ରାକ୍ଷସ ଆସି ଭୋଜନ ପାଇଁ ବସି ପଡିଲା । ମାଂସ ତରକାରୀ ତା’ ପାଟିକୁ ଖୁବ୍ ଭଲ ଲାଗିଲା ।
ରାକ୍ଷସ ଖୁସି ହୋଇ କହିଲା “ବାଃ, ମୋ ପାଇଁ ବହୁତ ପଇସା ଖର୍ଚ୍ଚ କରି ଏତେ ବଢିଆ ତରକାରୀ ବନେଇଛ । ମୁଁ ଭୋଜନପ୍ରିୟ ଅଟେ ।”
ମଲ୍ଲିକା କହିଲା “ଏଥିରେ ପ୍ରଶଂସା କରିବାର କ’ଣ ଅଛି । ଘରେ ମୂଷା ଥିବାଯାଏଁ ଆମର କିଛି ବି ଚିନ୍ତା ନାହିଁ । ମୂଷା ସଂଖ୍ୟା କମିଗଲେ ଅଟାର ରୋଟି ଖାଇବାକୁ ପଡିବ ।”
ଏକଥା ଶୁଣି ସେ ରାକ୍ଷସ ମଲ୍ଲିକାକୁ ପ୍ରଶଂସା କରି କହିଲା “ମୂଷା ମାଂସରୁ ବି ପୁଣି ଏତେ ସୁନ୍ଦର ତରକାରୀ ହୋଇପାରୁଛି? ମୁଁ ଆଜିଯାଏଁ ଯେତେଜଣଙ୍କୁ ବିବାହ କରିଥିଲି, ତନ୍ମଧ୍ୟରୁ କେହିବି ମୋତେ ମୂଷା ମାଂସ ତରକାରୀ ଖାଇବାକୁ ଦେଇ ନାହାଁନ୍ତି ।” ନିକଟରେ ଏତେ ହାତବୁଣା ସୁନ୍ଦର ଲୁଗାପଟା ପଡି ଥିବାର ଦେଖି ରାକ୍ଷସ କହିଲା, “ମନେ ହେଉଛି, ତୁମକୁ ବୁଣାବୁଣି ମଧ୍ୟ ବେଶ୍ ଭଲ ଭାବରେ ଜଣାଅଛି ।”
ମଲ୍ଲିକା ଲୁଗାଗୁଡିକୁ ଭଲ ଭାବରେ ଫିଟାଇ ତାର କାରୁକାର୍ଯ୍ୟ ସେ ରାକ୍ଷସକୁ ଦେଖାଇ କହିଲା, “ଗତ ମାସରେ ଏହାର କାମ ମୁଁ ଆରମ୍ଭ କରିଥିଲି । ମାତ୍ର ଏବେ ଏହା ସରିଗଲାଣି ।” ଏସବୁ ଦେଖି ସେ ରାକ୍ଷସ ମନରେ ତା’ପ୍ରତି ଉତ୍ପନ୍ନ ହୋଇଥିବା ଶ୍ରଦ୍ଧାଭାବ ଦ୍ୱିଗୁଣିତ ହୋଇଗଲା । ଖାଇ ସାରିବା ପରେ ସେ ସୁରେଇର ସବୁଯାକ ମଦିରା ପାନ କରିଦେଲା । ଶେଷରେ ସେ କହିଲା, “ବାଃ ଏହା ଅତି ବଢିଆ ମଦ । ଏଥିପାଇଁ ମଧ୍ୟ ବହୁତ ପଇସା ଖର୍ଚ୍ଚ କରିଥିବ ।”
କୃଷକଟି କହିଲା “ଆଦୌ ନୁହେଁ । ପଚାସଢା ଫଳରୁ ରସ ବାହାର କରି ଏହି ମଦିରା ପ୍ରସ୍ତୁତ ହୋଇଛି । ଏହି ଫଳ ତ ଆଉ ଅନ୍ୟ କିଛି କାମରେ ଲାଗି ପାରିବ ନାହିଁ । ତେଣୁ ମୋର ଝିଅ ମଲ୍ଲିକା ସେଥିରୁ ଏକ ପ୍ରକାର ମଦିରା ତିଆରି କରେ ।”
ରାକ୍ଷସ କୃଷକକୁ ପଚାରିଲା “ମୁଁ ତ କାହିଁ ଆଗରୁ ଜାଣି ନ ଥିଲି ଯେ ପଚାସଢା ଫଳରୁ ବି ଏତେ ଭଲ ମଦିରା ତିଆରି ହୋଇପାରେ ବୋଲି । ଆମେ ତ ତା’କୁ ସବୁ ଘୁଷୁରୀକୁ ଖାଇବାକୁ ଦେଇଥାଉ । ମଲ୍ଲିକା ମୋ ଘରକୁ ଆସିଲେ, ମୋର ବେଶ୍ ଲାଭ ହେବ । ଏବେ କୁହ ଯୌତୁକ ରୂପେ ତୁମେ କ’ଣ ଦେବ?”
କୃଷକ କହିଲା “ମଲ୍ଲିକାଠାରୁ ବଳି ଆଉ କିଛିବି ଯୌତୁକ ନାହିଁ । ସେ ତୁମର ପତ୍ନୀ ହୋଇ ମୋ ଘରୁ ଚାଲିଗଲେ, ମୋର ଯଥେଷ୍ଟ କ୍ଷତି ହେବ । ତେଣୁ ତା’କୁ ଯିଏ ବିବାହ କରିବ, ସେ ଓଲଟି ମୋତେ କ୍ଷତି ପୂରଣ ଦେବା କଥା । ତୁମେ ଜାଣ, ଆମ ଗ୍ରାମର ଜମିଦାରଙ୍କର ପତ୍ନୀଙ୍କର ଦେହାନ୍ତ ଘଟିଛି । ସେ ଆଉଥରେ ପୁଣି ବିବାହ କରିବାକୁ ଚାହୁଁଛନ୍ତି । ସେ ସମସ୍ତଙ୍କୁ କହି ବୁଲୁଛନ୍ତି, ମଲ୍ଲିକାକୁ ମୋ ସହିତ ବିବାହ କରାଇଲେ, ମୁଁ ତା’ର ପିତାଙ୍କୁ ଅର୍ଦ୍ଧେକ ଧନ ସମ୍ପତ୍ତି ଦେବି ।”
ଏକଥା ଶୁଣି ସେ ରାକ୍ଷସ ରାଗି ଉଠି କହିଲା, “ତୋର ପୁଣି ଏତେ ସାହସ? ମୋ ସହିତ ଏପରି କଥା ହେଉଛୁ? ତୋ ଝିଅକୁ ଜବରଦସ୍ତ ଉଠାଇ ନେଲେ ତୁ ମୋର କ’ଣ କରି ପାରିବୁ?”
“ତେବେ ମୋର ଯାହା ମନେ ହେଉଛି, ମଲ୍ଲିକା ସମ୍ବନ୍ଧରେ ତୁମର ସାମାନ୍ୟତମ ଧାରଣା ମଧ୍ୟ ନାହିଁ । ସେ ବହୁତ ଜିଦ୍ଖୋର୍ ଝିଅ । ସେ ଯଦି କେଉଁ କଥାରେ ରାଗିଯାଏ, ତେବେ ତାକୁ ହାଣି ଖଣ୍ଡ ଖଣ୍ଡ କରି ଦେଲେ ମଧ୍ୟ ସେ ତା’ ଜିଦ୍ରୁ ଆଦୌ ଘୁଂଚିବ ନାହିଁ । ଭଲରେ କହିଲେ, ସେ ସବୁ କାମ କରିବାକୁ ରାଜି ।” ଏହିପରି ଭାବେ କୃଷକ ତା’ ଝିଅର ଗୁଣ ବର୍ଣ୍ଣନା କଲେ ।
ରାକ୍ଷସ କହିଲା “ତେବେ ଠିକ୍ ଅଛି । ମୁଁ ତୁମକୁ ଯୌତୁକ ରୂପେ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଦେବି ।” “ନା ଏତିକିରେ ହେବ ନାହିଁ । ତା’ର ତିନିଗୁଣ ମୁଦ୍ରା ତୁମକୁ ଦେବାକୁ ପଡିବ ।” କୃଷକଟି ଏପରି କହିବାରୁ ରାକ୍ଷସ ତାହା ଦେବାକୁ ରାଜି ହେଲା । ସେତିକି ଧନ ସେହି କୃଷକର ଦରିଦ୍ରତା ମେଂଟାଇବା ପାଇଁ ଯଥେଷ୍ଟ ଥିଲା ।