ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଢୀଟି କାନ୍ଦୁଥିଲା କାହିଁକି?

         ବୁଢୀ କହିଲା – ସେ ବେଶ୍ୟାର ପେଟ ଭିତରେ ଗୋଟାଏ ନାଗ ଅଛି । ଯେତେ ବେଳେ ପର ପୁରୁଷ ମାନେ ଯାଇ ତା’ ସାଥିରେ ଲୀଳା କରନ୍ତି ନାଗ ସାପଟି ସେତିକି ବେଳେ ବେଶ୍ୟାର ପେଟରୁ ବାହାରକୁ ବାହାରି ଆସି ଚକାକରି ବାରଣ୍ଡାରେ ଖେଳେ, ଏମିତି ଖେଳୁ ଖେଳୁ ସୁବିଧା ଉଣ୍ଡି ଯାଇ ସେହି ପୁରୁଷକୁ ଦଂଶନ କରେ । ସେପରି ନାଗ ଯାହାକୁ ଦଂଶନ କରେ ସେ ଆଉ ବଂଚି ପାରେନା । ତୋର ସାଙ୍ଗର ବି ସେଇ ଅବସ୍ଥା ହେବ । ସମସ୍ତଙ୍କ ପରି ରାତିରେ ଆଜି ସେ ମଜା କରିବ । ସକାଳ ହେଲେ ମୁର୍ଦ୍ଧାର ହୋଇ ସେ ଘରୁ ପଦାକୁ ଆସିବ ।

         ବୁଢୀ ଠାରୁ ଏ କଥା ଶୁଣିବା ମାତ୍ରେ ଜଗୁଆଳି ପୁଅର ମନ ଅଥୟ ହେଲା । ସେ ଆଉ ବୁଢୀ ପାଖରେ ରହିବ କ’ଣ । ସଙ୍ଗେ ସଙ୍ଗେ ଘରକୁ ଯାଇ ତରବାରୀଟି ଧରି ରାଜା ପୁଅ ଓ ବେଶ୍ୟାର ଅଜଣାରେ ବେଶ୍ୟାର ଘର ଭିତରେ ପଶି ଯାଇ ଗୋପନରେ ଲୁଚି କରି ବସିଲା । ସତକୁ ସତ ବୁଢୀର କହିବା ସତ ଦେଖିଲା ଜଗୁଆଳି ପୁଅ । ସେ ଯେତେ ବେଳେ ସାପଟିକୁ ବେଶ୍ୟା ପେଟରୁ ବାହାରି ଆସି ମାଟି ଉପରେ ଖେଳିବାର ଦେଖିଲା ଆଉ କାଳ ବିଳମ୍ବ ନକରି ସାପଟିକୁ ତରବାରୀରେ ହାଣି ତିନି ଖଣ୍ଡ କରିଦେଲା । ତା’ପରେ କଟା ସାପକୁ ଏକାଠି କରି ସାଙ୍ଗରେ ନେଇ ଥିବା ଜାଲଟିକୁ ତା ଉପରେ ଢାଙ୍କି ଦେଇ ପୁଣି ଧୀରେ ଧୀରେ ସେ ଘରୁ ବାହାରି ଆସିଲା ।

         ଜଗୁଆଳି ପୁଅର ମନରୁ ମସ୍ତବଡ ଚିନ୍ତା ଓହ୍ଲାଇ ଗଲା । ମନ ତା’ର ସ୍ଥିର ହେବାରୁ ଭାବିଲା, ଏକା ଏକା ସେ ଘରେ ଶୋଇବ କ’ଣ, ଏଥର ଯାଉଛି ସହର ଆଡେ ସହର ଦେଖିବି ।

         ଏଥୁ ଅନ୍ତେ ଜଗୁଆଳି ପୁଅ ସହର ବୁଲିବାକୁ ଚାଲିଲା । ତା’ର ଯିବା ବାଟରେ ସେ ଗୋଟିଏ ଅତି ରୂପବତୀ ସୁନ୍ଦରୀ ସ୍ତ୍ରୀକୁ ଦେଖିଲା । ସେ ଭାବିଲାକି ସତେ କଣ ସ୍ୱର୍ଗରୁ କେହି ଅପୂର୍ବ ରୂପସୀ ଦେବ କନ୍ୟା ମର୍ତ୍ୟକୁ ବୁଲି ଆସିଛନ୍ତି ।

        ସ୍ତ୍ରୀଟିର ବେଶ ଭୁଷା ଦେଖି ଜଗୁଆଳି ପୁଅର ମନ ବଦଳି ଗଲା । ସେ କ’ଣ କଲାନା ସେହି ସ୍ତ୍ରୀର ପଛେ ପଛେ ଚାଲିଲା । ସେ ସ୍ତ୍ରୀ ଯୁଆଡେ ଗଲା ଜଗୁଆଳି ପୁଅ ମଧ୍ୟ ସେହି ଦିଗରେ ଗଲା ।

         ଏମିତି କିଛି ସମୟ ଅତିବାହିତ ହେବା ମଧ୍ୟରେ ସ୍ତ୍ରୀଟି ସହରର ଶେଷ ଭାଗ ଶେଷ କରି ଗୋଟିଏ ମଶାଣିରେ ପହଁଚି ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ