ଠିକ୍ ଏତିକିବେଳେ ସେ ବାଟ ଦେଇ ଗାଁ ଚାଟଶାଳୀ ଅବଧାନେ ଯାଉଥିଲେ । ଏକାବେଳକେ ଦଶଜଣ ଲୋକ ପାଟିକରି କାନ୍ଦିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ତହୁଁ ଅବଧାନେ ପଚାରିଲେ, “ଭାଇମାନେ! ଏଠାରେ ବସି କାନ୍ଦୁଛ କାହିଁକି?”
ଉତ୍ତର ମିଳିଲା, “ଅବଧାନେ! ଆମେ ଦଶଜଣ ନିକିମା ମଣିଷ । କାମଧନ୍ଦା କରି ଅର୍ଥ ଉପାର୍ଜନ କରିବାପାଇଁ ବାହାରକୁ ଯାଉଥିଲୁ । ଆମେ ପରସ୍ପର ବନ୍ଧୁ ଭାବରେ ଏଭଳି ବାନ୍ଧି ହୋଇଛୁ ଯେ, କେହି କାହାରିକୁ ମୁହୂର୍ତ୍ତେ ଛାଡିଲେ ଚଳିପାରିବୁ ନାହିଁ । ଏବେ ଘଟଣାଟି ହେଲା, ଆମେ ସମସ୍ତେ ଜଣ ଜଣ କରି ଆମମାନଙ୍କର ସଂଖ୍ୟା ଗଣିବାରୁ ‘ନଅ’ ହେଉଛି । ଆମେ ତ ଗାଆଁରୁ ଦଶ ଆସିଥିଲୁ, ଏବେ ବାଟରେ ଜଣେ କେଉଁଠି ହଜିଗଲା, ସେଥିଲାଗି ବସି କାନ୍ଦୁଛୁ ।”
ଏକଥା ଶୁଣି ଅବଧାନେ ନିଜେ ଗଣିଲେ । ଦେଖିଲେ ଠିକ୍ ‘ଦଶ’ ହେଉଛି । ତହୁଁ ସେ ଲୋକମାନଙ୍କୁ ଆଉଥରେ ଭଲ ଭାବରେ ଗଣିବାକୁ କହିଲେ । ଏଥର ବି ସେମାନଙ୍କ ଗଣନା ଅନୁସାରେ ‘ନଅ’ ହେଲା । ଏବେ ଅବଧାନେ କହିଲେ, “ଠିକ୍ ଅଛି । ତୁମମାନଙ୍କର ସଂଖ୍ୟା ଏବେ ବି ‘ଦଶ’ । ମାତ୍ର ଭୁଲ୍ ହେଲା, ତୁମେମାନେ ଗଣିଲାବେଳେ ନିଜକୁ ଛାଡି ଦେଉଛ । ଫଳରେ ସଂଖ୍ୟା ନଅ ହେଉଛି । ଏବେ ଦେଖ ମୁଁ ଗଣୁଛି ।” ଅବଧାନେ ସେହି ଲୋକଙ୍କ ଆଗରେ ଗୋଟି ଗୋଟି କରି ଗଣି ଦଶ ଦେଖାଇ ଦେବାରୁ ସେମାନେ ବୁଝିଗଲେ ।
ଏକଥାଟି ଯିଏ ଶୁଣିଲା ହସି ହସି ଗଡିଗଲା । ସୁତରାଂ ମୁଣ୍ଡରେ ଟିକିଏ ବୁଦ୍ଧି ବା ସାଧାରଣଜ୍ଞାନ ନ ଥିଲେ ଏମିତି ହଟହଟା ହେବାକୁ ହୁଏ ।