ତା’ପରେ ଶ୍ୱେତାମ୍ବର ଚିକିତ୍ସା କରିବାକୁ ଆରମ୍ଭ କଲେ । ରାଜା ମଧ୍ୟ ସବୁକିଛି ମାନି ଯାଉଥିଲେ । ସପ୍ତାହକ ପରେ ବହୁତ କମିଗଲା, ଦୁଇସପ୍ତାହ ବେଳକୁ ଘା’ର ଆଉ ଚିହ୍ନବର୍ଣ୍ଣ ନାହିଁ । ରାଜା ଶ୍ୱେତାମ୍ବରଙ୍କ ଚିକିତ୍ସାରେ ଖୁବ୍ ଖୁସି ହେଲେ । ସେ ତାଙ୍କୁ ପ୍ରଶଂସା କରି କହିଲେ, “ମୁଁ ଆପଣଙ୍କର ଚିକିତ୍ସା ପଦ୍ଧତିରେ ବହୁତ ଖୁସି । ତଥାପି ମୋର ସନ୍ତୋଷ ପାଇଁ ମୁଁ ଅନୁରୋଧ କରୁଛି ଆପଣ କୁହନ୍ତୁ ମୁଁ ଆପଣଙ୍କୁ କି ପୁରସ୍କାର ଦେଇ ପାରିବି?”
ଶ୍ୱେତାମ୍ବରଙ୍କ କଥା ତ ଆରମ୍ଭରୁ ବିନମ୍ରତା ପୁର୍ଣ୍ଣ ଥିଲା; ସେ କହିଲେ, “ମହାରାଜ, ମୋର କିଛି କ୍ଷେତବାଡି ଅଛି, ଯେଉଁଥିରୁ କି ମୁଁ ଭରଣ ପୋଷଣ ପାଇଁ ଫସଲ ପାଏ । ବାଡିବଗିଚା ଅଛି ଯେଉଁଥିରୁ ମୁଁ ଫଳ ପରିବା ପାଏ । ଚିକିତ୍ସାରୁ ଯାହା କିଛି ଅଳ୍ପ ଆୟ ହୁଏ ମୁଁ ସେହିଥିରେ ଶାନ୍ତି ସନ୍ତୋଷରେ ଦିନ କାଟୁଛି । ତେଣୁ ଆପଣଙ୍କୁ ଧନ କଥା ମୁଁ କହିବି ନାହିଁ ତଥାପି ମୋର ଏକ ଛୋଟ ଇଚ୍ଛାଟିଏ ଅଛି ।”
ରାଜା ଉଦ୍ଗ୍ରୀବ ହୋଇ ପଚାରିଲେ “କ’ଣ ସେ ଇଚ୍ଛା?” “ଆପଣ ପାଲିଙ୍କିରେ ଆମ ଗ୍ରାମକୁ ଆସିଥିଲେ । ମାତ୍ର ଏଠୁ ଯିବାବେଳେ ଆପଣ ରଥରେ ଯିବେ । ତା’ପରେ ଯାଇ ଆପଣ ଠିକ୍ ବୁଝିଯିବେ ମୋର ଇଚ୍ଛା କ’ଣ; ଯଦି ତଥାପି ବୁଝି ନପାରନ୍ତି, ତେବେ ହେଇ ନିଅନ୍ତୁ ଏ ଚିଠିଟି ଘରେ ପହଁଚି ପଢିବେ ।”
ତା’ପରେ ସେ କହିଲେ, “ଏହି ଚିକିତ୍ସା ସମୟରେ ଯଦି ଆପଣଙ୍କ ପ୍ରତି ମୋର ବ୍ୟବହାରରେ କୌଣସି ଭୁଲ୍ ଥାଏ, ତେବେ ମୋତେ କ୍ଷମା ଦେବେ ।”
ଏହାପରେ ରାଜା, ସେନାପତି ଓ ଅନ୍ୟମାନେ ରଥରେ ବସି ଚାଲିଲେ, ରାସ୍ତା ଖୁବ୍ ବନ୍ଧୁର ଥିଲା – ରଥ ଭଲ କରି ଚାଲି ପାରୁନଥିଲା । ପକାଉଠା ହୋଇ ଚାଲୁଥିଲା । ସେନାପତି ଏଥିରେ ରାଗିଗଲେ । ସେ ଭାବିଲେ ରଥରେ ଯିବାକୁ କହି ବୈଦ୍ୟ ରାଜାଙ୍କୁ ଖାଲି ଅଯଥାଟାରେ କଷ୍ଟ ଦେଲା । ତେଣୁ ସେ ରାଜାଙ୍କୁ କହିଲେ, “ମହାରାଜ, ଦେଖିଲେ ନା, ସେ ଗର୍ବୀ ବୈଦ୍ୟକୁ? ପ୍ରଥମେ ଗ୍ରାମକୁ ଡାକି ପଠାଇଲା, ଏବେ ଆବୁଡା ଖାବୁଡା ରାସ୍ତାରେ ରଥରେ ପଠାଇ ଦେଲା । କି ଉଦ୍ଧେଶ୍ୟ ତା’ର? ମୋତେ ତା’ ଚିଠି ଦେଖାନ୍ତୁ ତ, ତହିଁରେ ସେ କ’ଣ ସବୁ ଲେଖିଛି ।”
ରାଜା କହିଲେ “ମୁଁ ଠିକ୍ ଜାଣେ ସେଥିରେ କ’ଣ ସବୁ ଲେଖା ହୋଇଛି ।”
ଇତିମଧ୍ୟରେ ସେ ରାଜାଙ୍କ ରଥ ରାଜଧାନୀରେ ଯାଇ ପହଁଚି ଯାଇଥିଲା । ରାଜା ମନ୍ତ୍ରୀଙ୍କୁ ଡାକି କହିଲେ, “ଏଇ ବର୍ତ୍ତମାନ ମଧୁପୁର ମଣ୍ଡଳର ପ୍ରତିନିଧିକୁ ଡାକି ତାଙ୍କୁ ପଚାରନ୍ତୁ ଯେ ଆମେ ରାସ୍ତା ପାଇଁ ଯେତେ ଟଙ୍କା ଦେଇଥିଲୁ ସେସବୁ ଗଲା କୁଆଡେ?” ତା’ପରେ ରାଜା ସେନାପତିଙ୍କୁ କହିଲେ, “ବୈଦ୍ୟ ଶ୍ୱେତାମ୍ବର ବହୁତ ବୁଦ୍ଧିମାନ ଓ ତାଙ୍କର ହୃଦୟ ଖୁବ୍ କୋମଳ । ତାଙ୍କ ଗ୍ରାମର ରାସ୍ତା ବିଷୟରେ ସେ ଆଗରୁ ମୋତେ କହିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୁଁ ବୁଝି ପାରିନଥିଲି । ଏବେ ତୁମେ ଏ ପତ୍ର ପଢ ସବୁ କିଛି ଠିକ୍ ଜାଣି ପାରିବ ।”
ଉକ୍ତ ପତ୍ରଟିରେ ଲେଖାଥିଲା “ମହାରାଜ, ରାସ୍ତାରେ ଆପଣଙ୍କ ରଥ ଚାଲିବାରେ ଯାହା କିଛି ବି ବାଧା ବିଘ୍ନ ପଡିଲା, ସେଥିପାଇଁ ମୁଁ କ୍ଷମା ଚାହୁଁଚି । ମୋ ନିକଟକୁ ଆସୁଥିବା ରୋଗୀମାନଙ୍କୁ କେତେ ଯେ କଷ୍ଟ କରି ଏଠାକୁ ଆସିବାକୁ ପଡେ ଏବେ ତାହାତ ଆପଣ ଠିକ୍ ବୁଝି ପାରୁଥିବେ । କୃପାକରି ଆପଣ ଏହାର ଯଥାଶୀଘ୍ର ପ୍ରତିକାର କରିବେ ।”
ପତ୍ର ପଢି ସେନାପତି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ରାଜା ପଚାରିଲେ “ଏବେ ତମେ ଆଉ କହିବ କି ସେ ବୈଦ୍ୟ ଗର୍ବୀ ଅଟନ୍ତି ବୋଲି?” କହିବା ବାହୁଲ୍ୟ ଏକ ମାସ ମଧ୍ୟରେ ରାଜଧାନୀରୁ ମଧୁପୁରକୁ ଏକ ସୁନ୍ଦର ସଡକ ତିଆରି ହୋଇଗଲା ଓ ସେ ରାସ୍ତାରେ ଦୁଇଟି ଅତିଥି ଭବନର ମଧ୍ୟ ବ୍ୟବସ୍ଥା କରାଗଲା ।