ବୁଢୀ କହିଲା, “ତେବେ ତ କୌଣସି ଯାଦୁବିଦ୍ୟା ପ୍ରଭାବରୁ ବୋଧହୁଏ ଗାଈଟା ଛେଳି ହୋଇଗଲା । ଘରୁ ଆସିବାବେଳେ ଏଇଟା ତ ଗାଈ ଥିଲା ।”
ତୃତୀୟ ଚୋର ଅଳ୍ପ ହସି କହିଲା, “ଆଈ, ମୋର କାହିଁ ମନେ ହେଉଛି ତୋର ବୋଧହୁଏ ପିତର ଆଧିକ୍ୟ ଯୋଗୁଁ ଏପରି ହୋଇଛି । କୋଡିଏ ଟଙ୍କାରେ ଛେଳିଟି ଦେଇ ଶାନ୍ତିରେ ବିଶ୍ରାମ କର ।”
ବୁଢୀ କହିଲା, “ହଁ ରେ ନାତି, ଜଣେ ତିରିଶ ଟଙ୍କା ଯାଚୁଥିଲା, ଆଉ ଜଣେ ପଚିଶ ଆଉ ତୁ ମାତ୍ର କୋଡିଏ ଟଙ୍କାରେ ନେଇଯିବୁ?”
“ଆଈ, ଏ ଛେଳି ତିରିଶ ଟଙ୍କାର ନୁହେଁ । ତେବେ ତୋତେ ହାଟଯାକେ ଯିବାକୁ ହେବ ବୋଲି ତୋ ଉପରେ ଦୟାକରି ମୁଁ ତିରିଶ ଟଙ୍କା ଦେଉଛି । ଏଇ ନେ ତୋ ପଇସା ।” ଏତିକି କହି ସେ ଚୋରଟି ତିରିଶଟି ଟଙ୍କା ଦେଇ ତା’ ବିନିମୟରେ ଗାଈଟିକୁ ନେଇଗଲା ।
ବୁଢୀ ଟଙ୍କା ଧରି ଘରକୁ ଫେରିଲା ଓ ବୁଢାକୁ ସମସ୍ତ କଥା କହିଲା; ପୁଣି ସେ ତିନିଜଣ ଦେଖିବାକୁ କିପରି ବୁଢୀ ଟିକିନିଖି କରି ସବୁ ବର୍ଣ୍ଣନା କଲା । ବୁଢା ବୁଢୀର ବର୍ଣ୍ଣନାରୁ ଜାଣିଗଲା କି ସେ ତିନି ଚୋରଯାକ ପଡୋଶୀ ଗ୍ରାମରେ ରହନ୍ତି । ଆଗରୁ ସେମାନଙ୍କ ନାମରେ ଚୋରୀର ବଦନାମ ଥିଲା । ବୁଢା କହିଲା, “ଯାହା ହେବାର ଥିଲା ତ ହେଲା । ଏବେ ମୁଁ ଯାହା କହୁଛି ଠିକ୍ ସେପରି କର ।”
ବୁଢା ବାହାରକୁ ଯାଇ କିଛି ସମୟ ପରେ ଦୁଇଟି ଏକପ୍ରକାର ଧଳା ଠେକୁଆ ଧରି ଆସିଲା । ଗୋଟିଏ ଠେକୁଆକୁ ଘରେ ପିଞ୍ଜରାରେ ରଖିଲା । ଅନ୍ୟଟିକୁ ଧରି ଚାଲିଲା । ଯିବାବେଳେ ତା’ ସ୍ତ୍ରୀକୁ ସେ କହିଲା, “ଦେଖ, ଆଜି ଆମ ଘରକୁ ଖାଇବା ପାଇଁ ଅତିଥି ସବୁ ଆସିବେ । ପୁରୀ, ବତକ ମାଂସ ତରକାରୀ ଓ କ୍ଷୀରି ତିଆରି କରି ରଖିଥିବୁ । ଘରକୁ ଫେରି ମୁଁ ପଚାରିବି କି କ’ଣ ଆଜି ରୋଷେଇ କରିଛୁ? ତେବେ ତୁ କହିବୁ ଯେ ଠେକୁଆ ହାତରେ ଯାହା ଖବର ପଠାଇଥିଲ ।”
ବୁଢା ଠେକୁଆ ଧରି ଯାଉ ଯାଉ ବାଟରେ ପଡୋଶୀ ଗ୍ରାମଟି ପଡିଲା । ଦେଖିଲା ବାଟରେ ତିନି ଚୋର ମଦଖାଇ ପଡିଛନ୍ତି । ବୁଢାକୁ ଦେଖି ଚିହ୍ନିଲେ ବୋଧେ; ଜଣେ ମଜା କରି କହିଲା, “ଆରେ ବୁଢା ତୋ ବୁଢୀ ଏତିକି ଜାଣେନାହିଁ ଯେ କାହାକୁ ଗାଈ କହନ୍ତି ଓ କାହାକୁ ଛେଳି କହନ୍ତି ।”
ବୁଢା କହିଲା କ’ଣ କରିବି ପିଲେ, ଆଜିକାଲି ତା’ ମଥା ବିଗିଡି ଯାଇଛି । କିନ୍ତୁ ସେ ରୋଷେଇବାସ ଅତି ଚମତ୍କାର କରେ ।”
ତା’ପରେ କିଛି ଭାବିବା ପରି ବୁଢା ଅଭିନୟ କରି ନିଜେ ନିଜକୁ କହିଲା, “ଆଜି କି କି ଖାଦ୍ୟ ପାଇଁ ଖବର ପଠାଇବି? ହଁ ହଁ, କ୍ଷୀରି, ବତକ ମାଂସ ତରକାରୀ ଓ ପୁରୀ ।” ତା’ପରେ ମୁଣିରୁ ଠେକୁଆକୁ ବାହାର କରି ବୁଢା ତାକୁ କହିଲା, “ଦେଖରେ ଠେକୁଆ, ଶୀଘ୍ର ଘରକୁ ଯାଇ ତୋ ମାଲିକାଣୀକୁ କହିବୁ କି ଆଜି କ୍ଷୀରି, ପୁରୀ ଓ ବତକ ମାଂସ ତରକାରୀ କରି ରଖିଥିବ ।” ଏତିକି କହି ଠେକୁଆକୁ ବୁଢା ଛାଡିଦେଲା । ଠେକୁଆ ଖୁସିରେ ଡେଇଁ ଡେଇଁ ବୁଦା ଭିତରେ ଲୁଚିଗଲା ।
ଏସବୁ ଦେଖି ମାତାଲ୍ ଅବସ୍ଥାରେ ଥିବା ଚୋର ତିନିଜଣ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଜଣେ ପଚାରିଲା, “ସତରେ କ’ଣ ଏ ଠେକୁଆ ତୁମ ଘରକୁ ଯାଇ ବୁଢୀକୁ ଖବର ଦେବ?”