ସେ କାଗଜରେ ମହାଜନ ପରିଷ୍କାର ଭାବରେ ଲେଖି ଦେଲେ ମୁଁ ମରିଗଲା ପରେ ମୋର ତିନି ପୁଅ ଯାକ ଅଲଗା ଅଲଗା ରହିବେ । ସେମାନେ ମୋ ସମ୍ପତ୍ତିକୁ ସମାନ ତିନିଭାଗ କରିବେ, ହେଲେ ମୋ ମରିବା ପରେ ଘରେ ଯେତୋଟି ହୀରା ଥିବ ତାକୁ ନିମ୍ନ ଲେଖାନୁଯାୟୀ ଭାଗ କରିବାକୁ ମୋର ଏକାନ୍ତ ମନ୍ତବ୍ୟ ।
ମୋର ବଡ ପୁଅ ସୁରେଶ, ସେ ହୀରାକୁ ବହୁତ ଭଲ ପାଏ । ତେଣୁ ସେ ଦୁଇଭାଗରୁ ଏକ ଭାଗ ନେବ । ତା’ପରେ ମଝିଆଁ ପୁଅ ଦିନେଶ ସେ ତା’ର ବଡଭାଇଠାରୁ ଏ ହୀରାକୁ ଟିକେ କମ୍ ଭଲ ପାଏ । ତେଣୁ ସେ ତିନି ଭାଗରୁ ଏକ ଭାଗ ନେବ । ଶେଷରେ ରହିଲା ସାନପୁଅ ଅବିନାଶ ସେ ହୀରାକୁ ସମସ୍ତଙ୍କଠାରୁ କମ୍ ଭଲ ପାଏ, ତେଣୁ ସେ ‘ନଅ’ ଭାଗରୁ ଏକ ଭାଗ ନେବ । ମୋ ମଲାପରେ ମୋ ପୁଅମାନେ ଠିକ୍ ଏହିପରି ଭାବରେ ହୀରା ଭାଗକରି ନେବେ । ହୀରା ଭାଗ କଲାବେଳେ ସେଗୁଡିକୁ ଆଦୌ ଆଦୌ ଖଣ୍ଡ ଖଣ୍ଡ କରିବେ ନାହିଁ । ଏହି ଲେଖାଟିକୁ ପଢି ସେ ତିନି ଭାଇଯାକ ରାଜି ହୋଇଗଲେ । କେହି ବି ଆଉ ଏହାର ପ୍ରତିବାଦ କଲେ ନାହିଁ ।
ମହାଜନ ବୁଢା ତାଙ୍କ ଲେଖା କାଗଜଟିକୁ ବଡ ପୁଅ ସୁରେଶ ହାତରେ ଦେଇ ସବୁଦିନ ପାଇଁ ଏ ସଂସାରରୁ ବିଦାୟ ନେଲେ । ତା’ପରେ ସେ ମହାଜନଙ୍କ ଏକ ଦଶାହ କ୍ରିୟାକର୍ମ ସମାପନ ପରେ ତିନି ଭାଇ ସମ୍ପତ୍ତି ବଂଟନରେ ଲାଗିପଡିଲେ । ଗାଈ, ଗୋରୁ, ଛେଳି, ଜମିବାଡି ସବୁ ସମାନ ତିନିଭାଗରେ ବଂଟା ହୋଇଗଲା । ଶେଷରେ ରହିଲା ହୀରା ବଂଟା କଥା । ମହାଜନଙ୍କ ସେହି ପୁଅମାନେ ହୀରା ଥିବା ବାକ୍ସକୁ ଆଣି ଦେଖିଲେ ଯେ, ସେ ବାକ୍ସରେ ମୋଟ ସତରଟି ହୀରା ଅଛି । ଏ ତ ଏକ ମହାନ ସମସ୍ୟା । ସତରଟି ହୀରାକୁ ତ ସମାନ ଦୁଇଭାଗ କରିହେଉ ନାହିଁ । ତାପରେ ପୁଣି ବାପା ହସ୍ତଲେଖା କାଗଜରେ ଉଲ୍ଲେଖ ଅଛି ଯେ, ହୀରାକୁ କଦାପି ଖଣ୍ଡ ଖଣ୍ଡ କରି ଭାଗ କରାଯାଇ ପାରିବ ନାହିଁ । ତେଣୁ ଭାଇମାନେ ମହାଦ୍ୱନ୍ଦରେ ପଡିଲେ ।