘରୁ ଚାବି ଆଣି ଦେଇଦେଲେ ।
ଦୁଇ ସାଙ୍ଗ ଘରର ଚାବି ନେଇ ଘର ଖୋଲି ଭିତରେ ପ୍ରବେଶ କରିବା ବେଳକୁ ଜଗୁଆଳି ପୁଅର ଅଳ୍ପ ଦୂରରେ ଥିବା ଆଉ ଗୋଟିଏ ଘରର ପିଣ୍ଢା ଉପରେ ନଜର ପଡିଗଲା । ସେହି ପିଣ୍ଢାରେ ଜଣେ ବୁଢୀ ଲୋକ ବସିଥିଲା, ଜଗୁଆଳି ପୁଅ ଦେଖିଲା ଯେ ବୁଢୀଟି ଏମାନଙ୍କୁ ଚାହିଁ ଚାହିଁ କାନ୍ଦୁଛି ।
ବୁଢୀଟି କ’ଣ ପାଇଁ କାନ୍ଦିଲା – ମନରେ ଏପରି ସନ୍ଦେହ ହେବାରୁ ଜଗୁଆଳି ପୁଅ ଭାବିଲା, ଠିକ୍ ଅଛି ରାଜା ପୁଅକୁ ନଜଣାଇ ପରେ ମୁଁ ସେହି ବୁଢୀ ପାଖକୁ ଯିବି । ଆଉ ପଚାରି ବୁଝିବି ସେ ଆମମାନଙ୍କୁ ଦେଖି କାହିଁକି କାନ୍ଦିଲା ।
ଏହା ପରେ ଦୁହେଁ ଘରଟିକୁ ସଫା ସୁତୁରା କରିଦେଲେ ଖଟ ଉପରେ ବିଛଣା ପକାଇ ଦେଲେ । ତା’ପରେ ବସି ବସି ନାନା ପ୍ରକାର କଥାରେ ମଜ୍ଜିଗଲେ ।
ଦୁଇ ସାଙ୍ଗଙ୍କର କଥା ବାର୍ତା ଚାଲିଛି । ଏହାରି ମଧ୍ୟରେ ରାଜା ପୁଅର ତାଙ୍କ ଘରକୁ ଲାଗିଥିବା ଆର ଘରଟି ଉପରେ ନଜର ପଡି ଗଲା । ସେ ଦେଖିଲେ ଯେ ସେହି ଗୃହରେ ଜଣେ ଖୁବ୍, ସୁନ୍ଦରୀ ସ୍ତ୍ରୀ ରହୁଛି । ରୂପ କହିଲେ ସ୍ୱର୍ଗର ରମ୍ଭା ଊର୍ବଶୀ ମଧ୍ୟ ଏହାର ସମସାମକ୍ଷ ହେବେ ନାହିଁ ।