ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧି ପରୀକ୍ଷା

ବିଜୟ ସାଆନ୍ତେ କହିଲେ “ଏଇଟା କିପରି କଥା ହେଲା? ମୁଁ ତମ ଘରକୁ ଯାଇଥିଲି । ତା’ପରେ ତମେ ଆମ ଘରକୁ ଆସିବ, ଏହା ତ ମୋର ଆଶା କରିବାଟା ସ୍ୱାଭାବିକ ।”

ସୁମନ୍ତ ରାୟ କହିଲେ “ତମେ ବୋଧେ ଭୁଲିଯାଇଛ । ତୁମେ ପୁଣି ଆସିବ ବୋଲି କଥା ଦେଇଥିଲ । ତମକୁ ଅପେକ୍ଷା କରି କରି ମୁଁ ଶେଷରେ ଏଠାକୁ ଆସିଲି ।”

ବିଜୟ ସାଆନ୍ତେ କହିଲେ “ଭଲ କଲ । ମୁଁ ତ ଧରିନେଇଥିଲି ଯେ ତମେହିଁ ଆସିବ । ଛଅମାସ ହେଲା ତମର କୌଣସି ଦେଖା ଦର୍ଶନ ନାହିଁ ।”

ସୁମନ୍ତ ରାୟ କହିଲେ “ମୋ ପୁଅ ବୋହୁ ଓ ସେମାନଙ୍କ ପିଲାପିଲି ରେଙ୍ଗୁନ୍ରୁ ଫେରିଲେ । ସେମାନଙ୍କୁ ନେଇ ମୁଁ ଟିକେ ବ୍ୟସ୍ତ ଥିଲି ।”

ବିଜୟ ସାଆନ୍ତେ ତାଙ୍କ ନାତିକୁ କହିଲେ “ସେମାନେ କ’ଣ ଆସିଗଲେଣି? ପ୍ରାୟ ଦଶବର୍ଷ ପରେ ଜାଣ ସେମାନେ ତାଙ୍କ ଦେଶକୁ ଫେରିଲେ । ସେମାନେ ଥରେ ଆମ ଘରକୁ ଆସିବା ଉଚିତ୍ । ମହେଶ! ତୁ ସୁମନ୍ତ ଜେଜେଙ୍କ ସହ ତାଙ୍କ ଘରକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ଆସିବୁ । ଆଗାମୀ ସପ୍ତାହରେ ଆମ ଗାଁରେ ମେଳା ହେବ । ସେତେବେଳେ ସେମାନେ ଯେମିତି ଏଠି ରହିବେ ।”

ପରଦିନ ସୁମନ୍ତ ରାୟଙ୍କ ସହ ମହେଶ ତାଙ୍କ ଘରକୁ ଗଲା । ବାଟରେ ସୁମନ୍ତ ରାୟ ମହେଶକୁ କହିଥାନ୍ତି, “ମୋ ନାତୁଣୀ ଲାବଣ୍ୟର ଭାରି ବୁଦ୍ଧି । ମୁଁ ଦଶବର୍ଷ କାଳ ତାକୁ ଦେଖି ନଥିଲି । ହେଲେ ବର୍ତ୍ତମାନ ମୁଁ ତାକୁ ଯେତିକି ଦେଖୁଛି, ସେତିକି କାବା ହେଉଛି! ତା’ଠୁ ବୁଦ୍ଧିମତୀ ବିବେକୀ ଝିଅ ମୁଁ ମୋ ଜୀବନରେ ଆଦୌ ଦେଖି ନାହିଁ ।”

ସୁମନ୍ତ ରାୟ ତାଙ୍କ ଘରେ ପହଁଚି କହିଲେ, “ଲାବଣ୍ୟ, ମୁଁ ମହେଶକୁ କହିଛି କି ତୋ ଭଳି ବୁଦ୍ଧିମତୀ ଝିଅ ମୁଁ କେବେବି ଦେଖିନାହିଁ । ମୋ ଟେକ ରଖି ପାରିବୁଟି?”

ଲାବଣ୍ୟ ଲଜ୍ଜାରେ ଝାଉଁଳି ପଡିଲା । ଦଶବର୍ଷ ଆଗରୁ ମହେଶ ଲାବଣ୍ୟକୁ ଦେଖିଥିଲା । ସେତେବେଳେ ଲାବଣ୍ୟ ତ ସୁନ୍ଦର ଟିକି ଝିଅଟାଏ ହୋଇଥାଏ । ମହେଶ ତା’ ସହ ସବୁବେଳେ ଥଟ୍ଟା ପରିହାସ କରୁଥାଏ । ଏହା ଭିତରେ ଦୀର୍ଘ ଦଶବର୍ଷ ବିତି ଯାଇଥିଲେ ବି ସେ ପୁରୁଣା ବାତାବରଣ ଫେରାଇ ଆଣିବାକୁ ମହେଶକୁ ଆଉ ଅଧିକ କଷ୍ଟ କରିବାକୁ ହେଲା ନାହିଁ । ସେ କହିଲା, “ଲାବଣ୍ୟ, ମୋତେ ଭୀଷଣ ଶୋଷ ଲାଗୁଛି । ବାହାର କରିବାକୁ ପଡିବ ନାହିଁ କି ଭିତରେ ପୁରାଇବାକୁବି ପଡିବ ନାହିଁ, ଯେଉଁ ପାଣିତକ କାହାରି ଆଖିରେ ପଡିନଥିବ, ସେମିତି ପାଣି ଆଣିଦେଇ ପାରିବ?”

ଲାବଣ୍ୟ କହିଲା “ପାରିବି ।” ତା’ପରେ ସେ ସଙ୍ଗେ ସଙ୍ଗେ ଯାଇ ଗୋଟାଏ ପଇଡ କାଟି ଆଣି କହିଲା, “ଏଥର ବାହାର କଲେ ଓ ଆଖିରେ ପଡିଲେ ଚଳିବ ତ?”

ମହେଶ ହସିଲା ଓ କହିଲା, “ଚଳିବ ।” ଲାବଣ୍ୟ ଗିଲାସରେ ପଇଡ ପାଣି ଢାଳି ମହେଶକୁ ଦେଲା ।

ମହେଶ ପଚାରିଲା “ଆଚ୍ଛା ଲାବଣ୍ୟ, ଏମିତି ପାଞ୍ଚ ଚିଜ କ’ଣ, ଯେଉଁଥିରୁ ପ୍ରଥମଟି ନଥିଲେ ମୁଁ ତମ ଘରକୁ ଆସି ପାରି ନଥାନ୍ତି, ଦ୍ୱିତୀୟଟି ନଥିଲେ ମୋ ବେଶଭୁଷା ମଇଳା ଦିଶୁଥାନ୍ତା, ତୃତୀୟ ଓ ଚତୁର୍ଥ ନଥିଲେ ଆମେ ନଥାନ୍ତୁ ବା ସେ ଦୁହେଁ ବେଶି ମାତ୍ରାରେ ଥିଲେ ବା ସେ ଦୁହିଁଙ୍କ ଭିତରେ ବନ୍ଧୁତା ଗାଢ ହେଲେ ବି ଆମେ ନଥାନ୍ତୁ । ପଞ୍ଚମଟି ଅନନ୍ତ!”

“ମୁଁ ଜାଣେନା!” ଏତକ କହି ଲାବଣ୍ୟ ଲାଜେଇ ଠିଆ ହେଲା । ଲାବଣ୍ୟର ସୁନ୍ଦର ସୌମ୍ୟ ଆଚରଣ ଦେଖି ମହେଶ ତା’ଉପରେ ଅତ୍ୟନ୍ତ ମୁଗ୍ଧ ହେଲା । ସେଦିନ ରାତିରେ ସୁମନ୍ତ ରାୟ ମହେଶକୁ ପଚାରିଲେ, “ମହେଶ! ତମଲାଗି ଯୋଗ୍ୟ କନ୍ୟା ଖୋଜିବାଟି?”

ମହେଶ ମୁଣ୍ଡ ତଳକୁ କରି କହିଲା, “ଖୋଜିବା ଆଉ କ’ଣ ବା ଦରକାର?”

ସୁମନ୍ତ ହସି ହସି କହିଲେ, “ବେଶ୍, ବେଶ୍ । ପ୍ରୀତ ହେଲି । ତା’ହେଲେ ଯଥାଶୀଘ୍ର ବାହାଘର ତିଥି ଠିକ୍ କରାଯାଉ, ନା କ’ଣ?”

ମହେଶ ହସିଲା ଓ କହିଲା, “ଆପଣମାନଙ୍କ ଇଚ୍ଛା ଓ ଆଶୀର୍ବାଦ!”

ଏଥିଉତାରେ ମହେଶ ସହ ଲାବଣ୍ୟର ବାହାଘର ଖୁବ୍ ଜାକଜମକରେ ହୋଇଗଲା । ଲାବଣ୍ୟ ଦିନେ ମହେଶକୁ କହିଲା, “ତମେ ଯେଉଁ ପ୍ରଶ୍ନ ମୋତେ ପଚାରିଥିଲ, ତା’ର ଉତ୍ତର ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ । ପୃଥିବୀ ନଥିଲେ ତମେ ଆମ ଘରକୁ କିପରି ଆସନ୍ତ? ଜଳ ନଥିଲେ ତ ଲୁଗାପଟା ଯମାରୁ ସଫା ହୋଇ ନଥାନ୍ତା, ଅଗ୍ନି ଓ ବାୟୁ ବିନା ପ୍ରାଣଧାରଣ ତ କେବେବି ସମ୍ଭବ ନୁହେଁ, ଅଥଚ ଦୁଇର ଆଧିକ୍ୟରେ ବି ପ୍ରଳୟ ହେବ । ଅଗ୍ନି ସହ ବାୟୁର ବନ୍ଧୁତା ହେଲେ, ଅର୍ଥାତ୍ ଦୁଇଙ୍କ ସହଯୋଗରେ ବି ପ୍ରଳୟ ହେବ । ଆଉ ପଞ୍ଚମଟି ହେଲା ଆକାଶ – ଯାହା ଅନନ୍ତ ।”

ମହେଶ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା “ତମେ ଏ ଉତ୍ତର ସେଦିନ ଜାଣିଥିଲଟି? ତେବେ କାହିଁକି କିଛି କହିଲ ନାହିଁ?”

ଲାବଣ୍ୟ ଅର୍ଥପୂର୍ଣ୍ଣ ଭାବରେ ହସି ହସି କହିଲା “ମୁଁ ଏମିତି ବହୁତ କଥା ଜାଣେ, ସେପରି ଭାବ ଦେଖାଇ ହେବାକୁ ଅଥବା ପରୀକ୍ଷାରେ ମୁଁ ଉତୀର୍ଣ୍ଣ ହୋଇପାରୁଛି, ଏମିତି ଧାରଣା ସୃଷ୍ଟି କରିବାକୁ ପ୍ରବୃତ୍ତି ହେଲା ନାହିଁ । ତମର ଯୋଡିଏ ପରୀକ୍ଷାରୁ ଗୋଟିକରେ ଉତୀର୍ଣ୍ଣ ହୋଇଥିଲି । ଆଉ ଗୋଟିକରେ ଉତୀର୍ଣ୍ଣ ନ ହୋଇ ତମକୁ ମୁଁ ଗୋଟାଏ ସୁଯୋଗ ଦେଲି ।”

ମହେଶ ପ୍ରଶ୍ନ କଲା “କି ସୁଯୋଗ?”

ଲାବଣ୍ୟ ନମ୍ର ଭାବରେ କହିଲା “ତମେ ଯଦି ମୋତେ ବାହା ହେବାକୁ ଚାହୁଁ ନଥିବ, ତମେ କହିପାରିବ ଯେ ମୋର ବିଶେଷ ଜ୍ଞାନ ନାହିଁ, ତମ ପ୍ରଶ୍ନର ଉତ୍ତର ଦେଇପାରିଲି ନାହିଁ । ଏହି ସୁଯୋଗ ।” ଲାବଣ୍ୟର ଏଭଳି ବିବେକ ବୋଧ ଦେଖି ମହେଶ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ